Unknown

 

 

 

 

 

 

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

୬୪ତମ ସଂଖ୍ୟା କୋଣାର୍କ ୧୯୮୭

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

 

ସମ୍ପାଦକ:

ରାଧାମୋହନ ଗଡ଼ନାୟକ

 

ପରିଚାଳନା ସମ୍ପାଦକ :

ସୁରେନ୍ଦ୍ରନାଥ ଶତପଥୀ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ମୁଦ୍ରଣ : ପ୍ରଜାତନ୍ତ୍ର ପ୍ରେସ୍‌, କଟକ-୭୫୩୦୦୨

 

୬୪ତମ ସଂଖ୍ୟା କୋଣାର୍କ ୧୯୮୭

ମୂଲ୍ୟ : ପାଞ୍ଚଟଙ୍କା ମାତ୍ର

 

ଏ ସଂଖ୍ୟାର ଲେଖା ଓ ଲେଖକ

୧.

କାଳିଦାସଙ୍କ ନାଟକରେ ବିଦୂଷକ ଓ ହାସ୍ୟରସ

ଡକ୍ଟର ସରୋଜ କୁମାର ସୁଆର

୨.

ସିନ୍ଧୁ ସଂସ୍କୃତିରେ ଧର୍ମ

ଶ୍ରୀ ସୁରେନ୍ଦ୍ରନାଥ ଶତପଥୀ

୩.

କବିସୂର୍ଯ୍ୟ ବଳଦେବ ରଥଙ୍କ କବିତା-ଶିଳ୍ପରେ

ଯାବନିକ ଶବ୍ଦ ଓ ଏହାର ଭାଷାତାତ୍ତ୍ୱିକ ବ୍ୟୁତ୍ପତ୍ତି

ଅଧ୍ୟାପକ ପ୍ରମୋଦ ପାଢ଼ୀ

୪.

ରାଧାନାଥଙ୍କ ବିଷାଦବାଦ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

୫.

ଫକୀରମୋହନଙ୍କ ଅଜ୍ଞାତ ରଚନା-କୁଳକୁନ୍ତଳା

ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା, ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ

୬.

ନୀଳକଣ୍ଠ କାବ୍ୟକୃତିରେ ଜାତୀୟତାବାଦ

ଡକ୍ଟର ପ୍ରମୋଦ କୁମାର ଦ୍ୱିବେଦୀ

୭.

ଚନ୍ଦନ ଚାନ୍ଦିନୀ ନିନ୍ଦଇ ବିରହିଣୀ

ଶ୍ରୀ ରାଧାମୋହନ ଗଡ଼ନାୟକ

୮.

ଓରାୱଁ ସଂସ୍କୃତି ଓ ଶବ୍ଦାବଳୀ

ଡକ୍ଟର ଲକ୍ଷ୍ମଣ ପ୍ରସାଦ ନାୟକ

୯.

ବେଦ ଓ ମାନବତା

ଶ୍ରୀ ପ୍ରାଣନାଥ ମହାନ୍ତି

୧୦.

ଲୋକ-ସାହିତ୍ୟରେ ନାରୀ ଜୀବନର ଚିତ୍ର

ଶ୍ରୀ ମୋହିତ ମୋହନ ମହାପାତ୍ର

୧୧.

ସଂପାଦକୀୟ

ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ତିରୋଧାନରେ...

୧୨.

ଏକାଡେମୀ ସମାଚାର

୧୦୬

 

***

 

‘‘କୋଣାର୍କ’’ ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ମାର୍ଚ୍ଚ, ଜୁନ, ସେପ୍‌ଟେମ୍ବର ଓ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ ୫/-ରହିବ-। ବାର୍ଷିକ ଗ୍ରାହକ ଦେୟ ଟ ୧୬/-ରହିବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ୱତନ୍ତ୍ର ଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗାଇବାକୁ ଥିବା ୪ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବ ନାହିଁ । ବିଷୟବସ୍ତୁ ବା ଥିମ୍ ଦୃଷ୍ଟିରୁ ଅତୀତରେ ଯେପରି ବିଭିନ୍ନ ବିଶେଷ ସଂଖ୍ୟା ପାଇଁ ଅତିଥି ସମ୍ପାଦକ ମନୋନୀତ ହୋଇଛନ୍ତି, ସେହିପରି ପ୍ରୟୋଜନ ସର୍ତ୍ତରେ ମନୋନୀତ ହେବେ ।

 

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସାଧାରଣତଃ ଗବେଷଣାଧର୍ମୀ ପ୍ରବନ୍ଧମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ସୃଜନଶୀଳ ସାହିତ୍ୟକୁ ଉତ୍ସାହ ଦେବା ଲାଗି ଅନ୍ତତଃ ଦୁଇଟି ଉତ୍କୃଷ୍ଟ ମାନର କବିତା ଓ ଗୋଟିଏ କ୍ଷୁଦ୍ରଗଳ୍ପ ପ୍ରତି ସଂଖ୍ୟାରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ମଧ୍ୟ ଏଥିରେ ସ୍ଥାନ ପାଇବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟିକୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ ।

 

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

 

୪.

ପୂର୍ବରୁ ପ୍ରକାଶିତ କୌଣସି ରଚନା ‘କୋଣାର୍କ’ରେ ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେବ ନାହିଁ ।

 

୫.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ୱରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

 

୬.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ଓ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

 

୭.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ ୧୦୦/-(ଏକଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

 

୮.

‘କୋଣାର୍କ’ ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

 

***

 

Unknown

କାଳିଦାସଙ୍କ ନାଟକରେ ବିଦୂଷକ ଓ ହାସ୍ୟରସ

ଡକ୍ଟର ସରୋଜ କୁମାର ସୁଆର

 

ହସିବା ମଣିଷର ଏକ ସହଜାତ ପ୍ରବୃତ୍ତିବିଶେଷ । ହାସ୍ୟରସ ସେହି ହସର ଏକ ମାନସିକ ଆଧାର । ଏହା ଏକ ସୂଷ୍ମ ମାନସିକ ବୃତ୍ତି ହୋଇଥିବାରୁ ମାନବୀୟ ବିଚାରଧାରା ତଥା କାର୍ଯ୍ୟକଳାପ ସହିତ ଗଭୀର ଭାବରେ ସଂଶ୍ଳିଷ୍ଟ । ମାତ୍ର ଆମର ପ୍ରାଚୀନ ସଂସ୍କୃତ ସାହିତ୍ୟରେ ହାସ୍ୟରସ ପାଇଁ ବିଭିନ୍ନ ବିବେଚନାର ଧାରା ସୃଷ୍ଟି ହୋଇନାହିଁ । ସଂସ୍କୃତ ସାହିତ୍ୟରେ ଶୃଙ୍ଗାର ରସ ହିଁ ପ୍ରାଧାନ୍ୟ ଲାଭ କରିଥିଲା । ହାସ୍ୟରସର ସ୍ଥାନ ଥିଲା ନିତାନ୍ତ ଗୌଣ । ‘‘ଶୃଙ୍ଗାରାନୁକୃତି’’ ତଥା ‘‘ଅନୌଚିତ୍ୟ’’ ଥିଲା ଏହି ରସର ମୂଳ ପ୍ରେରଣା । ହାସ୍ୟରସର ବର୍ଗୀକରଣ ଯାହାବା ଆମର ପ୍ରାଚୀନ ଆଚାର୍ଯ୍ୟଗଣ କରିଯାଇଛନ୍ତି, ତାହା ହସିବା କ୍ରିୟାର-ହାସ୍ୟରସର ନୁହେଁ । ମନେହୁଏ, ସେତେବେଳର ସମାଜ ଓ ଜୀବନ ପ୍ରତି ଦାର୍ଶନିକ ଦୃଷ୍ଟିଭଙ୍ଗୀ ହିଁ ଏହି ରସର ପରିସରକୁ ସଙ୍କୁଚିତ କରିଦେଇଥିଲା । ପୁନଶ୍ଚ ମନ ତଥା ଶରୀରର ଏକ ବାହ୍ୟ ପ୍ରକାଶ ଭାବରେ ହାସ୍ୟ ବିବେଚିତ ହୋଇଥିବାରୁ ‘ପ୍ରଦର୍ଶନ’ ଥିଲା ଏହାର ଧର୍ମ । ତେଣୁ ସଂସ୍କୃତ ନାଟକମାନଙ୍କରେ ହାସ୍ୟରସ ପରିବେଷଣ କରିବାର କ୍ଷୀଣ ଅବକାଶ ମାତ୍ର ରହିଥିଲା ।

 

ପୁନଶ୍ଚ ପ୍ରାଚୀନ ଭାରତର ‘କଳା’ ତତ୍ତ୍ୱତଃ ଥିଲା ଅଭିଜାତଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ । ତେଣୁ ତାହା ଲୋକଧର୍ମୀ ହୋଇପାରିନଥିବା ଅତ୍ୟନ୍ତ ସ୍ୱାଭାବିକ । ସର୍ବୋପରି ଭାରତର ପ୍ରାଚୀନ ସଂସ୍କୃତି ମଧ୍ୟ ସମାଜର ଉଚ୍ଚରେ ଥିବା ବ୍ରାହ୍ମଣ, କ୍ଷତ୍ରିୟ ତଥା ଶାସକବର୍ଗ ପାଇଁ ଥିଲା ସଂରକ୍ଷିତ । ଏଭଳି ଅବସ୍ଥାରେ ଜନ୍ମ ନେଲା ସଂସ୍କୃତ ନାଟକ । ଏହି ନାଟକମାନଙ୍କର ଲକ୍ଷ୍ୟ ଥିଲା ଯଥାର୍ଥବାଦ ପରିବର୍ତ୍ତେ ଆଦର୍ଶବାଦ ସୃଷ୍ଟି । ଜୀବନକୁ ରସାନୁଭୂତ କରାଇବାର ଉଦ୍ଦେଶ୍ୟ ନେଇ ପ୍ରାୟତଃ ଅଧିକାଂଶ ଲେଖକ ଶୃଙ୍ଗାର ରସକୁ ହିଁ ଗୁରୁତ୍ୱ ଦେଇଥିବା ସର୍ବତ୍ର ଅନୁଭୂତ ହୁଏ । ହାସ୍ୟରସ ସେହି ଶୃଙ୍ଗାର ରସ ସହ ଜଡ଼ିତ ହୋଇପଡ଼ି ବେଳେବେଳେ ତା’ର ସ୍ୱତନ୍ତ୍ର ସତ୍ତାକୁ ମଧ୍ୟ ହରାଇ ବସୁଥିଲା-। ଏଭଳି ସାହିତ୍ୟିକ ବାତାବରଣ ଭିତରେ ରଚିତ କାଳିଦାସଙ୍କ ତିନିଖଣ୍ଡ ନାଟକର ମୂଲ୍ୟାଙ୍କନ କରାଯାଇପାରେ ।

 

କାଳିଦାସ ଥିଲେ ରାଜକବି ଓ ରାଜପୋଷିତ । ତେଣୁ ରାଜ ଅନୁରୂପ ବିଷୟବସ୍ତୁକୁ ଗ୍ରହଣ କରି ନାଟକ ରଚନା କରିବା ତାଙ୍କ ପକ୍ଷରେ ଅତ୍ୟନ୍ତ ସ୍ୱାଭାବିକ ଥିଲା । ପୁନଶ୍ଚ କାଳିଦାସଙ୍କ ନାଟକୀୟ ଶୃଙ୍ଗାର ରସ ପ୍ରଧାନ । ତଥାପି ହାସ୍ୟ, କରୁଣ ଆଦି ରସର ସମାବେଶ ଅପ୍ରଚୁର ନୁହେଁ-। ସେସବୁ ନାଟକ ମଧ୍ୟ ରାଜଦରବାରମାନଙ୍କରେ ପ୍ରଦର୍ଶିତ ହେବା ପାଇଁ ରଚିତ ହୋଇଥିଲା-। ଯାହା ଫଳରେ ଗ୍ରାମ୍ୟରୁଚି ଅନୁକୂଳ ଲଘୁ ପ୍ରସଙ୍ଗ ଆଦିର ବିଶେଷ ଅବତାରଣା ଘଟିନଥିବା ସ୍ୱାଭାବିକ । ତଥାପି ରାଜତନ୍ତ୍ର ଭିତରେ ସୁଦ୍ଧା ରାଜକବି କାଳିଦାସ ସାଧାରଣ ମାନବୀୟ ବିଚାରଧାରାକୁ କୌଶଳକ୍ରମେ ବିଭିନ୍ନ ଚରିତ୍ର ଜରିଆରେ ଆରୋପ କରି ବିମଳ ହାସ୍ୟରସ ଓ ଲଘୁ ବ୍ୟଙ୍ଗ-ବିଦ୍ରୁପ ସୃଷ୍ଟି କରିପାରିଛନ୍ତି । ଏହା ତାଙ୍କର ହାସ୍ୟ ସୃଷ୍ଟି ପାଇଁ ଆବଶ୍ୟକ ଉନ୍ନତ କଳାବୋଧର ପରିଚାୟକ । ଆଦର୍ଶବାଦୀ ଓ ପରମ୍ପରା ବିଶ୍ୱାସୀ କାଳିଦାସ ଏ ରସ ସୃଷ୍ଟି କ୍ଷେତ୍ରରେ ଯଥେଷ୍ଟ ସତର୍କତା ଓ ସଞ୍ଜମ ରକ୍ଷା କରି ପାରିଥିବାର ସର୍ବତ୍ର ଅନୁଭୂତ ହୁଏ । ଜୀବନରେ ସରସତା ରକ୍ଷା କରିବାକୁ ଯାଇ କାଳିଦାସ ତାଙ୍କର ହାସ୍ୟରସବୋଧକୁ କଳାତ୍ମକ ରୀତିରେ ପ୍ରକାଶ କରିଯାଇଛନ୍ତି । ଯେଉଁ ସ୍ଥାନରେ ଯେତିକି ଆବଶ୍ୟକ (Sense of proportion) ସେତିକି ମାତ୍ର ପ୍ରୟୋଗ ହୋଇଛି । ବିମଳ ହାସ୍ୟରସ ସହିତ ଉପହାସ, ବ୍ୟଙ୍ଗ, ବାକ୍‌ଚାତୁର୍ଯ୍ୟ, ବକ୍ରୋକ୍ତି, ଶ୍ଳେଷ ତଥା ବିଭିନ୍ନ ଆନନ୍ଦଦାୟକ ପ୍ରସଙ୍ଗ ଆଦିର ଅବତାରଣା ତାଙ୍କ ନାଟକରୁ ସୂଚିତ । ହାସ୍ୟ ଉପାଦାନମାନ ମଧ୍ୟ ଚରିତ୍ରଗତ, ପରିସ୍ଥିତିଜନକ ଓ ଶବ୍ଦଗତ ଆଦି ଭେଦରେ ପ୍ରକଟିତ ହୋଇଛି । ଶରୀର, ମନ ଓ ଭାବରାଜ୍ୟରେ ତାଙ୍କ ଦ୍ୱାରା ପରିବେଷିତ ହାସ୍ୟରସର ପ୍ରଭାବ ମଧ୍ୟ ଅଖଣ୍ଡ । କାଳିଦାସଙ୍କ ହାସ୍ୟରସର ପ୍ରଭାବ ମଧ୍ୟ ଅଖଣ୍ଡ । କାଳିଦାସଙ୍କ ହାସ୍ୟରସର ବୈଶିଷ୍ଟ୍ୟ ହେଲା, ତାଙ୍କ ଚିତ୍ତର ସାମ୍ୟବୋଧ ଓ ଜୀବନ ସମ୍ବନ୍ଧରେ ଗଭୀର ପର୍ଯ୍ୟବେକ୍ଷଣ ଶକ୍ତି । ଜୀବନର ଅସଂଗତି ପ୍ରତି ସେ ସର୍ବଦା ସହାନୁଭୂତିଶୀଳ । ସେଥିପାଇଁ ସେ କାହାପ୍ରତି ତୀବ୍ର କଟାକ୍ଷରେ ବିଦ୍ରୁପ କରିନାହାନ୍ତି । ବରଂ ନିଜର ସ୍ୱାଭାବିକ ଉଦାର ଗୁଣରେ ମାନବର-ତ୍ରୁଟି ବିଚ୍ୟୁତି ପ୍ରତି ହୋଇଛନ୍ତି କରୁଣାବନ୍ତ । ତେଣୁ ସ୍ମିତହାସ୍ୟର ଆଲୋକସମ୍ପାତ କରି ଜୀବନର ଆନନ୍ଦବୋଧକୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଅଛନ୍ତି । ଏତିକି କହିଲେ ଯଥେଷ୍ଟ ହେବ ଯେ, ବିଶ୍ୱବନ୍ଦନୀୟ ଲିପିଶିଳ୍ପୀ କାଳିଦାସ ସାହିତ୍ୟରେ ହାସ୍ୟରସର ଉପାଦେୟତା ଓ ମୂଲ୍ୟବୋଧ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଥିଲେ । ସଂସ୍କୃତ ସାହିତ୍ୟରେ ଜୀବନଧର୍ମୀ ହାସ୍ୟରସର ଘୋର ଦୈନ୍ୟ ଭିତରେ କାଳିଦାସଙ୍କ ନାଟକତ୍ରୟ ସେହି ରସପ୍ରାଚୁର୍ଯ୍ୟର ଜୟଗାନରେ ମୁଖରିତ ।

 

ବିଦୂଷକ ପରମ୍ପରା ଓ କାଳିଦାସ :-

ସଂସ୍କୃତ ନାଟକମାନଙ୍କରେ ବିଦୂଷକୀୟ ଚରିତ୍ରର ସମାବେଶ ସମ୍ଭବତଃ ଏକ ପରମ୍ପରା ରୂପେ ଗ୍ରହଣ କରାଯାଉଥିଲା । କାଳିଦାସ ମଧ୍ୟ ତାଙ୍କ ତିନିଖଣ୍ଡ ନାଟକରେ (ମାଳବିକାଗ୍ନି ମିତ୍ର, ବିକ୍ରୋମବଂଶୀୟ, ଅଭିଜ୍ଞାନ ଶାକୁନ୍ତଳମ୍) ହାସ୍ୟରସ ସୃଷ୍ଟି ପାଇଁ ମୁଖ୍ୟତଃ ବିଦୂଷକ ଚରିତ୍ର ଆରୋପ କରିଅଛନ୍ତି । ବିଦୂଷକ ଏକ ସ୍ୱତନ୍ତ୍ର ଧରଣର ଟାଇପ୍ ଚରିତ୍ର । ଉଦ୍ଭଟତା ଭିତରେ ତାଙ୍କର ଗତି । ସମସ୍ତପ୍ରକାର ପାଗଳାମିକୁ ଅନୁକରଣ କରିଥା’ନ୍ତି । ଯେଉଁଠି ଆବଶ୍ୟକ ସେଇଠି ସେମାନେ ଅନୁପସ୍ଥିତ । ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ମଧ୍ୟ ଗ୍ରହଣ କରିନିଅନ୍ତି ଅତି ସହଜ ଭାବରେ । କଥା ବା କାର୍ଯ୍ୟର ଗାମ୍ଭୀର୍ଯ୍ୟ ରକ୍ଷା କରିପାରନ୍ତି ନାହିଁ । ସାମାଜିକ ରୀତିନୀତି ଓ ପରମ୍ପରା ପ୍ରତି ସର୍ବଦା ଅବହେଳା ପ୍ରଦର୍ଶନ ସେମାନଙ୍କ ଧର୍ମ । ସାଧାରଣ ନ୍ୟାୟ ନୀତି ଆଦିର ଧାରଣାବୋଧରେ ସୁଦ୍ଧା ସେମାନେ ଉଦାସୀନ । ମାତ୍ର ଭୀଷଣ ଭାବରେ ଖାଦ୍ୟଲୋଭୀ ପେଟୁ ତଥା ଅନ୍ୟମନସ୍କ । ଅନ୍ୟତମ ହାସ୍ୟକର ବ୍ୟାପାର ସେମାନଙ୍କ ‘‘ବୈରୁପ୍ୟ’’ । ଉପହାସଯୁକ୍ତ ଗୁଣ ଥିବା ସଙ୍ଗେ ‘‘ବୈରୁପ୍ୟ’’ର ସମ୍ପର୍କ ଅଛି । ଏହି ‘‘ବୈରୂପ୍ୟ’’ ହାସ୍ୟର ଏକ ବାହ୍ୟପ୍ରକାଶ । ଭରତମୁନିଙ୍କ ଠାରୁ ଆରିଷ୍ଟଟଲଙ୍କ ପର୍ଯ୍ୟନ୍ତ ‘‘ବୈରୂପ୍ୟ’’କୁ ହାସ୍ୟ ଉଦ୍ରେକକାରୀ ଭାବରେ ଗ୍ରହଣ କରିଅଛନ୍ତି । ଭରତଙ୍କ ଦୃଷ୍ଟିରେ ଅସଂଗତ ଓ ଅସ୍ୱାଭାବିକ କଥାବାର୍ତ୍ତା, ବେଶପୋଷାକ ତଥା ଶରୀରର ବିରୂପ ଆକୃତି ବିଦୂଷକ ଶ୍ରେଣୀୟ ଚରିତ୍ର ପାଇଁ ଅନିବାର୍ଯ୍ୟ । ସ୍ୱାଭାବିକ ଓ ସଙ୍ଗତ ନହେଲେ ଆଖିର ଲୁହ ସୁଦ୍ଧା ହାସ୍ୟର ଉଦ୍‌ବୋଧକ ହୋଇଥାଏ ।

 

ସଂସ୍କୃତ ସାହିତ୍ୟରେ ପ୍ରାୟତଃ ସମସ୍ତ ନାଟ୍ୟକାର ବିଦୂଷକଙ୍କୁ ରାଜାଙ୍କର ଅନ୍ତରଙ୍ଗ ମିତ୍ର ତଥା ତାଙ୍କ କାର୍ଯ୍ୟରେ ଏବଂ ରାଜଅନ୍ତଃପୁରରେ ସହାୟତା କରୁଥିବା ଏକ ଅତ୍ୟାବଶ୍ୟକୀୟ ଚରିତ୍ର ଭାବରେ ଗ୍ରହଣ କରିଅଛନ୍ତି । ଏଠାରେ ପ୍ରଶ୍ନ ଉଠେ ବିଦୂଷକଶ୍ରେଣୀୟ ଚରିତ୍ରମାନଙ୍କୁ ବ୍ରାହ୍ମଣ ରୂପେ କାହିଁକି ଚିହ୍ନିତ କରାଯାଇଅଛି ? ନାଟ୍ୟଶାସ୍ତ୍ର ସମ୍ବନ୍ଧୀୟ ଗ୍ରନ୍ଥମାନଙ୍କରେ ଏଭଳି ସମସ୍ୟାର କୌଣସି ସମାଧାନ ନାହିଁ । ଯେତେଦୂର ମନେହୁଏ ତତ୍କାଳୀନ ସମାଜର ବିଦ୍ୱାନଗୋଷ୍ଠୀ ବ୍ରାହ୍ମଣମାନଙ୍କର ପ୍ରତ୍ୟୁତ୍ପନ୍ନମତିତା ରାଜାମାନଙ୍କର ଶୁଭଦୃଷ୍ଟି ଆକର୍ଷଣ କରିପାରିଥିଲା ତଥା ସେମାନେ ମଧ୍ୟ ଥିଲେ ଉଚ୍ଚବଂଶଜ ଓ ଧାର୍ମିକ । ଯାହାଫଳରେ ରାଜାଙ୍କ ସଙ୍ଗେ ମୁକ୍ତ ଭାବରେ ଆଳାପ କରିପାରୁଥିବା ଏକମାତ୍ର ଚରିତ୍ର ଥିଲେ ଏମାନେ । ପୁନଶ୍ଚ ସେତେବେଳର ରାଜତନ୍ତ୍ର ଭିତରେ ବ୍ରାହ୍ମଣ ବ୍ୟତୀତ ଅନ୍ୟମାନେ ରାଜାଙ୍କଠାରୁ ସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁକ୍ତ ଭାବରେ ସମାଲୋଚନା କରିପାରିବାର ଅଧିକାର ପାଇଥା’ନ୍ତେ ବା କିପରି ? ପୁନଶ୍ଚ ବିଦୂଷକ ନିର୍ଦ୍ଦୋଷ ଓ ନିର୍ବୋଧ ବୋଲି ରାଜଅନ୍ତଃପୁରକୁ ଅବାଧରେ ପ୍ରବେଶ କରିପାରୁଥିଲେ । ସେହିପରି ବିଦ୍ୱାନ ବ୍ରାହ୍ମଣ ହୋଇଥିବାରୁ ବିଦୂଷକ ମୁହଁର ବକ୍ତବ୍ୟ ମଧ୍ୟ ସୁବୋଧ୍ୟ ଓ ଯୁକ୍ତିଯୁକ୍ତ ହେଉଥିବା ସ୍ୱାଭାବିକ । ଏସବୁ ଦିଗପ୍ରତି ଏଠାରେ ଦୃଷ୍ଟି ଦିଆଯାଇପାରେ । ମାତ୍ର ସଂସ୍କୃତ ନାଟକରେ ବହୁ ପୂର୍ବରୁ ରଚିତ ଆମର ରାମାୟଣ ଓ ମହାଭାରତ ଗ୍ରନ୍ଥରେ ବ୍ରାହ୍ମଣମାନଙ୍କୁ ଏଭଳି ବିରୂପ, ନିରୀହ ତଥା ନିର୍ବୋଧ ଭାବରେ କୌଣସିଠାରେ ସୁଦ୍ଧା ଚିତ୍ରିତ କରାହୋଇଥିବା ଜଣାଯାଏ ନାହିଁ । କିନ୍ତୁ ଏହି ସମୟରେ ବ୍ରାହ୍ମଣ ବିଦ୍ୱେଷର କାରଣ କ’ଣ ହୋଇପାରେ ? ଦିନେ ହୁଏତ ଜୈନ ତଥା ବୌଦ୍ଧଧର୍ମର ପ୍ରଭାବରେ ଭାରତବର୍ଷରେ ଏହି ବାକ୍‌ପଟୁ, ଶ୍ରମବିମୁଖ, ଖାଦ୍ୟଲୋଭୀ ତଥା ଜାତ୍ୟାଭିମାନୀ ବ୍ରାହ୍ମଣମାନଙ୍କର ପ୍ରଭାବ ସମାଜରେ କ୍ଷୀଣ ହୋଇପଡ଼ି ବ୍ରାହ୍ମଣ୍ୟ ଧର୍ମର ଅଧଃପତନ ଦେଖାଦେଇଥିଲା । ସଂସ୍କୃତ ନାଟକରେ ବିଦୂଷକଗଣଙ୍କର ଏଭଳି ଚିତ୍ରଣ ସହିତ ଏହାର ସମ୍ପର୍କ ମଧ୍ୟ ଦର୍ଶାଯାଇପାରେ । ମାତ୍ର ତାହା ଗବେଷଣା ସାପେକ୍ଷ । ତଥାପି ସମାଜର ଏକ ଉଚ୍ଚଶ୍ରେଣୀର ବ୍ୟକ୍ତି ଜାଣି ବୁଝି ଯେତେବେଳେ ନିଜର ଗୌରବ ପ୍ରତି ଉଦାସୀନ ମନୋଭାବ ପୋଷଣ କରେ, ନିଜର ହୀନମନ୍ୟତାର ପରିଚୟ ଦିଏ ତଥା ନିଜର ଚରିତ୍ରର ବୈଚିତ୍ର୍ୟକୁ ପ୍ରକାଶ କରିଦିଏ, ସେତେବେଳେ ଅନ୍ୟମାନଙ୍କର ହାସ୍ୟର କାରଣ ହେବା ସ୍ୱାଭାବିକ । ପୁନଶ୍ଚ ଏହି ଶ୍ରେଣୀର ଚରିତ୍ରମାନଙ୍କର ଅନ୍ୟତମ ଲକ୍ଷଣ ହେଲା, ସେମାନେ ଅତ୍ୟନ୍ତ ଭାବରେ ଖାଦ୍ୟଲୋଭୀ ଓ ପେଟୁ । ଏହାର କାରଣ ମଧ୍ୟ ଅନୁସନ୍ଧାନ କରାଯାଇପାରେ । ଏଭଳି ଲକ୍ଷଣ ସେହି ଚରିତ୍ରମାନଙ୍କର ମାତ୍ରାଧିକ ସ୍ୱାର୍ଥପରତାର ପରିଚୟ ଦିଏ ଏବଂ ଜୀବନସଂଗ୍ରାମ ଭିତରେ ବଞ୍ଚିରହିବାର ଏକ ଆବଶ୍ୟକୀୟ ଦିଗ ପେଟଚିନ୍ତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରେମ ଓ ବିପ୍ଳବ ହିଁ ଜଗତର ଏକମାତ୍ର ସତ୍ୟ ନୁହେଁ, ତହିଁସଙ୍ଗେ ଅନ୍ନଚିନ୍ତା ମଧ୍ୟ ଏକ ଅନିବାର୍ଯ୍ୟ ସତ୍ୟ ରୂପେ ପ୍ରତିପାଦିତ ହୋଇଛି । ତେଣୁ ରାଜାଙ୍କର ଅନ୍ତରଙ୍ଗ ମିତ୍ର ଓ ସହାୟକ ବିଦୂଷକର କ୍ଷୁଧାର ନଗ୍ନ ଚିତ୍କାର, ସମସ୍ତ ପ୍ରକାର କଥା ଓ କାର୍ଯ୍ୟ ଭିତରେ ପେଟର ସମ୍ପର୍କ ଇତ୍ୟାଦି ବାସ୍ତବରେ ହାସ୍ୟର କାରଣ ହୋଇଉଠିଛି ।

 

କାଳିଦାସ ତାଙ୍କର ତିନି ନାଟକରେ ବିଦୂଷକକୁ ହାସ୍ୟରସ ସୃଷ୍ଟିର ମୂଳନିର୍ଯ୍ୟାସ ଭାବରେ ଗ୍ରହଣ କରିଅଛନ୍ତି । ‘‘ମାଳବିକାଗ୍ନିମିତ୍ର’’ ନାଟକର ବିଦୂଷକ ଗୌତମ, ‘‘ବିକ୍ରମୋବଂଶୀୟ’’ରେ ମାଣବକ ଓ ‘‘ଶକୁନ୍ତଳା’’ରେ ମାଧବ୍ୟ-ଏମାନଙ୍କ ଚରିତ୍ର ଓ ସ୍ୱଭାବରେ ଅଛି ବୈଚିତ୍ର୍ୟ । ତିନିଜଣଯାକ ବ୍ରାହ୍ମଣ ଓ ନାୟକମାନଙ୍କର କର୍ମସଚିବ । କେବଳ ରାଜାମାନଙ୍କର ମନୋରଞ୍ଜନ ନୁହେଁ, ତା’ ସଙ୍ଗେ ସେମାନଙ୍କର ପ୍ରେମ ବ୍ୟାପାରରେ ସାହାଯ୍ୟ କରିବା ଏମାନଙ୍କର ପ୍ରଧାନ କାର୍ଯ୍ୟ-। ତିନିହେଁ ବ୍ରାହ୍ମଣ ହେଲେ ମଧ୍ୟ ‘‘ସି’’ ଅକ୍ଷର ବିବର୍ଜିତ ନିରକ୍ଷର ଭଟ୍ଟାଚାର୍ଯ୍ୟ । ତେଣୁ କାଳିଦାସ ବ୍ୟଙ୍ଗକରି ସେମାନଙ୍କୁ ମହାବ୍ରାହ୍ମଣ ଆଖ୍ୟା ଦେଇଛନ୍ତି । ସେମାନେ ଦେଖିବାକୁ ମଧ୍ୟ ନିତାନ୍ତ କୁରୂପ-। ମାତ୍ର ରାଜଅନ୍ତଃପୁରରେ ସେମାନଙ୍କ ଅବାଧ ପ୍ରବେଶ । ରାଜା, ରାଣୀ, ଦାସୀ ଇତ୍ୟାଦିଙ୍କ ଦ୍ୱାରା ହୋଇଛନ୍ତି ପ୍ରଶଂସିତ । କିନ୍ତୁ ସ୍ୱୟଂ ବିଦୂଷକ ଅହିଂସ୍ର ଓ ନିରୀହ । ଉପସ୍ଥିତ ବୁଦ୍ଧିସମ୍ପନ୍ନ ଓ ବାକ୍‌ପଟୁ ହୋଇଥିଲେ ମଧ୍ୟ ତାଙ୍କର ଉଦ୍ଦେଶ୍ୟହୀନ ସମାଲୋଚନା ଓ ନିର୍ବୋଧ ବ୍ୟବହାର ହୋଇଛି ହାସ୍ୟର ଉଦ୍‌ବୋଧକ । ବ୍ରାହ୍ମଣ ହେଲେହେଁ, ସଂସ୍କୃତ ଭାଷା ପରିବର୍ତ୍ତେ ପ୍ରାକୃତରେ ସେମାନେ କଥାବାର୍ତ୍ତା କରିଛନ୍ତି । କାଳିଦାସଙ୍କ ବିଦୂଷକ ମୁଖ୍ୟତଃ ଆନନ୍ଦ ଦେଇଛି, ଯେତେବେଳେ ନାଟକର ଗୁରୁଗମ୍ଭୀର ପରିବେଶ କିମ୍ବା କରୁଣରସଭରା ଆବେଷ୍ଟନୀର ହୋଇଛି ସୂତ୍ରପାତ ।

 

ମାତ୍ର ତିନି ନାଟକରେ ସ୍ଥାନ ପାଇଥିବା ତିନିଜଣ ବିଦୂଷକ (ଗୌତମ, ମାଣବକ, ମାଧବ୍ୟ)ଙ୍କ ମଧ୍ୟରେ ଯେତିକି ସାମ୍ୟ, ସେତିକି ପାର୍ଥକ୍ୟ ମଧ୍ୟ ରହିଛି । ଗୌତମ ଚତୁର, ଉପସ୍ଥିତ ବୁଦ୍ଧି ସମ୍ପନ୍ନ ଓ କୌଶଳୀ । ମାଣବିକ ବାକ୍‌ଚାତୁର୍ଯ୍ୟସମ୍ପନ୍ନ ହେଲେହେଁ ନିର୍ବୋଧ । ମାଧବ୍ୟ ସାମୟିକ ଚିତ୍ତବିନୋଦନରେ ସହାୟକ, କିନ୍ତୁ ସରଳ ଓ ସହାନୁଭୂତି ସୁନ୍ଦର । ମାତ୍ର ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ ବିଦୂଷକର ଚାରିତ୍ରିକ ବୈଶିଷ୍ଟ୍ୟ ଓ ପ୍ରାଧାନ୍ୟ ‘‘ମାଳବିକାଗ୍ନିମିତ୍ର’’ରୁ ‘‘ବିକ୍ରମୋର୍ବଶୀୟ’’ ଓ ‘‘ଶକୁନ୍ତଳା’’ ନାଟକରେ କ୍ରମେ କ୍ଷୀଣ ହୋଇଯାଇଛି । ‘‘ମାଳବିକାଗ୍ନିମିତ୍ର’’ ନାଟକରେ ବିଦୂଷକ ବ୍ୟତୀତ ରାଜା ଅଗ୍ନିମିତ୍ର ବ୍ୟକ୍ତିତ୍ୱହୀନ ହୋଇଉଠନ୍ତି । ବିଦୂଷକ ଗୌତମଙ୍କ କୃତିତ୍ୱ ଓ ବିଫଳତା ହିଁ ହୋଇଛି ନାଟ୍ୟକାରଙ୍କ କୃତିତ୍ୱ କିମ୍ବା ବିଫଳତା । ଗୌତମ ଦର୍ଶକ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଛନ୍ତି । ଗୌତମ ଯେଭଳି ବୁଦ୍ଧିମାନ, ସେଭଳି ନିର୍ବୋଧ ମଧ୍ୟ । ସେ କପଟୀ ହୋଇ ମଧ୍ୟ ସରଳ, ପ୍ରତିଭାବାନ୍ ହୋଇ ବି ଅଜ୍ଞ ତଥା ମୂର୍ଖ ହୋଇ ସୁଦ୍ଧା ଉଚ୍ଚକୋଟୀର ଚାତୁର୍ଯ୍ୟସଂପନ୍ନ । ବାହ୍ୟତଃ ନିର୍ବୋଧ ମନେହୋଇ ମଧ୍ୟ ଗୌତମ ସର୍ବତ୍ର ବୁଦ୍ଧିମାନର କାର୍ଯ୍ୟ କରିଯାଇଛନ୍ତି । ମାତ୍ର ମାଣବିକ ପ୍ରକୃତରେ ନିର୍ବୋଧ, ତା’ର ଭାଷା ମଧ୍ୟ ନିରର୍ଥକ । ରାଜାଙ୍କର ସହାୟତା କରିବା ପରିବର୍ତ୍ତେ ମାଣବକ ଅତ୍ୟଧିକ ନିର୍ବୋଧତା ହେତୁ ପ୍ରତିବନ୍ଧକ ହୋଇପଡ଼ିଛନ୍ତି । ମାଧବ୍ୟ କେବଳ ହାସ୍ୟ ସୃଷ୍ଟି କରିପାରନ୍ତି । ଘଟଣା ଓ ଚରିତ୍ରର ପ୍ରଗତି ତଥା ପରିଣତିରେ ତାଙ୍କ ସହାୟତା ମୋଟେ ଅନୁଭୂତ ହୁଏନାହିଁ ।

 

‘‘ମାଳବିକାଗ୍ନିମିତ୍ର’’ରେ ଗୌତମ:-

ହାସ୍ୟରସ ଦୃଷ୍ଟିରୁ ‘‘ମାଳବିକାଗ୍ନିମିତ୍ର’’ ନାଟକ କାଳିଦାସଙ୍କ ଏକ ବିଶିଷ୍ଟ କୃତି । ତତ୍କାଳୀନ ସମାଜ ତଥା ଜୀବନର ବିଭିନ୍ନ ପ୍ରକାର ଦୋଷ, ଦୁର୍ବଳତା, ଅଜ୍ଞତା, ମୂର୍ଖତା ଆଦି ପ୍ରତି ଲଘୁବ୍ୟଙ୍ଗ ଏହି ନାଟକରେ ଲକ୍ଷଣୀୟ । ଏପରିକି ତାଙ୍କ ସମୟର ରାଜପରିବେଶକୁ ନେଇ ମଧ୍ୟ କାଳିଦାସ ଲଘୁବ୍ୟଙ୍ଗ ମାଧ୍ୟମରେ ମୃଦୁ ଆଘାତ ଦେଇଥିବା ଅସମ୍ଭବ ନୁହେଁ । କାରଣ ଆଲୋଚ୍ୟ ନାଟକର ନାୟକ ରାଜା ଅଗ୍ନିମିତ୍ରଙ୍କ ଚରିତ୍ର ଚିତ୍ରଣକୁ ଅନୁଧ୍ୟାନ କଲେ ଏଭଳି ଧାରଣା ଦୃଢ଼ ହୁଏ । ନିଜେ ଅଗ୍ନିମିତ୍ର ଚିତ୍ରିତ ହୋଇଛନ୍ତି ଦାୟିତ୍ୱହୀନ, ରାଜକାର୍ଯ୍ୟ ପ୍ରତି ସଦା ଉଦାସୀନ ଜଣେ ପ୍ରେମିକ ଭାବରେ । ଏକାଧିକ ପତ୍ନୀ ଥାଉଁ ଥାଉଁ ନବପ୍ରେମିକାର ପ୍ରଥମ ପ୍ରେମଚାହାଣିରେ ସେ ହୋଇଛନ୍ତି ପ୍ରେମପାଗଳ । ଏପରିକି ଦେଶରକ୍ଷା ଦୃଷ୍ଟିରୁ ଯୁଦ୍ଧକାର୍ଯ୍ୟରେ ଲିପ୍ତ ନ ହୋଇ ବିଦୂଷକ ସଙ୍ଗେ ରଙ୍ଗରସ ଚର୍ଚ୍ଚାରେ ଅଗ୍ନିମିତ୍ର ବହୁମୂଲ୍ୟ ସମୟ ନଷ୍ଟ କରିପାରନ୍ତି ।

 

ଅନ୍ୟାନ୍ୟ ନାଟକ ଅପେକ୍ଷା ‘‘ମାଳବିକାଗ୍ନିମିତ୍ର’’ରେ ବିଦୂଷକ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଅଛନ୍ତି । ନାଟକଟି ବିଦୂଷକପ୍ରଧାନ ହୋଇଉଠିଛି । ସମଗ୍ର ନାଟକୀୟ ବିଷୟବସ୍ତୁ ଏହି ଚରିତ୍ରକୁ କେନ୍ଦ୍ରକରି ହିଁ ଗତିଶୀଳ । ବିଦୂଷକଙ୍କ ବିନୋଦ କେବଳ ହାସ୍ୟ ଉତ୍ପାଦନ ନ ହୋଇ, ହୋଇଛି ବିଷୟବସ୍ତୁର ପରିପୋଷକ । ରାଜାଙ୍କର ପ୍ରିୟା ବିଷୟକ ଉତ୍କଣ୍ଠାକୁ ସଫଳ କରିବାରେ ବିଦୂଷକ ହିଁ ଏହି ନାଟକର ଏକ ଅତ୍ୟାବଶ୍ୟକୀୟ ଚରିତ୍ର ଓ ତତ୍ତ୍ୱ ହୋଇଉଠିଛନ୍ତି । ରାଣୀ ଇରାବତୀଙ୍କର ବିଦୂଷକଙ୍କ ପ୍ରତି ‘‘କାମତନ୍ତ୍ର ସଚିବ’’ର ଆଖ୍ୟା ପ୍ରଦାନ ଯଥାର୍ଥ ହୋଇଛି । ମାଳବିକାଙ୍କୁ ରାଜା ଅଗ୍ନିମିତ୍ରଙ୍କ ପାଇଁ ବେଳେ ବେଳେ କୌଶଳ ଆୟତ୍ତ କରିବାର ସମସ୍ତ କୌଶଳ ବିଦୂଷକଙ୍କ ଉନ୍ନତ ମସ୍ତିଷ୍କରୁ ହିଁ ବାହାରିଛି । ନାଟକର ନାୟକ ଅଗ୍ନିମିତ୍ର ଜଣେ ଦୁର୍ବଳ ଚରିତ୍ର । ମାତ୍ର ଗୌତମ ଜଣେ ସାବଧାନ ଚରିତ୍ର । ଅବଶ୍ୟ ଅନ୍ୟାନ୍ୟ ବିଦୂଷକଙ୍କ ଭଳି ସେ ମଧ୍ୟ ପାନ ଭୋଜନପ୍ରିୟ ତଥା ନିଦ୍ରାଳୁ ବ୍ରାହ୍ମଣ, କିନ୍ତୁ ମନ୍ଦବୁଦ୍ଧି କିମ୍ବା ପ୍ରମତ୍ତ ନୁହନ୍ତି । ବରଂ ସେ ଅତ୍ୟନ୍ତ ଚତୁର, ବୁଦ୍ଧିମାନ ତଥା ପରିହାସପ୍ରିୟ ବ୍ୟକ୍ତି ।

 

‘‘ମାଳବିକାଗ୍ନିମିତ୍ର’’ ନାଟକର ଆରମ୍ଭରୁ ହିଁ କାଳିଦାସ ହାସ୍ୟକର ପରିବେଶମାନ ସୃଷ୍ଟି କରି, ତା’ ମାଧ୍ୟମରେ ନାଟକୀୟ ବିଷୟବସ୍ତୁକୁ ଆଗେଇ ନେଇଛନ୍ତି । ସହଜେ ଗୌତମ ଧୂର୍ତ୍ତ ଓ ବୁଦ୍ଧିମାନ । ସେ କୌଶଳକ୍ରମେ ଦୁଇଜଣ ନାଟ୍ୟାଚାର୍ଯ୍ୟ ଗଣ ଦାସ ଓ ହରିହର ଦତ୍ତ ମଧ୍ୟରେ କଳହ ସୃଷ୍ଟି କରିଦେଇଛନ୍ତି । ମାତ୍ର ରାଣୀ ଧାରିଣୀ ଏ କଳହରେ ଅସନ୍ତୋଷ ପ୍ରକାଶ କରିବାରୁ ଚତୁର ଗୌତମ କହୁଛନ୍ତି-‘‘ଏମାନେ ଯେତେବେଳେ ବେତନ ପାଇ ଏଇଠି ରହିଛନ୍ତି, ବେଳେ ବେଳେ ତାଙ୍କର ମେଣ୍ଢାଯୁଦ୍ଧଟା ଦେଖିଲେ କ୍ଷତି କ’ଣ ?’’ ଏଠାରେ ବିଦୂଷକଙ୍କ ଘରୋଇ ଉପମାଟା, ବିଶେଷ କରି ନାଟ୍ୟାଚାର୍ଯ୍ୟଙ୍କ ବିବାଦ ସହିତ ମେଣ୍ଢାଯୁଦ୍ଧର ତୁଳନା ଅତ୍ୟନ୍ତ ହାସ୍ୟୋଦ୍ଦୀପକ ଓ ହାସ୍ୟରସର ଏକ ସଫଳ ଉଦାହରଣ । (୧) ଏଥିପାଇଁ ବୋଧହୁଏ ବିଶ୍ୱାସ କରାଯାଉଥିଲା ଯେ ବିଦୂଷକ ବ୍ରାହ୍ମଣ ନ ହେଲେ ଏଭଳି ତିକ୍ତ ସମାଲୋଚନା ଆଉ କାହାଦ୍ୱାରା ସ୍ପୃହଣୀୟ ହୋଇନଥାନ୍ତା-। ସତେଯେପରି କର୍ମଚାରୀମାନେ ଦରମା ପାଇ ଯେତେବେଳେ ରହିଛନ୍ତି, ବେଳେ ବେଳେ ମେଣ୍ଢା ଭଳି ବିବାଦ କରିବେ ଓ ଅନ୍ୟମାନଙ୍କର ତାହା ଉପଭୋଗ୍ୟ ହେବ ।

 

ରାଣୀ ଇରାବତୀ ଓ ନାୟିକା ମାଳବିକାଙ୍କ ମଧ୍ୟରେ ହୋଇଥିବା ନୃତ୍ୟ ପ୍ରତିଯୋଗିତା ଅବସରରେ ନୃତ୍ୟଶାଳାରେ ରାଜାଙ୍କ ଦର୍ଶନ ପାଇଁ ମାଳବିକାଙ୍କୁ ଆଉ ଅଧିକ କିଛି ସମୟ ଅଟକାଇ ରଖିବା ପାଇଁ ବିଦୂଷକ କିଛି ତୃଟି ରହିଯାଇଥିବା ବାହାନା କରିଛନ୍ତି । ବିଦୂଷକଙ୍କ ଦୃଷ୍ଟିରେ ସେ ତୃଟି ହେଉଛି-ମାଳବିକା ତାଙ୍କ ଭଳି ଶ୍ରେଷ୍ଠ ବ୍ରାହ୍ମଣଙ୍କୁ ପ୍ରଣାମ ନ କରି ମଞ୍ଚ ଉପରକୁ ଉଠିଛନ୍ତି ଏବଂ ଏହା ସାଧାରଣ ଅଶାଳୀନତା । ବିଦୂଷକଙ୍କ ଏ ଅନୁପେକ୍ଷିତ ଦୋଷଦର୍ଶନ ହାସ୍ୟରସର ହୋଇଛି ଉଦ୍‌ବୋଧକ । ସେହିପରି ରାଣୀ ଇରାବତୀଙ୍କ ନୃତ୍ୟ ପ୍ରଦର୍ଶନକୁ ବାତିଲ କରିଦେବା ପାଇଁ ବିଦୂଷକଙ୍କ ଅନ୍ୟତମ କୌଶଳ ଦେଖନ୍ତୁ-‘ବର୍ତ୍ତମାନ ଭୋଜନ ସମୟ ଉପସ୍ଥିତ ହେଲା । ଭୋଜନବେଳା ଅତିକ୍ରମ କଲେ ଦୋଷ ହୁଏ ବୋଲି ବୈଦ୍ୟମାନେ କହନ୍ତି ।’ ବିଦୂଷକଙ୍କ ଲଘୁ ମନ୍ତବ୍ୟ, ନିର୍ବୋଧ ଯୁକ୍ତି, କଥାର ଚାତୁର୍ଯ୍ୟ ତଥା ପ୍ରତ୍ୟୁତ୍ପନ୍ନମତିତା ହାସ୍ୟରସ ସୃଷ୍ଟି ପାଇଁ ସର୍ବତ୍ର ଉପଯୋଗୀ ହୋଇଛି ।

 

ଗୋଟିଏ ସ୍ଥଳରେ କୌତୁକ ହାସ୍ୟ ସୃଷ୍ଟି କରିବାକୁ ଯାଇ ନାଟ୍ୟକାର ଗୌତମ ଚରିତ୍ରର ପ୍ରକୃତ ସ୍ୱରୂପକୁ ଉଦ୍‌ଘାଟନ କରିଅଛନ୍ତି । ଗର୍ଭଗୃହରେ ମାଳବିକା ବନ୍ଦୀ ଭାବରେ ରହିଛନ୍ତି । ରାଣୀ ଧାରିଣୀଙ୍କ ସର୍ପ-ମୁଦ୍ରାଙ୍କିତ ମୁଦ୍ରିକା ବିନା ତାଙ୍କର ମୁକ୍ତି ଅସମ୍ଭବ । ବିଦୂଷକ ନିଜର କୌଶଳ ଆରମ୍ଭ କଲେ । ସର୍ପାଘାତର ଛଳନା କରି ଯଜ୍ଞୋପବୀତରେ ନିଜର ବୃଦ୍ଧାଙ୍ଗୁଳି ଦୃଢ଼ ଭାବରେ ବାନ୍ଧି ରାଣୀଙ୍କ ଆଗରେ ଚିତ୍କାର କରିବାକୁ ଲାଗିଲେ । ରାଣୀ ଧାରିଣୀ ଏଥିରେ ବିବ୍ରତା ହୋଇ ଧ୍ରୁବସିଦ୍ଧ ବୈଦ୍ୟଙ୍କ ନିକଟକୁ ଖବର ପଠାଇବାକୁ ପୂର୍ବ ଯୋଜନା ଅନୁସାରେ ବୈଦ୍ୟ ମଧ୍ୟ ସର୍ପମୁଦ୍ରା ଦ୍ୱାରା ହିଁ ବିଷବାଧା ଦୂର ହୋଇପାରିବାର ଏକମାତ୍ର ଉପାୟ ବୋଲି କହିଲେ । ରାଣୀ ବାଧ୍ୟ ହୋଇ ନିଜର ସର୍ପମୁଦ୍ରାଙ୍କିତ ମୁଦିଟି ଦେଇଦେବାରୁ ତାହା ସାହାଯ୍ୟରେ କୌଶଳୀ ବିଦୂଷକ ମାଳବିକାଙ୍କୁ ମୁକ୍ତକରି ପୁର୍ନବାର ପ୍ରମଦ ବନରେ ରାଜାଙ୍କ ସହିତ ମିଳାଇ ଦେଇଛନ୍ତି । ବିଦୂଷକଙ୍କ ଉପସ୍ଥିତ ବୁଦ୍ଧି ଓ ଛଳନାର ଚମତ୍କାର ଅଭିନୟ ଅତ୍ୟନ୍ତ ହାସ୍ୟୋଦ୍ଦୀପକ । ପୁନଶ୍ଚ ସେହି ବିଦୂଷକ ଏକ ଶିଳାତଳ ଉପରେ ଶୋଇରହି ସ୍ୱପ୍ନରେ ‘‘ହେ ମାଳବିକେ, ତୁମେ ଇରାବତୀଙ୍କୁ ମଧ୍ୟ ଜିଣିଯାଅ’’ (୨) କହି ପ୍ରେମ ନାଟକର ଗୋପନୀୟତାକୁ ଖୋଲିଦେଇଛନ୍ତି । ରାଜା ଅଗ୍ନିମିତ୍ର ରାଣୀ ଇରାବତୀଙ୍କ ପରିବର୍ତ୍ତେ ମାଳବିକାଙ୍କୁ ହିଁ ନିଜ ଆଖିସାମ୍ନାରେ ସର୍ବଦା ଦେଖିବାକୁ ଚାହୁଁଥିଲେ । ବେଳେ ବେଳେ ବିଦୂଷକଙ୍କ ନିର୍ବୋଧତା ମଧ୍ୟ ଚରିତ୍ରମାନଙ୍କ ମଧ୍ୟରେ ଅଯଥା କଳହର ସୂତ୍ରପାତ ଘଟାଇଦିଏ, ଯାହାକି ଦର୍ଶକଙ୍କ ପାଇଁ ଅତ୍ୟନ୍ତ ହାସ୍ୟୋଦ୍ଦୀପକ ହୁଏ ।

 

ନାଟ୍ୟାରମ୍ଭରୁ ହାସ୍ୟରସର ଅବିଚ୍ଛିନ୍ନ ଧାରା ଦୃଢ଼ ଭାବରେ ଆଲୋଚ୍ୟ ନାଟକରେ ଗତିଶୀଳ । ବିଭିନ୍ନ ପ୍ରକାର ହାସ୍ୟକର ଦୃଶ୍ୟ, ହାସ୍ୟଜନକ ପରିସ୍ଥିତି, ହାସ୍ୟୋଦ୍ଦୀପକ ସଂଳାପ, ବିନୋଦପୂର୍ଣ୍ଣ ଅଭିବ୍ୟକ୍ତି, ନାଟକୀୟ ବକ୍ରୋକ୍ତି ତଥା ଲଘୁଶ୍ରେଣୀୟ ବ୍ୟଙ୍ଗ-ବିଦ୍ରୁପ ଇତ୍ୟାଦି ମାଧ୍ୟମରେ ‘‘ମାଳବିକାଗ୍ନିମିତ୍ର’’ ନାଟକ ହୋଇଛି ଉପଭୋଗ୍ୟ । ହାସ୍ୟରସ କୌଣସି କ୍ଷେତ୍ରରେ ହେଲେ ବାଧାପ୍ରାପ୍ତ ହୋଇନାହିଁ । ଏଥିରେ ପରିବେଷିତ ହାସ୍ୟରସ ମଧ୍ୟ ସଜୀବ, ଚଞ୍ଚଳ ଓ ମୁଖର-। ସ୍ଥାନେ ସ୍ଥାନେ ବିଭିନ୍ନ ପରିସ୍ଥିତି ଭିତରେ ବିଦୂଷକଙ୍କ କଥା ପ୍ରସଙ୍ଗରେ ଉପମା ପ୍ରୟୋଗ ମଧ୍ୟ ଅତ୍ୟନ୍ତ ହାସ୍ୟୋଦ୍ଦୀପକ । ପୁନର୍ବାର ରାଜା ଅଗ୍ନିମିତ୍ର ଓ ମାଳବିକାଙ୍କ ପ୍ରେମ ବ୍ୟାପାର ସମ୍ପର୍କରେ ରାଣୀ ଧାରିଣୀ ଜାଣିପାରିବାରୁ ବିଦୂଷକ କହିଛନ୍ତି-‘‘ଆରେ ସବୁ ପୁଣି ଓଲଟ ପାଲଟ ହୋଇଗଲା । କପୋତ ପିଞ୍ଜରାରୁ ମୁକ୍ତ ହେଉ ହେଉ ବିରାଡ଼ି ହାବୁଡ଼ରେ ପଡ଼ିଗଲା ।’’ (୩) ଅନ୍ୟତ୍ର ବିଦୂଷକ ରାଣୀ ଧାରିଣୀଙ୍କ ପ୍ରତି ମନ୍ତବ୍ୟ ଦେଇଛନ୍ତି-‘‘ମାଳବିକାଙ୍କୁ ଧାରିଣୀ ଯେଭଳି ଭାବରେ ଜଗି ରଖିଛନ୍ତି, ମନେ ହେଉଛି କୌଣସି ରତ୍ନଭଣ୍ଡାରକୁ ସତେଯେପରି ବିଷଧର ସର୍ପ ଜଗି ରହିଛି ।’’ (୪) ଏସବୁ ତୁଳନା ତଥା ମନ୍ତବ୍ୟ ଗୋଟିଏ ମୁହୂର୍ତ୍ତ ପାଇଁ ହେଲେ ସୁଦ୍ଧା ହାସ୍ୟର ଉଦ୍‌ବୋଧକ ହୋଇଥାଏ ।

 

ବିଦୂଷକ ଗୌତମ ଆଲୋଚ୍ୟ ନାଟକର କେନ୍ଦ୍ରବିନ୍ଦୁ ତଥା ଜଣେ ବାସ୍ତବବାଦୀ ଓ ପ୍ରୟୋଜନବାଦୀ ବ୍ୟକ୍ତି । ସେ ସମସ୍ତଙ୍କୁ ହସାଇ ପାରନ୍ତି ଓ ଆବଶ୍ୟକ ପଡ଼ିଲେ ନିଜକୁ ମଧ୍ୟ ବାଦ୍ ଦିଅନ୍ତି ନାହିଁ । ସବୁ ସମସ୍ୟା ଭିତରେ ନିଜର ମୁହଁ ଓ ନାକକୁ ପୂରାଇଦେବା ପାଇଁ ସେ ବ୍ୟାକୁଳ । ଏଥିପାଇଁ ହାସ୍ୟାସ୍ପଦ ମଧ୍ୟ ହୁଅନ୍ତି । ଏକ ଜଟିଳ ପରିସ୍ଥିତି ଭିତରୁ ପିଙ୍ଗଳ ବାନର ହେତୁ ରକ୍ଷା ପାଇଯିବାରୁ ବିଦୂଷକ ପିଙ୍ଗଳ ବାନରକୁ ମଧ୍ୟ ପ୍ରଶଂସା କରି କହୁଛନ୍ତି-‘‘ତୁ ନିଜ ମିତ୍ରକୁ ରକ୍ଷା କରିବା ପାଇଁ ଠିକ୍ ସମୟରେ ଆସିଗଲୁ ।’’ (୫) ସବୁଠାରୁ ଆକର୍ଷଣୀୟ ଗୌତମଙ୍କ ବାକ୍‌ଚାତୁରୀ ଓ ସମୟ ଉପଯୋଗୀ ମନ୍ତବ୍ୟ । ତଥାପି ବେଳେବେଳେ ତାଙ୍କର କାପୁରୁଷତା ହୋଇଛି ହାସ୍ୟର କାରଣ । ଯେଉଁ ବିଦୂଷକ ସର୍ପଦଂଶନର ଅଭିନୟ ବୀରଦର୍ପରେ କରିପାରନ୍ତି, ସେ ତାଙ୍କର ଦେହ ଉପରକୁ ଫିଙ୍ଗାହୋଇଥିବା ବାଡ଼ିଖଣ୍ଡକୁ ଦେଖି ସର୍ପ ଭୟରେ ପାଟିକରି ଉଠନ୍ତି । ପୁନଶ୍ଚ ପ୍ରେମ ବ୍ୟାପାରରେ ରାଜା ଧରାପଡ଼ିଯାଇ ମୁକୁଳିବାର ଉପାୟ ଚିନ୍ତାକଲାବେଳେ ବିଦୂଷକ କହନ୍ତି-‘‘ପାଦ ଉପରେ ନିର୍ଭର କରିବା ବ୍ୟତୀତ ଆଉ ଉପାୟ କାହିଁ ?’’ (୬) ମାତ୍ର ତାଙ୍କର ବଡ଼ ସମସ୍ୟା ସେହି ଅବୁଝା ପେଟ । ଏହି ମାତ୍ରାଧିକ ଭୋଜନପ୍ରିୟତା ହିଁ ହାସ୍ୟର ଜୁଆର ସୃଷ୍ଟି କରିଛି । ତାଙ୍କର କ୍ଷୁଧାର ସ୍ୱରୂପ-‘‘ମୋର ପେଟ ମିଠେଇ ଦୋକାନର ତାତିଲା କଡ଼େଇ ଭଳି ଜଳୁଛି ।’’ (୭) ବିଦୂଷକ ‘‘ମାଳବିକାଙ୍କୁ ମଧୁ ଓ ଧାରିଣୀଙ୍କୁ ମହୁମାଛି ସଙ୍ଗେ ତୁଳନା ଦେଇଛନ୍ତି ।’’ (୮) ଅନ୍ୟତ୍ର ପ୍ରେମିକ ରାଜାଙ୍କୁ ବିଦୂଷକ କହୁଛନ୍ତି-‘‘ମାଂସ ବିକ୍ରେତାର ଘର ଉପରେ ବସିଥିବା ଲୋଭୀ ଗିଧ, ଯେ କି ପାଇବାକୁ ଉତ୍ସୁକ କିନ୍ତୁ ଭୟଭୀତ ।’’ (୯) ପ୍ରତି କଥାରେ ପେଟ ଓ ଭୋଜନ ପ୍ରସଙ୍ଗକୁ ଯୋଡ଼ି କଥା କହିବା ତାଙ୍କର ଅଭ୍ୟାସ । ଏହା ହିଁ ହାସ୍ୟର ଅନ୍ୟତମ ବଳିଷ୍ଠ କାରଣ ।

 

କେତେକ ସ୍ଥଳରେ ବିଦୂଷକ ଦ୍ୱିଅର୍ଥବୋଧକ ଶବ୍ଦ ମାଧ୍ୟମରେ ହାସ୍ୟ ସୃଷ୍ଟି କରୁଛନ୍ତି । ଦାସୀ ଚନ୍ଦ୍ରିକାର ଆଗମନରେ ରାଜା ବିଦୂଷକଙ୍କୁ କାନ୍ଥର ପଛପଟେ ଲୁଚିଯିବା ପାଇଁ କହନ୍ତେ, ବିଦୂଷକ ସାଙ୍ଗେ ସାଙ୍ଗେ କହିପକାଇଛନ୍ତି-‘‘ଚୋର ଓ କାମୁକମାନେ ଚନ୍ଦ୍ରିକାକୁ ନିଶ୍ଚୟ ଭୟ କରିଥା’ନ୍ତି ।’’ ଚନ୍ଦ୍ରିକା ବା ଚନ୍ଦ୍ରକିରଣ ଚୋରଙ୍କ ପାଇଁ ଅନୁକୂଳ ନୁହେଁ, ପୁଣି ଚନ୍ଦ୍ରିକା (ଦାସୀ) ରାଜାଙ୍କ ପ୍ରେମବ୍ୟାପାରର ମଧ୍ୟ ପ୍ରତିବନ୍ଧକ ।’’ (୧୦) ଏଠାରେ କାମୁକ ରାଜାଙ୍କ ସହିତ ଚୋରର ଉପମାଟା ଲକ୍ଷଣୀୟ । ଅନ୍ୟତ୍ର ବିଦୂଷକ ‘ଯୌବନବତୀ’ ଶବ୍ଦର ପ୍ରୟୋଗ କରି ରାଜାଙ୍କ ଦୃଷ୍ଟ ମାଳବିକା ପ୍ରତି ଓ ରାଣୀଙ୍କ ଦୃଷ୍ଟି ଅଶୋକବୃକ୍ଷ ଆଡ଼କୁ ଟାଣିନେଉଛନ୍ତି । ‘ଯୌବନବତୀ’ ଶବ୍ଦର ସାହିତ୍ୟିକ ଅର୍ଥ ପୂର୍ଣ୍ଣ ଯୌବନପ୍ରାପ୍ତା ଓ ଲାକ୍ଷଣିକ ଅର୍ଥ ବାସନ୍ତୀ ପୁଷ୍ପକଳିକା ଅର୍ଥରେ ଆରୋପିତ । (୧୧) ଏସବୁ ଶବ୍ଦ ହାସ୍ୟ (Humour of words)ର ଅନ୍ତର୍ଗତ । କାଳିଦାସଙ୍କ ଗୌତମ ଯେଭଳି ବିଦ୍ୱାନ ସେଭଳି ଶବ୍ଦ-ପାଣ୍ଡିତ୍ୟରେ ମଧ୍ୟ ଧୂରନ୍ଧର ।

 

ବିଦୂଷକ ଗୌତମ ହସି ହସାଇଛନ୍ତି ସମସ୍ତଙ୍କୁ । ସେ ମୂର୍ଖତାର ମୁଖା ପିନ୍ଧି ହାସ୍ୟ ସଂଚାର କରିଯାଇଥିଲେ ହେଁ ଆବଶ୍ୟକ ସ୍ଥଳେ ପଣ୍ଡିତମାନଙ୍କର ସୁଦ୍ଧା ଚୁଟି କାଟିଦେଇ ପାରନ୍ତି । ଗୌତମ କାଳିଦାସଙ୍କ ଏକ ସଫଳ ସୃଷ୍ଟି । ଏ ସମ୍ପର୍କରେ ଜଣେ ସମାଲୋଚକ କହନ୍ତି-‘‘But he is unsurpassed as a clever and a resourceful schemer. There is no doubt that Agnimitra owes his Malavika entire to the efforts of Goutama X X X while playing the professional fool Goutama fools every one. It is here that the uniqueness of his character lies.’’

(‘‘The Vidusaka’’ by G. K. Bhat, Page 221)

 

‘‘ବିକ୍ରମୋର୍ବଶୀୟ’’ରେ ମାଣବକ:-

ଏହି ନାଟକରେ ହାସ୍ୟରସର ପରିସର ସୀମିତ ମନେହୁଏ । ବିଦୂଷକ ମାଣବକ ମଧ୍ୟ ବୁଦ୍ଧିରେ ନିମ୍ନସ୍ତରର । ନାଟକର କଥାବସ୍ତୁର ବିକାଶରେ ବିଦୂଷକଙ୍କ ବିଶେଷ ଉପଯୋଗ ଦେଖାଯାଇନାହିଁ । ସେ ନିର୍ବୋଧ, ଖାଦ୍ୟଲୋଭୀ ତଥା କୁରୂପ । ତାଙ୍କର ମନ୍ତବ୍ୟମାନ ଲଘୁଧରଣର ଓ ମୂଲ୍ୟହୀନ । କୌଣସି କଥା ଓ କାର୍ଯ୍ୟର ଗାମ୍ଭୀର୍ଯ୍ୟ ତଥା ଗୋପନୀୟତା ରକ୍ଷା କରିବାରେ ସମ୍ପୂର୍ଣ୍ଣ ଅକ୍ଷମ । ଅନେକ କ୍ଷେତ୍ରରେ ଅନ୍ୟକୁ ହସାଇବାକୁ ଯାଇ ନିଜେ ହିଁ ହାସ୍ୟାସ୍ପଦ ହୋଇଛନ୍ତି । ନାଟକରେ ତାଙ୍କର ଭୂମିକା ମଧ୍ୟ ନିତାନ୍ତ ଗୌଣ ।

 

ବିଦୂଷକ ଚରିତ୍ର ମାଧ୍ୟମରେ ହାସ୍ୟକର ଲଘୁ ପରିବେଶ ସୃଷ୍ଟି କରିବାରେ କାଳିଦାସ ଥିଲେ ସିଦ୍ଧହସ୍ତ । ଉର୍ବଶୀଙ୍କ ପ୍ରତି ରାଜାଙ୍କ ଅନୁରାଗ ପ୍ରସଙ୍ଗର ଗୋପନୀୟତା ରାଜାଙ୍କ ନିର୍ଦ୍ଦେଶ ଓ ଅନୁରୋଧ ସତ୍ତ୍ୱେ ମଧ୍ୟ ମାଣବକ ଗୋପନ ରଖିପାରିନାହାନ୍ତି । ଚତୁରୀ ଦାସୀ ନିପୁଣିକା ଏ ରହସ୍ୟ ନିର୍ବୋଧ ମାଣବକଙ୍କଠାରୁ ଭେଦ କରିବାପାଇଁ କହିଛି ଯେ, ଆଜିକାଲି ମହାରାଜ ଯାହାକୁ ଅଧିକ ପ୍ରେମ କରନ୍ତି, ସେହି ନାଁରେ ହିଁ ରାଣୀଙ୍କୁ ଡାକିଥା’ନ୍ତି । ଏକଥା ଶୁଣି ନିଃସନ୍ଦେହ ଭାବରେ ବିଦୂଷକ କହିଦେଇଛନ୍ତି-‘‘ମହାରାଜ କ’ଣ ଉର୍ବଶୀ ବୋଲି ଡାକିଥା’ନ୍ତି କି ?’’ ନିପୁଣିକାକୁ ମଧ୍ୟ ବିଦୂଷକ ଉର୍ବଶୀ ଜଣେ ଅପ୍‌ସରା ବୋଲି କହିଦେଇଛନ୍ତି । (୧୨) ପ୍ରେମର ଗୋପନୀୟତା ମୁକ୍ତ ହୋଇଯାଇଛି । ଅନ୍ୟ ଏକ ପ୍ରସଙ୍ଗରେ ରାଜା ଉର୍ବଶୀଙ୍କ ଭୁର୍ଜପତ୍ରରେ ଲିଖିତ ପ୍ରେମପତ୍ର ପାଠ କରି ଦାୟିତ୍ୱହୀନ ମାଣବକଙ୍କୁ ରଖିବାକୁ ଦେଇଛନ୍ତି । ହେଲେ ସଦା ଅନ୍ୟମନସ୍କ ବିଦୂଷକ ସେ ପତ୍ରଟିକୁ କୁଆଡ଼େ ହଜାଇ ଦେଇଛନ୍ତି । ରାଜା ସେ ଭୁର୍ଜପତ୍ର ପରେ କେତେବେଳେ ମାଗିବାରୁ ବିଦୂଷକ କହନ୍ତି-‘‘କାହିଁ ତାହା ତ ଦେଖାଯାଉନାହିଁ । ସମ୍ଭବତଃ ଉର୍ବଶୀଙ୍କ ସହ ଅଦୃଶ୍ୟ ହୋଇଯାଇଛି ।’’ ରାଜାଙ୍କୁ ପଦେ ପଦେ ଧରା ପକାଇ ଦେବାରେ ସହାୟକ ହୋଇଛନ୍ତି ବିଦୂଷକ, ଯାହାକି ଅତ୍ୟନ୍ତ ହାସ୍ୟୋଦ୍ଦୀପକ ହୋଇଛି ।

 

ବିଦୂଷକଙ୍କ ବୈରୂପ ମଧ୍ୟ ହାସ୍ୟ ଉତ୍ପାଦନର ଅନ୍ୟତମ ମୁଖ୍ୟ କାରଣ । ନିଜେ ନିଜର କୁରୂପକୁ ସମାଲୋଚନା କରି ବିଦୂଷକ କହନ୍ତି-ଉର୍ବଶୀ ସୁନ୍ଦରତାରେ ଯେତିକି ଆକର୍ଷଣୀୟ, ମୁଁ ତଦ୍ରୂପ କୁରୂପତାରେ ।’’ (୧୩) ପୁନଶ୍ଚ ରାଜା କୌତୁକତାର ସହ ନିଜ ପୁତ୍ରକୁ ବିନା ଶଙ୍କାରେ ଯେତେବେଳେ ବିଦୂଷକ ବ୍ରାହ୍ମଣଙ୍କୁ ପ୍ରଣାମ କରିବା ପାଇଁ କହନ୍ତି, ସେତେବେଳେ ବିଦୂଷକଙ୍କ ମନ୍ତବ୍ୟ-‘‘ସେ ବା କାହିଁକି ଭୟ କରିବେ ? ଆଶ୍ରମରେ ତ ସେ ଅନେକ ବାନର ଦେଖିଆସିଛନ୍ତି ।’’ (୧୪) ଏଠାରେ କୁରୂପ ବ୍ୟକ୍ତି ନିଜେ ନିଜ ରୂପର ନିନ୍ଦାକରି ହାସ୍ୟ ସଂଚାର କରୁଅଛନ୍ତି ।

 

ମାଣବକ ମଧ୍ୟ ଅତ୍ୟନ୍ତ ଭୟାଳୁ ଓ କାପୁରୁଷ । ଲିଖିତ ଭୂର୍ଜପତ୍ରକୁ ସୁଦ୍ଧା ଦେଖି ସର୍ପର ଭ୍ରମ ସୃଷ୍ଟି କରିଛନ୍ତି । (୧୫) ପୁନଶ୍ଚ ସୁମିଷ୍ଟ ଖାଦ୍ୟ ପ୍ରତି ମାତ୍ରାଧିକ ଲୋଭ ଓ ଭୋଜନ ଲାଳସା ବିଦୂଷକ ଚରିତ୍ର ପାଇଁ ଦୁର୍ନିବାର ସତ୍ୟରୂପେ ସର୍ବତ୍ର ପ୍ରତିପାଦିତ ହୋଇଛି । ମାଣବକଙ୍କ ଆଖିକୁ ଉଦୟମାନ ଚନ୍ଦ୍ର ମଧ୍ୟ ମୋଦକ ଲଡ଼ୁ ଭଳି ଦେଖାଯାଉଛି । (୧୬) ତାଙ୍କର ଉପମାଗୁଡ଼ିକ ଖାଦ୍ୟପେୟ ସମ୍ପର୍କୀୟ । ଏପରିକି ନିଜେ ନିଜକୁ ସମାଲୋଚନା କରି କହନ୍ତି-‘‘ସେ ଜଣେ ଏଭଳି ଭୋଜନପ୍ରିୟ ଲୋଭୀ ବ୍ରାହ୍ମଣ, ଯିଏ କି ଭୋଜନର ନିମନ୍ତ୍ରଣ ପାଇଲେ ପେଟକୁ ବଳିପଡ଼ୁଥିଲେ ହେଁ କିଛି ଅଧିକ ଭୋଜନ କରିଥାନ୍ତି ।’’ (୧୭) ରାଜା ଉର୍ବଶୀଙ୍କ ପ୍ରେମାଳାପକୁ ସ୍ମରଣ କରି ସନ୍ତୋଷ ଲଭୁଥିଲାବେଳେ ବିଦୂଷକ-‘‘ମୁଁ ମଧ୍ୟ ମିଠା ମାଂସର ଭୋଜନ ନ ପାଇଲେ ତାକୁ କେବଳ ଟିକିଏ ମନେ ପକାଇ ଆନନ୍ଦ ପାଇଥାଏଁ ।’’ (୧୮) ଏପରିକି ବିଦୂଷକଙ୍କୁ ସ୍ୱର୍ଗ ବି ଭଲ ଲାଗେ ନାହିଁ । ସେ ବାସ୍ତବବାଦୀ, ତେଣୁ ସ୍ୱର୍ଗର ଆଦର୍ଶ ତାଙ୍କ ପାଖରେ ଭଲ ନୁହେଁ । ଚିତ୍ରଲେଖାଙ୍କୁ କହିଛନ୍ତି- ‘‘ସଖି, ତୁମର ସ୍ୱର୍ଗରେ କି ସୁଖ ଅଛି ? ନା ଖାଇବାକୁ ଅଛି ନା ପିଇବାକୁ ଅଛି, ସେଠାରେ କେବଳ ମାଛପରି ଆଖି ଖୋଲି ରହିବାକୁ ହୁଏ ।’’ (୧୯) ତାଙ୍କ ଦୃଷ୍ଟିରେ ଭଲ ଭୋଜନ ହେଲେ ଭୂତ ପିଶାଚ ସୁଦ୍ଧା ଶାନ୍ତିଲାଭ କରିଥାନ୍ତି ।

 

ମାତ୍ର ମାଣବକଙ୍କ ସ୍ୱଭାବ ସରଳ ଓ ଶାନ୍ତ । ସବୁ କଥାକୁ କହନ୍ତି ଯେଭଳି ସରଳ ଭାବରେ, ବୁଝନ୍ତି ସେଭଳି ନିର୍ବୋଧ ଭାବରେ । ତାଙ୍କର ନିର୍ବୋଧ ବ୍ୟବହାର, ଗୁରୁତ୍ୱହୀନ ଲଘୁ ମନ୍ତବ୍ୟ ଓ ପରାମର୍ଶ ରାଜାଙ୍କୁ ସବୁବେଳେ ମଧ୍ୟ ସନ୍ତୁଷ୍ଟ କରିପାରିନାହିଁ । ରାଜା ଯେତେବେଳେ ଉର୍ବଶୀଙ୍କ ପୁତ୍ର ଜନ୍ମ ସମ୍ବାଦ କାହିଁକି ତାଙ୍କୁ ଉର୍ବଶୀ ଦେଲେ ନାହିଁ ବୋଲି ପଚାରିଛନ୍ତି, ବିଦୂଷକ କହିଛନ୍ତି-‘‘ଉର୍ବଶୀ ବୋଧହୁଏ ଭାବିଥିଲେ, କାଳେ ରାଜା ତାଙ୍କୁ ବୁଢ଼ୀ ହେଲେଣି ଭାବି ପରିତ୍ୟାଗ କରିବେ ।’’ (୨୦) ମନ୍ତବ୍ୟଟି ହାସ୍ୟକର ହେଲେ ହେଁ ରାଜାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ପୁନଶ୍ଚ ଉର୍ବଶୀଙ୍କ ସହିତ ରାଜାଙ୍କୁ ପ୍ରେମାନୁରାଗରୁ ନିବୃତ୍ତ କରାଇ ନ ପାରି ରାଣୀ ରାଜାଙ୍କୁ କହନ୍ତି, ଆପଣ ଯେଉଁ ରମଣୀ ପ୍ରତି ଅନୁରକ୍ତ ହେବେ ଏବଂ ଯେଉଁ ସ୍ତ୍ରୀ ଆପଣଙ୍କ ପ୍ରତି ଅନୁରକ୍ତା, ମୁଁ ତାଙ୍କ ସହିତ ସଦ୍‌ଭାବ ରଖିବି । ସେତେବେଳେ ବିଦୂଷକ ମନେ ମନେ ଭାବିଲେ-‘‘ହାତରୁ ମାଛ ଖସିଗଲା ପରେ କେଉଟ ଭାବୁଛି, ଭଲ ହେଲା, ମୋର ପୁଣ୍ୟ ହେବ ।’’ (୨୧) ଏଠାରେ ରାଣୀଙ୍କ ଅସହାୟ ଅବସ୍ଥା ସହିତ ଘଟଣାର ବାସ୍ତବତାକୁ ଲକ୍ଷ୍ୟ କଲେ ହାସ୍ୟର ଉଦ୍ରେକ ହେବା ସ୍ୱାଭାବିକ । ରାଜାଙ୍କ ପ୍ରତି ବିଦୂଷକଙ୍କ ଅନ୍ୟ ଏକ ମନ୍ତବ୍ୟ-‘‘ରୋଗୀର ରୋଗକୁ ଅସାଧ୍ୟ ଓ ଅନିୟନ୍ତ୍ରିତ ଭାବି ବୈଦ୍ୟ ଛାଡ଼ି ଚାଲିଗଲା ସଦୃଶ ଆପଣଙ୍କ ପ୍ରେମରୋଗର ପ୍ରତିକାର କରି ନ ପାରି ରାଣୀ ନୀରବ ରହୁଛନ୍ତି-।’’ (୨୨) ସେହିପରି ଉର୍ବଶୀଙ୍କ ପ୍ରେମପତ୍ର ନିଜେ ରାଣୀ ପାଇ ଯେତେବେଳେ ରାଜାଙ୍କୁ ଦିଅନ୍ତି, ଏ ପରିସ୍ଥିତିରେ ଅପ୍ରସ୍ତୁତ ରାଜା ଉପାୟ ଚିନ୍ତା କରୁଥିବାବେଳେ ବିଦୂଷକଙ୍କ ହାସ୍ୟକର ମନ୍ତବ୍ୟ-‘‘ଚୋରୀ ଜିନିଷ ସହ ଚୋର ଧରାପଡ଼ିଯାଇ ଏବେ କରିବେ କ’ଣ ?’’ (୨୩) ଏଭଳି କେତେକ ମନ୍ତବ୍ୟରେ ଅବଶ୍ୟ ବିଦୂଷକଙ୍କ ପ୍ରତ୍ୟୁତ୍ପନ୍ନମତିତା ସହ ସୁନିର୍ବାଚିତ ତଥା ସ୍ଥାନ ଉପଯୋଗୀ ଶବ୍ଦର ପ୍ରୟୋଗ ଆନନ୍ଦଦାୟକ ହୋଇପାରିଛି ।

 

ଆଲୋଚ୍ୟ ନାଟକରେ କାଳିଦାସ ହାସ୍ୟରସ ପରିବେଷଣରେ ଯଥେଷ୍ଟ ସତର୍କତା ଅବଲମ୍ବନ କରି ପରଂପରା ଦୃଷ୍ଟିରୁ ଯେତିକି ଆବଶ୍ୟକ, ସେତିକି ମାତ୍ର ଆରୋପ କରିଛନ୍ତି ।

 

“ଅଭିଜ୍ଞାନ ଶାକୁନ୍ତଳମ୍‍’’ରେ ମାଧବ୍ୟ:-

ଆଲୋଚ୍ୟ ନାଟକରେ ବିଦୂଷକ ରଙ୍ଗରସ ସୃଷ୍ଟି କରିବାରେ ଯଥାସାଧ୍ୟ ସକ୍ଷମ ହୋଇପାରିଛନ୍ତି । ମାତ୍ର କଥାବସ୍ତୁର ମୁଖ୍ୟ ଭୂମିକା ଗ୍ରହଣ କରିପାରିନାହାନ୍ତି । ସେ ରାଜାଙ୍କର ଆଜ୍ଞାବହ । ଯେତିକି ଦରକାର ସେତିକି ମାତ୍ର କହିଥାନ୍ତି । ବେଳେବେଳେ ରାଜାଙ୍କର ସବୁକଥାକୁ ସତ ଭାବି ମୁହଁଟା ବନ୍ଦ କରିଦେଇଥାନ୍ତି । ଭୋଜନପ୍ରିୟତା, କୁରୂପତା, ନିର୍ବୋଧତା ଆଦି ପାରମ୍ପରିକ ବିଦୂଷକୀୟ ଲକ୍ଷଣକୁ ପରିହାର କରି ନ ପାରିବା ମଧ୍ୟ ତାଙ୍କ ପକ୍ଷରେ ସ୍ୱାଭାବିକ । ନାଟକର ବହୁ ଅଂଶରେ ବିଦୂଷକଙ୍କ ମାଧ୍ୟମରେ ଚାତୁର୍ଯ୍ୟୋକ୍ତିମୂଳକ କୌତୁକ ହାସ୍ୟ ସୃଷ୍ଟି କରାଯାଇଛି । ମହାରାଜା ଦୁଷ୍ମନ୍ତ ଅନ୍ତଃପୁରର ସୁନ୍ଦରୀ ରମଣୀଙ୍କୁ ଛାଡ଼ି ଅରଣ୍ୟର ମୁନିକନ୍ୟାଠାରେ ଅନୁରକ୍ତ ହେବା ଦେଖି ବିଦୂଷକଙ୍କ ମୃଦୁ ଆକ୍ଷେପ ଉକ୍ତି-‘‘ସବୁବେଳେ ପିଣ୍ଡ ଖଜୁରା ଭଳି ମିଠା ଖାଇ ଖାଇ ମହୁକିଆ ହେଲେ ତେନ୍ତୁଳି ପ୍ରତି ଇଚ୍ଛା ହୋଇଥାଏ ।’’ (୨୪) ଏଭଳି ଗ୍ରାମ୍ୟ ଉପମାମାନ ହାସ୍ୟକର ମନେହୁଏ । ପୁନଶ୍ଚ ରାଜାଙ୍କଠାରୁ ଶକୁନ୍ତଳାଙ୍କ ରୂପ ଓ ଗୁଣର ପ୍ରଶଂସା ଶୁଣି ବିଦୂଷକ କୌତୁକତାର ସହିତ କହନ୍ତି- ‘‘ତେବେ ଆପଣ ଶୀଘ୍ର ଶୀଘ୍ର କିଛି ବ୍ୟବସ୍ଥା କରନ୍ତ, ନତୁବା ସେ ତରୁଣୀଟି କାଳେ କୌଣସି ତପସ୍ୱୀ ହାତରେ ପଡ଼ିଯିବେ ।’’ (୨୫) ଯେତେବେଳେ ଶକୁନ୍ତଳାଙ୍କ ଅଜସ୍ର ପ୍ରଶଂସାରେ ଶତମୁଖ ରାଜା ଦୁଷ୍ମନ୍ତ, ସେତେବେଳେ ବିଦୂଷକ କହନ୍ତି-‘‘ତେବେ ଆପଣ କ’ଣ ଭାବୁଛନ୍ତି ଯେ, ପ୍ରଥମ ଦର୍ଶନରେ ହିଁ ସେହି ତରୁଣୀ ଜଣକ ଆପଣଙ୍କ କୋଳମଣ୍ଡନ କରିଥାନ୍ତେ ?’’ (୨୬) ବିଦୂଷକ ତ କହନ୍ତି-‘‘ମୁଁ ଯାହା ଦେଖୁଛି, ଆପଣ ଏ ତପୋବନକୁ ପ୍ରମୋଦବନ ନ କରି ଛାଡ଼ିବେ ନାହିଁ ।’’ (୨୭) ଏଠାରେ ଉପବନ ଓ ତପୋବନ ଶବ୍ଦଗତ ସାଦୃଶ୍ୟରୁ ବିନୋଦଭାବ ଜାତ ହେଉଛି । ମାତ୍ର ଆଶ୍ରମ ଭିତରକୁ ପ୍ରବେଶ କରିବାର ଉପାୟ ଚିନ୍ତା କରୁଥିବା ଦୁଷ୍ମନ୍ତଙ୍କୁ ସାଙ୍ଗେ ସାଙ୍ଗେ ବିଦୂଷକ ବାଟ ବତାଇଦେଲେ-‘‘ଆଶ୍ରମ ଭିତରକୁ ଯାଇ ଏକଷଷ୍ଠାଂଶ ରାଜକର ଆଦାୟ କରିବାରେ ତ ଆପଣଙ୍କୁ କେହି ବାଧା ଦେବେ ନାହିଁ ।’’ ଗଭୀର ବିଷୟ ଚିନ୍ତା କରୁଥିବାବେଳେ ଏଭଳି ଲଘୁ ମନ୍ତବ୍ୟମାନ ନିଶ୍ଚିତ ଭାବରେ ହାସ୍ୟକାରକ । (୨୮)

 

ବିଦୂଷକ ମାଧବ୍ୟ କେବଳ ନିର୍ବୋଧ ମାତ୍ର ନୁହଁନ୍ତି, ସେ ମଧ୍ୟ ଭୟାଳୁ ଓ କାପୁରୁଷ । ପ୍ରଥମେ ଶକୁନ୍ତଳାଙ୍କୁ ଦେଖିବାକୁ ତାଙ୍କର ଭାରୀ ଇଚ୍ଛା ଥିଲା, କିନ୍ତୁ ରାକ୍ଷସ କଥା ଶୁଣିଲା ପରେ ସେ ଇଚ୍ଛା କୁଆଡ଼େ ହଠାତ୍ ଚାଲିଗଲା । (୨୯) ମାତ୍ର ଚତୁର ରାଜା ତାଙ୍କର କାପୁରୁଷ ଭାବରୁ ଯଥେଷ୍ଟ ଲାଭ ଉଠାଇଛନ୍ତି । ରାଜା ଦୁଷ୍ମନ୍ତ ତପସ୍ୱୀ କାର୍ଯ୍ୟରେ ବ୍ୟସ୍ତ ଅଛି କହି ପୁତ୍ର ପିଣ୍ଡ ପାଳନ ବ୍ରତରେ ତାଙ୍କ କାର୍ଯ୍ୟ ତୁଲାଇବା ପାଇଁ ବିଦୂଷକଙ୍କୁ ଉଆସକୁ ପଠାଇ ଦେଇଛନ୍ତି । ବିଦୂଷକ ଭାରି ଖୁସି । ଉଆସରେ ଭଲ ଖାଦ୍ୟ ସଙ୍ଗେ ଯଥେଷ୍ଟ ବିଶ୍ରାମ ମିଳିବ ତଥା ରାକ୍ଷସ ଭୟଟା ମଧ୍ୟ କଟିଯିବ । ଏଥିପାଇଁ ରାଜାଙ୍କୁ ବିଦୂଷକ ଗଲାବେଳେ ମୁକ୍ତ ଭାବରେ କହି ମଧ୍ୟ ଦେଲେ ଯେ-‘‘ମୁଁ ଯାଉଛି, ହେଲେ ମତେ ଭୁଲ୍ ବୁଝିବେ ନାହିଁ ଯେ ମୁଁ ରାକ୍ଷସମାନଙ୍କୁ ଡରିକରି ଯିବାକୁ ଚାହୁଁଛି ।’’ (୩୦) ରାଜା ମଧ୍ୟ ସତ କଥାକୁ ଗୋପନ ରଖି କହିଦେଲେ ଯେ, ତୁମଭଳି ବୀର ପକ୍ଷରେ ଏଭଳି କଥା ଚିନ୍ତା କରାଯାଇପାରେ ? ଏସବୁ କୌତୁକ ହାସ୍ୟର ପରିଚାୟକ ।

 

ମାଧବ୍ୟ ବାବଦୂକ ହେଲେ ମଧ୍ୟ ସରଳ ବିଶ୍ୱାସୀ ଓ ରାଜଭକ୍ତ । ବେଳେବେଳେ ନିର୍ବୋଧ-। କଥାବାର୍ତ୍ତା ଓ ବ୍ୟବହାରରେ ଭରିରହିଥାଏ କୌତୁକ । ସବୁକଥାକୁ ଅତି ସହଜ ଭାବରେ ଗ୍ରହଣ କରିଥା’ନ୍ତି । କୌଣସି କଥାର ନିଗୂଢ଼ ଅର୍ଥ ସହଜେ ବୁଝିପାରନ୍ତି ନାହିଁ । ଗୋଟିଏ ସ୍ଥଳରେ ଦୁଷ୍ମନ୍ତ ବସନ୍ତ ଋତୁର ଚୂତ ମଞ୍ଜରୀକୁ କାମର ବାଣ ବୋଲି ବର୍ଣ୍ଣନା କଲାବେଳେ ମାଧବ୍ୟ ଲାଠି ସାହାଯ୍ୟରେ ମଦନ ବାଣକୁ ମାରିବା ପାଇଁ ଦୌଡ଼ି ଯାଉଛନ୍ତି । (୩୧) ପୁନଶ୍ଚ ରାଜକର୍ମଚାରୀମାନଙ୍କୁ ମକ୍ଷିକା ବୋଲି ସମ୍ବୋଧନ କରିବା ବିଦୂଷକଙ୍କ କୌତୁକପ୍ରିୟତାର ପରିଚାୟକ । (୩୨)

 

ଏ ନାଟକରେ ହାସ୍ୟରସର ପରିସର ସଂକ୍ଷିପ୍ତ ହେଲେ ମଧ୍ୟ ଉଚ୍ଚମାନର । ଏ କଥା ସତ୍ୟ ଯେ, ହାସ୍ୟରସ ସୃଷ୍ଟି କୌଣସି କ୍ଷେତ୍ରରେ ହେଲେ ଏକ ସହଜ ବ୍ୟାପାର ନୁହେଁ । ସାଧାରଣତଃ ହାସ୍ୟପ୍ରଧାନ ଅଥବା ବ୍ୟଙ୍ଗପ୍ରଧାନ ରଚନାର ଲକ୍ଷ୍ୟ ସାମାଜିକ ଜୀବନର ପୁଷ୍ଟିବିଧାନ କରିବା । ବିଶୁଦ୍ଧ ସାହିତ୍ୟିକ ଆନନ୍ଦ ଦାନ ତା’ର ଉଦ୍ଦେଶ୍ୟ- କେବଳ ନୀତିଶିକ୍ଷା ନୁହେଁ । ମାତ୍ର କାଳିଦାସଙ୍କ କ୍ଷମାସ୍ନିଗ୍‌ଧ ଉଦାର ଦୃଷ୍ଟି କାହାକୁ ବିଦ୍ରୂପର ବାଣରେ ଜର୍ଜରିତ କରିନାହିଁ, ବରଂ ସମସ୍ତଙ୍କ ପ୍ରତି ହୋଇଛି ସମ୍ବେଦନଶୀଳ । ମଣିଷର ବିଭିନ୍ନ ପ୍ରକାର ଅସଙ୍ଗତି ତଥା ତ୍ରୁଟି-ବିଚ୍ୟୁତି ଯାହା ତା’ ପକ୍ଷରେ ଅତ୍ୟନ୍ତ ସ୍ୱାଭାବିକ । ତାକୁ ହିଁ ନେଇ କାଳିଦାସ ହାସ୍ୟରସର ଅବତାରଣା କରି ଅଛନ୍ତି, ଯହିଁରେ ଅଛି ଜୀବନ ପ୍ରତି କାଳିଦାସଙ୍କ ଗଭୀର ମମତ୍ୱବୋଧ ।

 

ପାଦଟୀକା

୧.

ଭବତି ପଶ୍ୟାମଃ ଉଦରଂ ଭରି ସମ୍ବାଦାମ୍ ।

କିଂ ସୁଧା ବେତନ ଦାନେ ନୈତେଷାମ ।

(ପ୍ରଥମ ଅଙ୍କ)

୨.

ବିଦୂଷକ

ଭବତି ମାଳବିକେ । ଇରାବତୀ ମତି କ୍ରାମନ୍ତୀଭବ ।

(୪ର୍ଥ ଅଙ୍କ)

୩.

ବିଦୂଷକ

(ଆତ୍ମଗତମ୍) ଅହୋ ଅନର୍ଥଃ ସମ୍ପତିତଃ ।

ବନ୍ଧନଭ୍ରଷ୍ଟୋ ଗୃହକପୋତୋ ବିଡ଼ାଳିକାୟା ଆଲୋକେ ପତିତଃ ।

(୪ର୍ଥ ଅଙ୍କ)

୪.

ସା ତପସ୍ୱିନୀ ଦେବ୍ୟାଧିକଂ ରକ୍ଷନ୍ତ୍ୟା

ନାଗରକ୍ଷିତଇବ ନିଧିନଂ ସୁଖଂ ସମାସାଦୟିତବ୍ୟା ।

(୩ୟ ଅଙ୍କ)

୫.

ବିଦୂଷକ

ସାଧୁରେ ପିଙ୍ଗଳ ବାନର ସାଧୁ । ପରିତ୍ରାତସ୍ତ୍ୱାୟା ସ୍ୱପକ୍ଷଃ ।

(୪ର୍ଥ ଅଙ୍କ)

୬.

ବିଦୂଷକ

କିମନ୍ୟତ୍ । ଜଙ୍ଘାବଳମେବ ।

(୩ୟ ଅଙ୍କ)

୭.

ବିଦୂଷକ

ଦୃତମ ବିପଣିକଂ ଦୁଖି ମେ ଉଦରଭ୍ୟନ୍ତରଂ ଦହ୍ୟତେ ।

(୨ୟ ଅଙ୍କ)

୮.

ବିଦୂଷକ

(ଅପବାର୍ଯ୍ୟ) ଉପସ୍ଥିତଂ ନୟନମଧୁ ସଂନିହିତ ମାକ୍ଷିକଂଚ

(୪ର୍ଥ ଅଙ୍କ)

୯.

ବିଦୂଷକ

ଭବାନପି ସୁନା ପରିସରରେ ଇବ ଗୃଧେ ଅମିଷାଲୋଲୁପୋ ଭୀରୁକଶ୍ଚ ।

(୨ୟ ଅଙ୍କ)

୧୦.

ବିଦୂଷକ

ଅହୋ କୁଂ ଭୀଲକୈଃ କାମୁକୈଶ୍ଚ ପରିହରିଣୀୟା ଚନ୍ଦ୍ରିକା ।

(୪ର୍ଥ ଅଙ୍କ)

୧୧.

ବିଦୂଷକ

ଭୋ ବିସ୍ତ୍ରାବ୍‌ଧୋ ଭୂତ୍ୱା ତ୍ୱଂ ଯୌବନବତୀମିମାଂପଶ୍ୟ । ଧାରିଣୀ- କାମ୍

 

ବିଦୂଷକ

ତପନୀୟା ଶୋକସ୍ୟ କୁସୁମ ଶୋଭାମ୍

(ପଞ୍ଚମ ଅଙ୍କ)

୧୨.

ଚେଟୀ

ଯନ୍ନିମିତ୍ତଂ ପୁନର୍ଭର୍ତା ଉତ୍କଣ୍ଠିତଃ ତସ୍ୟାଃ ସ୍ତ୍ରୀୟା ନାମ୍ନା ଭର୍ତ୍ତାଦେବୀ ଆଳପିତା-

 

ବିଦୂଷକ

କିଂ ତତ୍ରଭବତା ଉର୍ବଶୀନାମଧ୍ୟେୟନାମନ୍ତ୍ରିତା ।

 

ଚେଟୀ

ଆର୍ଯ୍ୟ କା ସା ଉର୍ବଶୀ । ବିଦୂଷକ-ଅସ୍ତ୍ୟୁର୍ବଶୀତ୍ୟପ୍‌ସରାଃ

(୨ୟ ଅଙ୍କ)

୧୩.

ବିଦୂଷକ

କିଂ ତତ୍ର ଭବତ୍ୟୁର୍ବଶ୍ୟ ଦ୍ୱିତୀୟାରୂପେଣ ଅହମିବ ବିରୂପତୟା ।

(୨ୟ ଅଙ୍କ)

୧୪.

ବିଦୂଷକ

କିମିତି ଶଙ୍କିଷ୍ୟତେ ନନ୍ୱାଶ୍ରମବାସ ପରିଚିତ ଏବ ଶଖା ମୃଗଃ । (୫ମ ଅଙ୍କ)

୧୫.

ବିଦୂଷକ

ଅବିଧା, ଅବିଧା । ଭୋଃ କିଂ ନ ଖଳୁ ଏତତ୍ । ଭୁଜଙ୍ଗନିର୍ମୋକଃ । କିଂ ମାଂ ଖାଦିତୁଂ ନିପତିତଃ ।

(୨ୟ ଅଙ୍କ)

୧୬.

ବିଦୂଷକ

ହୀ, ହୀ ଭୋ ଏଷଃ ଖଳୁ ଖଣ୍ଡମୋଦକସଶ୍ରୀକ ଉଦିତୋରାଜା ଦ୍ୱିଜାତୀନାମ-

(୩ୟ ଅଙ୍କ)

୧୭.

ବିଦୂଷକ

ହୀ ହୀ ଭୋଃ ନିମନ୍ତ୍ରଣିକଃ ପରମାନ୍ନେନେବ ରାଜ ରହସ୍ୟେନ ସ୍ଫୁଟନ୍ନଶକ୍ନୋମି ଜନାକୀର୍ଣ୍ଣେ ଅକୀର୍ତନେନାତ୍ମନୋ ଜିହବାଂ ଧାର-ତୁୟିମ୍ ।

(୨ୟ ଅଙ୍କ)

୧୮.

ବିଦୂଷକ

ଆମ୍ । ଅହମପି ପ୍ରାର୍ଥୟମାନୋ ଯଥାମିଷ୍ଟ ହରିଣୀ ମାଂସ ଭୋଜନଂ ନ ଲଭେ ତଦୈତତ୍ସସଂକୀର୍ତ୍ତୟ ନ୍ନା ଶ୍ୱାସୟା ଭ୍ୟାତ୍ମାନମ୍ । (୩ୟ ଅଙ୍କ)

୧୯.

ବିଦୂଷକ

ବା ସ୍ୱର୍ଗେ ସ୍ମର୍ତବ୍ୟମ୍ । ନବା ତତ୍ରାଶ୍ୟତେ ନବା ପୀୟତେ । କେବଳ ମନିମିଷୈନୟନୈର୍ମୋନା ବିଡ଼ମ୍ବ୍ୟନ୍ତେ।

(୩ୟ ଅଙ୍କ)

୨୦.

ବିଦୂଷକ

ମା ବୃଦ୍ଧାଂ ମାଂରାଜା ପରିହରିଷ୍ୟତୀତି ।

(୪ର୍ଥ ଅଙ୍କ)

୨୧.

ବିଦୂଷକ

ଭିନ୍ନ ହସ୍ତେ ମତ୍ସ୍ୟେ ପଳାୟିତେ ନିବିଂଣ୍ଣୋ ଧୀବରୋ ଭଣତି-ଗଚ୍ଛ, ଧର୍ମୋ ମେ ଭବିଷ୍ୟତୀତି ।

(୩ୟ ଅଙ୍କ)

୨୨.

ବିଦୂଷକ

ଅସାଧ୍ୟ ଇତି ବୈଦ୍ୟେ ନାତୁରଇବ ସ୍ୱୈରଂ ମୁକ୍ତୋ ଭବାଂସ୍ତତ୍ର ଭବତ୍ୟା ।

(୩ୟ ଅଙ୍କ)

୨୩.

ବିଦୂଷକ

ଲୋତ୍ରେଣ ଗୃହୀତସ୍ୟ କୁମ୍ଭୀଲକସ୍ୟାସ୍ତି ବା ପ୍ରତିବଚତମ୍ ? (୨ୟ ଅଙ୍କ)

୨୪.

ବିଦୂଷକ

ଯଥା କସ୍ୟାପି ପିଣ୍ଡଖର୍ଜୁରୈରୁ ଦ୍ୱେଜିତସ୍ୟ ତିନ୍ତି ଶ୍ୟାମଭିଳାଷୋ ଭବତେ ତଥା ସ୍ତ୍ରୀରତ୍ନ ପରିଭାବନୋ ଭବତ୍ ଇୟମଭ୍ୟର୍ଥନା ।

(୨ୟ ଅଙ୍କ)

୨୫.

ବିଦୂଷକ

ତେନହି ଲଘୁ ପରିତ୍ରାୟତାମେନାଂ ଭବାନ୍ । ମା କସ୍ୟାପି ତପସ୍ୱିନ ଇଙ୍ଗୁଦୀ ତୈଳମିଶ୍ରତିକ୍‌କଣ ଶୀର୍ଷସ୍ୟ ହସ୍ତେ ପତିଷ୍ୟତି ।

(୨ୟ ଅଙ୍କ)

୨୬.

ବିଦୂଷକ

(ବିହସ୍ୟ) ନ ଖଳୁ ଦୃଷ୍ଟମାତ୍ରସ୍ୟ ତବାଂକଂ ସମାରୋହତି । (୨ୟ ଅଙ୍କ)

୨୭.

ବିଦୂଷକ

କୃତଂ ତ୍ୱୟୋ ପବନଂ ତପୋବନମିତିପଶ୍ୟାମି । (୨ୟ ଅଙ୍କ)

୨୮.

ନୀବାର ପୃଷ୍ଟଭାଗମସ୍ମାକ ମୁପହରନ୍ତ୍ୱିତଂ ।

୨୯

ବିଦୂଷକ

ପ୍ରଥମଂ ସପରିବାହମାସୀତ । ଇଦାନୀଂ ରାକ୍ଷସବୃତ୍ତାନ୍ତେନ ବିନ୍ଦୁରପି ନାବଶେଷିତଃ ।

(୨ୟ ଅଙ୍କ)

୩୦.

ବିଦୂଷକ

ନ ଖଳୁ ମାଂ ରକ୍ଷୋଭୀରୁକଂ ଗଣୟସି । (୨ୟ ଅଙ୍କ)

୩୧.

ବିଦୂଷକ

ତିଷ୍ଠତାବତ୍ । ଅନେକ ଦଣ୍ଡକାଷ୍ଠେନ କନ୍ଦର୍ପବାଣଂ ନାଶୟିଷ୍ୟାମି ।

(୬ଷ୍ଠ ଅଙ୍କ)

୩୨

କୃତଂ ଭବତା ନିର୍ମକ୍ଷିକମ୍ ।

(୬ଷ୍ଠ ଅଙ୍କ)

 

 

ସହାୟକ ଗ୍ରନ୍ଥ-

୧.

କାଳିଦାସ ଗ୍ରନ୍ଥାବଳୀ - ଆଚାର୍ଯ୍ୟ ସୀତାରାମ ଚତୁର୍ବେଦୀ, ୪ର୍ଥ ସଂସ୍କରଣ, ୧୯୮୦ ।

୨.

Sanskrit Drama - A. B. Keith

୩.

Humour in Kalidas - Dr. Gayatri Verma, 1981

Atmaram and sons, Delhi.

 

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ

ଲରମ୍ଭା ମହାବିଦ୍ୟାଳୟ

ପୋ : ଲରମ୍ଭା, ଜି : ସମ୍ବଲପୁର (ଓଡ଼ିଶା)

***

 

ସିନ୍ଧୁ ସଂସ୍କୃତିରେ ଧର୍ମ

ଶ୍ରୀ ସୁରେନ୍ଦ୍ରନାଥ ଶତପଥୀ

 

ସିନ୍ଧୁ-ସଂସ୍କୃତି (ଖ୍ରୀ: ପୂ: ୨୫୦୦ରୁ ଖ୍ରୀ: ପୂ:୧୭୫୦) କହିଲେ ଲୋକେ ସାଧାରଣତଃ ବୁଝନ୍ତି ସିନ୍ଧୁ ଉପତ୍ୟକାରେ ମହେଞ୍ଜୋଦାରୋ ଓ ହରପ୍‌ପାଠାରେ ଯେଉଁ ନଗର-ସଭ୍ୟତାର ଆବିଷ୍କାର ସର୍ବପ୍ରଥମେ ୧୯୨୧ରୁ ୧୯୨୫ ପର୍ଯ୍ୟନ୍ତ ଭୂଖନନ ଫଳରେ ହୋଇଥିଲା, ତାହାରି ସଂସ୍କୃତି । ଏହା କିନ୍ତୁ ଭ୍ରମାତ୍ମକ । ଅବଶ୍ୟ ଭୂଖନନ ଫଳରେ ସର୍ବପ୍ରଥମେ ସିନ୍ଧୁ ପ୍ରଦେଶସ୍ଥ (ବର୍ତ୍ତମାନ ପାକିସ୍ଥାନରେ) ସିନ୍ଧୁନଦୀର ଦକ୍ଷିଣ ତୀରରେ ମହେଞ୍ଜୋଦାରୋଠାରେ ଏକ ନଗର-ସଭ୍ୟତାର ଧ୍ୱଂସାବଶେଷ ବାହାରିଥିଲା । ସେହିପରି ସିନ୍ଧୁନଦୀର ଉପନଦୀ ରାଭୀନଦୀର ବାମ ତୀରରେ ହରପ୍‌ପାଠାରେ (ବର୍ତ୍ତମାନ ପାକିସ୍ଥାନରେ) ମଧ୍ୟ ଅନୁରୂପ ନଗର ସଭ୍ୟତାର ଧ୍ୱଂସାବଶେଷ ଦେଖା ଦେଇଥିଲା । କିନ୍ତୁ ପରେ ପରେ ଉଭୟ ଭାରତ ଓ ପାକିସ୍ଥାନରେ ଭୂଖନନ ଫଳରେ ଏପର୍ଯ୍ୟନ୍ତ ୭୪ଗୋଟି ସ୍ଥାନରେ ଅନୁରୂପ ସଭ୍ୟତାର ଧ୍ୱଂସାବଶେଷମାନ ମିଳିଲାଣି । ରାଜସ୍ଥାନର କାଲିବଙ୍ଗା, ଗୁଜୁରାଟର ଲୋଠାଲ, ରୋଜଦି ଓ ଦଶଲପୁର, ପଞ୍ଜାବର ରୂପାର୍ ଓ ଉତ୍ତରପ୍ରଦେଶର ଆଲମ୍‌ଗିରି ଏବଂ ପାକିସ୍ଥାନର କୋଟ୍‌-ଦିଜି, ଅମ୍ରି ଓ ସୁତ୍‌କ-ଖୋ ସ୍ଥାନମାନ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଲୋଠାଲ୍‌ର ବିଶେଷତ୍ୱ ହେଉଛି ସେଠାରେ ଗୋଟିଏ ପୋତାଶ୍ରୟର ଧ୍ୱଂସାବଶେଷ ମିଳୁଛି । ଏହା ହେଉଛି ପୃଥିବୀର ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ପ୍ରାଚୀନତମ ପୋତାଶ୍ରୟ । ସେହିପରି କାଲିବଙ୍ଗାର ବିଶେଷତ୍ୱ ହେଉଛି ଏହି ଯେ, ସେଠାରେ ଉଭୟ ହରପ୍‌ପୀୟ କାଳର ଓ ପ୍ରାକ୍ ହରପ୍‌ପୀୟ କାଳର ସଭ୍ୟତାର ଧ୍ୱଂସାବଶେଷ ମିଳୁଛି । ଶଂସିତ ପ୍ରବନ୍ଧରେ ତେଣୁ ଏ ସମସ୍ତ ସଂସ୍କୃତିକୁ ସିନ୍ଧୁ-ସଂସ୍କୃତି ବୋଲି ଗ୍ରହଣ କରି ଆଲୋଚନା କରାଯାଉଅଛି ।

 

ଆମେ ବର୍ତ୍ତମାନ ଧର୍ମ କହିଲେ ଯାହା ବୁଝୁ ଏବଂ ଧର୍ମ ଓ ଧର୍ମନିରପେକ୍ଷ ବସ୍ତୁ ମଧ୍ୟରେ ଯେପରି ଭାବରେ ପ୍ରଭେଦ ନିର୍ଣ୍ଣୟ କରୁ, ସିନ୍ଧୁ-ସଂସ୍କୃତି କାଳରେ (ଖ୍ରୀ:ପୂ: ୨୫୦୦ ଶତାବ୍ଦୀ) ଆମେ ଯଦି ସେପରି ପ୍ରଭେଦ ଅନ୍ୱେଷଣ କରିବା, ତେବେ ଆମକୁ ସେଥିରେ ନିରାଶ ହେବାକୁ ପଡ଼ିବ । ଏହା ହେଉଛି ଗ୍ରନ୍ଥ-ଐତିହାସିକ ଯୁଗର ଘଟଣା । ତାହା ହେଉଛି ସଭ୍ୟତା ଓ ସଂସ୍କୃତିର ଆଦି ଉନ୍ମେଷକାଳ । ସେତେବେଳେ ସମାଜକୁ ଯେଉଁ ମାନସିକତା ଆଚ୍ଛନ୍ନ କରି ରଖିଥିଲା, ସେଥିରେ ଧର୍ମ ଓ ଧର୍ମେତର ବିଷୟବସ୍ତୁ ମଧ୍ୟରେ ସୀମାରେଖା ନ ଥିଲା କହିଲେ ଚଳେ । ଏହି ପରିପ୍ରେକ୍ଷୀରେ ସେତେବେଳେ ସମାଜରେ ଧାର୍ମିକ ସ୍ଥିତି କ’ଣ ଥିଲା, ତାହା ନିର୍ଣ୍ଣୟ କରିବା ଏକ କଷ୍ଟକର ବ୍ୟାପାର ବୋଲି ମନେହୁଏ । ଡଃ ଭଟ୍‌ସ (Vats) ଏହି ଅସୁବିଧାଟି ପ୍ରତି ଲକ୍ଷ୍ୟକରି ଯଥାର୍ଥରେ କହିଛନ୍ତି :

 

“It is difficult to form a clear idea about the true contents of the Harappan religion or religions from the materials unearthed at Indus Valley sites. Further, it must be remembered that it is a great problem to draw a line between the secular and religious concepts of such an early culture.” (୧)

 

ଉପରୋକ୍ତ ପଙ୍‌କ୍ତିରେ ଭଟ୍‌ସ୍‌ ‘ହରପ୍‌ପୀୟ ଧର୍ମ ବା ଧର୍ମସମୂହ’ ବୋଲି ଉଲ୍ଲେଖ କରିବାର ଯଥେଷ୍ଟ ତାତ୍ପର୍ଯ୍ୟ ଅଛି । ସେତେବେଳେ ସୈନ୍ଧବ ଉପତ୍ୟକାର ସମାଜରେ ଗୋଟିଏ ଧର୍ମ ଥିଲା ନା ବହୁ ଧର୍ମ ଥିଲା ସେ ବିଷୟରେ ବହୁ ବାଦାନୁବାଦ ରହିଅଛି । ବିଭିନ୍ନ ସ୍ଥାନରୁ ମିଳୁଥିବା ମୃଣ୍ମୟ ମୋହର, ମୃଣ୍ମୟ କିମ୍ବା ତାମ୍ର ମୂର୍ତ୍ତି, କବରମାନଙ୍କରୁ ମିଳୁଥିବା ବସ୍ତୁସମୂହରୁ ଯାହା ପ୍ରମାଣ ମିଳୁଛି, ତହିଁରୁ ଜଣାଯାଏ ଯେ ବହୁପ୍ରକାର ଧର୍ମ-ଧାରଣା ସେତେବେଳେ ସମାଜକୁ ଆଚ୍ଛନ୍ନ କରି ରଖିଥିଲା । ଏହାର ଟିକିନିଖି ଆଲୋଚନା ଅବଶ୍ୟ ପରେ କରାଯିବ । ବାସ୍ତବିକ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏ ଯେଉଁ ସମୟର ଘଟଣା, ସେତେବେଳେ ଖାଲି ସଂପ୍ରଦାୟ ଭେଦରେ ମଧ୍ୟ ନୂତନ ଧର୍ମ-ଧାରଣା ସୃଷ୍ଟି ହେବା ସ୍ୱାଭାବିକ । କାରଣ ସମ୍ପ୍ରଦାୟର ଦୈନନ୍ଦିନ ଜୀବନ ସହିତ ଏହା ଥିଲା ନିବିଡ଼ ଭାବରେ ସମ୍ପର୍କିତ; ଏଣୁ ଦୈନନ୍ଦିନ ଜୀବନ-ଯାପନର ବିଭିନ୍ନତାକୁ ନେଇ ପୃଥକ୍ ପୃଥକ୍‌ ଧର୍ମଗତ ମାନସିକତାର ସୃଷ୍ଟିହେବା ଖୁବ୍ ସ୍ୱାଭାବିକ । ଏ ତ ଗଲା ଏକ ଜାତି ମଧ୍ୟରେ ବିଭିନ୍ନ ସଂପ୍ରଦାୟର କଥା । କିନ୍ତୁ (race) ଯଦି ପୃଥକ୍ ହେଲା, ତେବେ ଧର୍ମଗତ ମାନସିକତାର ପାର୍ଥକ୍ୟ ଅଧିକତର ସ୍ପଷ୍ଟ ଭାବରେ ପ୍ରତିଭାତ ହେବା ସ୍ୱାଭାବିକ । ସାଧାରଣ ଭାବରେ ସିନ୍ଧୁ-ସଂସ୍କୃତିର ଲୋକେ ଗୋଟିଏ ଜାତିର (race) ହୋଇଥିବେ ବୋଲି ଯେଉଁ ଧାରଣା ଥିଲା, ତାହା ଏବେ ନୃତାତ୍ତ୍ୱିକ ଗବେଷଣା ଫଳରେ ଅପସାରିତ ହୋଇଗଲାଣି । ଏହି ସଭ୍ୟତା ଆଚ୍ଛନ୍ନ କରି ରଖିଥିବା ବିଭିନ୍ନ ସ୍ଥାନମାନଙ୍କରୁ କବର ତଳୁ ବା ଅନ୍ୟତ୍ର ଯେଉଁ ନର କରୋଟୀମାନ ମିଳିଛି, ସେଗୁଡ଼ିକର ନୃତାତ୍ତ୍ୱିକ ପରୀକ୍ଷାପରେ ଜଣାଯାଇଛି ଯେ, ନିମ୍ନଲିଖିତ ଚାରି ଜାତିର (race) ଲୋକ ସେଠାରେ ବାସ କରୁଥିଲେ ।

 

ଅଷ୍ଟ୍ରାଲଏଡ୍‌ ଜାତୀୟ

ମଙ୍ଗୋଲୀୟ

ଭୂମଧ୍ୟ-ସାଗରୀୟ

ଆଲ୍‌ପାଇନ୍ ଜାତୀୟ । (୨)

 

ଏ ସମ୍ପର୍କରେ ପ୍ରଶ୍ନ ଉଠିପାରେ କ’ଣ ଖାଲି ଏହି ଚାରୋଟି ଜାତିର (race) ଲୋକ ସେଠାରେ ଥିଲେ ନା ଆଉ ଅନ୍ୟ ଜାତିର ଲୋକ ମଧ୍ୟ ଥିଲେ ? ସମସ୍ତ କବରମାନ ଖୋଳାଯାଇ ନର-କରୋଟୀମାନ ପରୀକ୍ଷା କଲେ ଏ ସମ୍ପର୍କରେ କିଛିଟା ସତ୍ୟ ହୁଏତ ବାହାରି ପାରିବ। କିନ୍ତୁ ତାହା ମଧ୍ୟ ନିର୍ଭୁଲ ହେବନାହିଁ। କାରଣ ସେତେବେଳେ ମୃତବ୍ୟକ୍ତିକୁ କବର ଦେବା ଓ ‘ଶବ’ର ସଂସ୍କାର ପରେ ଚିତା-ଭସ୍ମକୁ କବର ଦେବା ଏହି ଉଭୟ ପ୍ରଥା ପ୍ରଚଳିତ ଥିବାପରି ମନେହୁଏ। ବୈଦିକ ଆର୍ଯ୍ୟମାନେ ମଧ୍ୟ ଏହି ଉଭୟ ପ୍ରକାର ମୃତବ୍ୟକ୍ତିର ଅନ୍ତ୍ୟେଷ୍ଟିକ୍ରିୟା କରୁଥିଲେ। (୩) ଭସ୍ମୀଭୂତ ଶରୀରର କରୋଟୀ ମିଳିବ ବା କୁଆଡ଼ୁ ? ଏହିଭଳି ଭାବରେ ବହୁ ଜାତି (race) ଦ୍ୱାରା ଅଧ୍ୟୁଷିତ ହେବା ଫଳରେ ତତ୍ରତ୍ୟ ଧର୍ମ-ଧାରଣା ବହୁମୁଖୀ ଥିବାର ସମ୍ଭାବନା ଅଧିକ । କିନ୍ତୁ ଏତେ ପ୍ରକାର ଧର୍ମ-ଧାରଣାର ଅବସ୍ଥିତି ସତ୍ତ୍ୱେ ସିନ୍ଧୁ-ସଂସ୍କୃତିରେ ସର୍ବଧର୍ମର ସମନ୍ୱୟ ଘଟିଥିବା ପରି ମନେହୁଏ । କୌଣସି ଗୋଟିଏ ସୂତ୍ର ଥିଲା ଯାହାକି ଏ ସମସ୍ତ ଧର୍ମ-ଧାରଣାର ପୁଷ୍ପଗୁଡ଼ିକୁ ଏକତ୍ର ଗ୍ରଥିତ କରି ଗୋଟିଏ ସୁନ୍ଦର ମାଲ୍ୟ ରୂପରେ ପ୍ରତିଭାତ କରାଇ ପାରିଥିଲା । ଏହା ଫଳରେ ସବୁ ଜାତିର ଲୋକେ ତ ଖାଲି ଏକତ୍ର ବାସ କରୁ ନ ଥିଲେ; ସମସ୍ତଙ୍କର ଶ୍ମଶାନ ବା କବରଭୂଇଁ ଥିଲା ଗୋଟିଏ, ଯାହାକି ଜନବସତିର ୨୦୦ରୁ ୩୦୦ମିଟର ଦୂରରେ ଅବସ୍ଥିତ ଥିଲା । (୪) ସିନ୍ଧୁ-ସଂସ୍କୃତିର ଏହି ଧର୍ମଗତ ସହନଶୀଳତାକୁ ଲକ୍ଷ୍ୟକରି ଡକ୍ଟର କୁମାର ସାହୁ ଓ ଶ୍ରୀ ସୁରେନ୍ଦ୍ର ମହାନ୍ତି ଯଥାର୍ଥରେ କହିଛନ୍ତି :

 

‘‘ଏଥିରୁ ମନେହୁଏ, ମଧ୍ୟପ୍ରାଚ୍ୟର ଅଞ୍ଚଳମାନଙ୍କରେ ଯୁଗେ ଯୁଗେ ଯେତେବେଳେ ନାନା ଅତ୍ୟାଚାର ଓ ଉତ୍‌ପୀଡ଼ନ ହୋଇଛି, ସେଥିରୁ ରକ୍ଷାପାଇବା ପାଇଁ ପଳାଇ ଆସି ଲୋକେ ହୁଏତ ଏହି ସିନ୍ଧୁ-ଉପତ୍ୟକାରେ ନିଜ ନିଜ ଧର୍ମ ଓ ମତବାଦ ନିର୍ବାଧରେ ଓ ନିଃଶଙ୍କରେ ପାଳନ କରିଅଛନ୍ତି । ଏଣୁ ମନେହୁଏ, ସିନ୍ଧୁ-ରାଷ୍ଟ୍ରରେ କୌଣସି ରାଷ୍ଟ୍ର-ଦେବତା ନ ଥିଲେ । ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ନିଜ ନିଜର ସ୍ୱତନ୍ତ୍ର ଧର୍ମ ଓ ପୂଜା ଅନୁବର୍ତ୍ତନ କରୁଥିଲେ ।’’ (୫)

 

୧୯୪୬ ମସିହାରେ ହରପ୍‌ପାର ଗୋଟିଏ କବର ଖୋଳିବା ପରେ ସେଥିରୁ ବସ୍ତ୍ରାବୃତ ଗୋଟିଏ କାଷ୍ଠନିର୍ମିତ ଶବାଧାର ମଧ୍ୟରେ ଶବକୁ ରଖାଯାଇଥିବାର ଦେଖାଯାଇଥିଲା । ଏପ୍ରକାର କବର ଦେବା ପ୍ରଥା ସମକାଳୀନ ସିନ୍ଧୁସଭ୍ୟତାର ଅନ୍ୟାନ୍ୟ କବର ଦେବା ପ୍ରଥାଠାରୁ ପୃଥକ୍ । ଏହା କିନ୍ତୁ ଖ୍ରୀ:ପୂ: ତୃତୀୟ ସହସ୍ରାବ୍ଦୀରେ ପ୍ରଚଳିତ ସୁମେରୀୟ କବର ଦେବା ପ୍ରଥାର ଅନୁରୂପ । ଏଥିରୁ ଅନୁମିତ ହୁଏ ଯେ, ବୋଧହୁଏ ଶଂସିତ ମୃତବ୍ୟକ୍ତି ଜଣକ ହେଉଛନ୍ତି ସୁମେରୀୟ ବିଦେଶୀ, ସେ କୌଣସି କାରଣରୁ ଆସି ହରପ୍‌ପାରେ ବାସ କରୁଥିଲେ ଏବଂ ସ୍ୱାଧୀନ ଭାବରେ ନିଜ ଧର୍ମର ପ୍ରଥା ଅନୁସାରେ ତାଙ୍କୁ କବର ଦିଆଯାଇଥିଲା । ଅନ୍ୟାନ୍ୟ କବରମାନ ପରୀକ୍ଷା କଲେ ଯେ ଏହିଭଳି ଅନେକ କୌତୁହଳୋଦ୍ଦୀପକ ତଥ୍ୟମାନ ବାହାରିବ, ସେଥିରେ ସନ୍ଦେହ ନାହିଁ । ଏଥିରୁ, ତେଣୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ, ସିନ୍ଧୁ-ସଭ୍ୟତାରେ ବହୁଧର୍ମର ସହାବସ୍ଥାନ ସଂଘଟିତ ହୋଇଥିଲା ଏବଂ ବିଭିନ୍ନ ଧର୍ମମାର୍ଗୀମାନେ ନିଜ ନିଜର ଧର୍ମ-ବିଶ୍ୱାସ ଓ ତଦନୁସାରୀ ସାମାଜିକ ପ୍ରଥାମାନଙ୍କୁ ନିର୍ବାଧରେ ପାଳନ କରୁଥିଲେ । ଜଗତରେ ଧର୍ମ-ଧାରଣାର ଅଙ୍କୁରୋଦ୍‌ଗମ ସମୟରେ ଭାରତଭୂମିରେ ଏହି ଯେଉଁ ସର୍ବ-ଧର୍ମ ସହନଶୀଳତା ଭାବର ଉଦ୍ରେକ ହୋଇଥିଲା, ତାହା ଯଥାର୍ଥରେ ପରବର୍ତ୍ତୀ କାଳରେ ଯୁଗେ ଯୁଗେ ଭାରତୀୟ ସଂସ୍କୃତିକୁ ମାର୍ଗ-ଦର୍ଶନ ଦେଇଆସିଛି । ସିନ୍ଧୁ-ସଂସ୍କୃତିର ଏହି ବିଭାବଟି ହେଉଛି ସମ୍ପୂର୍ଣ୍ଣ ଭାରତୀୟ । ଏହାର ପ୍ରାଣ ଗଢ଼ାହୋଇଥିଲା ଭାରତୀୟ ଜଳବାୟୁରେ ଏବଂ ଆତ୍ମା ଜାଗ୍ରତ ରହିଥିଲା ଭାରତୀୟ ଜନମାନସରେ । ସମକାଳୀନ ପୃଥିବୀର ଅନ୍ୟାନ୍ୟ ସଂସ୍କୃତିଠାରୁ ଏହା ଥିଲା ସ୍ୱତନ୍ତ୍ର ଏବଂ ଏହି ସ୍ୱତନ୍ତ୍ରତାରେ ହୋଇଥିଲା ସେ ମହାନ୍ । ସିନ୍ଧୁ-ସଂସ୍କୃତିର ଏହି ମହାନ୍ ସ୍ୱାତନ୍ତ୍ର୍ୟକୁ ଉପଲକ୍ଷ୍ୟ କରି ପ୍ରାଚ୍ୟତତ୍ତ୍ୱବିତ୍ ଗର୍ଡ଼ନ୍‌ ଚାଇଲ୍‌ଡ (Gorden childe) ଯଥାର୍ଥରେ କହିଛନ୍ତି :-

 

‘‘India produced a thoroughly individual and independent civilization of her own, technically the peer of the rest,”(୬)

 

ବହୁ ଜାତିର ଫୁଲରେ ଏକ ହିଁ ସୌରଭ, ବହୁ ଦେବତାରେ ଏକ ମହାନ ଦେବତାଙ୍କର ସନ୍ଧାନର ମଧ୍ୟ ଥିଲା ବୈଦିକ ସଂସ୍କୃତିର ମୂଳାଧାର । ଋଗ୍‌ବେଦର ଋଷି ତେଣୁ ଯଥାର୍ଥରେ କହିଛନ୍ତି-:-

 

‘‘ଏକଂ ସଦ୍‌ବିପ୍ରାଃ ବହୁଧା ବଦନ୍ତି; ଏକଂ ସତ୍ୟଂ ବହୁଧା କଳ୍ପୟନ୍ତି ।’’

 

ଅର୍ଥାତ୍ ‘‘ଜ୍ଞାନୀଲୋକମାନେ ସେହି ଏକ ସତ୍ୟକୁ ବହୁପ୍ରକାର କୁହନ୍ତି; ସେହି ଏକ ସତ୍ୟକୁ ବହୁପ୍ରକାର କଳ୍ପନା କରନ୍ତି ।’’ ଉଭୟ ବେଦରେ ଓ ବେଦୋତ୍ତର ଉପନିଷଦୀୟ ଦର୍ଶନରେ ‘ବହୁରେ ଏକତ୍ୱ’ ଚିନ୍ତାଧାରାର ଯେଉଁ ଭୂୟୋବିକାଶ ଘଟିଛି, ତାହାର ମୂଳବୀଜ ସିନ୍ଧୁ-ସଂସ୍କୃତିରେ ନିହିତ ଥିଲା ଭଳି ମନେହୁଏ । ବୈଦିକ ସଂସ୍କୃତି ଓ ଧର୍ମ-ଧାରଣା ସହିତ ସିନ୍ଧୁ-ସଂସ୍କୃତିର ବହୁଳ ସୌସାଦୃଶ୍ୟକୁ ଲକ୍ଷ୍ୟକରି ଅନେକ ପ୍ରାଚ୍ୟତତ୍ତ୍ୱବିତ୍‌ ମତ ଦିଅନ୍ତି, ହୁଏତ ସିନ୍ଧୁ ସଂସ୍କୃତି ବୈଦିକ ଆର୍ଯ୍ୟସଂସ୍କୃତିର ଅଂଶବିଶେଷ ହୋଇପାରେ । ସିନ୍ଧୁ-ଉପତ୍ୟକାରେ ହେଉଥିବା ଅଗ୍ନିଦେବ, ତ୍ରିମୂର୍ତ୍ତି, ପଶୁପତି, ଶିବ, ପୃଥ୍ୱୀଦେବୀ ଓ ମାତୃଦେବୀଙ୍କର ଆରାଧନାର ପ୍ରମାଣ ଆର୍ଯ୍ୟ-ସଂସ୍କୃତିର କ୍ରମବିକାଶ ହୋଇଥିବା ସ୍ଥାନମାନଙ୍କରେ ସର୍ବତ୍ର ଦେଖିବାକୁ ମିଳିଥାଏ । ଏହା ଉଭୟ ସଂସ୍କୃତିର ପରସ୍ପର ସହିତ ଥିବା ଘନିଷ୍ଠ ସମ୍ପର୍କର ସୂଚନା ଦେଉଛି । ବାଳଶାସ୍ତ୍ରୀ ହରଦାସ ଡଃ ପ୍ରାଣନାଥଙ୍କ ସହିତ ସହମତ ହୋଇ କୁହନ୍ତି ଯେ ସିନ୍ଧୁ-ସଂସ୍କୃତି ବୈଦିକ ସଂସ୍କୃତିର ଅଂଶବିଶେଷ ଅଟେ ଏବଂ ଏହିଠାରୁ ସାମାଜିକ ସଂସ୍କୃତି ଓ ସଭ୍ୟତା ସୁମେର ଅଞ୍ଚଳକୁ ଯାଇ ସେଠାରେ ସୁମେରୀୟ ସଭ୍ୟତା ଗଠନ କରିଥିଲା । (୭) ଶିବଦତ୍ତ ଜ୍ଞାନୀ ମଧ୍ୟ ସେହିପରି ଦୃଢ଼ ଭାବରେ ମତ ଦେଇ କହିଛନ୍ତି ଯେ ସିନ୍ଧୁ-ସଂସ୍କୃତିକୁ ଭାରତୀୟ ଆର୍ଯ୍ୟମାନଙ୍କଠାରୁ ପୃଥକ୍ କରିବା କିଛି ସରଳ କାର୍ଯ୍ୟ ନୁହେଁ । (୮) ଶିବଦତ୍ତ ଜ୍ଞାନୀ ସିନ୍ଧୁ-ସଂସ୍କୃତିର ଧର୍ମ ସମ୍ପର୍କର ଦେଇଥିବା ନିମ୍ନଲିଖିତ ମତ ମଧ୍ୟ ବିଶେଷ ଭାବରେ ପ୍ରଣିଧାନଯୋଗ୍ୟ :

 

‘‘ଏହି ଲୋକମାନଙ୍କର ଧର୍ମ ସମ୍ପର୍କରେ ବହୁତ କିଛି ଜଣାପଡ଼ୁଛି । ସେ ସମୟରେ ମୂର୍ତ୍ତିପୂଜାର ପ୍ରାବଲ୍ୟ ଥିଲା; କାରଣ ବହୁତଗୁଡ଼ିଏ ମୂର୍ତ୍ତି ମଧ୍ୟ ମିଳୁଛି । ପୃଥ୍ୱୀଦେବୀଙ୍କ ମୂର୍ତ୍ତି ବହୁ ସ୍ଥାନରୁ ମିଳୁଛି । ଏଥିରୁ ଜଣାପଡ଼ୁଛି ଯେ ପୃଥ୍ୱୀ ମୁଖ୍ୟ ଦେବତା ଥିଲେ । ଦୁଇଟି ଶିଙ୍ଗଥିବା ମୂର୍ତ୍ତିଟିଏ ମିଳିଛି ଯାହାକି କେତେକ ପଣ୍ଡିତଙ୍କ ମତାନୁସାରେ ପଶୁପତି ଶିବଙ୍କର ମୂର୍ତ୍ତି ଅଟେ । ବୃକ୍ଷ ତଥା ପଶୁଙ୍କୁ ମଧ୍ୟ ପୂଜା କରାଯାଉଥିଲା । ମୃତ ବ୍ୟକ୍ତିଙ୍କୁ ଉଭୟ କବର ଦିଆଯାଉଥିଲା ଓ ସଂସ୍କାର କରାଯାଉଥିଲା ।’’ (୯)

 

ଏହିସବୁ ପ୍ରମାଣ ତଥା ଆଉ କେତେକ ପ୍ରମାଣ (ସର୍ବମୋଟ ୨୦ଟି) ଦର୍ଶାଇ ଲେଖକ ‘‘ସିନ୍ଧୁ-ସଂସ୍କୃତି ଆର୍ଯ୍ୟ ନା ଦ୍ରାବିଡ଼ ?’’ ଶୀର୍ଷକ ଗୋଟିଏ ପ୍ରବନ୍ଧରେ ମତବ୍ୟକ୍ତ କରିଛନ୍ତି ଯେ ‘‘ଏହା ଯେ ଆର୍ଯ୍ୟ ସଂସ୍କୃତି ଆଧାରିତ ଏବଂ ତଦ୍ଦ୍ୱାରା ପରିପୁଷ୍ଟ, ଏଥିରେ ସନ୍ଦେହ ନାହିଁ । ଆଉ ମଧ୍ୟ କୁହାଯାଇପାରେ ଯେ ଦକ୍ଷିଣ ଭାରତର ଦ୍ରାବିଡ଼ ସଂସ୍କୃତି ଆଦୌ ସିନ୍ଧୁ ସଂସ୍କୃତିଭିତ୍ତିକ ନୁହେଁ ।’’ (୧୦) ଏଣୁ ସେସବୁର ପୁନରୁକ୍ତି ଏଠାରେ ନ କରି ଏତିକି କହିଲେ ଯଥେଷ୍ଟ ହେବ ଯେ, ସିନ୍ଧୁସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତି ମଧ୍ୟରେ ଯଥେଷ୍ଟ ସୌସାଦୃଶ୍ୟ ରହିଅଛି । ଏହା ଗୋଟିଏ ସଂସ୍କୃତିର ଅପର ସଂସ୍କୃତି ଉପରେ ପ୍ରଭାବର ଫଳ ନା ଉଭୟ ଏକ ସଂସ୍କୃତିର ଅଂଶବିଶେଷ, ତାହା ଅବଶ୍ୟ ଏ ପର୍ଯ୍ୟନ୍ତ ମଧ୍ୟ ବିବଦମାନ ହୋଇ ରହିଅଛି । ସିନ୍ଧୁ-ସଭ୍ୟତାର ଧ୍ୱଂସାବଶେଷରୁ ମିଳୁଥିବା ମୃଣ୍ମୟ ମୋହରମାନଙ୍କରେ ଥିବା ଚିତ୍ରଲିପିର ଯେପର୍ଯ୍ୟନ୍ତ ନିର୍ଭୁଲ ଅଧ୍ୟୟନ ହୋଇପାରିନାହିଁ, ସେପର୍ଯ୍ୟନ୍ତ ଏ ବିବଦମାନ ବିଷୟର ଚୂଡ଼ାନ୍ତ ସମାଧାନ ହେବା କଷ୍ଟକର ବ୍ୟାପାର । ବି. ବି. ଲାଲ୍‌ ଓ ଏସ. ଆର. ରାଓଙ୍କ ଭଳି ପ୍ରାଚ୍ୟତତ୍ତ୍ୱବିତ୍‌ମାନେ ଏ ଲିପିର କେତେକାଂଶରେ ପାଠୋଦ୍ଧାର ଅବଶ୍ୟ କରିଛନ୍ତି । କିନ୍ତୁ ସେମାନଙ୍କର ପାଠୋଦ୍ଧାର ସମ୍ବଳିତ ମତ ଏପର୍ଯ୍ୟନ୍ତ ନିର୍ବିବାଦରେ ସର୍ବତ୍ର ଗୃହୀତ ହୋଇନାହିଁ । ଏହିସବୁ ଦୃଷ୍ଟିରୁ ସିନ୍ଧୁ-ସଂସ୍କୃତିରେ ଧର୍ମ ସମ୍ବନ୍ଧୀୟ ଆଲୋଚନା କେବଳ କେତେକ କଳ୍ପନାଜଳ୍ପନା ଓ ଯୁକ୍ତିସମ୍ମତ ସମ୍ଭାବନାରେ ପର୍ଯ୍ୟବସିତ ହେବାଛଡ଼ା ଗତ୍ୟନ୍ତର ନାହିଁ ।

 

ସିନ୍ଧୁ-ସଭ୍ୟତାର ଧ୍ୱଂସାବଶେଷ ସ୍ୱରୂପ ଯେଉଁ ମୃଣ୍ମୟ ମୋହରମାନ, ମୂର୍ତ୍ତିମାନ, ଯଜ୍ଞକୁଣ୍ଡମାନ ମିଳୁଛି, ସେଥିରୁ ଉକ୍ତ ସଭ୍ୟତାର ଅଧିକାରୀମାନେ କେଉଁ କେଉଁ ଦେବଦେବୀଙ୍କର ଆରାଧନା କରୁଥିଲେ ଏବଂ ସେମାନଙ୍କର କି କି ପ୍ରକାର ଧର୍ମବିଶ୍ୱାସ ଥିଲା, ସେ ବିଷୟରେ ଏକ ମୋଟାମୋଟି ଧାରଣା କରାଯାଇପାରିବ, ତାହା ହେଲା—

 

କ.

ମହାମାତୃଶକ୍ତିର ଆରାଧନା

ବୃକ୍ଷପୂଜା

ଅଗ୍ନିଦେବଙ୍କ ଆରାଧନା

ପଶୁପତି ବା ଶିବ ବା ପ୍ରଜାପତିଙ୍କ ଆରାଧନା

ପ୍ରାଣୀଙ୍କ ଠାରେ ଦେବତ୍ୱର ସନ୍ଧାନ

‘ଆତ୍ମା’ ଉପରେ ବିଶ୍ୱାସ

ସ୍ଵସ୍ତିକ ପୂଜା

ସର୍ବଧର୍ମ ସହନଶୀଳତା (୧୧)

 

ଏହି ଧର୍ମଧାରଣାର ପ୍ରତ୍ୟେକ ବିଭାବ ଉପରେ ନିମ୍ନ ଅନୁଚ୍ଛେଦମାନଙ୍କରେ ପୃଥକ୍ ଭାବରେ ଆଲୋଚନା କରାଯାଉଛି ।

 

ମହାମାତୃଶକ୍ତିର ଆରାଧନା :

ଆଦିମାନବ ଯେତେବେଳେ କୃଷିକାର୍ଯ୍ୟ କରି ଶସ୍ୟ ଉତ୍ପାଦନ କଲା, ଗୃହପାଳିତ ପଶୁପକ୍ଷୀମାନଙ୍କୁ ପୋଷିଲା ଓ ପରିବାର ଗଢ଼ି ସନ୍ତାନସନ୍ତତିମାନ ଜନ୍ମକଲା, ସେତେବେଳେ ସେ ପ୍ରଜନନ ଶକ୍ତି ପ୍ରତି ଆଗ୍ରହୀ ହୋଇଉଠିଲା । ଏହି ପ୍ରଜନନ ଶକ୍ତିକୁ କିପରି ତୁଷ୍ଟ କରି ନିଜର ସୌଭାଗ୍ୟୋଦୟରେ ତାକୁ ବିନିଯୋଗ କରିପାରିବ, ସେଥିପାଇଁ ସେ ବ୍ୟଗ୍ର ହୋଇଉଠିଲା । ଏହି ବ୍ୟଗ୍ରତାର ଫଳଶ୍ରୁତି ସ୍ୱରୂପ ଆସି ଦେଖାଦେଲା ବିଭିନ୍ନ ପୂଜାବିଧି ମାଧ୍ୟମରେ ସେହି ପ୍ରଜନନ ଶକ୍ତି ବା ମହାମାତୃଶକ୍ତିର ଆରାଧନା । ମାଆ ଛଡ଼ା ଯେ ଆଉ କେହି ସନ୍ତାନ ସୃଷ୍ଟିରେ ଦାୟୀ, ଏ ଧାରଣା ତା’ର ସେତେବେଳେ ନଥିଲା । ଏବେ ବି ଅସଭ୍ୟ ଲୋକଙ୍କର ଧାରଣା ଯେ ସନ୍ତାନ ସୃଷ୍ଟି କରିବାରେ ପୁରୁଷର କିଛି ଦାୟିତ୍ୱ ନାହିଁ; ମାଆ ହିଁ ସନ୍ତାନର ସୃଷ୍ଟିକର୍ତ୍ତ୍ରୀ । ସନ୍ତାନ ସୃଷ୍ଟିରେ ପୁରୁଷ ଓ ନାରୀର ସହବାସ ପ୍ରକ୍ରିୟାର ଯେ କିଛି ହିଁ ସମ୍ପର୍କ ନାହିଁ, ଏହି ଧାରଣାର ବଶବର୍ତ୍ତୀ ହୋଇ ପରେ ହୁଏତ ଲୋକେ ବିଶ୍ୱାସ କଲେ ଯେ ମହାପୁରୁଷମାନଙ୍କ ଜନ୍ମରେ ପୁରୁଷର କିଛି ହିଁ କର୍ତ୍ତବ୍ୟ ନାହିଁ । ଗୌତମବୁଦ୍ଧ, ଯୀଶୁଖ୍ରୀଷ୍ଟ, ଏପରିକି ରାମକୃଷ୍ଣ ପରମହଂସଦେବଙ୍କ ଜନ୍ମ ସମ୍ପର୍କରେ ଏହିଭଳି କିମ୍ବଦନ୍ତୀମାନ ଶୁଣିବାକୁ ମିଳିଥାଏ । ଏହି ମହାମାତୃଶକ୍ତି ବା ପ୍ରଜନନ-ଶକ୍ତିକୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ ପୂଜାବିଧିର ବିଧାନ ଥିଲା, ତନ୍ମଧ୍ୟରେ ଯୌନକ୍ରିୟାର ଏକ ଅଙ୍ଗସ୍ୱରୂପ ଗୃହୀତ ହୋଇଥିଲା । ଏହି ଯୌନକ୍ରିୟାକୁ ଏକ ଧାର୍ମିକ ଅନୁଷ୍ଠାନ ରୂପେ ଗ୍ରହଣ କରାଯାଉଥିଲା । ବ୍ୟାବିଲୋନ୍‌ର ‘ଇସ୍ଥର୍‌’ ଇଜିପ୍‌ଟର ‘ହାଥୋର୍‌’ ଓ ଆସିରିଆର ‘ଆଷ୍ଟୋରେଥ୍’ ହେଉଛନ୍ତି ଏହି ମହାମାତୃ ଦେବତା । ପ୍ରାଚୀନ ମାତୃଦେବତାଙ୍କ ଲାଗି ହେଉଥିବା ପୂଜାରେ ଏଭଳି ଯଥେଚ୍ଛ ଯୌନାଚାର ପ୍ରଚଳିତ ଥିଲା ଯେ ତାହା ସମାଜ ଉପରେ ଅଶେଷ କୁପ୍ରଭାବ ପକାଇଥିଲା । ଏଣୁ ବାଇବେଲ୍‌ରେ Old Testament ତାହାର ଘୋର ନିନ୍ଦାବାଦ କରାଯାଇଥିବା କଥା ମ୍ୟାକେଞ୍ଜି ଦର୍ଶାଇଛନ୍ତି । ସେ ସମ୍ପର୍କରେ ତାଙ୍କର ଉକ୍ତି ହେଲା :-

 

“The worship of all mother Goddesses in ancient times was accompanied by revolting immoral rites which are referred to in condemnatory terms in various passages of the Old Testament.” (୧୨)

 

ସିନ୍ଧୁ-ସଭ୍ୟତାର ଧ୍ୱଂସାବଶେଷମାନ ପରୀକ୍ଷା କଲେ ସେଠାରେ ମଧ୍ୟ ସେହିଭଳି ଅନୁରୂପ ‘ମହାମାତୃଶକ୍ତି’ ବା ‘ମହାନାରୀଶକ୍ତି’ର ଆରାଧନା କରାଯାଉଥିବାର ପ୍ରମାଣ ମିଳେ । ପ୍ରଥମ ପ୍ରମାଣ ମହେଞ୍ଜୋଦାରୋରୁ ବାହାରିଥିବା ଗୋଟିଏ ପୁଷ୍କରିଣୀର ‘ଧ୍ୱଂସାବଶେଷ’ରୁ । ଏହା ପୋଡ଼ାଇଟାରେ ନିର୍ମିତ ୨୩ଫୁଟx୩୯ଫୁଟx ୮ଫୁଟ ଆୟତନ ବିଶିଷ୍ଟ ଏକ ବିରାଟ ପୁଷ୍କରିଣୀ । ଏହାକୁ କେହି କେହି ପ୍ରତ୍ନତାତ୍ତ୍ୱିକ ଏକ ବିରାଟ ସର୍ବସାଧାରଣ ସ୍ନାନ-ପୁଷ୍କରିଣୀ ଏବଂ ଏହାର ହୁଡ଼ା ଉପରେ ଛୋଟ ଛୋଟ ଘରମାନଙ୍କୁ ସ୍ନାନାଗାର ବୋଲି କୁହନ୍ତି । ସିନ୍ଧୁନଦୀକୁ ଲାଗି ତା’ର ଦକ୍ଷିଣତୀରରେ ମହେଞ୍ଜୋଦାରୋ ନଗର ଅବସ୍ଥିତ । ସିନ୍ଧୁନଦୀରେ ପ୍ରଚୁର ଜଳସମ୍ପଦ ଥିବାବେଳେ ନଗରବସୀମାନଙ୍କ ଲାଗି ଏକ ସର୍ବସାଧାରଣ ସ୍ନାନପୁଷ୍କରିଣୀ ଖୋଦିତ ହୋଇଥିବା କଥା ସହଜରେ ବିଶ୍ୱାସ ହେଉନାହିଁ । ଅତଏବ, ଏହି ପୁଷ୍କରିଣୀ ଅନ୍ୟ କେଉଁ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ଥିବା ପରି ମନେହୁଏ । କୋସାମ୍ବୀଙ୍କ ମତରେ ଏହା ହେଉଛି ଏକ ପବିତ୍ର ଧର୍ମୀୟ ପୁଷ୍କରିଣୀ, ଯାହାର ନାମ ‘ପୁଷ୍କର’ ଅଟେ । ଏଠାରେ ମହାନାରୀଶକ୍ତିର ପ୍ରତୀକସ୍ୱରୂପା ସୁନ୍ଦର ରମଣୀମାନେ ରହୁଥିଲେ-। ସେମାନେ ଥିଲେ ଜଳଚାରିଣୀ ବା ‘ଅପ୍‌ସରା ।’ ଏହାର ପବିତ୍ର ଜଳରେ ସ୍ନାନ କରି ଏହି ସୁନ୍ଦରୀ ନାରୀମାନଙ୍କ ସହିତ ଯୌନକ୍ରିୟାରେ ପ୍ରବୃତ୍ତ ହେବା ସେତେବେଳେ ଏକ ଧାର୍ମିକ କର୍ମ-ବିଧି ଥିବାପରି ମନେହୁଏ । (୧୩) ପ୍ରାଚୀନ ସୁମେରରେ (ବର୍ତ୍ତମାନର ଇରାକ୍) ‘ଇସ୍ଥର’ ଦେବୀଙ୍କପୀଠରେ ଦେବଦାସୀମାନେ ରହୁଥିଲେ ବୋଲି ‘ଇୟାବାଣୀ’ ଉପାଖ୍ୟାନରେ ଲେଖା ଅଛି-। (୧୩-କ) ଏ ପ୍ରକାର ଧାର୍ମିକ ପ୍ରଜନନ-ବିଧି ବାସ୍ତବିକ ଦାକ୍ଷିଣାତ୍ୟର ଦେବାଳୟମାନଙ୍କରେ ଖ୍ରୀଷ୍ଟପର ବହୁ ଶତାବ୍ଦୀ ଧରି ଚାଲିଥିଲା ଏବଂ ଏଥିରେ ରାଜକୁଳ ଓ ଅନ୍ୟାନ୍ୟ ସମ୍ଭ୍ରାନ୍ତକୁଳର ଯୁବତୀମାନେ ଅଂଶଗ୍ରହଣ କରୁଥିଲେ । ପରବର୍ତ୍ତୀ କାଳରେ ସୃଷ୍ଟିହୋଇଥିବା ‘ଦେବଦାସୀପ୍ରଥା’ର ପୃଷ୍ଠଭୂମି ବୋଧହୁଏ ରହିଛି ଏଇଠି । ବୈଦିକ ଅଶ୍ୱମେଧ ଯଜ୍ଞରେ ଥିବା କେତେକ ବିଧିବିଧାନରୁ ଏହି ପ୍ରଜନନ ଶକ୍ତିର ପୂଜା ସମ୍ପର୍କରେ ସୂଚନା ମଧ୍ୟ ମିଳିଥାଏ । ଯଜ୍ଞାଶ୍ୱର ତଣ୍ଟି ଚିପି ତାକୁ ମାରିଦିଆଯାଏ ଓ ଯଜ୍ଞପୀଠରେ ଗୋଟିଏ ଚାଦର ଉପରେ ତାକୁ ଶୁଆଇ ଦିଆଯାଏ । ରାଜାଙ୍କର ପାଟରାଣୀ ଆସି ତା’ ପାଖରେ ସ୍ତ୍ରୀ’ଭାବ ଆଚରଣ କରି ଶୁଅନ୍ତି ଏବଂ ସାଙ୍କେତିକ ପ୍ରଜନନ-ପ୍ରକ୍ରିୟାରେ ମଗ୍ନା ରହନ୍ତି । କେହି ଏ ଦୃଶ୍ୟ ଦେଖିପାରିବେ ନାହିଁ ବୋଲି ଅଶ୍ୱ ଓ ରାଣୀଙ୍କୁ ପରଦାର ଅନ୍ତରାଳରେ ରଖାଯାଇଥାଏ । ସେତେବେଳେ ପୁରୋହିତ ସ୍ପଷ୍ଟଭାବରେ ଏ ମନ୍ତ୍ରଟିକୁ ବୋଲିଥା’ନ୍ତି :-

 

ଅଶ୍ୱସ୍ୟ ଶିଶ୍ନଂ ମହିଷୀ ଉପସ୍ଥେ ନିଧତ୍ତେ,

ବୃଷା ବାଜୀ ରେତୋଧା ରେତୋ ଦଧାତୁ ଇତି ।

(୧୩-ଖ)

 

ଅର୍ଥାତ୍ ରାଣୀ ଅଶ୍ୱର ଜନନେନ୍ଦ୍ରିୟକୁ ସ୍ଵୀୟ ଉପସ୍ଥରେ ଧାରଣ କରିଛନ୍ତି । ତାଙ୍କର ସ୍ୱାମୀ ସାଜି ବୀର୍ଯ୍ୟବାନ୍ ଅଶ୍ୱ ବୀର୍ଯ୍ୟ ଦାନ କରନ୍ତୁ । ଆଉ ଗୋଟିଏ ବୈଦିକ ଯଜ୍ଞ ଅଛି, ଯାହାର ନାମ ହେଉଛି ‘ମହାବ୍ରତ’ । ଏଥିରେ ଋଗ୍‌ବେଦୀୟ ହୋତା ଦୋଳିରେ ଝୁଲୁଥାନ୍ତି ଏବଂ ଏହି ଅନୁଷ୍ଠାନରେ ବହୁତ ଅଶ୍ଳୀଳ ବାକ୍ୟର ଉଚ୍ଚାରଣ କରାଯାଇଥାଏ । ଏହି ଅଶ୍ଳୀଳ ବାକ୍ୟ ମଧ୍ୟରୁ ଆଶ୍ରମର କୌଣସି ଜଣେ ଶିଷ୍ୟଙ୍କର ଜଣେ ବେଶ୍ୟା ସହିତ ବୈଦିକ ମିଳନର ଦୃଶ୍ୟ ମଧ୍ୟ ବର୍ଣ୍ଣିତ ହୋଇଥାଏ-। ଏହି ଅଶ୍ଳୀଳ ଗାନ ପରେ ବାସ୍ତବ କ୍ଷେତ୍ରରେ ମଧ୍ୟ ସମସ୍ତଙ୍କ ସମ୍ମୁଖରେ ଜଣେ ଶିଷ୍ୟଙ୍କର ଜଣେ ବେଶ୍ୟା ସହିତ ଦୈହିକ ମିଳନ ସଂଘଟିତ କରାଇ ଦିଆଯାଇଥାଏ । ଏସବୁ ସେହି ପ୍ରଜନନ-ଶକ୍ତିର ଆରାଧନାର ସଙ୍କେତ ହେଉଛି ଯାହାର ଆଦିମ-ଉତ୍ସର ସନ୍ଧାନ ଆମେ ପାଇବା ସିନ୍ଧୁ-ଉପତ୍ୟକାରେ । ଏହା ସହିତ ପୁରାଣବର୍ଣ୍ଣିତ ରାସକ୍ରୀଡ଼ାର କ’ଣ ସମ୍ପର୍କ ଅଛି କି ନାହିଁ, ତାହା ଅବଶ୍ୟ ଗବେଷଣାସାପେକ୍ଷ । ଆହୁରି ଅଧିକତର ଗବେଷଣାସାପେକ୍ଷ ମଧ୍ୟ ହେଉଛି ରଥାରୂଢ଼ ଜଗନ୍ନାଥଙ୍କ ସମ୍ମୁଖରେ ଅଶ୍ଳୀଳ ସଙ୍ଗୀତ ଗାନ କରିବାର ପରଂପରା ।

 

ଏହି ଧ୍ୱଂସାବଶେଷର ପ୍ରାୟ ପ୍ରତ୍ୟେକ ଘରୁ ମୃଣ୍ମୟ ନାରୀମୂର୍ତ୍ତିମାନ ମିଳିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗର୍ଭବତୀ ଏବଂ ଆଉ କେତେକ ସନ୍ତାନ ସନ୍ତତିମାନଙ୍କ ଦ୍ୱାରା ପରିବେଷ୍ଟିତ । ଏ ନାରୀ ମୂର୍ତ୍ତି ପ୍ରଜନନ-ଶକ୍ତିର ପ୍ରତୀକ ମହାମାତୃଶକ୍ତି ବୋଲି ମନେ ହୁଅନ୍ତି । କେତେକ ତଦ୍‌ବିଦଙ୍କ ମତରେ ଏଗୁଡ଼ିକ ଖେଳନା ସାମଗ୍ରୀ ମଧ୍ୟ ହୋଇପାରନ୍ତି । ତାହା କିନ୍ତୁ ଠିକ୍ ନୁହେଁ । ଖେଳନା ସାମଗ୍ରୀର ବିଭିନ୍ନତା ଏଥିରେ ନାହିଁ ଏବଂ ଏଗୁଡ଼ିକ ପ୍ରଚୁର ସଂଖ୍ୟାରେ ସବୁ ଘରୁ ପ୍ରାୟ ମିଳୁଛି । ଏଣୁ ଏଗୁଡ଼ିକ ନିଶ୍ଚିତ ଭାବରେ ଆରାଧନାର ବସ୍ତୁ ହୋଇଥିବେ । ଶିବଦତ୍ତ ଜ୍ଞାନୀଙ୍କ ମତରେ ଏ ‘ପୃଥ୍ୱୀଦେବୀ’ ହୋଇପାରନ୍ତି; କାରଣ ଭୂମିକୁ ମାତା ହିସାବରେ ବହୁ ଆଦିମ କାଳରୁ ମଣିଷ ପୂଜା କରିଆସିଛି ଏବଂ ଏବେ ମଧ୍ୟ ଉଭୟ ସଭ୍ୟ ଓ ଅସଭ୍ୟ ଜାତି ମଧ୍ୟରେ ଭୂମି-ପୂଜା ପ୍ରଚଳିତ ଅଛି | (୧୪) ଭାରତୀୟ ସଂସ୍କୃତିରେ ଭୂମିକୁ ମାତା ହିସାବରେ ଗ୍ରହଣ କରିବାର ମୂଳଭିତ୍ତି ଅଛି ଏଇଠି । ନାରୀ ପରି ଭୂମି ମଧ୍ୟ ସୃଷ୍ଟିର ଜନନୀ-ଶସ୍ୟାଦିର ଜନୟିତ୍ରୀ । ସେହିହେତୁ ସେ ମାଆ-। ଋଗ୍‌ବେଦରେ ମଧ୍ୟ ଭୂମିକୁ ମାଆ ବୋଲି ଆବାହନ କରିବାର ପ୍ରମାଣ ଆମେ ଅନେକ ସ୍ଥାନରେ ପାଇଥାଉ । ଠାଏ ଲେଖା ଅଛି, ‘ମାତା ଭୂମିଃ ପୁତୋଽହଂ ପୃଥିବ୍ୟାଃ’ । ଅର୍ଥାତ୍ ‘ମାଟି ହେଉଛି ମାଆ ଓ ମୁଁ ହେଉଛି ତା’ର ସନ୍ତାନ’ । (୧୫) ସେହିପରି ଆଉ ଠାଏ ଲେଖାଅଛି, ‘ଉପସର୍ପ ମାତରଂ ଭୂମିଂ’ । ଅର୍ଥାତ୍ ‘ମାଟି ମାଆର ତୁମେ ସେବା କର’ । (୧୬) ଭାରତରେ ଥିବା ସିନ୍ଧୁ-ସଭ୍ୟତାର ସମସ୍ତ କ୍ଷେତ୍ରରେ ଉପରୋକ୍ତ ମୃଣ୍ମୟ ନାରୀମୂର୍ତ୍ତିମାନ ମିଳୁଛି । ନିକଟ ଅତୀତରେ ପାକିସ୍ତାନର ମେହେରଗଡ଼ଠାରେ ଓ ବେଲୁଚିସ୍ଥାନର ସମସ୍ତ ଧ୍ୱଂସାବଶେଷରେ ଏ ପ୍ରକାର ମୂର୍ତ୍ତିମାନ ପ୍ରଚୁର ପରିମାଣରେ ମିଳିଛି । ପୁରୁଷ ମୂର୍ତ୍ତିମାନ ଯେ ମିଳୁନାହିଁ ସେ କଥା ନୁହେଁ, ତାହା କିନ୍ତୁ କାଁ ଭାଁ କେଉଁଠି କେମିତି ମିଳୁଛି । କିନ୍ତୁ ନାରୀମୂର୍ତ୍ତିଗୁଡ଼ିକର ସଂଖ୍ୟାର ପ୍ରାବଲ୍ୟ ଅତ୍ୟଧିକ । ଏହିସବୁ ଦୃଷ୍ଟିକୋଣରୁ ପ୍ରତ୍ନତତ୍ତ୍ୱବିତ୍ ଆଲ୍‌ଚିନ୍ ଦମ୍ପତି ଯଥାର୍ଥରେ ମତ ଦିଅନ୍ତି ଯେ, ସୈନ୍ଧବ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ମାତୃଦେବୀଙ୍କର ପୂଜା ପ୍ରସିଦ୍ଧି ଲାଭ କରିଥିଲା, ତାଙ୍କ ମତ ନିମ୍ନରେ ଉଦ୍ଧାର କରାଯାଉଅଛି :-

 

“The great majority of the figurines are females, males are comparatively rare. It seems quite certain that they represent the presence of the cult of Mother Goddess.” (୧୭)

 

ମାଆ ଯେ ସନ୍ତାନର ଏକମାତ୍ର ସୃଷ୍ଟିକର୍ତ୍ତୀ, ଏହା ଆଦିମାନବର ଚିନ୍ତାଧାରା ଥିଲା ବୋଲି ପୂର୍ବରୁ କୁହାଯାଇଅଛି । ସିନ୍ଧୁ-ସଂସ୍କୃତିର ଲୋକମାନେ ମଧ୍ୟ ମୋଟାମୋଟି ସେହି ଚିନ୍ତାଧାରାର ଅନୁବର୍ତ୍ତୀ ଥିବାର ମନେହୁଏ । ସେମାନଙ୍କ ମତରେ ସୃଷ୍ଟି ହୋଇଥିଲା ଶୂନ୍ୟରୁ ଏବଂ ଏହି ମତବାଦ ପରେ ‘ଶୂନ୍ୟବାଦ’ର ଭୂୟୋବିକାଶ ଘଟାଇଥିଲା ବୋଲି ପଣ୍ଡିତ ନୀଳକଣ୍ଠ ଦାସ ଆହୁରି ଟିକିଏ ଆଗେଇଯାଇ ମତ ଦିଅନ୍ତି । ତାଙ୍କ ମତରେ ଋଗ୍‌ବେଦର ‘ନାସଦୀୟ ସୂକ୍ତ’ରେ ଯେଉଁ ଶୂନ୍ୟ-ଧର୍ମର ତତ୍ତ୍ୱ ବିବକ୍ଷିତ ହୋଇଛି ବା ଯେଉଁଭଳି ଭାବରେ ଶୂନ୍ୟରୁ ସୃଷ୍ଟିହେଲା ବୋଲି କ୍ରମ ଅନୁସାରେ ବର୍ଣ୍ଣନା କରାଯାଇଅଛି, ତାହାର ମୂଳତତ୍ତ୍ୱ ନିହିତ ଅଛି ସିନ୍ଧୁ-ସଂସ୍କୃତିର ଏହି ମାତୃକୈନ୍ଦ୍ରିକ ଧର୍ମ-ଧାରଣାରେ । ‘ନାସଦୀୟ-ସୂକ୍ତ’ର ସାତଟି ସୂକ୍ତର ଅର୍ଥାନୁଶୀଳନ କରି ସେ ଉପରୋକ୍ତ ମତରେ ସତ୍ୟତା ପ୍ରତିପାଦନ କରିବାର ଚେଷ୍ଟା କରିଛନ୍ତି । (୧୮)

 

ପ୍ରଜନନ-ଶକ୍ତିର ଆରାଧନା ସଂପର୍କରେ ଆଉ ଏକ ପ୍ରମାଣ ମିଳୁଛି ପାକିସ୍ଥାନସ୍ଥ ଚାହ୍ନୁଦାରୋଠାରେ ମିଳିଥିବା ଗୋଟିଏ ମୃଣ୍ମୟ ମୋହରରୁ । ଏହି ମୋହରରେ ଗୋଟିଏ ଲୋକ (ପୁରୁଷ କି ସ୍ତ୍ରୀ ଜଣାପଡ଼ୁନାହିଁ) ନିମ୍ନମୁଖ ହୋଇ ଭୂମିରେ ଶାୟିତ ଏବଂ ତଦୁପରି ଉର୍ଦ୍ଧ୍ୱଲିଙ୍ଗ ହୋଇ ଏକ ମହିଷ ଦଣ୍ଡାୟମାନ । ଲୋକଟିର ମସ୍ତକରୁ ପୁଣି ଛୋଟ ଗଛଟିଏ ଗଜରି ଉଠିବାର ଚିତ୍ର ଅଛି-। ଏ ଏକ ବିଚିତ୍ର ଚିତ୍ର ଭଳି ପ୍ରତୀୟମାନ ହୁଏ । ଋଗ୍‌ବେଦ ମତରେ ବୃକ୍ଷ ହେଉଛି ଆତ୍ମାର ବାସସ୍ଥାନ । (୧୯) ଅତଏବ, ଲୋକଟିର ମସ୍ତକରୁ ଅଙ୍କୁରିତ ହୋଇଉଠୁଥିବା କ୍ଷୁଦ୍ର ବୃକ୍ଷଟିକୁ ଜଗତର ସକଳ ଆତ୍ମାର ପ୍ରତୀକ ବୋଲି ଗ୍ରହଣ କରାଯାଇପାରେ । ଏଣୁ ଏହା ହେବ ‘ହିରଣ୍ୟଗର୍ଭ’ ବା ନାରାୟଣଙ୍କ ପ୍ରତୀକ । ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଥିବା ପୁରୁଷସୂକ୍ତରେ (ଋଗ୍‌ବେଦ, ୧୦/୯୦/୧-୧୬ ।) ଆଦିପୁରୁଷଙ୍କର ଆଦିମାତା ‘ବିରାଟ’ଙ୍କ ସହିତ ଯେଉଁ ମିଳନ ଘଟିଥିଲା, ତହିଁରୁ ଜାତ ହୋଇଥିଲେ ହିରଣ୍ୟଗର୍ଭ ବା ନାରାୟଣ । ଆଦିପୁରୁଷ ଓ ଆଦିମାତା ଅପ୍ରତ୍ୟକ୍ଷ (unmanifest) ଥିବା ସ୍ଥଳେ ହିରଣ୍ୟଗର୍ଭ ହେଉଛନ୍ତି ପ୍ରତ୍ୟକ୍ଷ (manifest) । ପରବର୍ତ୍ତୀ ହିନ୍ଦୁ ଚିନ୍ତାଧାରାରେ ସେ ଅବତାର ନାମରେ ଖ୍ୟାତ ହେଲେ । ଶଂସିତ ମୃଣ୍ମୟ ମୋହରଟିରେ ଊର୍ଦ୍ଧ୍ୱଲିଙ୍ଗ ମହିଷକୁ ଆଦିପୁରୁଷ, ଶାୟିତ ଲୋକଟିକୁ ଆଦିମାତା ‘ବିରାଟ’ ଓ ଅଙ୍କୁରିତ ବୃକ୍ଷକୁ ହିରଣ୍ୟଗର୍ଭ ଭାବରେ ଗ୍ରହଣ କରାଯାଇପାରେ । ଉପରୋକ୍ତ ସଙ୍କେତାତ୍ମକ ଚିତ୍ରର ପ୍ରଭାବ ଶଂସିତ ଋଗ୍‌ବେଦୀୟ ପୁରୁଷସୂକ୍ତରେ ପଡ଼ିଥିବା ପରି ମନେହୁଏ । (୨୦) ଅନ୍ତତଃ ଅନ୍ୟ କୌଣସି ପ୍ରକାର ଚିତ୍ରଟିର ଯୁକ୍ତିଯୁକ୍ତ ଅର୍ଥ ନ ବାହାରିବା ପର୍ଯ୍ୟନ୍ତ ଏହିପ୍ରକାର ଅର୍ଥ କଲେ କିଛି ଅଯୁକ୍ତିକର ହେବ ନାହିଁ; କାରଣ ସୈନ୍ଧବ-ସଂସ୍କୃତିର ପ୍ରଭାବ ବୈଦିକ ସଂସ୍କୃତିରେ ତ’ ଅନେକ ସ୍ଥାନରେ ପଡ଼ିଛି ଏବଂ ଅନେକ ତଦ୍‌ବିଦ୍ ମଧ୍ୟ ଉଭୟ ସଂସ୍କୃତିକୁ ବହୁ ପ୍ରମାଣ ଦର୍ଶାଇ ଏକ ଓ ଅଭିନ୍ନ ବୋଲି କହୁଛନ୍ତି । ଅବଶ୍ୟ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ଶେଷକଥା କୁହାଯାଇ ସାରିଛି ବୋଲି ଦାବୀ କରି ହେବନାହିଁ । ଏହା ଅଧିକତର ଗବେଷଣାସାପେକ୍ଷ ।

 

ବୃକ୍ଷ ପୂଜା :

ତା’ପରେ ବୃକ୍ଷପୂଜା କଥା । ଏହି ବୃକ୍ଷପୂଜା ହେଉଛି ଏକ ଅତି ପ୍ରାଚୀନ ଅନୁଷ୍ଠାନ ଯାହାକି ଆଦିମାନବ ଯୁଗରୁ ଚଳିଆସିଛି । ଏହାର ମୂଳରେ ମଧ୍ୟ ଅଛି ସେହି ପ୍ରଜନନ ଶକ୍ତିର ପୂଜା ସଂପର୍କୀୟ ଚିନ୍ତାଧାରା । ବୃକ୍ଷ ପୁଷ୍ପିତ ହୁଏ, ପୁଷ୍ପରୁ ପୁଣି ଫଳ ହୁଏ, ଫଳରୁ ମଞ୍ଜି ଓ ମଞ୍ଜିରୁ ପୁଣି ବୃକ୍ଷ ହୁଏ । ଏହା ହେଲା ବୃକ୍ଷର ସୃଷ୍ଟିଚକ୍ର । ପ୍ରତି ଚକ୍ର ମୂଳରେ ସୃଷ୍ଟିତତ୍ତ୍ୱ ନିହିତ । ଏଣୁ ଆଦିମାନବ ନିର୍ବାକ୍‌ ବିସ୍ମୟରେ ଏହାକୁ ପ୍ରଜନନ ଶକ୍ତିର ଅଧିଦେବତା ବୋଲି ଗ୍ରହଣ କରିଥିବା ସ୍ୱାଭାବିକ । ଡକ୍ଟର ସୁନୀତି କୁମାର ଚାଟର୍ଜୀଙ୍କ ମତରେ ପ୍ରଜନନ ଶକ୍ତିର ପ୍ରତୀକ ରୂପେ ଉଦୁମ୍ବର ଗଛର ପୂଜା ସାରା ବିଶ୍ୱରେ ସର୍ବତ୍ର ଆଦିମାନବ ଗୋଷ୍ଠୀରେ ପ୍ରଚଳିତ ଥିଲା । ଏଣୁ ଏହା ମଧ୍ୟ ସିନ୍ଧୁ-ସଭ୍ୟତାରେ ପ୍ରଚଳିତ ଥିବା ସ୍ୱାଭାବିକ । (୨୧) ସେ ଅବଶ୍ୟ କହିଛନ୍ତି ଯେ ଏ ଚିନ୍ତାଧାରା ଓ ପୂଜାପଦ୍ଧତିକୁ ନିଗ୍ରୋଏଡ୍‌ ଜାତୀୟ ଲୋକମାନେ ଭାରତଭୂମିକୁ ପ୍ରଥମେ ଆଣିଥିଲେ । ଏହା ଏକ ବିବାଦୀୟ ବିଷୟ ଅଟେ । ଉଦୁମ୍ବର ଗଛ ଏବେ ମଧ୍ୟ ଭାରତରେ ସଭ୍ୟ ଅସଭ୍ୟ ସକଳ ସଂପ୍ରଦାୟରେ ପୂଜାପାଏ । ବୈଦିକ ବିବାହ ବିଧିରେ ମଧ୍ୟ ଫଳଭରା ଉଦୁମ୍ବର ଡାଳଟିଏ ଆଣି ବିବାହ ବେଦୀରେ ସ୍ଥାପିତ କରିବାର ବ୍ୟବସ୍ଥା ରହିଛି । ଏହି ଉଦୁମ୍ବର ବୃକ୍ଷ ଭଳି ସନ୍ତାବତୀ ହେବାପାଇଁ କନ୍ୟାକୁ ଆଶୀର୍ବାଦ କରନ୍ତୁ ବୋଲି ଅଗ୍ନି, ଇନ୍ଦ୍ର, ବରୁଣ, ସବିତା ଆଦି ଦେବତାମାନଙ୍କୁ ଏଠାରେ ଆବାହନ କରାଯାଇଥାଏ । ଏ ଆବାହନବିଧି ଏବେ ମଧ୍ୟ ବିବାହ ଅନୁଷ୍ଠାନରେ ଅନୁସୃତ ହେଉଅଛି । କନ୍ୟା ଯେତେବେଳେ ଯୌବନ ପାଉଛି, ତାକୁ ପୁଷ୍ପବତୀ ହେଲା ବୋଲି କୁହାଯାଉଅଛି । ବୃକ୍ଷର ପୁଷ୍ପଧାରଣ କରିବା ମୂଳରେ ଯେଉଁ ପ୍ରଜନନ ଶକ୍ତିର ଅଧିଷ୍ଠାତ୍ରୀ ଦେବୀଙ୍କର କଳ୍ପନା କରାଯାଇଛି, ସେହିଭଳି ଅନୁରୂପା ଦେବୀଙ୍କର ଏଠାରେ କଳ୍ପନା କରାଯାଇଥିବାର ମନେହୁଏ । ଗାଈଟିଏ ଗର୍ଭଧାରଣ କଲେ ଆମେ ସେ ଫଳିଲା ବୋଲି କହିଥାଉଁ-। ଏହା ମଧ୍ୟ ସେହିପରି ବୃକ୍ଷର ଫଳଧାରଣ ମୂଳରେ ଥିବା ପ୍ରଜନନ ଶକ୍ତିର ଅଧିଷ୍ଠାତ୍ରୀ ଦେବତା ସମ୍ପର୍କୀୟ ଚିନ୍ତାଧାରା ସହିତ ତୁଳନୀୟ । ଭାରତୀୟମାନଙ୍କ ମଧ୍ୟରେ ବୃକ୍ଷକୁ ପ୍ରଜନନ ଶକ୍ତିର ଦେବତା ଭାବରେ ଗ୍ରହଣ କରିବାର ପ୍ରାଚୀନ ପରଂପରାଟି ଏବେ ମଧ୍ୟ ବହୁଳ ଭାବରେ ବିଭିନ୍ନ କ୍ଷେତ୍ରରେ ଆଚରିତ ହେଉଥିବାରୁ ଏ ଚିନ୍ତାଧାରାଟି ଯେ ଭାରତର ନିଜସ୍ୱ ନୁହେଁ, ସେ କଥା କହିହେବ ନାହିଁ । ଏହି ଦୃଷ୍ଟିକୋଣରୁ ଡକ୍ଟର ସୁନୀତି କୁମାର ଚାଟାର୍ଜୀଙ୍କର ଉପରୋକ୍ତ ମତକୁ ଭଲ ଭାବରେ ପରୀକ୍ଷା ନିରୀକ୍ଷା କରାଯିବା ଉଚିତ । ସେ ଯାହା ହେଉ, ଏ କଥା ସତ୍ୟ ବୋଲି ମାନିନେବାକୁ ହେବ ଯେ ସିନ୍ଧୁ-ସଭ୍ୟତାରେ ବୃକ୍ଷକୁ ପ୍ରଜନନ ଶକ୍ତିର ଅଧିଷ୍ଠାତ୍ରୀ ଦେବତା ରୂପେ ଆରାଧନା କରାଯାଉଥିଲା । ମହାମାତୃଦେବୀଙ୍କ ପୂଜା କରୁଥିବା ସିନ୍ଧୁ-ସଭ୍ୟତାର ଅଧିବାସୀମାନେ ପ୍ରଜନନ-ଶକ୍ତିର ସଙ୍କେତ ରୂପେ ମାତୃଦେବୀଙ୍କ ଛଡ଼ା ବୃକ୍ଷଭଳି ଆଉ ଏକ କ୍ଷେତ୍ରକୁ ପୂଜା କରିବାରେ କିଛି ଅସ୍ୱାଭାବିକତା ନାହିଁ ବୋଲି ମନେହୁଏ, ବରଂ ଏ କ୍ଷେତ୍ରକୁ ପୂଜା କରିଥିବା ଖୁବ୍ ସ୍ୱାଭାବିକ ।

 

ସିନ୍ଧୁ-ସଭ୍ୟତାର ଧ୍ୱଂସାବଶେଷରୁ ମିଳୁଥିବା ମୃଣ୍ମୟ ମୋହରମାନଙ୍କରେ ଅନେକ ସ୍ଥଳରେ ଅଶ୍ୱତ୍‌ଥ ଡାଳ କିମ୍ବା ପତ୍ରର ଚିତ୍ର ଅଙ୍କିତ ହୋଇଅଛି । ତତ୍ରତ୍ୟ କବର-ଭୂମିରୁ ମିଳୁଥିବା ମୃଣ୍ମୟ ପାତ୍ରମାନଙ୍କରେ ଯେଉଁସବୁ ଚିତ୍ର ଅଙ୍କିତ ହୋଇଅଛି, ଅଶ୍ୱତ୍‌ଥ ପତ୍ରର ଚିତ୍ର ମଧ୍ୟ ତହିଁରୁ ଅନ୍ୟତମ । ଗୋଟିଏ ମୃଣ୍ମୟ ମୋହର ଉପରେ ଅଙ୍କିତ ଅଶ୍ୱତ୍‌ଥ ବୃକ୍ଷରେ ଦୁଇଟି ପକ୍ଷୀର ଚିତ୍ର ଅଙ୍କିତ ହୋଇଅଛି । କେହି କେହି ତଦ୍‌ବିଦ୍ ଏହାକୁ ଭୂତ ବୋଲି ଅର୍ଥ କରନ୍ତି । କିନ୍ତୁ ଏତେବଡ଼ ଉନ୍ନତ ସଭ୍ୟତାର ଅଧିକାରୀ ଯେ କି ‘ନଗର ନିର୍ମାଣ’ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଅବହିତ ଥିଲା ଏବଂ ଲୋଠାଲରେ ପୃଥିବୀର ଏ ଅବଧି ଆବିଷ୍କୃତ ପ୍ରାଚୀନତମ ପ୍ରୋତାଶ୍ରୟର ନିର୍ମାଣ କରିପାରିଥିଲା, ସେ କଦାପି ଭୂତପ୍ରେତରେ ବିଶ୍ୱାସ ରଖି ତାକୁ ଏଭଳି ଭାବରେ ଚିତ୍ରରୂପ ଦେଇନଥିବ । ବେଦବର୍ଣ୍ଣିତ ପ୍ରସିଦ୍ଧ ‘ଦ୍ୱ ସୁପର୍ଣ୍ଣା’ ସୂକ୍ତରେ ଯେଉଁ ସୁନ୍ଦର ପକ୍ଷୀଦୁଇଟିଙ୍କୁ ‘ଜୀବାତ୍ମା’ ଓ ‘ପରମାତ୍ମା’ ରୂପରେ କଳ୍ପନା କରାଯାଇଅଛି, ପ୍ରକୃତରେ ଏହା ହିଁ ହେଉଛି, ତାହାର ଚିତ୍ରିତ ଅଭିବ୍ୟକ୍ତି । (୨୨) ଆଉ ଗୋଟିଏ ମୃଣ୍ମୟ ମୋହରରେ ଅଶ୍ୱତ୍‌ଥ ଶାଖାରେ ଅଶ୍ୱର ମୁଖ ଚିତ୍ରିତ ଥିବାର ଚିତ୍ର ଅଙ୍କିତ ହୋଇଅଛି । ଏ ଅଶ୍ୱ ଆଉ କେହି ନୁହଁନ୍ତି; ଏ ହେଉଛନ୍ତି ଅଗ୍ନି ଯେ କି ଅଶ୍ୱ ରୂପରେ ବୃକ୍ଷରେ ଲୁଚି ରହିଥିଲେ ଏବଂ ପରେ ଯାହାଙ୍କୁ ଋଷିମାନେ ବହୁକଷ୍ଟରେ ପାଇପାରିଥିଲେ ବୋଲି ବେଦର ‘ଅଶ୍ୱତ୍‌ଥ ସମ୍ଭାର’ ଗଳ୍ପରେ ବର୍ଣ୍ଣିତ ହୋଇଅଛି । ହର୍‌ପପାସ୍ଥ ଗୋଟିଏ ମୃଣ୍ମୟ ମୋହରରେ (ସଂଖ୍ୟା-୩୦୯) ବୃକ୍ଷ ଉପରେ ଅଗ୍ନିକୁଣ୍ଡର ଚିତ୍ର ଅଙ୍କିତ ହୋଇଅଛି । ଏହା ବେଦବର୍ଣ୍ଣିତ ଅଗ୍ନିଙ୍କର ‘ଦ୍ରୁଷଦ୍’ ବା ‘ଦ୍ରୁମଜାତ’ ନାମକୁ ସାର୍ଥକ କରୁଛି । ଏ ବିଷୟରେ ବିସ୍ତୃତ ଆଲୋଚନା ଅବଶ୍ୟ ପରବର୍ତ୍ତୀ ଅନୁଚ୍ଛେଦମାନଙ୍କରେ ଅଗ୍ନିପୂଜା ଅନୁକ୍ରମରେ କରାଯିବ ।

 

ଏଠାରେ ପ୍ରଶ୍ନ ହୋଇପାରେ, ଅନ୍ୟ ବୃକ୍ଷକୁ ଛାଡ଼ି ଅଶ୍ୱତ୍‌ଥ ବୃକ୍ଷରେ କାହିଁକି ଏଭଳି ଯଜ୍ଞକୁଣ୍ଡ ଓ ଅଶ୍ୱରୂପୀ ଅଗ୍ନିଙ୍କର ମୂର୍ତ୍ତି କରାଯାଇଥିଲା ? ଏହା ନିଶ୍ଚିତ ଭାବରେ ଏକ କୌତୁହଳୋଦ୍ଦୀପକ ପ୍ରଶ୍ନ । ସେତେବେଳେ ଯୋଗ ସମ୍ପର୍କୀୟ ଧାରଣା ଓ ଦାର୍ଶନିକ ଚିନ୍ତାଧାରା ଭ୍ରୂଣ ଅବସ୍ଥାରେ ଥିଲା । ପରବର୍ତ୍ତୀ କାଳରେ ଅବଶ୍ୟ ଭାରତଭୂମିରେ ଏହାର ଭୂୟୋବିକାଶ ଘଟିଥିଲା । ଯୋଗଲଗ୍ନ ଥିବା ଯୋଗୀରାଜ ଶିବଙ୍କର ଯେଉଁ ମୃଣ୍ମୟ ମୋହରସ୍ଥ ମୂର୍ତ୍ତିଟି ବାହାରିଛି, ତାହା ତତ୍‌କାଳୀନ ଯୋଗ-ସମ୍ପର୍କୀୟ ଏକ ଭ୍ରୂଣାତ୍ମକ ଚିନ୍ତାଧାରାର ପରିଚାୟକ । ତା’ପରେ ଅଶ୍ଵତ୍‌ଥ କଥା । ‘ଶ୍ୱ’ ଅର୍ଥ ହେଲା ଆସନ୍ତାକାଲି । ‘ଅଶ୍ୱତ୍‌ଥ’ ଅର୍ଥ ହେଲା ଯାହା ଆସନ୍ତାକାଲିକୁ ନଥିବ ବା ଏହି କ୍ଷଣସ୍ଥାୟୀ ଦେହ । ଏହି ଦେହରେ ‘ଜୀବାତ୍ମା’ ଓ ‘ପରମାତ୍ମା’ ସଖାସ୍ୱଭାବ ବିଶିଷ୍ଟ ହୋଇ ଅବସ୍ଥାନ କରୁଛନ୍ତି ଏବଂ ଏହି ଭାବଟି ଶଂସିତ ମୃଣ୍ମୟ ମୋହର ଉପରେ ଅଙ୍କିତ ହୋଇଥିବା ଅଶ୍ଵତ୍‌ଥ ବୃକ୍ଷାସୀନ ଦୁଇଟି ସୁନ୍ଦର ପକ୍ଷଯୁକ୍ତ ପକ୍ଷୀ (ଦ୍ଵାସୁପର୍ଣ୍ଣା) ମାଧ୍ୟମରେ ଅଭିବ୍ୟଞ୍ଜିତ କରାଯାଇଅଛି । ଅଶ୍ଵତ୍‌ଥ ବୃକ୍ଷର ଯଜ୍ଞକୁଣ୍ଡ ଓ ଅଶ୍ଵରୂପୀ ଅଗ୍ନିଙ୍କର ମୂର୍ତ୍ତି ଅଙ୍କିତ କରିବାରେ ମଧ୍ୟ ସେହିପରି ଦାର୍ଶନିକ ଭିତ୍ତିଭୂମି ରହିଅଛି । ଅଗ୍ନି ହେଲେ ପରମାତ୍ମା ଭଗବାନ । ଯେ ସର୍ବତ୍ର ‘ଅଙ୍ଗତି’ ବା ବ୍ୟାପି କରି ରହିଛନ୍ତି ସେ ହେଲେ ଅଗ୍ନି । ତାଙ୍କୁ ପାଇବା ପାଇଁ, ତାଙ୍କ ସହିତ ମିଳିତ ହେବାପାଇଁ ଥାଏ ମାନବର ଅଦମ୍ୟ ପିପାସା । ସେ ସାରା ଜଗତରେ ତାଙ୍କୁ ଖୋଜିବୁଲୁଥାଏ । ଶେଷକୁ ତା’ର ଜ୍ଞାନୋଦୟ ହେବାରେ ସେ ତାକୁ ଆବିଷ୍କାର କରେ ‘ଅଶ୍ୱତ୍‌ଥ’ରେ ବା ନିଜ ଦେହରେ । ଏହାର ତତ୍ତ୍ୱଗତ ଅର୍ଥ ହେଲା ଭଗବାନ ନିଜଠାରେ ଅଛନ୍ତି; ଭମ୍ରରେ ଲୋକ ତାଙ୍କୁ ଏଠିସେଠି ଖୋଜୁଛି । ଠିକ ଏହି ମର୍ମରେ ଆମେ ଗୀତାରେ ଗୋଟିଏ ଉକ୍ତି ଦେଖିବାକୁ ପାଇଥାଉଁ, ଯେଉଁଠି କୁହାଯାଇଛି:-

 

ଈଶ୍ୱରଃ ସର୍ବଭୂତାନାମ୍ ହୃଦ୍ଦେଶେଽର୍ଜ୍ଜୁନ ତିଷ୍ଠତି,

ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୂଢ଼ାନି ମାୟୟା ।’’

 

ଅର୍ଥାତ୍ ‘‘ହେ ଅର୍ଜ୍ଜୁନ ! ଈଶ୍ୱର ସବୁ ଜୀବଙ୍କର ହୃଦୟରେ ବିରାଜମାନ ଅଛନ୍ତି । ଜୀବମାନେ ଖାଲି ଯାହା ଯନ୍ତ୍ରରେ ଚଢ଼ି ମାୟାଚ୍ଛନ୍ନ ଭଳି ତାଙ୍କୁ ଏଣେତେଣେ ଖୋଜିବୁଲୁଛନ୍ତି ।’’ (୨୩) ଅଶ୍ୱତ୍‌ଥ ବୃକ୍ଷର ତାତ୍‌ପର୍ଯ୍ୟ ତେଣୁ ଅଛି ଏଇଠି ।

 

ସିନ୍ଧୁ-ସଭ୍ୟତାର ଏହି ବୃକ୍ଷପୂଜା ଯେ କେବଳ ବୈଦିକ ଧର୍ମ ସହିତ ସମ୍ବନ୍ଧିତ ତାହା ନୁହେଁ, ଏହାର ଗଭୀର ପ୍ରଭାବ ଜୈନଧର୍ମ, ବୌଦ୍ଧଧର୍ମ ଏବଂ ହିନ୍ଦୁଧର୍ମ ଉପରେ ମଧ୍ୟ ପଡ଼ିଅଛି । ଜୈନ ଧାରଣା ଅନୁଯାୟୀ ଋଷଭନାଥଙ୍କ ଠାରୁ ଆରମ୍ଭ କରି ମହାବୀରଙ୍କ ପର୍ଯ୍ୟନ୍ତ ୨୪ଜଣଯାକ ତୀର୍ଥଙ୍କର (ଘାଟରେ ପାରି କରାଇବା ଲୋକ) ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ବୃକ୍ଷ ମୂଳରେ ‘କୈବଲ୍ୟ’ ବା ଦିବ୍ୟଜ୍ଞାନ ଲାଭ କରିଥିଲେ । ଏ ବୃକ୍ଷକୁ ‘କେବଳ-ବୃକ୍ଷ’ ବା କଳ୍ପବୃକ୍ଷ’ ବୋଲି କୁହାଯାଏ । ଋଷଭନାଥଙ୍କର କଳ୍ପବୃକ୍ଷ ନ୍ୟଗ୍ରୋଧ (ବରଗଛ) ହେଲାବେଳେ ଅଜିତନାଥ ଓ ସମ୍ଭବନାଥଙ୍କର କଳ୍ପବୃକ୍ଷ ହେଲେ ଯଥାକ୍ରମେ ସପ୍ତପର୍ଣ୍ଣୀ ଓ ଶାଳ । ଏହିଭଳି ଭାବରେ ଅନ୍ୟ ତୀର୍ଥଙ୍କରମାନଙ୍କର ପୃଥକ୍ ପୃଥକ୍ କଳ୍ପବୃକ୍ଷମାନ ରହିଅଛି । (୨୪) ଜୈନମାନେ ଏହି କଳ୍ପବୃକ୍ଷଗୁଡ଼ିକୁ ଦେବତା ଜ୍ଞାନରେ ପୂଜା କରି ଆସୁଅଛନ୍ତି । କଳିଙ୍ଗର ଜୈନ୍ ସମ୍ରାଟ ଖାରବେଳଙ୍କ (ଖ୍ରୀ: ପୂ: ୨ୟ ଶତାବ୍ଦୀ) ଦ୍ୱାରା ଖଣ୍ଡଗିରିଠାରେ ଯେଉଁ ଭିତ୍ତିଚିତ୍ରମାନ ଖୋଦିତ କରାଯାଇଅଛି, ତନ୍ମଧ୍ୟରୁ ବୃକ୍ଷପୂଜାର ଚିତ୍ର ଅନ୍ୟତମ ଅଟେ । (୨୫) ସେହି ଖାରବେଳ ମଥୁରା-ରାଜ୍ୟ ଜୟକରି ତତ୍ରତ୍ୟ ଜୈନପୀଠରୁ କଳ୍ପବୃକ୍ଷର ଗୋଟିଏ ଚାରା ଆଣିଥିଲେ ବୋଲି ତାଙ୍କଦ୍ୱାରା ଖଣ୍ଡଗିରିସ୍ଥ ହାତୀଗୁମ୍ଫା ଶିଳାଲେଖରେ ଲିପିବଦ୍ଧ କରାଯାଇଅଛି । (୨୬) ସେହିପରି ବୌଦ୍ଧମାନଙ୍କର ଧାରଣା ଯେ ବୁଦ୍ଧଦେବ ଏକ ଅଶ୍ୱତ୍‌ଥ ବୃକ୍ଷ ତଳେ ପରମଜ୍ଞାନ ଲାଭ କରିଥିଲେ; ଏବଂ ସେଥିପାଇଁ ତାକୁ କୁହାଯାଉଥିଲା ବୋଧିଦ୍ରୁମ । ଏହି ବୋଧିଦ୍ରୁମ ବୌଦ୍ଧମାନଙ୍କ ଦ୍ୱାରା ପୂଜିତ ହୋଇଆସୁଅଛି । ବୌଦ୍ଧମାନଙ୍କର ଆହୁରି ମଧ୍ୟ ଧାରଣା ଯେ ‘ବୋଧିସତ୍ତ୍ୱ’ ବିଭିନ୍ନ ଜନ୍ମରେ ବିଭିନ୍ନ ବୃକ୍ଷଦେବତାର ରୂପ ପରିଗ୍ରହ କରିଆସିଛନ୍ତି । ସର୍ବମୋଟ ୫୩ ଥର ସେ ବୃକ୍ଷଦେବତା ରୂପରେ ଜନ୍ମ ନେଇଥିବା କଥା ଆମେ ବୌଦ୍ଧଜାତକ ଗଳ୍ପଗୁଡ଼ିକର ଅନୁଶୀଳନ କଲେ ଜାଣିବାକୁ ପାଇଥାଉଁ । (୨୭) ବୋଧିସତ୍ତ୍ୱଙ୍କ ବ୍ୟତୀତ ଅନ୍ୟାନ୍ୟ ଦେବତାମାନେ ମଧ୍ୟ ବୃକ୍ଷରେ ଥାଆନ୍ତି ଓ ସେଥିପାଇଁ ସଂପୃକ୍ତ ବୃକ୍ଷଗୁଡ଼ିକୁ ଦେବତା ଜ୍ଞାନରେ ପୂଜା କରାଯାଏ ବୋଲି ମଧ୍ୟ ଜାତକଗଳ୍ପଗୁଡ଼ିକର ପ୍ରମାଣ ରହିଅଛି । (୨୮) ହିନ୍ଦୁମାନଙ୍କ ମଧ୍ୟରେ ମଧ୍ୟ ବୃକ୍ଷପୂଜା ବହୁଦିନ ଧରି ଚାଲିଆସୁଅଛି । ବରଗଛ, ଅଶ୍ୱତ୍‌ଥଗଛ ଆଦି ଗଛକୁ ଏବେ ମଧ୍ୟ ହିନ୍ଦୁମାନେ ପୂଜା କରୁଛନ୍ତି । ଅତଏବ ଏଥିରୁ ଏହି ସତ୍ୟ ନିଷ୍କାସିତ ହେବ ଯେ ସିନ୍ଧୁ-ସଭ୍ୟତାରେ ପ୍ରଚଳିତ ଥିବା ବୃକ୍ଷପୂଜା ପରବର୍ତ୍ତୀ କାଳରେ ଭାରତୀୟ ଆଧ୍ୟାତ୍ମିକ ଓ ଧାର୍ମିକ ଦିଗ୍‌ବଳୟକୁ ଯଥେଷ୍ଟ ଭାବରେ ପ୍ରଭାବାନ୍ଵିତ କରି ବୃକ୍ଷପୂଜାର ପରଂପରାଟିକୁ ଏ ପର୍ଯ୍ୟନ୍ତ ମଧ୍ୟ ଲୋକମାନଙ୍କ ମଧ୍ୟରେ ଚଳାଇ ଆସିଅଛି ।

 

ଅଗ୍ନିଦେବଙ୍କ ଆରାଧନା :

ସିନ୍ଦୁ-ସଭ୍ୟତାର ପ୍ରତି ନଗରର ଏକ ନିର୍ଦ୍ଦିଷ୍ଟ ଦିଗରେ ଏକ ବୃହଦାକାର ଧ୍ୱଂସ-ସ୍ତୁପର ଆବିଷ୍କାର କରାଯାଇଅଛି । ତଦ୍‌ବିଦ୍‌ମାନଙ୍କର କଳ୍ପନା-ଜଳ୍ପନା ଅନୁସାରେ ଏହା ଦୁର୍ଗ ହୋଇପାରେ କିମ୍ବା ଦେବାଳୟ । ଏଠାରେ ପ୍ରତିରକ୍ଷା ସାମଗ୍ରୀର କିଛି ଧ୍ୱଂସାବଶେଷ ମିଳୁନଥିବାରୁ ଏହା ଦୁର୍ଗ ରୂପେ ବ୍ୟବହୃତ ହେଉଥିବାର ସମ୍ଭାବନା ଖୁବ୍ କମ୍ । କୋସାମ୍ବୀଙ୍କ ମତରେ ସୁମେରୀୟମାନେ କଞ୍ଚାଇଟାରେ ପ୍ରାୟ ୭୦ଫୁଟ ଉଚ୍ଚର ଦେବାୟତନ ନିର୍ମାଣ କରୁଥିଲେ, ଯାହାକୁ କୁହାଯାଉଥିଲା ‘ଜିଗୁରତ’ । ଉପରୋକ୍ତ ପ୍ରଧାନ ସ୍ତୁପ (Citadel mound) ସୁମେରୀୟମାନଙ୍କ ‘ଜିଗୁରତ୍‌’ର ଏକ ହରପ୍‌ପୀୟ ସ୍ଥାନୀୟ ସଂସ୍କରଣ ଛଡ଼ା ଆଉ କିଛି ନୁହେଁ ବୋଲି ସେ କୁହନ୍ତି । ପ୍ରଭେଦ ଏତିକି ଯେ ସୁମେରରେ କଞ୍ଚାଇଟା ବ୍ୟବହୃତ ହେଉଥିବା ବେଳେ ସିନ୍ଧୁ ସଭ୍ୟତାରେ ସିନ୍ଧୁ ଓ ତା’ର ଉପନଦୀମାନଙ୍କ ବନ୍ୟାରୁ ମୁକ୍ତି ପାଇବା ପାଇଁ ପୋଡ଼ାଇଟା ବ୍ୟବହାର କରାଯାଉଥିଲା । (୨୮-କ) ଏସ୍‌. ଆର୍‌. ରାଓଙ୍କ ମତରେ ଏଠାରେ ଅଗ୍ନିଦେବଙ୍କର ଆରାଧନା କରାଯାଉଥିଲା । ସାର୍‌ ଜନ୍ ମାର୍ଶାଲ ଗୋଟିଏ ମୃଣ୍ମୟ ମୋହରରେ ପଶୁପରିବେଷ୍ଟିତ ଯୋଗୀରାଜଙ୍କୁ ପଶୁପତି ଶିବ ବୋଲି କହିଛନ୍ତି । ଏ ପଶୁପତି ଆଉ କେହି ନୁହନ୍ତି । ଏ ହେଉଛନ୍ତି ‘ଅଗ୍ନିଦେବ’ । ଶତପଥ ବ୍ରାହ୍ମଣ ଅନୁସାରେ ଅଗ୍ନିଙ୍କର ଆଠଗୋଟି ନାମ ମଧ୍ୟରୁ ‘ପଶୁପତି’ ହେଉଛି ଅନ୍ୟତମ । ଏହି ପ୍ରଧାନ ସ୍ତୁପମାନଙ୍କରେ ଯଜ୍ଞକୁଣ୍ଡର ଧ୍ୱଂସାବଶେଷ ଆବିଷ୍କୃତ ହୋଇଥିବାର କଥା ମଧ୍ୟ ରାଓ ମତ ଦିଅନ୍ତି । (୨୯) ରାଜସ୍ଥାନରେ କାଲିବଙ୍ଗାଠାରେ ଓ ଗୁଜୁରାଟର ଲୋଠାଲଠାରେ ମଧ୍ୟ ଠିକ୍ ସେହିଭଳି ଯଜ୍ଞକୁଣ୍ଡମାନ ମିଳିଥିବା କଥା ପ୍ରତ୍ନତତ୍ତ୍ୱବିତ୍ ଆଲଚିନ୍ ଦମ୍ପତି କୁହନ୍ତି । (୩୦) ଅବଶ୍ୟ ମହେଞ୍ଜୋଦାରୋ ଓ ହରପ୍‌ପାର ଆଦି ଖନନକାରୀମାନଙ୍କ ଦୃଷ୍ଟିରେ ଏ ଯଜ୍ଞକୁଣ୍ଡମାନ ଯେ ପଡ଼ିନଥିବ ତାହା ନୁହେଁ । ସେମାନଙ୍କ ଦୃଷ୍ଟିରେ ତାହା ପଡ଼ିଥିଲେ ମଧ୍ୟ ଆନୁଷଙ୍ଗିକ ପ୍ରମାଣ ଅଭାବରୁ ତାହାର ପ୍ରକୃତ ତଥ୍ୟ ଉଦ୍‌ଘାଟନ କରିବାରେ ସେମାନେ ହୁଏତ ସମର୍ଥ ହୋଇ ପାରି ନ ଥିଲେ । ଲୋଠାଲର କେତେକ ଘରୁ ମଧ୍ୟ ଅପେକ୍ଷାକୃତ କ୍ଷୁଦ୍ର ଆକାରର ଯଜ୍ଞକୁଣ୍ଡର ଧ୍ୱଂସାବଶେଷ ମିଳିଅଛି ।

 

ମହେଞ୍ଜୋଦାରୋରୁ ମିଳୁଥିବା ଗୋଟିଏ ମୋହରରେ ବୃକ୍ଷ ଉପରେ ଯଜ୍ଞ-କୁଣ୍ଡଟିଏ ରହିଅଛି । ଅଗ୍ନି ଏଠାରେ ବୃକ୍ଷସ୍ଥ ହେବାରେ ବେଦବର୍ଣ୍ଣିତ ତାଙ୍କର ‘ଦ୍ରୁଷଦ୍‌’ (ଦ୍ରୁମ ବା ବୃକ୍ଷରୁ ଜାତ) ନାମକୁ ଏହା ସାର୍ଥକ କରୁଛି । ମୋହର ସଂଖ୍ୟା ୩୦୯ରେ ବୃକ୍ଷ ଉପରେ ଅଶ୍ୱରୂପୀ ଅଗ୍ନିଙ୍କର ଯେଉଁ ମୂର୍ତ୍ତି ଅଙ୍କିତ ହୋଇଅଛି ଏବଂ ଯାହା ବିଷୟରେ ପୂର୍ବରୁ ଆଲୋଚନା କରାଯାଇଅଛି ଶଂସିତ ଯଜ୍ଞ-କୁଣ୍ଡର ଚିତ୍ରଟି ସେହି ଅନୁରୂପ ଚିନ୍ତାଧାରାର ଅଭିବ୍ୟକ୍ତି ଭଳି ମନେହୁଏ । ବୈଦିକ ଋଷିମାନେ ଅଶ୍ୱତ୍‌ଥ କାଠ ଦୁଇଖଣ୍ଡକୁ ପରସ୍ପର ସହିତ ଘଷି ଯଜ୍ଞ ଲାଗି ଅଗ୍ନି ସୃଷ୍ଟି କରାଉଥିଲେ । ଏହି କାଠକୁ କୁହାଯାଉଥିଲା ‘ଅରଣି’ । ଏଇଥିପାଇଁ ଅଗ୍ନି ହେଲେ ‘ଦ୍ରୁଷଦ୍‌’ ବା ‘ଦ୍ରୁମରୁ ଜାତ’ । କାଳକ୍ରମେ ଯେଉଁ ନଦୀର ଉଭୟ ତଟରେ ବହୁଳ ଭାବରେ ଅଗ୍ନିଦେବଙ୍କର ଆରାଧନା କରାଯିବାକୁ ଲାଗିଲା, ତା’ର ନାମ ମଧ୍ୟ ହେଲା ‘ଦ୍ରୁଷଦ୍‌ବତୀ’ । (୩୧)

 

ଲୋପଲ, କାଲିବଙ୍ଗା, ହରପ୍‌ପା ଆଦି ନଗରର ଧ୍ୱଂସାବଶେଷରୁ ଯେଉଁ ଅଗ୍ନିକୁଣ୍ଡମାନ ମିଳୁଛି, ସେଥିରୁ କେତେକ ଆୟତାକାର ବିଶିଷ୍ଟ ଏବଂ ଆଉ କେତେକ ଗୋଲାକାର ବିଶିଷ୍ଟ । ଯଜ୍ଞରେ ପଶୁବଳି ଦିଆଯାଉଥିବାର ପ୍ରମାଣ ସ୍ୱରୂପ ସେଠାରେ ପଶୁ ଅସ୍ଥି ବିଶେଷ କରି ଅଶ୍ୱ ଅସ୍ଥିର ସନ୍ଧାନ ମିଳୁଛି । ହରପ୍‌ପାର ଗୋଟିଏ କୁଣ୍ଡରୁ ଗୋରୁ ହାଡ଼ ମଧ୍ୟ ବାହାରିଛି । ବୈଦିକ ଭାଷାରେ ଏ ଯଜ୍ଞକୁ ‘ଗବାୟମନ’ ବୋଲି କୁହାଯାଏ । (୩୨) ସେହିପରି ରାଜସ୍ଥାନସ୍ଥ କାଲିବଙ୍ଗାଠାରେ ଯେଉଁ ସାତଟି ଅଗ୍ନିକୁଣ୍ଡ ଏକତ୍ର ଥିବାର ଆବିଷ୍କୃତ ହୋଇଅଛି, ତାହା ଅଗ୍ନିଙ୍କର ‘ସପ୍ତଶିଖା’ ବିଷୟ ସୂଚାର ଦେଉଥିବା ଭଳି ମନେହୁଏ । ଏହାଙ୍କର ପୂଜା ପୁରୋହିତମାନେ ‘ସପ୍ତଧା’ ବା ‘ସାତ ପ୍ରକାର’ କରୁଥିଲେ । ପୂର୍ବୋକ୍ତ ମୃଣ୍ମୟ-ମୋହର ସଂଖ୍ୟା ୩୦୯ରେ ବୃକ୍ଷ ଉପରେ ଅଶ୍ୱରୂପୀ ଅଗ୍ନିଙ୍କର ମୂର୍ତ୍ତି ଅଙ୍କିତ ହେବା ସଙ୍ଗେ ସଙ୍ଗେ ସାତଜଣ ଲୋକ ଠିଆହୋଇଥିବା ଓ ଜଣେ ଲୋକ ନତ-ଜାନୁ ହୋଇ ଯଜ୍ଞ ପଶୁଟିକୁ (ଜଙ୍ଗଲି ଛେଳି) ଅର୍ପଣ କରୁଥିବା ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥାଏ । କେତେକ ତଦ୍‌ବିଦ୍‌ମାନଙ୍କ ମତ ହେଲା, ଏହି ସାତଜଣ ହେଉଛନ୍ତି, ‘ସପ୍ତହୋତାରଃ’ ବା ସାତଜଣ ପୁରୋହିତ ଏବଂ ନତଜାନୁ ଲୋକଟି ହେଲା ଯଜ୍ଞ-ପଶୁ ଅର୍ପଣ କରୁଥିବା ଯଜମାନ । ଉପରୋକ୍ତ ଦୁଇଗୋଟି ମୃଣ୍ମୟ ମୋହରସ୍ଥ ମୂର୍ତ୍ତିମାନଙ୍କୁ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ, ତାହା ଉପରେ ନିମ୍ନଲିଖିତ ୠଗ୍‌ବେଦୀୟ ସୂକ୍ତର ପ୍ରଭାବ ପଡ଼ିଛି :-

 

ସପ୍ତହୋତାରଃ ସପ୍ତଧା ତ୍ୱା ଯଜନ୍ତି । (୩୩)

 

ଅର୍ଥାତ୍‌ ‘‘ହେ ଅଗ୍ନି ! ସାତଜଣ ପୁରୋହିତ ସାତପ୍ରକାର ତୁମକୁ ପୂଜା କରନ୍ତି ବା ତୁମର ସାତ ପ୍ରକାର ରୂପକୁ ପୂଜା କରନ୍ତି ।’’

 

ସିନ୍ଧୁ-ସଭ୍ୟତାର ଧ୍ୱଂସାବଶେଷରୁ ମିଳୁଥିବା ମୃଣ୍ମୟ ମୋହରଗୁଡ଼ିକରେ ଚିତ୍ରଲିପି ମାଧ୍ୟମରେ କିଛି ଲେଖାଯାଇଛି ବୋଲି ଗବେଷକମାନେ ମତ ଦିଅନ୍ତି । ପ୍ରାଚୀନ ବ୍ୟାବିଲୋନ୍, ଚାଲଡ଼ିଆ, ଆସିରିଆ ଆଦି ଭୂଖଣ୍ଡମାନଙ୍କର ଏ ପ୍ରକାର ଚିତ୍ରଲିପି ପ୍ରଚଳିତ ଥିବାର ପ୍ରମାଣ ରହିଅଛି । ଏଣୁ ଉକ୍ତ ଦେଶମାନଙ୍କ ସହିତ ବାଣିଜ୍ୟିକ ଓ ସାଂସ୍କୃତିକ ଯୋଗସୂତ୍ର ରକ୍ଷା କରୁଥିବା ସିନ୍ଧୁ-ସଭ୍ୟତାର ଲୋକମାନେ ଚିତ୍ରଲିପି ମାଧ୍ୟମରେ ଲିଖନ ପ୍ରକ୍ରିୟାର ସାଧିତ କରୁଥିବା କିଛି ଅସ୍ୱାଭାବିକ କିମ୍ବା ଅସମ୍ଭବ ନୁହେଁ । ବାସ୍ତବିକ ଭାରତରେ ପରବର୍ତ୍ତୀ କାଳରେ ଯେଉଁ ବ୍ରାହ୍ମୀଲିପିର ଆବିର୍ଭାବ ହୋଇଥିଲା, ସିନ୍ଧୁ ସଭ୍ୟତାର ଚିତ୍ରଲିପିର ତାହାର ଉତ୍ତର ଦାୟାଦ ବୋଲି ଅନେକ ଗବେଷକ ମତ ଦେଇଥାନ୍ତି । ଏ ପର୍ଯ୍ୟନ୍ତ ପ୍ରାୟ ୪୦୦୦ ସଂଖ୍ୟାର ମୃଣ୍ମୟ ମୋହର ସିନ୍ଧୁ ସଭ୍ୟତାର ଭିନ୍ନ ଅଞ୍ଚଳମାନଙ୍କରୁ ମିଳିଅଛି । ସେଗୁଡ଼ିକର ସମ୍ପୂର୍ଣ୍ଣ ପାଠୋଦ୍ଧାର ଏ ପର୍ଯ୍ୟନ୍ତ ହୋଇପାରିନାହିଁ । ଯେଉଁ କେତେଜଣ ତଦ୍‌ବିଦ୍ ସେଗୁଡ଼ିକର ପାଠୋଦ୍ଧାର ପାଇଁ ଚେଷ୍ଟା କରିଛନ୍ତି, ତନ୍ମଧ୍ୟରୁ ବି. ବି. ଲାଲ ଓ ଏସ. ଆର. ରାଓ ଅନ୍ୟତମ । କେତେକ ଚିତ୍ରଲିପିର ପାଠୋଦ୍ଧାର କରି ରାଓ ଅଗ୍ନିଙ୍କର ବିଭିନ୍ନ ନାମ ବା ବିଭୂତି ସହିତ ସମ୍ପର୍କ ଥିବାର ଶବ୍ଦମାନ ବାହାର କରିଛନ୍ତି । ଉଦାହରଣ ସ୍ୱରୂପ ଠାଏ ‘ସହସ’ ବୋଲି ଲେଖାଅଛି । ଋଗ୍‌ବେଦରେ ଅଗ୍ନିଙ୍କୁ କୁହାଯାଇଛି ‘ସହସ୍ପୁତ୍ରଃ’ ବା ‘ସାହସିକତାର ସନ୍ତାନ’ । ଏହିପରି ଆହୁରି ଅନେକଗୁଡ଼ିଏ ଅଗ୍ନିଙ୍କ ନାମ ସହିତ ସମ୍ପର୍କିତ ଶବ୍ଦର ଆବିଷ୍କାର ରାଓ କରିଛନ୍ତି । (୩୪) ଲେଖକ ମଧ୍ୟ ଏ ବିଷୟରେ ଅନ୍ୟତ୍ର ଏକ ନିବନ୍ଧରେ ଆଲୋଚନା କରିଅଛନ୍ତି । (୩୫) ଏଥିରୁ ଅନୁମାନ କରାଯାଇପାରେ ଯେ ଅଗ୍ନିଦେବ କେବଳ ଯେ ସିନ୍ଧୁ-ସଭ୍ୟତାର ଅଧିବାସୀମାନଙ୍କ ଦ୍ୱାରା ଦେବାଳୟମାନଙ୍କରେ ପୂଜିତ ହେଉଥିଲେ ତାହା ନୁହେଁ; ସେ ଏକ ଲୋକପ୍ରିୟ ଦେବତା ହିସାବରେ ଘରେ ଘରେ ମଧ୍ୟ ପୂଜା ପାଉଥିଲେ । ଅତଏବ ଭାରତରେ ଅଗ୍ନିଦେବଙ୍କର ଆରାଧନାକୁ ସିନ୍ଧୁ-ସଭ୍ୟତାର ଏକ ଦାନ ବୋଲି କୁହାଯାଇପାରିବ ।

 

ପଶୁପତି ବା ଶିବ ବା ପ୍ରଜାପତିଙ୍କ ଆରାଧନା :

ମହେଞ୍ଜୋଦାରୋରୁ ମିଳିଥିବା ମୃଣ୍ମୟ ମୋହରମାନଙ୍କରୁ ଗୋଟିଏ ମୋହରରେ ମୂର୍ତ୍ତିଟିଏ ଅଙ୍କିତ ହୋଇଛି ଯାହାକୁ କି ସାର୍ ଜନ୍ ମାର୍ଶାଲ ସର୍ବପ୍ରଥମେ ପଶୁପତି ଶିବ ଅର୍ଥରେ ଗ୍ରହଣ କରିଛନ୍ତି ଏବଂ ପରବର୍ତ୍ତୀ ତଦ୍‌ବିଦ୍‍ମାନେ ତାହା ହିଁ ଗ୍ରହଣ କରିଛନ୍ତି । (୩୬) ମୂର୍ତ୍ତିଟିର ସବିଶେଷ ବର୍ଣ୍ଣନା ହେଲା ଏହାର ତିନି ମୁଣ୍ଡ । ଗୋଟିଏ ମୁଣ୍ଡ ଅବଶ୍ୟ ପ୍ରକାଶ୍ୟ ଭାବରେ ଦେଖାଯାଉଛି । ମୁଣ୍ଡର ଦୁଇପଟେ ସାମାନ୍ୟ ଫୁଲିଯାଇଥିବା ଅଂଶକୁ ଦେଖି ମନେହୁଏ, ଆଉ ଦୁଇଟି ମୁଣ୍ଡ ମଧ୍ୟ ସେଠାରେ ଲୁଚି ରହିଅଛି । ତ୍ରିଶୂଳ ଆକାରରେ ଶିଙ୍ଗରେ ତିଆରି ମୁକୁଟଟିଏ ଏ ମୂର୍ତ୍ତିର ମସ୍ତକରେ ବିଦ୍ୟମାନ । ଏ ଶିଙ୍ଗ ଦୁଇଟି ପୁଣି ଗୋଲାକାର ହୋଇ ଅଗ୍ରଭାଗରେ ପ୍ରାୟ ପରସ୍ପର ସହିତ ମିଶିଯାଇଛନ୍ତି । ଏ ମୂର୍ତ୍ତି ନାନାପ୍ରକାର ଅଳଙ୍କାରରେ ମଣ୍ଡିତ ଏବଂ ଊର୍ଦ୍ଧ୍ୱଲିଙ୍ଗ ଅବସ୍ଥାରେ ଯୋଗାସୀନ । ଏହାର ବାମପଟେ ଅଛନ୍ତି ଗୋଟିଏ ମଇଁଷି ଓ ଗୋଟିଏ ଗଣ୍ଡା ଏବଂ ଦକ୍ଷିଣପଟେ ଅଛନ୍ତି ଗୋଟିଏ ହାତୀ ଓ ଗୋଟିଏ ବାଘ । ପାଦପୀଠର ତଳେ ଶିଙ୍ଗ ଥିବା ଦୁଇଟି ହରିଣ ଆସନ ଆଡ଼କୁ ଶିଙ୍ଗ ଦେଖାଇ ଭକ୍ତି ପ୍ରଦର୍ଶନ ଭଙ୍ଗୀରେ ରହିଛନ୍ତି । ବିଭିନ୍ନ ପଶୁମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଯୋଗଲଗ୍ନ ଥିବା ହେତୁ ମାର୍ଶା‌ଲ୍‌ ଯଥାର୍ଥରେ ଏହାକୁ କିନ୍ତୁ ଶିବଙ୍କର ପଶୁପତି ଭାବର ପ୍ରକାଶମାନ ମୂର୍ତ୍ତି ବୋଲି କହିଛନ୍ତି । ପରବର୍ତ୍ତୀ ଅନୁଚ୍ଛେଦମାନଙ୍କରେ ହୋଇଥିବା ଆଲୋଚନାରୁ ଜଣାପଡ଼ିବ ଯେ ଏ ମୂର୍ତ୍ତି ଖାଲି ପଶୁପତିଭାବର ସଙ୍କେତ ଦେଉନାହିଁ; ଆଉ ଅନେକ କିଛି ଭାବର ସଙ୍କେତ ଦେଉଛି ମଧ୍ୟ ।

 

ପ୍ରାଚୀନ ସୁମେରରେ (ଆଧୁନିକ ଇରାକ) ପ୍ରଚଳିତ ଥିବା ‘ଇୟା-ବାଣୀ’ ଉପାଖ୍ୟାନ (ଏଙ୍କିଡ଼ୋ ଉପାଖ୍ୟାନ) ଓ ହିନ୍ଦୁମାନଙ୍କ ମଧ୍ୟରେ ପ୍ରଚଳିତ ‘ଋଷ୍ୟଶୃଙ୍ଗ’ ଉପାଖ୍ୟାନ ସହିତ ଏହି ମୂର୍ତ୍ତିର ସମ୍ପର୍କ ଥିବା ପରି ମନେହୁଏ । ସୁମେରୀୟ ଉପାଖ୍ୟାନଟି ହେଲା-ଏହି ଦେଶର ଶାସକ ଥିଲେ ‘ଗିଲ୍‌ଗାମେସ୍’ । ସେ ନିଜ ଦେଶର ବିଭବ ବଢ଼ାଇବା ପାଇଁ ଏବଂ ଦେଶକୁ ମହାମାରି ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲରେ ବାସ କରୁଥିବା ସେତେବେଳର ଶ୍ରେଷ୍ଠ ଦେବତା ଇୟା-ବାଣୀ ବା ଏଙ୍କିଡ଼ୋଙ୍କୁ ନିଜ ରାଜଧାନୀକୁ ଆଣିବାକୁ ଇଚ୍ଛା କଲେ । ଏଙ୍କିଡ଼ୋଙ୍କ କ୍ଷମତା ଥିଲା ଅଦ୍ଭୁତ । ବହୁକାଳ ଧରି ଜଙ୍ଗଲରେ ରହିବା ଫଳରେ ତାଙ୍କ ଜଟାଜୁଟ ଶିଙ୍ଗଭଳି ଦେଖାଯାଉଥିଲା । ସେ ପଶୁପରିବେଷ୍ଟିତ ହୋଇ ରହୁଥିଲେ । ବଣରୁ ତାଙ୍କୁ ଆଣିବା ପାଇଁ ରାଜା ଜଣେ ବ୍ୟାଧକୁ ବରାଦ ଦେଲେ । ବ୍ୟାଧ ‘ଇସ୍ଥର୍‌’ ଦେବୀଙ୍କ ଆସ୍ଥାନରୁ ଜଣେ ବାରନାରୀକୁ ସଙ୍ଗରେ ଧରି ତା’ରି ସାହାଯ୍ୟରେ ଏଙ୍କିଡ଼ୋଙ୍କୁ ଭୁଲାଇ ଗିଲ୍‌ଗାମେସ୍‌ଙ୍କ ରାଜଧାନୀକୁ ଆଣିଲେ । ସେ ଆସିବା ଫଳରେ ସୁମେର ରାଜ୍ୟରୁ ମହାମାରି ଦୂର ହେଲା ଏବଂ ଗିଲ୍‌ଗାମେସ୍ ତାଙ୍କର ଶତ୍ରୁମାନଙ୍କୁ ଅଧିକରୁ ଅଧିକ ପରାଭୂତ କରି ବହୁ ବିଭବର ଅଧିକାରୀ ହୋଇପାରିଥିଲେ । ଭାରତୀୟ ପୁରାଣବର୍ଣ୍ଣିତ ଋଷ୍ୟଶୃଙ୍ଗଙ୍କ ଉପାଖ୍ୟାନ ମଧ୍ୟ ଠିକ୍ ଅନୁରୂପ । ବିଭାଣ୍ଡକ ମୁନିଙ୍କ ଆଶ୍ରମରେ ରହୁଥିବା ଋଷ୍ୟଶୃଙ୍ଗଙ୍କୁ ଜଣେ ବେଶ୍ୟାର ସହାୟତାରେ ଅଙ୍ଗରାଜ୍ୟକୁ ଅଣାଯିବା ଫଳରେ ସେଠାରୁ ମହାମାରୀ ଦୂର ହେଲା ଏବଂ ପ୍ରଚୁର ଶସ୍ୟ ଉତ୍ପନ୍ନ ହେଲା । ମହେଞ୍ଜୋଦାରୋସ୍ଥ ମୂର୍ତ୍ତିଟିର ବସିବା ଭଙ୍ଗୀରୁ ଆମେ ଦେଖିବା ଯେ ଉପରଲିଖିତ ଦୁଇ ଉପାଖ୍ୟାନବର୍ଣ୍ଣିତ ଅମିତ କ୍ଷମତାଶାଳୀ ଦେବ-ପୁରୁଷଙ୍କ ଭଳି ଏ ମଧ୍ୟ ଅରଣ୍ୟବାସୀ ଓ ପଶୁପରିବେଷ୍ଟିତ । ୟା’ଙ୍କର ଶୃଙ୍ଗାଙ୍କିତ ମୁକୁଟରୁ ଜଣାଯାଏ ଏ ମଧ୍ୟ ଶୃଙ୍ଗଧାରୀ । ପୁଣି ଊର୍ଦ୍ଧ୍ୱଲିଙ୍ଗ ଅବସ୍ଥାରୁ ଜଣାଯାଏ ଯେ ଏ ମଧ୍ୟ କୌଣସି ନାରୀପ୍ରତି ଆକୃଷ୍ଟ ଏବଂ ପ୍ରଜନନ-ପ୍ରକ୍ରିୟା ଲାଗି କ୍ଷୁବ୍ଧ । ଏ ଯେଉଁ ଦେବତା ହୁଅନ୍ତୁ ନା କାହିଁକି, ଏପ୍ରକାର ଊର୍ଦ୍ଧ୍ଵଲିଙ୍ଗ ଭଙ୍ଗୀ ୟା’ଙ୍କର ସୃଷ୍ଟିକାରିଣୀ ଶକ୍ତିର ନିଶ୍ଚିତ ସଙ୍କେତ ଦେଉଅଛି । ଅତଏବ ଏହି ମୂର୍ତ୍ତିଟିର ଉପରୋକ୍ତ ଉପାଖ୍ୟାନଦ୍ୱୟ ସହିତ ସମ୍ପର୍କ ରହିଛି ଓ ଏହାର ନିର୍ମାଣ ତତ୍‌ନିହିତ ସୃଜନାତ୍ମକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ବୋଲି ମନେହୁଏ । ସମ୍ଭବତଃ ଏ ମୂର୍ତ୍ତି ହେଉଛନ୍ତି ‘ପ୍ରଜାପତି’ (ଜୀବମାନଙ୍କର ସ୍ରଷ୍ଟା) ଯାହାଙ୍କର ଭୂୟୋବର୍ଣ୍ଣନା ଆମେ ବେଦରେ ଦେଖିବାକୁ ପାଇଥାଉଁ । ହୁଏତ ସିନ୍ଧୁ-ସଭ୍ୟତା କାଳରେ ଯେଉଁ ଚିନ୍ତାଧାରା ବା ତତ୍ତ୍ୱ ଭ୍ରୁଣ ଅବସ୍ଥାରେ ଥିଲା, ପରବର୍ତ୍ତୀ କାଳରେ ଏ ଭାରତଭୂମିରେ ତା’ର ଭୂୟୋବିକାଶ ଘଟିଅଛି ।

 

ଏଥିରୁ ଆଉ ଏକ ତତ୍ତ୍ୱର ସନ୍ଧାନ ମିଳୁଛି,ଯାହାର ଭୂୟୋବିକାଶ ମଧ୍ୟ ପରେ ହୋଇଥିଲା-। ତାହା ହେଉଛି ପ୍ରଜାପତି ବା ସୃଷ୍ଟିକର୍ତ୍ତାଙ୍କର ତ୍ରିଧା-ତତ୍ତ୍ୱ (Triple principle) । ‘ବୈଦିକ ପ୍ରଜାପତି’ ଓ ‘ପ୍ରଜାପତି’ ଏକାର୍ଥବୋଧକ ଏବଂ ଉଭୟ ସୃଷ୍ଟିକର୍ତ୍ତାଙ୍କର ଅର୍ଥରେ ପ୍ରଯୁକ୍ତ । ଉପରୋକ୍ତ ମୃଣ୍ମୟ ମୋହରରେ ଅଙ୍କିତ ମୂର୍ତ୍ତିର ତିନିଗୋଟି ମୁଖରେ ଓ ମୁକୁଟର ତ୍ରିଶୁଳ ଚିହ୍ନରେ ଏହି ତ୍ରିଧା-ଶକ୍ତିର ମୂଳ-ବୀଜ ନିହିତ ଥିବା ଭଳି ମନେହୁଏ । କାଳକ୍ରମେ ଅବଶ୍ୟ ବିଭିନ୍ନ ଶାସ୍ତ୍ରମାନଙ୍କରେ ଏହି ‘ତ୍ରିଧାଶକ୍ତି’ର ବିଚାର ବହୁବିଧ ଦାର୍ଶନିକ ଏ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କରାଯାଇଅଛି । ବାସ୍ତବିକ ସୃଷ୍ଟି-ସମ୍ପର୍କୀୟ ବୈଦିକ ‘ତ୍ରିଧା-ଶକ୍ତି’ର ବିଚାର ଏହାରି ଉପରେ ଆଧାରିତ । (୩୭) ଭି.ଏସ୍. ଅଗ୍ରଓ୍ୱାଲା ପ୍ରଜାପତିଙ୍କ ଏହି ‘ତ୍ରିଧା-ତତ୍ତ୍ୱ’ର ଅଭିପ୍ରକାଶ ନିମ୍ନମତେ ହୋଇଥିବାର ଦର୍ଶାଇଛନ୍ତି ।

 

ଶବ୍ଦରୂପ (ସ୍ୱନବତୀ ତନୁଃ), ଯଥା : ଅ-ଭ-ମ୍ ।

ଇନ୍ଦ୍ରିୟରୂପ (ଲିଙ୍ଗବତୀ ତନୁଃ), ଯଥା : ସ୍ତ୍ରୀ, ପୁରୁଷ ଓ କ୍ଳୀବ ।

ଆଲୋକରୂପ (ଭାସ୍ୱତୀ ତନୁଃ), ଯଥା : ତିନି ଆଲୋକ, ଅଗ୍ନି, ବାୟୁ ଓ ଆଦିତ୍ୟ ।

ତ୍ରିଦେବରୂପ (ଅଧିପତିବତୀ ତନୁଃ, ଯଥା : ବ୍ରହ୍ମା, ରୁଦ୍ର ଓ ବିଷ୍ଣୁ ।

ତ୍ରିମୁଖରୂପ (ମୁଖବତୀ ତନୁଃ), ଯଥା : ଯଜ୍ଞର ତିନି ଅଗ୍ନି ବୋଲାଉଥିବା ଗାର୍ହପତ୍ୟାଗ୍ନି,ଦକ୍ଷିଣାଗ୍ନି ଓ ଆହବାଗ୍ନି ।

୬.

ଜ୍ଞାନରୂପ (ବିଜ୍ଞାନବତୀ ତନୁଃ), ଯଥା : ଋକ୍, ଯଜୁଃ ଓ ସାମ ।

ଲୋକରୂପ (ଲୋକବତୀ ତନୁଃ), ଭୂଃ, ଭୁବଃ ଓ ସ୍ଵଃ ବା ପୃଥିବୀ, ଆକାଶ ଓ ସ୍ଵର୍ଗ ।

କାଳରୂପ (କାଳବତୀ ତନୁଃ) ଯଥା : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ |

ଶକ୍ତିରୂପ (ପ୍ରତାବବତୀ ତନୁଃ) ଯଥା : ମନ (ସୂର୍ଯ୍ୟ), ପ୍ରାଣ ଓ ବସ୍ତୁ (ଅଗ୍ନି)

୧୦

ପୁଷ୍ଟିରୂପ (ଆପ୍ୟାୟନବତୀ ତନୁଃ), ଯଥା, ଅନ୍ନ (ଖାଦ୍ୟ), ଆପଃ (ଜଳ) ଓ ଚନ୍ଦ୍ରମା (ସୋମ) ।

୧୧

ଚେତନରୂପ (ଚେତନବତୀ ତନୁଃ), ଯଥା, ବୁଦ୍ଧି, ମନ ଓ ଅହଙ୍କାର ।

୧୨

ପ୍ରାଣରୂପ (ପ୍ରାଣବତୀ ତନୁଃ), ଯଥା, ପ୍ରାଣ, ଅପାନ ଓ ବ୍ୟାଳ (୩୮)

 

ପ୍ରଜାପତିଙ୍କର ‘ଇନ୍ଦ୍ରିୟ ରୂପ’ ବା ‘ଲିଙ୍ଗବତୀ ତନୁଃ’ ବିଷୟରେ ଯାହା ପୂର୍ବରୁ କୁହାଯାଇଅଛି, ସେ ସମ୍ପର୍କରେ ସଙ୍କେତ ଆମେ ପାଇପାରିବା ସିନ୍ଧୁ-ସଭ୍ୟତାର ଧ୍ୱଂସାବଶେଷରୁ ମିଳୁଥିବା ଲିଙ୍ଗ ଆକୃତିର ପଥରରୁ ଏବଂ ପୂର୍ବବର୍ଣ୍ଣିତ ଅସଂଖ୍ୟ ‘ମାତୃଦେବୀ’ଙ୍କ ମୃଣ୍ମୟ ମୂର୍ତ୍ତିରୁ । ପ୍ରାୟ ସବୁ ନଗରର ଧ୍ୱଂସାବଶେଷରୁ ଲିଙ୍ଗ ଆକୃତିର ପଥରମାନ ବାହାରିଥିବା କଥା ପ୍ରତ୍ନତାତ୍ତ୍ୱିକ ଆଲ୍‌ଚିନ୍ ଦମ୍ପତ୍ତି କୁହନ୍ତି । (୩୯) ଏଥିରୁ ଉକ୍ତ ସଭ୍ୟତାରେ ଥିବା ଲିଙ୍ଗ-ପୂଜାର ପ୍ରାବଲ୍ୟ ଅନୁଭୂତ ହୁଏ । ଉପଯୁକ୍ତ ଆଲୋଚନାରୁ ତେଣୁ ନିମ୍ନଲିଖିତ ସତ୍ୟମାନ ନିଷ୍କାସିତ ହେବ ।

 

ସିନ୍ଧୁ-ସଭ୍ୟତାରେ ଯୋଗୀରାଜ ପଶୁପତି ଶିବ ବା ପ୍ରଜାପତିଙ୍କର ଆରାଧନା କରାଯାଉଥିଲା ।

ସେଠାରେ ଲିଙ୍ଗ-ପୂଜା ମଧ୍ୟ ଥିଲା ।

ବୈଦିକ ସାହିତ୍ୟରେ ଭୂୟୋବିକଶିତ ହୋଇଥିବା ପ୍ରଜାପତିଙ୍କ ସୃଜନୀ-ଶକ୍ତିର ତ୍ରିଧା-ତତ୍ତ୍ୱ ସେତେବେଳେ ଭ୍ରୂଣାତ୍ମକ ଅବସ୍ଥାରେ ଥିଲା ।

ସୃଷ୍ଟିର ଏ ରହସ୍ୟ ବୁଝିବା ପାଇଁ ଅହରହ ଏକ ଆଦିମ ପ୍ରଚେଷ୍ଟା ଚାଲିଥିଲା ।

 

ପ୍ରାଣୀଙ୍କ ପରେ ଦେବତ୍ୱର ସନ୍ଧାନ :

ଉଟ୍‌ସଙ୍କ ମତାନୁସାରେ ବୃକ୍ଷପୂଜା ସହିତ ବିଭିନ୍ନ ପ୍ରାଣୀଙ୍କର ଆରାଧନା ମଧ୍ୟ ସିନ୍ଧୁ ସଭ୍ୟତାର ଅଧିବାସୀଙ୍କ ଧର୍ମ-ଜୀବନକୁ ଆଚ୍ଛନ୍ନ କରି ରଖିଥିଲା । (୪୦) ଏହି ସଭ୍ୟତାର ଧ୍ୱଂସାବଶେଷରୁ ମିଳିଥିବା ପଶୁମୂର୍ତ୍ତି ସମ୍ୱଳିତ ବିଭିନ୍ନ ମୃଣ୍ମୟ ମୋହରମାନ ଏହାର ଭୂରି ଭୂରି ପ୍ରମାଣ ଦେଇଥାଏ । ଗୋଟିଏ ଅତି କୌତୁହଳୋଦ୍ଦୀପକ ବିଷୟ ହେଉଛି ହରପ୍‌ପାଠାରେ ମିଳିଥିବା ଧୂପଦାନିର ଚିତ୍ର । ଏହାର ଆକାର ବିଚିତ୍ର । ଏହାକୁ ସ୍ଥାପିତ କରାଯାଇଛି ଗୋଟିଏ ଏକଶୃଙ୍ଗୀ (ଗୋଟିଏ ଶୃଙ୍ଗ ଉପରେ ଆଉ ଗୋଟିଏ ଶୃଙ୍ଗ ଥିବାରୁ ଚିତ୍ରରେ ଏହା ଏକଶୃଙ୍ଗୀ ଭଳି ଦିଶନ୍ତି) ପଶୁର ଗ୍ରୀବାଦେଶର ଠିକ୍ ତଳକୁ । ଏ ମଧ୍ୟ ଏକ ବିଚିତ୍ର ପଶୁ ଯାହାକୁ ଆଦୌ ଚିହ୍ନି ହେଉନାହିଁ । ଏହାର ଶରୀର ଅର୍ଦ୍ଧାଧିକ ଘୋଡ଼ା ପରି ଏବଂ ବେକରୁ ମୁଣ୍ଡ ପର୍ଯ୍ୟନ୍ତ ବଣୁଆ ଗଧ ପରି । କିନ୍ତୁ ଶିଙ୍ଗଟି ପ୍ରମାଣ କରାଇ ଦେଉଛି ଯେ, ଏହା ଗଧ ନୁହେଁ କି ଘୋଡ଼ା ନୁହେଁ । ଆଉ କେତେକ ମୋହରରେ ମଣିଷ ଏହି ଧୂପଦାନିକୁ ବୋହିନେଇ ଯିବାର ଦୃଶ୍ୟ ମଧ୍ୟ ଅଙ୍କିତ ହୋଇଅଛି । ଆଉ କେତେକ ମୋହରରେ ବଣ-ମଇଁଷି, ଗଣ୍ଡା ଓ ବାଘଙ୍କୁ ଖାଦ୍ୟ-ପାତ୍ରରେ ଖାଇବାକୁ ଦିଆଯାଉଥିବାର ମୂର୍ତ୍ତି ଅଙ୍କିତ ଅଛି । ଏ ପାତ୍ର କିନ୍ତୁ ଗାଈ-ମଇଁଷିଙ୍କୁ ଖାଇବାକୁ ଦିଆଗଲା ଭଳି ତଳେ ରଖାଯାଇନାହିଁ । ଅନ୍ୟପକ୍ଷରେ ଏହା ଉଚ୍ଚସ୍ଥାନରେ ରଖାଯାଇଅଛି । ଅତଏବ, ଏଥିରେ ପୂଜାର ସାମଗ୍ରୀ ଅର୍ପିତ ହେଉଥିବ ବୋଲି ମନେହୁଏ । ଆଉ କେତେକ ମିଶ୍ରିତ ପଶୁଙ୍କର ବିଚିତ୍ର ଚିତ୍ର ମୁଦ୍ରିତ ହୋଇଥିବା ମୋହରମାନ ମଧ୍ୟ ମିଳିଛି; କିନ୍ତୁ ସମସ୍ତଙ୍କର ବୃଷଭର ଶିଙ୍ଗ ଭଳି ଶିଙ୍ଗ ରହିଛି । ସ୍ୱତନ୍ତ୍ର ବୃଷଭର ମୂର୍ତ୍ତିଥିବା ମୋହରମାନ ମଧ୍ୟ ମିଳିଛି । ଗୋଟିଏ ମୂର୍ତ୍ତିରେ ଶିଙ୍ଗ ଥିବା ମଣିଷଟିଏ ଅଛି । ତା’ର ଶରୀର ଅର୍ଦ୍ଧେକ ମନୁଷ୍ୟ ଭଳି ଓ ଅର୍ଦ୍ଧେକ ଗବାଦି ପଶୁଭଳି । ସେ ଶିଙ୍ଗ ଥିବା ଗୋଟିଏ ବାଘକୁ ଆକ୍ରମଣାତ୍ମକ ଭଙ୍ଗୀରେ ଧରିଛି । ସୁମେରୀୟ ଏଙ୍କିଡ଼ୋ ଶିଙ୍ଗ ଥିବା ଗୋଟିଏ ବାଘକୁ ଆକ୍ରମଣ କରୁଥିବା ମୂର୍ତ୍ତିର ପ୍ରଭାବ ଉପରୋକ୍ତ ମୂର୍ତ୍ତି ଉପରେ ପଡ଼ିଥିବ ବୋଲି ଅନେକ ତଦ୍‌ବିଦ୍‌ ମତ ଦିଅନ୍ତି । ହିନ୍ଦୁ ଦେବତାମାନଙ୍କ ମଧ୍ୟରେ ଥିବା ନୃସିଂହଙ୍କର କଳ୍ପନା (ଅର୍ଦ୍ଧେକ ମନୁଷ୍ୟ ଓ ଅର୍ଦ୍ଧେକ ସିଂହ) ଏଥି ସହିତ ପ୍ରାୟ ମେଳ ଖାଇଯାଉଥିବା ଭଳି ମନେ ହେଉଛି-। ଏହି ଚିନ୍ତାଧାରାର ବୀଜ ଯେ ସିନ୍ଧୁ-ସଂସ୍କୃତିରେ ନିହିତ ନ ଥିବ, ସେକଥା କହିହେବନାହିଁ-। ତିନୋଟି ମୁଣ୍ଡଥିବା ଗୋଟିଏ ଶିଙ୍ଗ ଥିବା ବଣୁଆଗଧର ମୋହର ବାହାରିଛି, ଯେଉଁମାନଙ୍କର ଦୃଷ୍ଟି ତିନି ଦିଗକୁ ଅଛି । ତଳ ମଝି ଓ ଉପର ଏହିପରି ଭାବରେ ଏ ଚାହାଣୀ ରହିଅଛି । ଏହା ପ୍ରଜାପତିଙ୍କର ‘‘ଲୋକବତୀ ତନୁ’’ର (ଭୁର୍ଭୁବଃ ସ୍ୱଃ ବା ପୃଥିବୀ ଆକାଶ ଓ ସ୍ୱର୍ଗକୁ ବ୍ୟାପିଥିବା ତ୍ରିଧାତତ୍ତ୍ୱ) ସଙ୍କେତ ଦେଉଛି କି ନାହିଁ, ତାହା ଅବଶ୍ୟ ଗବେଷଣାସାପେକ୍ଷ । ସିନ୍ଧୁ-ସଂସ୍କୃତିରେ ‘ଶୃଙ୍ଗ’କୁ ସୃଷ୍ଟିର ସଙ୍କେତ ରୂପରେ ଗ୍ରହଣ କରାଯାଇଥିବାର ବହୁଳ ପ୍ରମାଣ ମିଳୁଥିବାରୁ ଶଂସିତ ଚିତ୍ରଟି ପ୍ରଜାପତିଙ୍କର ଉପରୋକ୍ତ ‘ତ୍ରିଧାତତ୍ତ୍ୱ’ର ସଙ୍କେତ ବୋଲି ମାନିନେବାର ଯଥେଷ୍ଟ କାରଣ ରହିଅଛି । ଆଉ ଗୋଟିଏ ଠିଆହୋଇଥିବା ମଣିଷର ଚିତ୍ରାଙ୍କିତ ମୋହର ବାହାରିଛି, ଯାହାର କି ଅର୍ଦ୍ଧେକ ଶରୀର ହେଉଛି ବାଘର; କେବଳ ମୁଣ୍ଡଟି ଯାହା ମଣିଷର । ସବୁ ମୋହରଗୁଡ଼ିକରେ କିଛି ନା କିଛି ଅବୋଧ୍ୟ ଭାଷାରେ ଲେଖାଯାଇଅଛି, ଯାହାକି ଏ ପର୍ଯ୍ୟନ୍ତ ପଢ଼ାଯାଇପାରିନାହିଁ । କେତେକ ତଦ୍‌ବିଦ୍ ଏହାକୁ ଚିତ୍ରଲିପି ମନେକରି ଏହାର ପାଠୋଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସେମାନଙ୍କର ଚେଷ୍ଟା ଆଂଶିକ ସଫଳ ହୋଇଛି ମାତ୍ର । ‘ସର୍ବମୋଟ ପ୍ରାୟ ୪୦୦୦ ମୃଣ୍ମୟ ମୋହର ଆବିଷ୍କୃତ ହୋଇଥିବା ସ୍ଥଳେ କାଁ ଭାଁ ଯେଉଁ କେତେକ ମୋହରସ୍ଥ ଚିତ୍ର-ଲିପିର ଆଂଶିକ ପାଠୋଦ୍ଧାର ମାତ୍ର କରାଯାଇଅଛି, ତାହା ସମସ୍ତ ଚିତ୍ରଲିପିର ଦ୍ୱାରକୁ ଉଦ୍‌ଘାଟନ କରିବାରେ ଆଦୌ ସମର୍ଥ ହୋଇପାରିନାହିଁ । ଏଣୁ ସେ ସମ୍ପର୍କରେ ବର୍ତ୍ତମାନ ଯାହାକିଛି କୁହାଯାଉଛି, ତାହା କେବଳ ଅନୁମାନ ଓ କଳ୍ପନାକୁ ଭିତ୍ତିକରି କୁହାଯାଇଛି ମାତ୍ର । ଅତଏବ, ଉପରୋକ୍ତ ଆଲୋଚନାରୁ ଜଣାଯିବ ଯେ ସିନ୍ଧୁ-ସଂସ୍କୃତିର ଅଧିବାସୀମାନେ ଭଗବାନଙ୍କ ଅସ୍ତିତ୍ୱ ବିଷୟରେ ସମ୍ୟକ୍ ଅବହିତ ଥିଲେ ଏବଂ ତାଙ୍କର ସ୍ୱରୂପ ବିଷୟରେ ବର୍ତ୍ତମାନ ଭଳି ମଧ୍ୟ ସେତେବେଳେ ବାଦାନୁବାଦ ଚାଲିଥିଲା । ସେ ଥିଲେ ସାଧାରଣ ମଣିଷଠାରୁ ଭିନ୍ନ ଓ ସାଧାରଣ ପଶୁଠାରୁ ମଧ୍ୟ ଭିନ୍ନ । ତେଣୁ କଳ୍ପନାର ପୁଟ ଦେଇ ତାଙ୍କୁ ବହୁ ଲୋକ ବହୁପ୍ରକାର ଆରାଧନା କରୁଥିଲେ । ଏହି ବହୁ ଦେବତାର ଆରାଧନା ମଧ୍ୟରେ କିନ୍ତୁ ଥିଲା ଏକ ଦେବତାର ତତ୍ତ୍ୱ ନିହିତ, ଯାହାର କି ଭୂୟୋବିକାଶ ଏହି ଭାରତଭୂମିରେ କ୍ରମେ ଘଟିଥିଲା । ଏହି ଚିନ୍ତାଧାରା ଉପରେ ଦୃଢ଼ ଆସ୍ଥା ସ୍ଥାପନ କରି ସେଦିନ ଋଗ୍‌ବେଦର ଋଷି କହିଥିଲେ :-

 

‘‘ଏକଂ ସଦ୍‌ବିପ୍ରାଃ ବହୁଧା ବଦନ୍ତି’’ (୪୦-କ)

 

ଅର୍ଥାତ୍ ସେହି ଏକ ସତ୍‌ଙ୍କୁ ପଣ୍ଡିତମାନେ ବହୁପ୍ରକାର କହିଥାଆନ୍ତି । ଅତଏବ ବହୁତ୍ୱରେ ଏକତ୍ୱର ସନ୍ଧାନ ନେବାର ଧାରଣା ଯାହାକି ଭାରତୀୟ ଆଧ୍ୟାତ୍ମିତ ଜୀବନ-ଧାରାର ମୂଳାଧାର ସ୍ୱରୂପ ଅଟେ, ତାହାର ନିଶ୍ଚିତ ଆକରକ୍ଷେତ୍ର ହେଉଛି ଏହି ସିନ୍ଧୁ-ସଂସ୍କୃତି ।

 

ଆତ୍ମା ଉପରେ ବିଶ୍ୱାସ :

ଦେହକୁ ଛାଡ଼ି ଏକ ଦେହେତର ଜିନିଷ ଅଛି (ଏହା କିନ୍ତୁ ବସ୍ତୁ ନୁହେଁ) ଯେ କି ହେଉଛି ମଣିଷର ସକଳ ଶକ୍ତିର ନିୟନ୍ତା, ଏ ଧାରଣା ସିନ୍ଧୁସଭ୍ୟତାର ଅଧିବାସୀମାନଙ୍କ ମଧ୍ୟରେ ଥିଲା । ଏହି ଶବ୍ଦଟି ଥିବା ପର୍ଯ୍ୟନ୍ତ ଜୀବ ବଞ୍ଚିଥାଏ ଏବଂ ଏହାର ଅବର୍ତ୍ତମାନରେ ତା’ର ହୁଏ ମୃତ୍ୟୁ । ଏଣୁ ଏହାକୁ କୁହନ୍ତି ଜୀବନ । ପଣ୍ଡିତ ନୀଳକଣ୍ଠଦାସଙ୍କ ମତରେ ଏଇ ‘ଜୀ’ ଶବ୍ଦଟି ପ୍ରାଚୀନ ବ୍ୟାବିଲନ୍ ଦେଶୀୟ । ଖୁବ୍ ସମ୍ଭବ ତା’ ପୂର୍ବରୁ ସୁମେର ଦେଶୀୟ । ଏଇ ‘ଜୀ’ ଅର୍ଥରେ ସେମାନେ ବୁଝୁଥିଲେ ଜୀବ ଭିତରେ ଥିବା ଆତ୍ମିକ ଶକ୍ତିକୁ । ସେଇଥିରୁ ପରେ ବାହାରିଲା ‘ଜିଣିବା’ କଥାଟି । ଏଇ ‘ଜୀ’ରୁ ସଂସ୍କୃତ ‘ଜୀବ’ ବାହାରିଥିବାର ଖୁବ୍‌ ଅନୁମାନ ହେଉଛି । (୪୧) ପୁଣି ତାଙ୍କ ମତରେ ଇଜିପ୍‌ଟରେ ଖ୍ରୀ.ପୂ: ୧୪ଶତାବ୍ଦୀ ବେଳକୁ ଏହା ‘ଆଟେନ୍‌’ (ଆତ୍ମନ୍‌) ଧର୍ମ ନାମରେ ଖ୍ୟାତି ଲାଭ କରିଥିଲା । ଗ୍ରୀସ୍‌ର ପାଇଥାଗୋରସ୍ (ଖ୍ରୀଷ୍ଟୀୟ ୧ମ ଶତାବ୍ଦୀ) ଏହି ଆତ୍ମ-ଧର୍ମର ଚେତନା ଦ୍ୱାରା ପ୍ରଭାବିତ ହୋଇଥିଲେ । ଜୈନଧର୍ମର ମୂଳ-ତତ୍ତ୍ୱ ହେଉଛି ଏହି ଆତ୍ମ-ଧର୍ମ ଏବଂ ତାହା ଲାଭ କରିବା ଦ୍ୱାରା ଉପାସକ ଅମିତ ଶକ୍ତିଶାଳୀ ପରମଜେତା (ଜିନ) ହୋଇପାରେ । ସିନ୍ଧୁ-ସଭ୍ୟତାର ଉତ୍ତର କାଳରେ ‘ଆତ୍ମା’ ସମ୍ପର୍କରେ ଗଭୀର ଅନୁଶୀଳନ ଓ ପରିଚର୍ଚ୍ଚା ହୋଇ ଯେଉଁ ରାଶି ରାଶି ଗ୍ରନ୍ଥର ଉଦ୍ଭବ ହୋଇଛି ଏବଂ ଯେଭଳି ଭାବରେ ଏହାର ସନ୍ଧାନରେ ଯୁଗଯୁଗ ଧରି ଉପନିଷଦୀୟ ଋଷିମାନେ ଜିଜ୍ଞାସା ଉପରେ ଜିଜ୍ଞାସା କରି ଚାଲିଛନ୍ତି, ସେଭଳି ଭାବରେ ଆତ୍ମାକୁ ବୁଝିବାର ଅବସ୍ଥା ସେତେବେଳେ ହୁଏତ ନ ଥିବ । କିନ୍ତୁ ଏ ସଂପର୍କରେ ଯେ ଏକ ମୋଟାମୋଟି ଧାରଣା ଲୋକମାନଙ୍କର ମଧ୍ୟରେ ଥିଲା ଏବଂ ଏ ଧାରଣା ଯେ କେବଳ ଜ୍ଞାନୀ ପୁରୋହିତ ଗୋଷ୍ଠୀର ନୁହେଁ, ବରଂ ଏହା ଯେ ସାଧାରଣ ମଣିଷର ଧର୍ମ-ବିଶ୍ୱାସକୁ ମଧ୍ୟ ଆଚ୍ଛନ୍ନ କରି ରଖିଥିଲା, ତାହାର ପ୍ରମାଣ ଆମେ ମିଳୁଥିବା ମୃଣ୍ମୟ ମୋହର ଓ କବରଖାନାର ବସ୍ତୁସମୂହକୁ ପରୀକ୍ଷା ନିରୀକ୍ଷା କରି ଜାଣିପାରିଥାଉଁ । ସିନ୍ଧୁ ଉପତ୍ୟକାର ମନ୍ଦିର ରୂପେ ଗଣ୍ୟ ହେଉଥିବା ବିରାଟ ସ୍ତୁପକୁ (Citadel mound) ଛାଡ଼ି ଜନସାଧାରଣଙ୍କ ବସତିରୁ ଗୋଟିଏ ମୃଣ୍ମୟ ମୋହର ବାହାରିଛି । ତା’ ଉପରେ ବସିଥିବା ଦୁଇଟି ପକ୍ଷୀର ଚିତ୍ର ଅଛି । ଚିତ୍ରଟିକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାଯିବ ଯେ ବେଦବର୍ଣ୍ଣିତ ‘ପରମାତ୍ମା’ ଓ ‘ଜୀବାତ୍ମା’ ସମ୍ପର୍କୀୟ ନିଗୂଢ଼ ତଥ୍ୟଟି ଦୁଇଟି ପକ୍ଷୀର ଉଦାହରଣ ଦେଇ ସରଳ ଭାବରେ ବୁଝାଇ ଦିଆଯାଇଛି । ଗୋଟିଏ ପକ୍ଷୀ (ଜୀବାତ୍ମା) ସୁଖଦୁଃଖର ଫଳକୁ ଚାଖୁଛି, କିନ୍ତୁ ଅପର ପକ୍ଷୀଟି ନିର୍ଲିପ୍ତ ହୋଇ ଚାହିଁ ରହିଛି । ବୈଦିକ ମନ୍ତ୍ରଟି ହେଲା-

 

ଦ୍ୱା ସୁପର୍ଣ୍ଣା ସଯୁଜା ସଖାୟାଃ

ସମାନଂ ବୃକ୍ଷଂ ପରିଷସ୍ୱଜାତେ ।

ତୟୋରନାଃ ପିପ୍‌ପଳଂ ସ୍ୱାଦୁ ଅଭି

ଅନଶ୍ନନନ୍ୟୋ ଅଭି ଚାକଶୀତି ।

 

ଅର୍ଥାତ୍ ଗୋଟିଏ ଅଶ୍ୱତ୍‌ଥ ବୃକ୍ଷରେ ସଖାସ୍ୱଭାବ ଧରି ଦୁଇଟି ସୁନ୍ଦର ପକ୍ଷୀ ବସିଛନ୍ତି । ସେଥିରୁ ଗୋଟିଏ ପକ୍ଷୀ (ଜୀବାତ୍ମା) ଫଳର ସ୍ୱାଦ ଚାଖୁଛି । ଅପର ପକ୍ଷୀଟି (ପରମାତ୍ମା) ସେହିପରି ନିର୍ଲିପ୍ତ ଭାବରେ ଚାହିଁ ରହିଛି । ଇଜିପ୍‌ଟ, ବ୍ୟାବିଲୋନ ଓ ସୁମେରରେ ଯେଉଁ ‘ଜୀ’ ବା ‘ଆଟନ୍‌’ର ଆରାଧନା କରାଯାଉଥିଲା, ତା’ଠାରୁ ଅଧିକ ଉନ୍ନତତର ଥିଲା ଏହି ‘ଜୀବାତ୍ମା’ ଓ ‘ପରମାତ୍ମା’ ସମ୍ପର୍କୀତ ଆଧ୍ୟାତ୍ମିକ ଚିନ୍ତାଧାରା । ସିନ୍ଧୁ-ସଂସ୍କୃତିରେ ହୋଇଥିବା ଏହି ଲୋକପ୍ରିୟ ଆଧ୍ୟାତ୍ମିକ ଜିଜ୍ଞାସାର ପ୍ରଭାବ ଯେ ପରବର୍ତ୍ତୀ କାଳରେ ଭାରତୀୟ ଆଧ୍ୟାତ୍ମିକ ଓ ଦାର୍ଶନିକ ଚିନ୍ତାଧାରାକୁ ପ୍ରଭାବିତ ଓ ପୁଷ୍ପଳୀଭୂତ କରିଛି, ଏହା ନିଃସନ୍ଦେହ ରୂପରେ କୁହାଯାଇପାରେ ।

 

ସିନ୍ଧୁ-ଉପତ୍ୟକାର କେତେକ କବର ଖୋଳିବା ଫଳରେ ତନ୍ମଧ୍ୟରୁ ଅନେକ ଚିତ୍ରିତ ମୃଣ୍ମୟପାତ୍ର, ମୃତ ବ୍ୟକ୍ତିର ଆତ୍ମାକୁ ତୁଷ୍ଟ କରିବାପାଇଁ ଖାଦ୍ୟ, ପାନୀୟ, ଅଳଙ୍କାର ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷମାନ ରଖାଯାଇଥିବାର ପ୍ରମାଣ ମିଳୁଛି । ଏପରି କାହିଁକି କରାଯାଉଥିଲା-? ଏଥିରୁ ଅନୁମାନ କରିହେବ ଯେ, ଏ ବାହ୍ୟ ଶରୀର ବାହାରକୁ ଜଡ଼ ନିର୍ଜୀବ ଭଳି ଜଣାଯାଉଥିଲେ ମଧ୍ୟ ଏହାର ଯେ ଏକ ସୂକ୍ଷ୍ମ ଶରୀର ଅଛି ଏବଂ ତା’ର ମଧ୍ୟ ସାଧାରଣ ବାହ୍ୟ ସ୍ଥୂଳ-ଶରୀର ଭଳି ଅନେକ ଆବଶ୍ୟକତା ଯେ ରହିଅଛି, ଏହି ଧାରଣାର ବଶବର୍ତ୍ତୀ ହୋଇ ସେମାନେ ମୃତବ୍ୟକ୍ତିର ଆତ୍ମାର ବ୍ୟବହାର ଲାଗି କବର ଭୂଇଁରେ ଏତେଗୁଡ଼ିଏ ଜିନିଷ ଖଞ୍ଜିଥିଲେ-। ହରପ୍‌ପାସ୍ଥ କେତେକ କବରରେ ଛାଗ ଓ ମେଷ ବଳି ଦିଆଯାଇଥିବାର ପ୍ରମାଣ ମଧ୍ୟ ମିଳୁଛି । (୪୨) ଆଦି-ବୈଦିକ କାଳରେ ବା ଋଗ୍‌ବେଦୀୟ କାଳରେ ଯେତେବେଳେ ଉଭୟ ଶବ ସଂସ୍କାର ଓ ଶବକୁ କବର ଦେବା ପ୍ରଥା ପ୍ରଚଳିତ ଥିଲା, ସେତେବେଳେ ମୃତବ୍ୟକ୍ତିର ଆତ୍ମାଲାଗି ତା’ର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷମାନ ତା’ପାଖରେ ରଖିବା କଥା ଋଗ୍‌ବେଦରେ ମଧ୍ୟ ବର୍ଣ୍ଣିତ ହୋଇଅଛି । (୪୩) ଆଉ ମଧ୍ୟ ରାଜସ୍ଥାନର କାଲିବଙ୍ଗାର କବର ତଳୁ ଯେଉଁ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁମାନ ବାହାରିଛି, ସେ ବିଷୟରେ ପୁରୁଷୋତ୍ତମ ସିଂହଙ୍କର ନିମ୍ନଲିଖିତ ଉକ୍ତି ବିଶେଷ ଭାବରେ ପ୍ରଣିଧାନ ଯୋଗ୍ୟ :-

 

‘‘The funerary offerings including earthen ware pots were placed near the head region in the pot. The personal belongings of the dead included a copper-bronze mirror placed near the head in one case while a large ring of shell was found near the left ear of another skeleton. The objects of ornament included beads of gold, carnelian, agate, jasper and stealite.’’(୪୪)

 

କବର ମଧ୍ୟରୁ ମିଳୁଥିବା ଗୋଟିଏ ମୃଣ୍ମୟପାତ୍ରରେ ତିନିଗୋଟି ମୟୁରର ଚିତ୍ର ଅଙ୍କିତ ହୋଇଛି । ଏହି ମୟୂରମାନଙ୍କ ମଝିରେ ଅନେକ ଗୁଡ଼ିଏ ତାରା ଅଙ୍କିତ ହୋଇଛନ୍ତି । ମୟୂରମାନଙ୍କ ଉପରେ କ୍ଷୁଦ୍ର ମନୁଷ୍ୟମାନଙ୍କର ଚିତ୍ର ଅଙ୍କିତ ହୋଇଅଛି । ଅନେକ ତଦ୍‌ବିଦ୍‌ମାନଙ୍କର ମତ ଯେ, ଏହି ଚିତ୍ରରେ ଜୀବର ସୂକ୍ଷ୍ମ ଶରୀରକୁ ମୟୂର ଆକାଶମାର୍ଗ ଦେଇ ସ୍ୱର୍ଗ ଆଡ଼କୁ ନେଇଯାଉଛି । ପକ୍ଷୀ ସାହାଯ୍ୟରେ ମୃତ୍ୟୁର ସମ୍ୱାଦ ମୃତ୍ୟୁରାଜ ଯମଙ୍କପୁରରେ ନେଇ ପହୁଞ୍ଚାଇବା ବିଷୟଟି ସାଙ୍କେତିକ ଭାବରେ ଏବେ ମଧ୍ୟ ହିନ୍ଦୁମାନଙ୍କ ମଧ୍ୟରେ ଚଳିଆସୁଅଛି । ସେଠାରେ ଅବଶ୍ୟ ମୟୂରର ସ୍ଥାନ କୁଆ ଅଧିକାର କରିଛି । ନଦୀ ତୁଠରେ ମୃତକ-କର୍ମ କଲାବେଳେ ମୃତକ-କର୍ମ କରୁଥିବା ବ୍ୟକ୍ତି ସ୍ୱହସ୍ତରେ ଅନ୍ନପାକ କରି କୁଆକୁ ଖାଇବାକୁ ଦେଇଥାଆନ୍ତି ଏବଂ ସେତେବେଳେ ଯେଉଁ ମନ୍ତ୍ରଟି ପାଠ କରିଥା’ନ୍ତି ତା’ର ଅର୍ଥ ହେଲା, ‘‘ଅମୁକଙ୍କ ପୁତ୍ର ତାଙ୍କ ମୃତପିତାଙ୍କ ଲାଗି ମୃତକ କର୍ମାଦି କରିଛନ୍ତି, ତୁମେ ଏ ମୃତକାନ୍ନ ଖାଇ ଏ ଖବରଟି ଯମ-ପୁରରେ ଯାଇ ଦିଅ ।’’ ଏହାର ତାତ୍‌ପର୍ଯ୍ୟ ହେଲା, ଏ ଖବରଟି ଯମ-ପୁରରେ ପହଞ୍ଚିଲେ ଯମରାଜ ମୃତବ୍ୟକ୍ତିଙ୍କର ମୃତକ କ୍ରିୟାଦି ଯଥାବିଧି ସମ୍ପନ୍ନ ହୋଇଥିବାର ଜାଣିସାରି ତାଙ୍କ ଆତ୍ମାର ରହିବା ଲାଗି ସ୍ୱର୍ଗରେ ଉପଯୁକ୍ତ ବ୍ୟବସ୍ଥା କରିଦେବେ ଏବଂ ତାଙ୍କର ନରକଗତି ଆଉ ହେବନାହିଁ । ସିନ୍ଧୁ-ସଂସ୍କୃତିର ଅଧିକାରୀମାନଙ୍କର ଆତ୍ମା ବିଷୟକ ଧାରଣାର ଏହା ଏକ ବଳିଷ୍ଠ ନିଦର୍ଶନ ଭଳି ମନେହୁଏ ।

 

ଆଉ ଗୋଟିଏ ପାତ୍ରରେ ଉଡ୍‍ଡୀୟମାନ ମୟୂର ସହିତ ଗୋଟିଏ ଗାଈକୁ ଦଉଡ଼ାରେ ବାନ୍ଧି ଏବଂ ବାଁ ହାତରେ ଧନୁଶର ଧରି ଚରୁଥିବା ଏକ ମଣିଷର ଚିତ୍ର ଅଙ୍କିତ ହୋଇଛି । ଗାଈର ଲାଙ୍ଗୁଳକୁ ଗୋଟିଏ କୁକୁର ଆକ୍ରମଣ କରୁଥିବାର ଚିତ୍ର ମଧ୍ୟ ତହିଁରେ ଅଙ୍କିତ ହୋଇଅଛି । ଏ କୁକୁର ବୋଧହୁଏ ଯମର କୁକୁର । ଏହାର ଆକ୍ରମଣ ବୋଧହୁଏ ମୃତ୍ୟୁ ଭୟର ସଙ୍କେତ ଦେଉଛି । ମଣିଷ ଗାଈକୁ ସଙ୍ଗରେ ଧରି ଚାଲିବାର ତାତ୍‌ପର୍ଯ୍ୟ ବୋଧହୁଏ ହେଉଛି ତପ୍ତବୈତରଣୀ ନଦୀକୁ ଗାଈ ସାହାଯ୍ୟରେ ପାରିହେବା, ଯେଉଁ ଚିନ୍ତାଧାରାର କି ଭୂୟୋବିକାଶ ପରବର୍ତ୍ତୀ କାଳରେ ଏ ଭାରତଭୂମିରେ ଘଟିଅଛି । ଏବେ ମଧ୍ୟ ହିନ୍ଦୁମାନଙ୍କ ମଧ୍ୟରେ ଗାଈ ସାହାଯ୍ୟରେ ତପ୍ତବୈତରଣୀ ପାରି ହେବାର ଦୃଢ଼ମୂଳ ବିଶ୍ୱାସଟି ରହିଅଛି ଏବଂ ସେଥିପାଇଁ ବ୍ରାହ୍ମଣଙ୍କୁ ଗୋଦାନ ଦିଆଯାଉଅଛି । ମୁକ୍ତ ଓ ନିର୍ବାଧରେ ମୟୂରମାନେ ଉଡ଼ିଯିବାର ଅର୍ଥ ହେଲା-ଏହିପରି କର୍ମ କଲେ ଗାଈ ସାହାଯ୍ୟରେ ସ୍ୱଚ୍ଛନ୍ଦରେ ତପ୍ତ ବୈତରଣୀ ପାରିହେବା ମୃତବ୍ୟକ୍ତିର ଆତ୍ମାକୁ ମୟୂର ଦ୍ୱାରା ସ୍ୱର୍ଗକୁ ନିଆଯାଇ ପାରିବ ।

 

ଉପଯୁକ୍ତ ଆଲୋଚନାରୁ ତେଣୁ ଜଣାଯିବ ଯେ, ସିନ୍ଧୁ-ସଂସ୍କୃତିର ଅଧିବାସୀମାନଙ୍କ ମଧ୍ୟରେ ‘ଆତ୍ମା’ ବିଷୟରେ ଏକ ଭ୍ରୂଣାତ୍ମକ ଧାରଣା ଥିଲା ଏବଂ ସେମାନେ ‘ଜୀବାତ୍ମା’ ଓ ‘ପରମାତ୍ମା’ ଏ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଉପଲବ୍ଧି କରିପାରିଥିଲେ । ଏ ପ୍ରକାର ‘ଜୀବାତ୍ମା’ ଓ ‘ପରମାତ୍ମା’ ସମ୍ପର୍କୀୟ ଏହି ଧାରଣାଟି ସମସାମୟିକ ବ୍ୟାବିଲୋନ୍ ଓ ସୁମେରର ‘ଆତ୍ମା’ ବିଷୟକ ଧାରଣାଠାରୁ ନିଶ୍ଚିତ ଭାବରେ ପୃଥକ୍‌ ଓ ଉନ୍ନତତର ଅଟେ । ଏହି ଆତ୍ମାର ଜିଜ୍ଞାସା ହଜାର ହଜାର ବର୍ଷ ଧରି ଭାରତୀୟ ଆଧ୍ୟାତ୍ମିକ କ୍ଷେତ୍ରକୁ ଆଚ୍ଛନ୍ନ କରି ରଖିଥିଲା ଏବଂ ଅଦ୍ୟାବଧି ରଖିଛି ମଧ୍ୟ । ଯଥାର୍ଥରେ କହିବାକୁ ଗଲେ ଉପନିଷଦ୍ ଯୁଗରେ ଯେଉଁ ‘ଆତ୍ମବିଦ୍ୟା’ର ପୁଷ୍କଳ ଭୂୟୋବିକାଶ ଘଟିଥିଲା, ତାହାର ଅରୁଣୋଦୟ ଘଟିଥିଲା ସିନ୍ଧୁ-ଉପତ୍ୟକାରେ ।

 

ସ୍ୱସ୍ତିକ ପୂଜା :

ତା’ପରେ ସ୍ୱସ୍ତିକ ପୂଜା କଥା । ‘ସ୍ୱସ୍ତିକ’ର ଶବ୍ଦଗତ ଅର୍ଥ ହେଲା ‘ଶୁଭଙ୍କର ପ୍ରତୀକ’ । ସକଳ ମଙ୍ଗଳ କର୍ମରେ ଏହାକୁ ପ୍ରତୀକ ରୂପରେ ଗ୍ରହଣ କରାଯାଏ । ଏବେ ମଧ୍ୟ ଭାରତରେ ବିଶେଷ କରି ହିନ୍ଦୁ, ବୌଦ୍ଧ ଓ ଜୈନମାନଙ୍କ ମଧ୍ୟରେ ଏହା ଶୁଭଙ୍କର ସଙ୍କେତ ରୂପେ ପୂଜିତ ହୁଏ । ବୈଦିକ ଆର୍ଯ୍ୟମାନଙ୍କର ମଧ୍ୟ ଏହା ଥିଲା ଶୁଭ ସଙ୍କେତ । ଏହି ଚିହ୍ନକୁ ଅବଶ୍ୟ ଅପବ୍ୟବହାର କରିବାକୁ ଯାଇ ଚଳିତ ଶତାବ୍ଦୀରେ ନାଜି-ନେତା ହିଟଲର ଜର୍ମାନ ଜାତିକୁ ସାରା ବିଶ୍ୱରେ ଶ୍ରେଷ୍ଠ ବୋଲି ଦାବୀକରି ନାଜିବାଦର ସଙ୍କେତ ରଖିଥିଲେ ‘ସ୍ୱସ୍ତିକ’ । ଏହି ଅଂହଭାବର ଫଳଶ୍ରୁତି ସ୍ୱରୂପ ହୋଇଥିଲା ଦ୍ୱିତୀୟ ମହାଯୁଦ୍ଧ ଓ ତଜ୍ଜନିତ ଅଗଣିତ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା । ଭଲରେ ହେଉ ବା ମନ୍ଦରେ ହେଉ, ଏହି ସ୍ୱସ୍ତିକ ଚିହ୍ନକୁ ସର୍ବଦା ଏକ ଶ୍ରେଷ୍ଠତାର ଚିହ୍ନ ରୂପେ ଗ୍ରହଣ କରାଯାଇଅଛି-। ପ୍ରାକ୍-ଐତିହାସିକ ଯୁଗରେ ମାନବ-ସମାଜ ମଧ୍ୟରେ ଯେତେବେଳେ ଧର୍ମ ଓ ଧର୍ମନିରପେକ୍ଷ ବିଷୟରେ ସୀମାରେଖା ଥିଲା ଅସ୍ପଷ୍ଟ, ସେତେବେଳେ ଏହି ଚିହ୍ନ ଦେବତା ଭାବରେ ଗଣ୍ୟହୋଇ ପୂଜିତ ହେବା କିଛି ଅସ୍ୱାଭାବିକ ନୁହେଁ । ସିନ୍ଧୁ ଉପତ୍ୟକାରେ ସର୍ବତ୍ର ବହୁ ସଂଖ୍ୟାରେ ଏହି ସ୍ୱସ୍ତିକ ଚିହ୍ନଥିବା ମୃଣ୍ମୟ ମୋହରମାନ ମିଳୁଅଛି । ସେଗୁଡ଼ିକ ମଧ୍ୟରୁ କେତେକ ଚିହ୍ନ ବାମରୁ ଦକ୍ଷିଣକୁ ଓ ଆଉ କେତେକ ଚିହ୍ନ ଦକ୍ଷିଣରୁ ବାମକୁ ଅଙ୍କିତ ହୋଇଥିବାର ଦେଖାଯାଏ । କିନ୍ତୁ ଏ ପ୍ରକାର ଅଙ୍କନ ପ୍ରକ୍ରିୟାର କିଛି ଅର୍ଥଗତ ପାର୍ଥକ୍ୟ ନାହିଁ ବୋଲି ସାର ଜନ୍ ମାର୍ଶାଲ ମତ ଦିଅନ୍ତି । ସ୍ୱସ୍ତିକର ଚିହ୍ନଗୁଡ଼ିକ ଅବଶ୍ୟ କ୍ରିଟ୍, କାପୋଡ଼ୋସିଆ, ଟ୍ରୟ ଓ ପାରସ୍ୟର ସୁମୁ ପ୍ରଭୃତି ସ୍ଥାନମାନଙ୍କରୁ ମିଳିଛି-। (୪୫) ଇଜିପ୍‌ଟ କିମ୍ୱା ବ୍ୟାବିଲୋନ୍‌ରେ ଏହି ସଙ୍କେତର ସନ୍ଧାନ ମିଳୁନାହିଁ; ସୁମେରରେ (ଆଧୁନିକ ଇରାକ୍) କିନ୍ତୁ ଏହାର ସନ୍ଧାନ ମିଳୁଛି । (୪୬) ଏହିସବୁ ଦେଶମାନଙ୍କରୁ ସ୍ଵସ୍ତିକ ଚିହ୍ନ ସିନ୍ଧୁ ଉପତ୍ୟକାକୁ ଆସିଥିଲା ନା ସିନ୍ଧୁ-ଉପତ୍ୟକାରୁ ତାହା ଏହିସବୁ ଦେଶମାନଙ୍କୁ ଯାଇଥିଲା, ସେ କଥା ସଠିକ କହି ହେବ ନାହିଁ । ଅନେକ ତଦ୍‌ବିଦ୍‌ କିନ୍ତୁ ମତ ଦିଅନ୍ତି ଯେ ସିନ୍ଧୁ-ଉପତ୍ୟକାରୁ ଏହା ଚାରିଆଡ଼ୁ ବ୍ୟାପ୍ତ ହୋଇଥିଲା । ସେ ଯାହା ହେଉ, ସିନ୍ଧୁ-ଉପତ୍ୟକାରେ ଯେ, ସ୍ୱସ୍ତିକ ପୂଜା ଚଳୁଥିଲା ଏକଥା ନିଶ୍ଚିତ ଭାବରେ କୁହାଯାଇପାରେ । ଏବେ ମଧ୍ୟ ଆମ ଦେଶରେ ବିବାହ, ବ୍ରତ ଆଦି ଶୁଭ-କର୍ମମାନଙ୍କରେ ଅଗ୍ନିଦେବଙ୍କୁ ପୂଜା ଦେବାଲାଗି ଯେଉଁ ପୀଠ ତିଆରି ହେଉଛି, ତହିଁରେ ସ୍ୱସ୍ତିକ ଚିହ୍ନ ସମେତ ଆହୁରି ଅନେକ ପ୍ରକାର ଚିହ୍ନ ଅଙ୍କିତ ହେଉଛି । ଆମ ଓଡ଼ିଶାର ଘରେ ଘରେ ଶୁଭଦିନମାନଙ୍କରେ ପିଠୋଉରେ ଝୋଟି ଚିତା ପକାଯାଉଅଛି । ଏ ସବୁର ମୂଳଉତ୍ସ ଯେ ସିନ୍ଧୁ-ସଂସ୍କୃତିର ଆଦିମ ସ୍ୱସ୍ତିକ ଚିହ୍ନ ଏଥିରେ ସନ୍ଦେହ ନାହିଁ । ଏହି ସ୍ୱସ୍ତିକ ଚିହ୍ନ ଏବେ ମଧ୍ୟ ଆମ୍ଭମାନଙ୍କର ଧର୍ମଧାରଣା ଓ ଆଧ୍ୟାତ୍ମିକ ଜୀବନ ଧାରାକୁ ଆଚ୍ଛନ୍ନ କରି ରଖିଅଛି ।

 

ଡକ୍ଟର ନବୀନ କୁମାର ସାହୁ ଓ ଶ୍ରୀ ସୁରେନ୍ଦ୍ର ମହାନ୍ତି ସିନ୍ଧୁସଭ୍ୟତାର ଏହି ସ୍ୱସ୍ତିକକୁ ଜୈନମାନଙ୍କର ଜୀବବିଭାଗର ସଙ୍କେତ ବୋଲି ଅର୍ଥ କରିଛନ୍ତି । ସେମାନେ କୁହନ୍ତି :-

 

‘‘ଜୈନ ମତରେ ଜୀବ ଚାରିଶ୍ରେଣୀରେ ବିଭକ୍ତ, ଯଥା-ନାରକୀ, ତିରିଅଙ୍କ, ମନୁଷ୍ୟ ଓ ଦେବତା । ଯେଉଁମାନେ ମନୁଷ୍ୟଠାରୁ ହୀନ, କୀଟ, ପତଙ୍ଗ ବା ପକ୍ଷୀ ରୂପରେ ଜନ୍ମ-ପରିଗ୍ରହ କରିଛନ୍ତି, ସେମାନେ ନାରକୀ । ଯେଉଁମାନେ ପଶୁ ବା ଉଦ୍ଭିଦ ରୂପରେ ଜନ୍ମଗ୍ରହଣ କରିଛନ୍ତି, ସେମାନେ ତିରିଅଙ୍କ । ନରଦେହୀ ଜୀବ ମନୁଷ୍ୟ ଓ ଯେଉଁମାନେ ଅଶରୀରୀ ସେମାନେ ଦେବତା । ଅର୍ଥାତ୍ ଜୈନ କଳନାରେ, ଜୈନ ଦୃଷ୍ଟିରେ ଜୀବ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ସର୍ବବ୍ୟାପ୍ତ । ଜୈନମାନଙ୍କର ସର୍ବଭୂତେ ଦୟାର ତାହା ହିଁ ତାତ୍‌ପର୍ଯ୍ୟ । ଏହି ସ୍ୱସ୍ତିକ ଚିହ୍ନ ଜୈନ ଧର୍ମଗ୍ରନ୍ଥ ଓ ଦେବାଳୟମାନଙ୍କରେ ପ୍ରଭୂତ ପରିମାଣରେ ଦେଖିବାକୁ ମିଳେ ।’’ (୪୭)

 

ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ‘‘ଶ୍ରୀମଦ୍ ଭଗବତ୍ ଗୀତା’ର ଗ୍ରନ୍ଥପ୍ରବେଶସ୍ଥ ଆଲୋଚନାରେ ସିନ୍ଧୁ-ସଂସ୍କୃତିରେ ଜୈନ-ଧର୍ମର ଆଦି-ବୀଜ ନିହିତ ଥିଲା ବୋଲି କହି ଏଥିପାଇଁ ବହୁ ପ୍ରମାଣ ଦର୍ଶାଇଛନ୍ତି । ସାର୍ ଜନ୍ ମାର୍ଶାଲ୍‌ ଆବିଷ୍କାର କରିଥିବା ମହେଞ୍ଜୋଦାରୋର ଦୁଇଟି ମୋହରକୁ (ସଂଖ୍ୟା ୧୩ ଓ ୧୪) ପରୀକ୍ଷା କରି ତଦ୍‌ବିଦ୍‌ମାନେ ମତ ଦିଅନ୍ତି ଯେ ଏ ଦୁଇଟି ହେଉଛନ୍ତି କାୟୋତ୍ସର୍ଗ ଭଙ୍ଗୀରେ ଯୋଗଲଗ୍ନ ଥିବା ଦୁଇଟି ଦିଗମ୍ୱର ଜୈନମୂର୍ତ୍ତି । (୪୮) ମହେଞ୍ଜୋଦାରୋରୁ ମଧ୍ୟ ଆଉ ଦୁଇଟି ମୋହର ବାହାରିଛି (ପ୍ଳେଟ୍‌ ସଂଖ୍ୟା ୧୧୬ ଓ ୧୧୮) । ସେଥିରୁ ଗୋଟିଏ (ପ୍ଳେଟ୍‌ ସଂଖ୍ୟା ୧୧୬) ପଥରରେ ଓ ଆରଟି (ପ୍ଳେଟ୍‌ ସଂଖ୍ୟାସ୍ଥ ୧୧୯) ତମ୍ୱାରେ ତିଆରି । ଏହି ମୋହର ଦୁଇଟିରେ ଜଣେ ଯୋଗଲଗ୍ନ ଶୀର୍ଣ୍ଣକାୟ ଓ ଦିଗମ୍ୱର ମୂର୍ତ୍ତି ସମାସୀନ । ତାଙ୍କ ଆସନର ପାଦଦେଶରେ ଉଭୟପଟେ ମୁଣ୍ଡିତମସ୍ତକ ଦୁଇଜଣ ଭକ୍ତ ପୂଜାର ଅର୍ଘ୍ୟ ଅର୍ପଣ କରୁଛନ୍ତି । ଦୁଇଜଣଙ୍କ ମୁଣ୍ଡ ଉପରେ ଗୋଟିଏ ଲେଖାଏଁ ସାପ ଫଣା ଟେକି ବୋଧହୁଏ ଧ୍ୟାନମଗ୍ନ ଯୋଗୀଙ୍କ ଆରାଧନାରେ ଉପରୋକ୍ତ ଭକ୍ତ ଦ୍ୱୟଙ୍କ ସହିତ ଯୋଗ ଦେଇଛନ୍ତି । (୪୮-କ) ଜୈନତୀର୍ଥଙ୍କର ପାର୍ଶ୍ୱନାଥଙ୍କର ଲାଞ୍ଛନା ଥିଲା ସର୍ପ । ଜୈନ ପରମ୍ପରା କହେ, ଯେକୌଣସି ପୂର୍ବଜନ୍ମରେ ସେ ‘କମଠ’ ନାମକ ସର୍ପକୁ ରକ୍ଷା କରିଥିଲେ ଏବଂ ସେଥିପାଇଁ ସେ ତାଙ୍କର ସଦାନୁଗତ ରହିଥିଲା । ପାର୍ଶ୍ୱନାଥ ତା’ପ୍ରତି ଶ୍ରଦ୍ଧାନ୍ୱିତ ହୋଇ ତାକୁ ଲାଞ୍ଛନା ସ୍ୱରୂପ ଗ୍ରହଣ କରିଛନ୍ତି । ଏହି ଦୃଷ୍ଟିରୁ ବିଚାର କଲେ ଏହା ଯେ ଜୈନତୀର୍ଥଙ୍କର ମୂର୍ତ୍ତିର ଏକ ଆଦିମ ରୂପ, ଏକଥା ବୋଧହୁଏ ଅସ୍ୱୀକାର କରିହେବନାହିଁ । ଜୈନମାନଙ୍କର ୨୪ ତୀର୍ଥଙ୍କର ମଧ୍ୟରୁ ପ୍ରାଚୀନତମ ଐତିହାସିକ ପୁରୁଷ ହେଉଛନ୍ତି ପାର୍ଶ୍ୱନାଥ (ଖ୍ରୀ. ପୂ. ୮୦୦ ଶତାବ୍ଦୀ) । ତାଙ୍କ ପୂର୍ବରୁ ଆଉ ୨୨ଜଣ ତୀର୍ଥଙ୍କର ଯାଇଛନ୍ତି । ଜୈନ ବିଶ୍ୱାସ ଅନୁଯାୟୀ ପୂର୍ବ ତୀର୍ଥଙ୍କରମାନେ ଶହଶହ, ଏପରିକି ସହସ୍ର ସହସ୍ର ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ । ବାସ୍ତବରେ ତ ଏତେବର୍ଷ ଧରି ସେମାନେ ବଞ୍ଚି ନ ଥିବେ; କିନ୍ତୁ ଏହି ଜୈନ ଚିନ୍ତାଧାରାଟି ଯେ ଅତି ପ୍ରାଚୀନ ଏହି ସଙ୍କେତ ଏଥିରୁ ମିଳୁଛି । କେତେକ ତଦ୍‌ବିଦ୍‌ ଯଥା ଆର୍. ପି. ଚନ୍ଦ (Modern Review, 1932) ମହେଞ୍ଜୋଦାରୋର ତିନିଗୋଟି ମୋହରକୁ ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ବିଶ୍ଳେଷଣ କରି ଏହା ଆଦିତୀର୍ଥଙ୍କର ଋଷଭନାଥଙ୍କର ମୂର୍ତ୍ତି ବୋଲି ମତ ଦେଇଥିବା କଥା ଶ୍ରୀ ସୁରେନ୍ଦ୍ର ମହାନ୍ତି ଓ ଡକ୍ଟର ନବୀନ କୁମାର ସାହୁ ସେମାନଙ୍କର ଉପର ଲିଖିତ ପ୍ରବନ୍ଧରେ କହିଛନ୍ତି । ଏହିସବୁ କାରଣରୁ ଜୈନ-ଧର୍ମର ଆଦି ବୀଜ ଯେ ସିନ୍ଧୁ-ସଂସ୍କୃତିରେ ନିହିତ ଥିଲା, ଆମକୁ ଏକଥା ବିଶ୍ୱାସ କରିବାକୁ ପଡ଼ିବ । ଅତଏବ ଏ ଆଲୋଚନାରୁ ସ୍ପଷ୍ଟ ଭାବରେ ଜଣାପଡ଼ିବ ଯେ ଯୁଗେ ଯୁଗେ ଭାରତୀୟ ଧର୍ମଗତ ଓ ଆଧ୍ୟାତ୍ମିକ ଜୀବନଧାରାକୁ ଆଚ୍ଛନ୍ନ କରିଥିବା ସ୍ୱସ୍ତିକ ଚିହ୍ନର ଜନନୀ ହେଉଛି ସିନ୍ଧୁ-ସଂସ୍କୃତି ।

 

ସର୍ବଧର୍ମ ସହନଶୀଳତା :-

ଯୁଗେ ଯୁଗେ ଏହି ଭାରତଭୂମିରେ ସର୍ବଧର୍ମ ପ୍ରତି ସମାନଦୃଷ୍ଟି ରହିଆସିଛି । ଏହାର ବହୁ କାରଣମାନଙ୍କ ମଧ୍ୟରୁ ଏକ ବଳିଷ୍ଠ କାରଣ ହେଲା ବହୁରେ ଏକତ୍ୱ ଦେଖିବା ଭାରତୀୟ ସଂସ୍କୃତିର ଏକ ବିଶିଷ୍ଟ ବିଭାବ । ବେଦ, ଉପନିଷଦ, ଧର୍ମଶାସ୍ତ୍ର ଓ ପୁରାଣ ଆଦିର ଛତ୍ରେ ଛତ୍ରେ ଏହି ଏକତ୍ୱ ଭାବର ସ୍ଫୁରଣ ପରିଶୀଳିତ । ପ୍ରାଚୀନତମ ଗ୍ରନ୍ଥ ବେଦମନ୍ତ୍ରର ଦ୍ରଷ୍ଟା କେହି ଜଣେ ନୁହେଁ, ଏମାନେ ହେଲେ ବଶିଷ୍ଠ, ବିଶ୍ୱାମିତ୍ର ଆଦି ବହୁ ଋଷି । ଏସବୁର କାରଣ ହେଉଛି ଏଠାରେ ଯୁଗ ଯୁଗ ଧରି ବ୍ୟକ୍ତିଗତ ଦୃଷ୍ଟିକୋଣ ଓ ବ୍ୟକ୍ତିଗତ ଚିନ୍ତାଧାରା ପ୍ରତି ସମ୍ମାନ ଦିଆହୋଇଆସୁଅଛି । ସେଥିପାଇଁ ଥଟ୍ଟା କରି ଯେଉଁ କୁହାଯାଇଥାଏ ‘ଏକ ଭାରତୀୟ-ଜଣେ ଦାର୍ଶନିକ’, ତାହା ବାସ୍ତବ ଦୃଷ୍ଟିକୋଣରୁ ସତ୍ୟ । ଆମେ ଇତିହାସର ପୃଷ୍ଠା ଆଲୋଡ଼ନ କଲେ ଦେଖିବା ଯେ ଏଠାରେ ରାଜା ଏକ ନିର୍ଦ୍ଦିଷ୍ଟ ଧର୍ମାବଲମ୍ୱୀ ଥାଇ ମଧ୍ୟ ସବୁ ଧର୍ମପ୍ରତି ସମାନ ଦୃଷ୍ଟି ଦେଉଥିଲେ । କଳିଙ୍ଗସମ୍ରାଟ ଖାରବେଳ (ଖ୍ରୀ: ପୂ: ୨ୟ ଶତାବ୍ଦୀ) ନିଜକୁ ‘ସବୁ ପାଷାଣ୍ଡ ପୂଜକ’ ବା ‘ସବୁ ଧର୍ମ ସମ୍ପ୍ରଦାୟର ପୂଜକ’ ବୋଲି ପରିଚିତ କରାଇବାର ତାତ୍ପର୍ଯ୍ୟ ଅଛି ଏଇଠି । ମଗଧସମ୍ରାଟ ଅଶୋକଙ୍କର (ଖ୍ରୀ: ପୂ: ୩ୟ ଶତାବ୍ଦୀ) ବ୍ରାହ୍ମଣ, ଶ୍ରମଣ, ନିର୍ଗନ୍ଥ ଓ ଆଜୀବନମାନଙ୍କ ପ୍ରତି ସମଭାବ ପ୍ରଦର୍ଶନର ପରାକାଷ୍ଠା ଅଛି ଏଇଠି । ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀରେ ଅଗ୍ନିପୂଜକ ପାର୍ସିମାନଙ୍କ ପ୍ରତି ପାରସ୍ୟ ଦେଶରେ ଯେତେବେଳେ ଅତ୍ୟାଚାର କରାଯାଇଥିଲା, ସେମାନେ ସ୍ୱଧର୍ମକୁ ରକ୍ଷା କରିବାଲାଗି ଆଉ କେଉଁଠିକୁ ନଯାଇ ଭାରତ-ଭୂମିକୁ ଧାଇଁଆସିଥିଲେ ଏବଂ ଏଠାରେ ସେମାନେ ସ୍ୱଧର୍ମ ପାଳନର ନିର୍ଭୟ-ଆଶ୍ରୟ ପାଇପାରିଥିଲେ । ଏବେ ମଧ୍ୟ ଭାରତଭୂମିରେ ଏହି ସର୍ବଧର୍ମ ସହନଶୀଳତାର ଭାବ ରହିଅଛି ଏବଂ ଏହି ଭାବ ଓ ନୀତିକୁ ରାଷ୍ଟ୍ର ତଥା ସାଧାରଣ ଜନଜୀବନ ସମ୍ମାନ ଦେଉଛି । ସାଂପ୍ରଦାୟିକତା ସର୍ବଥା ଏଠି ନିନ୍ଦିତ ହେଉଛି । ଏହାର କାରଣ କ’ଣ ଥାଇପାରେ ? ଏବେ ବିଶ୍ୱର ବହୁ ଅଞ୍ଚଳରେ ଧର୍ମ ନାମରେ ନାନା ସଂକୀର୍ଣ୍ଣତା ଦେଖାଦେଉଥିବାବେଳେ, ସ୍ୱଧର୍ମର ପରାକାଷ୍ଠାକୁ ପ୍ରତିଷ୍ଠିତ କରାଇ ଏହାର ପ୍ରଚାର ପାଇଁ ନିର୍ଦ୍ଦିଷ୍ଟ ଧାର୍ମିକଗୋଷ୍ଠୀମାନ ନିରତ କାର୍ଯ୍ୟରତ ଥିଲାବେଳେ ଭାରତୀୟ ସନାତନ ଧର୍ମ କ୍ଷେତ୍ରରେ ତାହା କରାଯାଉନାହିଁ ? କାହିଁକି ୟା’କୁ ପ୍ରଚାର ନକଲେ ମଧ୍ୟ ଯୁଗ ଯୁଗ ଧରି ଏହା ସ୍ୱକୀୟ ପରାକାଷ୍ଠାକୁ ବଜାଇ ରଖିପାରିଛି ? ଏହାର ଉତ୍ତର ଆମେ ଖୋଜିବାକୁ ଗଲେ ସିନ୍ଧୁ-ସଭ୍ୟତାର ଯୁଗକୁ ଆମକୁ ଫେରିଯିବାକୁ ହେବ । ଉକ୍ତ ସଂସ୍କୃତିରେ ମଧ୍ୟ ଏହି ସର୍ବଧର୍ମ ପ୍ରତି ସହନଶୀଳ ମନୋଭାବ ଜନଜୀବନକୁ ଆଚ୍ଛନ୍ନ କରିଥିଲା । ଠିକ୍ କେଉଁ ସମୟରୁ ଏପ୍ରକାର ସର୍ବଧର୍ମ ସହନଶୀଳ ଭାବ ଭାରତଭୂମିରେ ଆବିର୍ଭୂତ ହୋଇଥିଲା, ସେକଥା ସଠିକ୍‌ କହିହେବ ନାହିଁ । ତେବେ ପ୍ରତ୍ନତାତ୍ତ୍ୱିକ ପ୍ରମାଣମାନଙ୍କୁ ଭିତ୍ତି କରି ନିଶ୍ଚିତ ଭାବରେ କୁହାଯାଇପାରିବ ଯେ ଅନ୍ତତଃ ସିନ୍ଧୁସଂସ୍କୃତି କାଳରେ (ଖ୍ରୀ: ପୂ: ୩ୟ ସହସ୍ରାବ୍ଦୀ) ଏହା ଭାରତଭୂମିରେ ଥିଲା ଏବଂ ଏହି ଭାବଧାରା ଗତି ପ୍ରାୟ ପାଞ୍ଚହଜାର ବର୍ଷ ଧରି ଭାରତୀୟ ଧର୍ମ-ଚେତନା ଓ ଜନଜୀବନକୁ ଆଚ୍ଛନ୍ନ କରିଆସିଅଛି ।

 

ପୂର୍ବୋକ୍ତ ଆଲୋଚନାରୁ ପ୍ରତୀତ ହେବ କିପରି ସିନ୍ଧୁ-ସଭ୍ୟତାରେ ମାତୃଦେବୀ, ଅଗ୍ନି, ପଶୁପତି, ପ୍ରଜାପତି, ବୃକ୍ଷଦେବତା, ଆଦି ବିଭିନ୍ନ ଦେବଦେବୀମାନଙ୍କର ଆରାଧନା କରାଯାଉଥିଲା-। ଆହୁରି ମଧ୍ୟ ସେଥିରୁ ପ୍ରତୀତ ହେବ କିପରି ବିଭିନ୍ନ ଜାତିର ନର-କରୋଟୀମାନ ସିନ୍ଧୁ-ଉପତ୍ୟକାର ଧ୍ୱଂସାବଶେଷରୁ ମିଳୁଛି, ଯହିଁରୁ ଅନ୍ତତଃ ପ୍ରମାଣ ମିଳୁଛି ଯେ ସେଠାରେ ଅଷ୍ଟ୍ରାଲଏଡ, ମଙ୍ଗୋଲୀୟ, ଭୂମଧ୍ୟସାଗରୀୟ ଓ ଆଲପାଇନ ଜାତୀୟ ଲୋକମାନେ ଏକତ୍ର ବସବାସ କରି ରହୁଥିଲେ । ସେଠାକାର ଅନେକ କବର ତ ଏ ପର୍ଯ୍ୟନ୍ତ ଖୋଳାଯାଇ ପାରିନାହିଁ । ଏଗୁଡ଼ିକର ଖନନ ଫଳରେ ହୁଏତ ଆଉ ଅନ୍ୟ ଜାତୀୟ ଲୋକଙ୍କର କରୋଟୀ ଯେ ବାହାରିବ ନାହିଁ ସେକଥା କହିହେବ ନାହିଁ । ଅତଏବ, ବହୁ ଜାତିର ଲୋକ ଏଠାରେ ଏକତ୍ର ବସବାସ କରି ରହିଥିବା ସେତେବେଳେ ଏକ ସ୍ୱାଭାବିକ ଘଟଣା ଥିଲା । କବର ଦେବାର ପ୍ରଣାଳୀ ଭିନ୍ନ ଭିନ୍ନ ଥିଲେ ମଧ୍ୟ ସମସ୍ତଙ୍କର କବର-ସ୍ଥାନ ହେଉଛି ଗୋଟିଏ । ଏତେ ଜାତିର, ଏତେ ସଂପ୍ରଦାୟର ଲୋକ ଏକତ୍ର ରହି ଏତେପ୍ରକାର ଦେବଦେବୀଙ୍କର ପୂଜା ସ୍ୱଚ୍ଛନ୍ଦରେ କରିପାରୁଥିବାର ଏହି ଯେଉଁ ପ୍ରମାଣ ମିଳୁଛି, ତାହା ନିଶ୍ଚିତ ଭାବରେ ସୂଚାଇ ଦେଉଛି ଯେ ସେମାନଙ୍କ ମଧ୍ୟରେ ସର୍ବଧର୍ମସହନଶୀଳତା ଭାବ ପ୍ରଚଳିତ ଥିଲା । ପ୍ରଧାନ-ସ୍ତୁପକୁ (Citadel mound) ଆମେ ପ୍ରଧାନ ଦେବାୟତନ ବୋଲି ଧରିଲେ, ଆମକୁ ଏକଥା ମାନିନେବାକୁ ହେବ ଯେ ତାକୁ ପରିଚାଳିତ କରୁଥିବା ପୁରୋହିତ ଗୋଷ୍ଠୀଙ୍କର ଦୃଷ୍ଟିଭଙ୍ଗୀ ଅତି ଉଦାର ଥିଲା ଏବଂ ସେମାନେ ସବୁ ଧର୍ମ ପ୍ରତି ସମାନ ଭାବପ୍ରଦର୍ଶନ କରିବା ପାଇଁ ଲୋକମାନଙ୍କୁ ଉପଦେଶ ଦେଉଥିଲେ । ଏହା ସାଧାରଣ ପୁରୋହିତ ଗୋଷ୍ଠୀର ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ନିଶ୍ଚିତ ଭାବରେ ଉନ୍ନତତର । ଏଠାରେ ପ୍ରଚଳିତ ଥିବା ସର୍ବ-ଧର୍ମସହନଶୀଳତାର ନୀତି ସିନ୍ଧୁ-ଉପତ୍ୟକାର ପରିସୀମାକୁ ଅତିକ୍ରମ କରି ସେତେବେଳେ ବିଦେଶ ଭୂମିମାନଙ୍କରେ ମଧ୍ୟ ବ୍ୟାପ୍ତ ହୋଇଥିବ । ତା’ ଫଳରେ ଧର୍ମଗତ କିମ୍ୱା ଅନ୍ୟାନ୍ୟ ଅତ୍ୟାଚାରରେ ପ୍ରପୀଡ଼ିତ ହୋଇ ବିଭିନ୍ନ ଜାତିର ଓ ବିଭିନ୍ନ ସଂପ୍ରଦାୟର ଲୋକମାନେ ଏଠାକୁ ଆସିଥିବେ ଏବଂ ଏଠାରେ ନିର୍ବାଧରେ ସ୍ୱଧର୍ମର ପନ୍ଥା ଅନୁସରଣ କରି ସ୍ୱଚ୍ଛନ୍ଦ ଜୀବନଯାପନ କରିଥିବେ ।

 

ସିନ୍ଧୁ-ଉପତ୍ୟକାରେ ଏଭଳି ଶାନ୍ତିମୟ ଜୀବନ-ଯାପନ ଚାଲିଥିଲାବେଳେ ସମକାଳୀନ (ଖ୍ରୀ: ପୂ: ତୃତୀୟ ସହସ୍ରାଦ୍ଦୀ) ଆସିରିଆ ବା ଅସୁର ରାଜ୍ୟରେ (ଉତ୍ତର ଇରାକ୍) କିଭଳି ଲୋମହର୍ଷଣକାରୀ ଅତ୍ୟାଚାର ଦେଶର ରାଜା କରୁଥିଲେ, ସେ ବିଷୟ ନିଶ୍ଚିତ ଭାବରେ କୌତୂହଳୋଦ୍ଦୀପକ । ସେହି କାଳରୁ ପ୍ରାୟ ଚାରିଶହ ବର୍ଷ ପର୍ଯ୍ୟନ୍ତ ସେଠାକାର ରାଜାମାନେ ସେ ସମୟରେ ଇଟା ଫଳକରେ ନିଜର କୀର୍ତ୍ତିକଳାପମାନ ଲେଖି ଯାଇଛନ୍ତି । ସେହି ଲେଖାଗୁଡ଼ିକର ପାଠୋଦ୍ଧାର କରାଯିବା ପରେ ଏବେ ଜଣାଯାଉଛି କିପରି ଏହି ରାଜାମାନେ ପ୍ରଜାମାନଙ୍କ ଉପରେ ବହୁ ଜଘନ୍ୟ ଅତ୍ୟାଚାରମାନ କରୁଥିଲେ ଓ କିପରି ବିଜିତ ରାଜ୍ୟକୁ ନଷ୍ଟ କରି ବିଜିତ ଆବାଳ ବୃଦ୍ଧବନିତା ସମସ୍ତଙ୍କୁ ନିଷ୍ଠୁର ଭାବରେ ହତ୍ୟା କରୁଥିଲେ । ସେତେବେଳେ ସାମାନ୍ୟ ପ୍ରତିବାଦରେ ପ୍ରଜାମାନଙ୍କର ଛାଲ ଉତାରି ଦିଆଯାଉଥିଲା । ଅନ୍ୟ ଧର୍ମାବଲମ୍ୱୀ ବା ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ଉପରେ ତ ଅତ୍ୟାଚାର ଥିଲା ଆହୁରି ଅଧିକ ଲୋମହର୍ଷଣକାରୀ । (୪୯) ଅନ୍ୟ ରାଜ୍ୟମାନଙ୍କରେ ଅଳ୍ପ ବହୁତ ପ୍ରାୟ ଏହିଭଳି ପ୍ରଜାପୀଡ଼ନ ଓ ବିଜିତ ଉପରେ ଅତ୍ୟାଚାର କରାଯାଉଥିଲା । ଏଭଳି ପ୍ରଜାପୀଡ଼ନ ଓ ଧର୍ମଗତ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସିନ୍ଧୁ-ଉପତ୍ୟକାକୁ ବହୁ ଦୂର ଦୂରାନ୍ତର ଦେଶମାନଙ୍କରୁ ଲୋକମାନେ ଆଶ୍ରୟ ଲାଗି ଧାଇଁ ଆସିଥିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । ସିନ୍ଧୁ ଉପତ୍ୟକାର ଲୋକମାନେ ବହୁ ଦେଶ ଦେଶାନ୍ତର ସହିତ ବାଣିଜ୍ୟିକ ଓ ସାମାଜିକ ସମ୍ପର୍କ ରଖିଥିଲେ । ଏ ପ୍ରକାର ସମ୍ପର୍କ ଅତ୍ୟାଚାରିତ ବିଦେଶୀୟମାନଙ୍କୁ ଏଠାକୁ ଆସିବାରେ ଖୁବ୍ ସହାୟକ ହୋଇଥିବ । ଅତଏବ, ଉପର୍ଯ୍ୟୁକ୍ତ ଆଲୋଚନାରୁ ସିନ୍ଧୁ ସଂସ୍କୃତିରେ ସର୍ବଧର୍ମସହନଶୀଳତା ଆଚରିତ ହେଉଥିବାର ଯଥେଷ୍ଟ ବିଶ୍ୱାସଯୋଗ୍ୟ ପ୍ରମାଣମାନ ମିଳୁଛି ବୋଲି ଆମକୁ ମାନିବାକୁ ପଡ଼ିବ ।

 

ଉପସଂହାର ସ୍ୱରୂପ ଏତିକି କୁହାଯାଇପାରେ ଯେ ମାତୃପୂଜା, ପଶୁପତି ବା ପ୍ରଜାପତି ପୂଜା, ବୃକ୍ଷପୂଜା, ସ୍ୱସ୍ତିକ ପୂଜା ଆଦି ବିଭିନ୍ନ ଦେବଦେବୀଙ୍କର ପୂଜା ଏବଂ ଦେହ ଓ ଦେହେତର ମଧ୍ୟରେ ଥିବା ଏକ ସ୍ଥୂଳ ଧାରଣା ସମେତ ସର୍ବଧର୍ମ ସହନଶୀଳତା ସିନ୍ଧୁ-ସଂସ୍କୃତିର ଧର୍ମ-ଧାରଣାକୁ ସଦା ଆଚ୍ଛନ୍ନ କରି ରଖିଥିଲା ଏବଂ ତାହାର ଗଭୀର ପ୍ରଭାବ ପରବର୍ତ୍ତୀ ଭାରତୀୟ ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ ପଡ଼ି ତାହାର ଭୂୟୋବିକାଶ ଘଟାଇ ପାରିଥିଲା । ଏହି ଦୃଷ୍ଟିରୁ ସିନ୍ଧୁ-ସଂସ୍କୃତି ଯେ ଅନେକାଂଶରେ ଭାରତୀୟ ଆଧ୍ୟାତ୍ମିକ ଚିନ୍ତାଧାରାର ଜନୟିତ୍ରୀ, ଏ କଥା କହିଲେ ଅତ୍ୟୁକ୍ତି ହେବନାହିଁ । ଅତଏବ, ଭାରତୀୟ ଆଧ୍ୟାତ୍ମିକତାକୁ ଭଲ ଭାବରେ ଜାଣିବାକୁ ହେଲେ ଏହି ସିନ୍ଧୁ-ସଂସ୍କୃତିର ଗଭୀର ଅଧ୍ୟୟନ ଓ ଅନୁଶୀଳନ ଏକାନ୍ତ ଆବଶ୍ୟକ ।

 

 

ପାଦଟୀକା

୧.

The Cultural Heritage of India, Vol I : ‘‘The Indus Valley Civilization’’. Article by M. S. Vats : P. 121.

 

୨.

ତତ୍ରୈବ : ପୃ: ୧୨୭ ।

 

୩.

ତତ୍ରୈବ : ପୃ: ୧୨୫ । ସିନ୍ଧୁ-ଉପତ୍ୟକାରୁ ମିଳୁଥିବା ଭସ୍ମ କବରର ପାତ୍ରରେ ଯେଉଁଭଳି ଚିତ୍ରମାନ ଅଙ୍କିତ ହୋଇଅଛି, ଆମେ ଋଗ୍‌ବେଦରେ ୧୦ମ ମଣ୍ଡଳସ୍ଥ ୧୪ଶ, ୧୬ଶ ଓ୧୮ଶ ସୂକ୍ତରେ ସେହିଭଳି ବର୍ଣ୍ଣନା ଦେଖିବାକୁ ପାଇଥାଉଁ । ବୈଦିକ ଅନ୍ତ୍ୟେଷ୍ଟିକ୍ରିୟା ସହିତ ଏହାର ସାମଞ୍ଜସ୍ୟ ବାସ୍ତବିକ କୌତୂହଳୋଦ୍ଦୀପକ ।

 

 

Purusottam Singh : Burial Practicesin Ancient India. Prithivi Prakashan, Varanasi (1970) : P. 47.

 

ଅବଶ୍ୟ ବିଭିନ୍ନ ସ୍ଥାନମାନଙ୍କରେ ଏହି କବରଖାନା ପ୍ରଧାନ ସ୍ତୂପର(Citadel mound) ବିଭିନ୍ନ ଦିଗରେ ଅବସ୍ଥିତ ଥିଲା ।

ଯଥା :-

 

(କ)

ରୂପାର-ପ୍ରଧାନ ସ୍ତୂପର ପଶ୍ଟିମରେ

 

(ଖ)

ଲୋପଲ୍-ପ୍ରଧାନ ସ୍ତୂପର ଉତ୍ତର ପଶ୍ଚିମରେ

 

(ଗ)

ହରପ୍‌ପା ଓ ପ୍ରଧାନ ସ୍ତୂପର ଦକ୍ଷିଣ ପଶ୍ଚିମରେ କାଲିବଙ୍ଗ

 

 

ଏପରି ଭାବରେ କବରଖାନାର ବିଭିନ୍ନ ଦିଗରେ ଅବସ୍ଥିତିରୁ ଏହି ସୂଚନା ମିଳେ ଯେ, ହୁଏତ ଏହା ନଗର ନିର୍ମାଣ ଯୋଜନାକୁ ଦୃଷ୍ଟିରେ ରଖି କରାଯାଇଥିବ କିମ୍ୱା ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ମୃତବ୍ୟକ୍ତିର ଆତ୍ମାର ଅବସ୍ଥିତି ବିଷୟରେ ଥିବା ଭିନ୍ନ ଭିନ୍ନ ଧାରଣାକୁ ଅବଲମ୍ୱନ କରି କରାଯାଇଥିବ ।

 

୫.

ନବୀନ କୁମାର ସାହୁ ଓ ସୁରେନ୍ଦ୍ର ମହାନ୍ତି : ‘‘ସିନ୍ଧୁ ସଭ୍ୟତା ଓ ଜୈନଧର୍ମ’’ ନବଭାରତ, ୨ୟ ବର୍ଷ ୯ମ ସଂଖ୍ୟା : ପୃ : ୨୯୯ ।

 

୬.

M. S. Vats : op. cit : Gordon Childe quoted P : 323.

 

୭.

Balsastri Hardas : Glimpses of the Vedic Nation : P. 74.

 

୮.

ଶିବଦତ୍ତ ଜ୍ଞାନୀ : ଭାରତୀୟ ସଂସ୍କୃତି (ହିନ୍ଦୀ) ଭାରତୀୟ ବିଦ୍ୟାଭବନ, ବମ୍ୱେ : ପୃ-୩୮ ।

 

୯.

ତତ୍ରୈବ (ଓଡ଼ିଆ ଅନୁବାଦ ଲେଖକଙ୍କ ଦ୍ୱାରା) ପୃ-୩୫ ।

 

୧୦.

ସୁରେନ୍ଦ୍ରନାଥ ଶତପଥୀ : ‘‘ସିନ୍ଧୁ ସଂସ୍କୃତି ଆର୍ଯ୍ୟ ନା ଦ୍ରାବିଡ଼ ?’’ ଝଙ୍କାର : ୩୮ଶ ବର୍ଷ ୩ୟ ସଂଖ୍ୟା : ପୃ ୨୭୮-୨୮୭ ।

 

୧୧.

ଏ ସଂପର୍କରେ ମାଧବ ସ୍ୱରୂପ ଭଟ୍‌ସଙ୍କର ନିମ୍ନଲିଖିତ ଉକ୍ତି ପ୍ରଣିଧାନଯୋଗ୍ୟ ।

“Briefly the Religion of the Indus people Consisted in worshipping the mother Goddess, deification of trees and their spirits, certain animal chimeras and their anthropic figures, the prototype of siva, the phallic symbols, the Swastik etc. of these, the cult of mother Goddess and Swastika were common throughout the ancient world.” M. S. Vats : op. cit. P. 124

 

୧୨.

D. A. Maekenzie : Myth of Babylonia and Assyria : P. 100

 

୧୩.

D. D. Kosambi : The Culture and Civilisation of Ancient India in Historical line (1977) : P : 68 .

 

 

(କ)

ନୀଳକଣ୍ଠ ଦାସ : ଶ୍ରୀମଦ୍ ଭଗବଦ୍‌ଗୀତା, ପୀଠିକା : ପୃ-୧୦୨ ।

 

(ଖ)

ଶତପଥ ବ୍ରାହ୍ମଣ : ୧୩/୫/୨/୨ ।

 

୧୪.

 

ଶିବଦତ୍ତ ଜ୍ଞାନୀ : ଭାରତୀୟ ସଂସ୍କୃତି (ହିନ୍ଦୀ) : ଭାରତୀୟ ବିଦ୍ୟାଭବନ : ପୃ-୩୮ ।

 

କେନ୍ଦୁଝର ଜିଲ୍ଲାର ଭୂୟାଁପୀଢ଼ରେ ଥିବା ଭୂୟାଁମାନେ ଏବେ ମଧ୍ୟ ଚେକାକୁ ସାକ୍ଷୀ ରଖି ଗାଁ ଗାଁ ମଧ୍ୟରେ ଥିବା ଗୁରୁତର ବିବାଦମାନ ସମାଧାନ କରିଥାଆନ୍ତି । ଏହି ‘ଚେକା’ ଭୂମିଦେବତା ଅଟନ୍ତି ଲେଖକ ଉକ୍ତ ଜିଲ୍ଲାରେ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ଅବସ୍ଥାପିତ ଥିବା ସମୟରେ ଏହି ପ୍ରକ୍ରିୟାରେ ଏକ ଗୁରୁତର ଗ୍ରାମ୍ୟ ସୀମା ବିବାଦର ସମାଧାନ କରାଇପାରିଥିଲେ ଏବଂ ଏଥିରେ ଉଭୟପକ୍ଷ ସନ୍ତୁଷ୍ଟ ରହିଥିଲେ ।

 

୧୫.

ଋଗ୍‌ବେଦ : ୧୦-୧-୧୨

 

୧୬.

ଋଗ୍‌ବେଦ : ୧୦-୧୯-୧୦

 

୧୭.

Bridget and Raymond Allchin : The Rise of civilization in India and Pakistan.

Select Book Service Syndicate (1983) : p. 150

 

୧୮.

ଋଗ୍‌ବେଦ : ୧୦/୧୨୯

ନୀଳକଣ୍ଠ ଦାସ : ଶ୍ରୀମଦ୍ ଭଗବଦ୍ ଗୀତା, ମୁଖବନ୍ଧ : ପୃ ୧୯-୨୧ ।

 

୧୯.

ଋଗ୍‌ବେଦ : ୧୦/ ୧୬ ।

୨୦.

ଋଗ୍‌ବେଦସ୍ଥ ପୁରୁଷସୂକ୍ତର ନିମ୍ନଲିଖିତ ପଙ୍‌କ୍ତିଟି ଏ ସମ୍ପର୍କରେ ଦ୍ରଷ୍ଟବ୍ୟ:

‘‘ତସ୍ମାଦ୍ ବିରାଡ଼ଜାୟତେ ବିରାଜୋ ଅଧିପୁରୁଷଃ’’

ଦେଖନ୍ତୁ ପୁରୁଷସୂକ୍ତ ।୫।

୨୧.

The cultural Heritage of India, Vol. I : Article by Suniti Kumar Chatterji “Contributions from different Cultural groups” p-72.

୨୨.

ସୁରେନ୍ଦ୍ରନାଥ ଶତପଥୀ : ସିନ୍ଧୁ ସଂସ୍କୃତି ଆର୍ଯ୍ୟ ନା’ ଦ୍ରାବିଡ଼ ? ଝଙ୍କାର, ୩୮ଶ ବର୍ଷ ୩ୟ ସଂଖ୍ୟା : ପୃ ୨୮୨ ।

୨୩.

ଗୀତା ୧୮/୬୧

୨୪.

A. K. Chatterjee, A comprehensive History of Jainism, Vol I (1978) PP I-33

୨୫.

ଖଣ୍ଡଗିରିର ଜୟାବିଜୟା ଓ ଅନ୍ୟ ଗୁମ୍ଫାମାନଙ୍କରେ ଏହି ବୃକ୍ଷପୂଜାର ଚିତ୍ରମାନ ଖୋଦିତ ହୋଇଥିବାର ଦେଖିବାକୁ ମିଳେ । ଏଠାରେ ଥିବା ୯ଗୋଟି ଋଷଭନାଥଙ୍କ ମୂର୍ତ୍ତି ମଧ୍ୟରୁ ବାରଭୁଜି ଗୁମ୍ଫାରେ ଥିବା ଗୋଟିଏ ମୂର୍ତ୍ତି ପାଖରେ ତାଙ୍କର କେବଳ ବୃକ୍ଷ ‘ନ୍ୟଗ୍ରୋଧ’ (ବରଗଛ)କୁ ମଧ୍ୟ ଆମେ ଦେଖିବାକୁ ପାଇଥାଉଁ । ଦେଖନ୍ତୁ ସୁରେନ୍ଦ୍ରନାଥ ଶତପଥୀ : ବୌଦ୍ଧଜାତକ ଗଳ୍ପ, ୨ୟ ଭାଗ : ଗ୍ରନ୍ଥପ୍ରବେଶ : ପୃ. ୧୧ ।

୨୬.

N. K. sahu : History of Orissa, Vol I : P : 353

୨୭.

ସୁରେନ୍ଦ୍ରନାଥ ଶତପଥୀ : ବୌଦ୍ଧଜାତକ ଗଳ୍ପ ୧ମ ଭାଗ : ଭୂମିକା : ପୃ. ୯୫

୨୮.

ଶୃଗାଳ-ଜାତକ (ସଂଖ୍ୟା-୧୧୩),

ଦୁର୍ମେଧା-ଜାତକ (ସଂଖ୍ୟା ୧୨୧) ଇତ୍ୟାଦି ।

କ- D. D. Kosambi : op.cit. p. 65

୨୯.

S. R. Rao : Key-note. Address of the seminar on “Sacrifice in India - Concept and Evolution’ organised by Bombay University held on the 3rd, 4th and 5th March, 1986.

୩୦.

Bridget and Raymond Allchin : op.cit P-216.

୩୧.

ଆର୍ଯ୍ୟମାନେ ‘ସପ୍ତସିନ୍ଧୁ’ ଦେଶରୁ କ୍ରମେ କ୍ରମେ ପୂର୍ବାଭିମୁଖୀ ହୋଇ ଅଗ୍ରସର ହୋଇ ଯେତେବେଳେ ଗଙ୍ଗା-ଯମୁନା ଦୋଆବ ଅଞ୍ଚଳରେ ପହଞ୍ଚିଲେ, ପ୍ରାୟ ସେହି ସମୟରେ ରଚିତ ଶତପଥ ବ୍ରାହ୍ମଣରେ (ଖ୍ରୀ: ପୂ: ୧୦୦୦-୮୦୦) ଯଥାର୍ଥରେ କୁହାଯାଇଅଛି ଯେ ‘ଦ୍ରୁଷଦ୍‌ବତୀ’ ନଦୀତୀରରୁ ଅଗ୍ନିଙ୍କୁ ପୂର୍ବଦେଶକୁ ଅଣାଯାଇଥିଲା । ଅଗ୍ନିଙ୍କର ପୂର୍ବଦେଶକୁ ଆଗମନ । ତେଣୁ ଆର୍ଯ୍ୟମାନଙ୍କର ପୂର୍ବାଭିମୁଖୀ ଗତି ସହିତ ସମ୍ବନ୍ଧିତ ବୋଲି ମନେହୁଏ ।

୩୨.

S. R. Rao : Lothal and the Indus Civilization (1973) : Asia publishing House, Bombay P : 124

 

ଏଥିରୁ ପ୍ରମାଣ ମିଳୁଛି ଯେ, ସିନ୍ଧୁ-ସଭ୍ୟତାର ଲୋକମାନେ ଅଶ୍ୱର ବ୍ୟବହାର ଜାଣିଥିଲେ । ସେମାନେ ଅଶ୍ୱର ବ୍ୟବହାର ଜାଣି ନ ଥିଲେ ବୋଲି ସାଧାରଣତଃ ବହୁ ଐତିହାସିକ ଯେଉଁ ମତ ଦିଅନ୍ତି, ତାହା ଠିକ୍ ନୁହେଁ ।

୩୩.

ଋଗ୍‌ବେଦ : ୧ । ୯ । ୪୪ ।

୩୪.

S. R Rao : Key note Address op.cit.

୩୫.

ସୁରେନ୍ଦ୍ରନାଥ ଶତପଥୀ : ‘‘ସିନ୍ଧୁ ସଂସ୍କୃତି ଆର୍ଯ୍ୟ ନା ଦ୍ରାବିଡ଼ ?’’ ଝଙ୍କାର, ୩୮ଶ ବର୍ଷ ୩ୟ ସଂଖ୍ୟା : ପୃ ୨୮୨-୨୮୩ ।

୩୬.

Sir John Marshall, Mohenjodaro and the Indus civilization, Vol. I, p-52.

୩୭.

ଏ ସମ୍ପର୍କରେ ଭି.ଏସ. ଅଗ୍ରୱାଲା କୁହନ୍ତି :

 

“The main point about manifest prajapati is that of his triple nature, from which the threefold cosmic manifestation has taken place. This theory of the triad being at the root of the cosmos, is the fundamental creed of vedic metaphysics, religion and ritual as very often expressed through a series of triadic formulas.”

 

V. S. Agrawalla : Vedic Lectures : Prithivi prakashan, Varanasi. (1981), p-91.

୩୮.

ଭି. ଏସ୍. ଅଗ୍ରୱାଲା : ତତ୍ରୈବ ।

୩୯.

Bridget and Raymond Allehin : op. cit. p-124.

ସେ ଦୁହେଁ କହିଛନ୍ତି :

“More over stoms identical in form to Lingan were found in the cities.”

୪୦.

M. S. Vats : op. cit : P-122.

କ-ଋଗ୍‌ବେଦ : ପୃ. ୧୬୪-୪୬ ।

୪୧.

ନୀଳକଣ୍ଠ ଦାସ : ଶ୍ରୀମଦ୍ ଭାଗବତ ଗୀତା : ପୀଠିକା : ପୃ-୭ ।

୪୨.

M.S Vats : Excavations at Harappa Vol. I : Delhi (1940) : P.220.

୪୩.

ଋଗ୍‌ବେଦ: ପୃ. ୧୮-୯ ।

୪୪.

Purusottam Singh : op. cit. P-38.

୪୫.

ନବୀନ କୁମାର ସାହୁ ଓ ସୁରେନ୍ଦ୍ର ମହାନ୍ତି : ‘‘ସିନ୍ଧୁ-ସଭ୍ୟତା ଓ ଜୈନଧର୍ମ’’ : ନବଭାରତ ୨ୟ ବର୍ଷ, ୯ମ ସଂଖ୍ୟା : ପୃ.୩୦୨ ।

୪୬.

The cultural Heritage of India, Vol.I : “Cultural Interrelation between India and the outside world before Ashoka.” Article by A. D. Pushalkar : P-148.

୪୭.

ନବୀନ କୁମାର ସାହୁ ଓ ସୁରେନ୍ଦ୍ର ମହାନ୍ତି : ‘‘ସିନ୍ଧୁ-ସଭ୍ୟତା ଓ ଜୈନଧର୍ମ’’ : ନବଭାରତ, ୨ୟ ବର୍ଷ, ୯ମ ସଂଖ୍ୟା, ପୃ. ୩୦୨ ।

୪୮.

Sir John Marshall : op. cit. pp. 52-53.

କ - Sir John Marshall, Mahenjodaro and the Indus Civilization, Vol. I.

୪୯.

D. A. Mackerjie, op. cit. : pp. 397-398.

 

ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ,

ଭୁବନେଶ୍ୱର-୧୪

***

 

Unknown

କବିସୂର୍ଯ୍ୟ ବଳଦେବ ରଥଙ୍କ କବିତା-ଶିଳ୍ପରେ ଯାବନିକ ଶବ୍ଦ

ଓ ଏହାର ଭାଷାତାତ୍ତ୍ୱିକ ବ୍ୟୁତ୍ପତ୍ତି

ଅଧ୍ୟାପକ ପ୍ରମୋଦ ପାଢ଼ୀ

 

(୧)

ଓଡ଼ିଆଭାଷା ଏକ ସମନ୍ୱୟର ଭାଷା । ସଂସ୍କୃତ, ପ୍ରାକୃତ ତଥା ଅପଭ୍ରଂଶ ଭାଷାରୁ ଓଡ଼ିଆଭାଷା ମୁକ୍ତିଲାଭ କରିବା ପରେ ପରେ ବିଭିନ୍ନ ଭାଷାର ପ୍ରୟୋଗ ଓଡ଼ିଆଭାଷା ଭିତରେ ପରିଲକ୍ଷିତ ହେଉଛି । ଏହି ପ୍ରଭାବର କାରଣ ହେଉଛି ଓଡ଼ିଶାର ରାଜନୈତିକ, ଧର୍ମନୈତିକ, ଐତିହାସିକ, ଭୌଗୋଳିକ ତଥା ସାହିତ୍ୟିକ ପୃଷ୍ଠଭୂମି ।

 

ପ୍ରଥମତଃ, ଓଡ଼ିଆଭାଷାରେ ସଂସ୍କୃତ ଭାଷାର ବହୁଳ ପ୍ରଭାବ ଦେଖାଦେବା ପରେ ପରେ ଫରାସୀମାନଙ୍କ ଭାରତକୁ ଆଗମନ ଓ ଭାରତୀୟ ବିଭିନ୍ନ ବନ୍ଦରରେ ବାଣିଜ୍ୟ-କୋଠୀର ନିର୍ମାଣ ଯୋଗୁଁ ମୂଳତଃ ଓଡ଼ିଆଭାଷାରେ ଫରାସୀଭାଷାର ପ୍ରଭାବ ଦେଖାଯାଇଥାଏ । ୟୁରୋପରେ ନବଜାଗରଣ ଦେଖା ଦେବା ପରେ ପରେ ବିଭିନ୍ନ ପାଶ୍ଚାତ୍ୟବାସୀ ଭାରତକୁ ଜଳପଥ ଆବିଷ୍କାର କଲେ । ପ୍ରଥମତଃ, ୧୬୦୦ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଭାରତକୁ ଆସି ବିଭିନ୍ନ ବନ୍ଦରରେ ବାଣିଜ୍ୟକୋଠୀମାନ ନିର୍ମାଣ କଲେ । କଲିକତା, ବମ୍ବେ, ମାନ୍ଦ୍ରାଜ ଇତ୍ୟାଦି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବାଣିଜ୍ୟକେନ୍ଦ୍ରମାନ ସ୍ଥାପନ କଲେ । ଇଂରେଜମାନେ ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଭାରତକୁ ଆସିଥିଲେ ମଧ୍ୟ ଭାରତର ପ୍ରତ୍ୟେକ ବିଷୟରେ ନିଜର ଆଧିପତ୍ୟ ଜାହିର୍‌ କରିବାକୁ ଚେଷ୍ଟା କଲେ । ଫଳତଃ, ଭାରତୀୟ ସଂସ୍କୃତି ତଥା ସାହିତ୍ୟରେ ନବଜାଗରଣ (Renaissance) ଦେଖାଯାଇଥିଲା । ଏହି ନବଜାଗରଣ ପରବର୍ତ୍ତୀ ସମୟରେ ଓଡ଼ିଆ ଧର୍ମ, ସଂସ୍କୃତି ତଥା ସାହିତ୍ୟ ଇତ୍ୟାଦିକୁ ପ୍ରସାରିତ ହୋଇଥିଲା । ଇଂରେଜମାନଙ୍କ ଓଡ଼ିଶା ଆଗମନ ପରେ ପରେ ଫରାସୀମାନେ ତଥା ଆରବଅଞ୍ଚଳର ବ୍ୟବସାୟୀମାନେ ଆସି ଏଠାରେ ବାଣିଜ୍ୟକେନ୍ଦ୍ରମାନ ପ୍ରତିଷ୍ଠା କଲେ ।

 

ଫରାସୀ କମ୍ପାନୀର ବ୍ୟବସାୟୀମାନେ ୧୬୬୮ ଖ୍ରୀଷ୍ଟାବ୍ଦରେ ସୁରତ୍‌ଠାରେ ବାଣିଜ୍ୟକୋଠୀ ନିର୍ମାଣ କଲେ । ପରବର୍ତ୍ତୀ ସମୟରେ ମାନ୍ଦ୍ରାଜର ମସୁଲିପଟ୍ଟମ୍‌ଠାରେ କୋଠୀ ସ୍ଥାପିତ ହେବା ପରେ ଫରାସୀ କମ୍ପାନୀର ମଧ୍ୟ ଆଧିପତ୍ୟ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ହେଲା ।

 

ଉଭୟ ୟୁରୋପୀୟ ଗୋଷ୍ଠୀ ଭାରତରେ ବାଣିଜ୍ୟ ବ୍ୟବସାୟ କରିବା ସଙ୍ଗେ ସଙ୍ଗେ ସାମ୍ରାଜ୍ୟଗଠନର ମଧ୍ୟ ସ୍ୱପ୍ନ ଦେଖିବାକୁ ଆରମ୍ଭ କଲେ । ଏତଦ୍ଦ୍ୱାରା ଉଭୟଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ଆରମ୍ଭ ହେଲା ଓ ଫରାସୀ ବ୍ୟବସାୟୀ ଗୋଷ୍ଠୀ ଇଂରେଜମାନଙ୍କ ଦ୍ୱାରା ଭାରତରୁ ବିତାଡ଼ିତ ହୋଇ ଚାଲିଗଲେ ।

 

ସୁତରାଂ, ଶାସନ-ବ୍ୟବସ୍ଥା ଇଂରେଜମାନଙ୍କ ଦ୍ୱାରା ଭାରତୀୟମାନେ ତଥା ଓଡ଼ିଆମାନେ ଶିକ୍ଷା କରିବା ସଙ୍ଗେ ସଙ୍ଗେ ସେହି ଭାଷାଗୁଡ଼ିକର ପ୍ରଭାବ ପ୍ରଚୁର ପରିମାଣରେ ସମଗ୍ର ପ୍ରାନ୍ତୀୟଭାଷାରେ ଦୃଷ୍ଟିଗୋଚର ହୋଇଥାଏ । ଏହି ପରିପ୍ରେକ୍ଷୀରେ ଓଡ଼ିଆଭାଷା ତଥା ସାହିତ୍ୟରେ ବହୁଳ ଭାବରେ ଆରବୀ ଓ ପାର୍ଶୀଭାଷାର ପ୍ରଭାବ ଦେଖାଯାଏ । (୧)

 

ତତ୍‌କାଳୀନ ସଂସ୍କୃତଭାଷାରେ ମଧ୍ୟ ଯାବନିକ ଭାଷା-ପ୍ରୟୋଗର ବହୁଳତା ଦେଖାଯାଇଥାଏ । କାରଣ, ତତ୍‌କାଳୀନ ଭାରତର ଶାସନବ୍ୟବସ୍ଥା ଭିତରେ ପାର୍ଶୀଭାଷାର ପ୍ରୟୋଗ ଘଟିଅଛି ।

 

ଆରବ୍ୟ ଓ ଫରାସୀ ସମ୍ପ୍ରଦାୟର ବ୍ୟବସାୟୀମାନେ ଓଡ଼ିଶାର ଶାସନବ୍ୟବସ୍ଥାକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ତତ୍‌କାଳୀନ ସାମାଜିକ ପରିସର ଭିତରେ ମଧ୍ୟ ନିଜର ଆଧିପତ୍ୟକୁ ବଜାୟ ରଖିଥିଲେ । ସୁତରାଂ ସାମାଜିକତା ଭିତର ଦେଇ ତତ୍‌କାଳୀନ ସାହିତ୍ୟିକ ପୃଷ୍ଠଭୂମିରେ ମଧ୍ୟ ଏହି ଭାଷାର ବହୁଳତା ଦେଖାଯାଇଥାଏ । ତେଣୁ ଓଡ଼ିଆସାହିତ୍ୟ ଭିତରେ ମଧ୍ୟ ଯାବନିକ ଭାଷାର ଉଦାହରଣ ଉପଲବ୍‌ଧ ହୋଇଥାଏ । ଓଡ଼ିଆସାହିତ୍ୟର ସମାଲୋଚକମାନେ ସାରଳାଦାସଙ୍କ ପୂର୍ବବର୍ତ୍ତୀ ଯୁଗରେ ବିରଚିତ ହୋଇଛି ବୋଲି ମତବ୍ୟକ୍ତ କରୁଥିବା ‘କଳସା ଚଉତିଶା’ ଭିତରେ ଦୁଇଟି ଯାବନିକ ଶବ୍ଦ ‘ଫରମାଣ’ ଓ ‘ଫରସେ’ ହେଉଛି ଏହାର ଯଥାର୍ଥ ଉଦାହରଣ । (୨)

 

ସୁତରାଂ ‘ଫରମାଣ’ ଓ ‘ଫରସେ’ ଦୁଇଟି ଶବ୍ଦ ଯେ ସାରଳାଦାସଙ୍କ ପୂର୍ବରୁ ଓଡ଼ିଆସାହିତ୍ୟରେ ପ୍ରୟୋଗ ହେଉଅଛି, ଏହାର ପ୍ରମାଣ ‘କଳସା-ଚଉତିଶା’ର କାଳ-ନିରୂପଣ ବିବାଦରୁ ଜଣାପଡ଼ିବ । ପ୍ରକୃତରେ ‘କଳସା-ଚଉତିଶା’ରେ ‘ମଙ୍ଗଳଗୀତ’ ଶବ୍ଦର ପ୍ରୟୋଗ ହୋଇଥିବାରୁ ଓ ସାରଳା ମହାଭାରତରେ ‘କଳସା-ବୃତ୍ତ’ର ଉଦାହରଣ ଦିଆଯାଇଥିବାରୁ ସମାଲୋଚକମାନେ ଏହାକୁ ସାରଳାଙ୍କ ପୂର୍ବବର୍ତ୍ତୀ ବୋଲି ମତପ୍ରଦାନ କରିଥାଇପାରନ୍ତି; ମାତ୍ର ଏଠାରେ ଏହା ଭ୍ରମାତ୍ମକ ଅଟେ । କାରଣ, ‘ଚଉତିଶା’ ଶୈଳୀରେ କବିତା ରଚନା ସାରଳାଙ୍କ ବହୁ ପରେ ଓଡ଼ିଆସାହିତ୍ୟରେ ଆରମ୍ଭ ହୋଇଛି । ‘ଚଉତିଶା’ ଶବ୍ଦଟି ହିନ୍ଦୀ ‘ଚୌତିଶା’ ଶବ୍ଦରୁ ସୃଷ୍ଟି ଲାଭ କରିଅଛି । ତେଣୁ, ଭଞ୍ଜଯୁଗର ଉପସଂହାରରେ ବା ଓଡ଼ିଆସାହିତ୍ୟର ସଙ୍ଗୀତ ଯୁଗ ପ୍ରାରମ୍ଭରେ ‘ଚଉତିଶା’ ଶୈଳୀରେ କବିତା ରଚନା କରିବାର ପ୍ରବୃତ୍ତି ସୃଷ୍ଟି ହୋଇଛି । ସୁତରାଂ, ଶୈଳୀ ଦୃଷ୍ଟିରୁ ‘କଳସା ଚଉତିଶା’ ଓଡ଼ିଶାରେ ଆରବ୍ୟ ଓ ପାରସ୍ୟ ଭାଷାର ପ୍ରଭାବ ସମୟରେ ରଚିତ ହୋଇଛି ବୋଲି ଏଠାରେ ମତବ୍ୟକ୍ତ କରାଯାଇପାରେ ।

 

‘କଳସା ଚଉତିଶା’ ପରେ ପରେ ରୀତି-ଯୁଗର ଅନ୍ୟ ଜଣେ ପ୍ରତିଷ୍ଠିତ ଶିଳ୍ପୀ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍‌ଧ-ଚିନ୍ତାମଣି’ କାବ୍ୟରେ ଯାବନିକ ଶବ୍ଦଗୁଡ଼ିକର ପ୍ରଭାବ ପରିଲକ୍ଷିତ ହୋଇଥାଏ, ଯଥା:- ବାରୁଦ, ତବଲ୍, ଜୁହାର, ଚାକର୍‌, କାଗଜ, କାଜ, କଡ଼କା, ପଟୁଆର୍‌ ଇତ୍ୟାଦି । ଦିବ୍ୟ ଓ ଅଦିବ୍ୟ ଭାଷାରେ ସମନ୍ୱୟରେ ‘ବିଦଗ୍‌ଧ ଚିନ୍ତାମଣି କାବ୍ୟ’ ସୃଷ୍ଟି ହୋଇଛି ବୋଲି କବି ଅଭିମନ୍ୟୁ ତାଙ୍କ କାବ୍ୟର ପ୍ରଥମ ଛାନ୍ଦରେ ବ୍ୟକ୍ତ କରିଛନ୍ତି । ସୁତରାଂ ଉପର୍ଯ୍ୟୁକ୍ତ ଶବ୍ଦଗୁଡ଼ିକ ତତ୍‌କାଳୀନ ସମାଜରେ ପ୍ରଚଳିତ ଥିଲା ଓ ସାମାଜିକ ମଣିଷର କଥିତ ଶବ୍ଦକୁ ଚୟନ କରି କାବ୍ୟଶିଳ୍ପୀ ସ୍ୱକୀୟ କାବ୍ୟରେ ପ୍ରୟୋଗ କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ ସପ୍ତଦଶ ଶତାବ୍ଦୀର ଓଡ଼ିଆ ଭାଷାକୁ ଯାବନିକ ଭାଷା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରି ଦେଇଥିଲା ।

 

ଓଡ଼ିଆ ସାହିତ୍ୟରେ ରୀତିଯୁଗର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ସଙ୍ଗୀତ ଯୁଗ । ସଙ୍ଗୀତ ଯୁଗର ଜଣେ ଶ୍ରେଷ୍ଠ କାବ୍ୟ-ଶିଳ୍ପୀ ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ । ଏହି ସମୟର ପ୍ରାୟତଃ ପ୍ରତ୍ୟେକ ଶିଳ୍ପୀଙ୍କ କାବ୍ୟ-ଶିଳ୍ପରେ ଯାବନିକ ଭାଷାର ପ୍ରୟୋଗ,ତେଣୁ ଏଠାରେ ବିଚାର୍ଯ୍ୟ । ଷୋଡ଼ଶ ତଥା ସପ୍ତଦଶ ଶତାଦ୍ଦୀର ପ୍ରଥମ ପର୍ଯ୍ୟାୟରେ ଆରବ୍ୟ ତଥା ପାରସ୍ୟର ଭାଷା ଭାରତୀୟ ଭାଷା ଉପରେ ପ୍ରଭାବ ବିସ୍ତାର କରିଥିଲେ ହେଁ ଏହି ସମୟରେ ଅର୍ଥାତ୍ ସଙ୍ଗୀତଯୁଗରେ ଓଡ଼ିଆଭାଷା ଉପରେ ଏହି ଭାଷାଗୁଡ଼ିକର ପ୍ରଭାବ ସ୍ୱୀକାର କରାଯାଇପାରେ । ସଙ୍ଗୀତଯୁଗର ପ୍ରାୟତଃ ପ୍ରତ୍ୟେକ କାବ୍ୟ-ଶିଳ୍ପୀଙ୍କ କବିତାଗୁଡ଼ିକରେ ଯାବନିକ ଭାଷାର ପ୍ରଭାବ ଲକ୍ଷ୍ୟ କରାଯାଇପାରେ । ଏହାର ପ୍ରକୃତ କାରଣ ହେଉଛି, ସେ କାଳରେ ରଚିତ ହେଉଥିବା ସଙ୍ଗୀତଗୁଡ଼ିକୁ ଶ୍ରୁତିମଧୁର କରିବା । ଅର୍ଥାତ୍ ଯେକୌଣସି ସଙ୍ଗୀତରେ ଦିବ୍ୟ-ଅଦିବ୍ୟ ଉଭୟର ସମ୍ମିଶ୍ରଣ କବିତାକୁ ଶ୍ରୁତିମଧୁର କରେ । ବିଶିଷ୍ଟ ସଙ୍ଗୀତ-ଶିଳ୍ପୀ ଗୋପାଳକୃଷ୍ଣଙ୍କ କବିତାରେ ସଂସ୍କୃତ ଓ ଲୌକିକ ଓଡ଼ିଆଭାଷାର ଏକ ସୁନ୍ଦର ସମନ୍ୱୟ ସହିତ ଯାବନିକ ଭାଷାର ସଙ୍ଗୀତଗୁଡ଼ିକ ଶ୍ରୁତିମାଧୁର୍ଯ୍ୟ ରକ୍ଷା କରୁଅଛି । ‘କୋଇଲି’ ଗୀତରେ ଏହାର ଉଦାହରଣ ଲକ୍ଷ୍ୟଣୀୟ । ଯଥା :-

 

‘‘କୋଇଲି ! ଫେଡ଼ି ବୋଲୁ ନାହିଁ ମୋତେ ଫରଚାରେ ମୁଁ ଜାଣୁଛି ଏତେ xxxxxxx ଫରମାଣ କଲେ କରନ୍ତା ଘେନ ଲୋ, ଫନ୍ଦା ମୋହର ସଖା ଭୟରେ.......

(ଗୋପାଳକୃଷ୍ଣ ପଦ୍ୟାବଳୀ-ପୃ; ୧୧)

 

‘ଫରଚା’, ‘ଫରମାଣ’, ‘ଫନ୍ଦା’ ଇତ୍ୟାଦି ଶବ୍ଦଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଯାବନିକ ଶବ୍ଦ । ‘ଚଉତିଶା’ ରୀତିରେ ସଙ୍ଗୀତ ରଚନାକରିବା ସମୟରେ ଏହି ଶବ୍ଦଗୁଡ଼ିକ ଶ୍ରୁତି-ମାଧୁର୍ଯ୍ୟ ସୃଷ୍ଟି କରୁଛନ୍ତି । ଅନ୍ୟାନ୍ୟ ସଙ୍ଗୀତଗୁଡ଼ିକରେ ମଧ୍ୟ ଯାବନିକ ଶଦ୍ଦ ଦୃଷ୍ଟିଗୋଚର ହୋଇଥାଏ । ଯଥା :- ‘‘କାଞ୍ଚି କାଞ୍ଚୁଲା ନୁପୂର ପତଦଗ୍ରହ ଝରୀ ବା ଡାକେ କଖ୍‌ଖଟୀ ଜରତୀ ହେଲାଣି ପ୍ରବେଶ ’’ ଇତ୍ୟାଦି ସ୍ଥଳରେ ‘କାଞ୍ଚୁଲା’, କଖ୍‌ଖଟୀ ଆଦି ଯାବନିକ ଶବ୍ଦ ଦୃଷ୍ଟିଗୋଚର ହେଉଅଛି ।

 

ସଙ୍ଗୀତଯୁଗର ସୁପ୍ରତିଷ୍ଠିତ ଶିଳ୍ପୀ ବନମାଳୀଙ୍କ ସଙ୍ଗୀତଗୁଡ଼ିକରେ ମଧ୍ୟ ଯାବନିକ ଶଦ୍ଦଗୁଡ଼ିକର ପ୍ରୟୋଗ ଘଟି ସଙ୍ଗୀତଗୁଡ଼ିକୁ ଶ୍ରୁତି-ମଧୁର କରିଅଛି । ଯଥା :- ‘ହକାରି ଥିଲା ସେ ମନେ କୂଟ ପାଞ୍ଚି ସୁଝି ଦେଲ ପିତୃଋଣ’ ବା ‘ପଟୁଆରି ନିଯୋଗେ ଗାଆନ୍ତି ଗୀତ’ ଛନ୍ଦ ଇତ୍ୟାଦି କବିତା ପଙ୍‌କ୍ତି ଗୁଡ଼ିକରେ ହକାରି, ପଟୁଆରି,ନିଯୋଗେ ଆଦି ଯାବନିକ ଶବ୍ଦର ପ୍ରଭାବରୁ ଜଣାପଡ଼ୁଛି ଯେ, ସଙ୍ଗୀତ ଯୁଗର କବିତା-ଶିଳ୍ପରେ ଯାବନିକ ଶଦ୍ଦଗୁଡ଼ିକର ବହୁଳ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ ।

 

ଓଡ଼ିଆ ଭାଷା-ପଣ୍ଡିତମାନେ ମତବ୍ୟକ୍ତ କରନ୍ତି ଯେ, ସଂଗୀତଯୁଗରେ ବା ଅଷ୍ଟାଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଓଡ଼ିଆଭାଷା ଉପରେ କେବଳ ବାଣିଜ୍ୟ ବ୍ୟବସାୟମୂଳକ ଶବ୍ଦଗୁଡ଼ିକ ପ୍ରଭାବିତ କରିଥିଲେ ।

 

‘‘ଓଡ଼ିଆରେ ବ୍ୟବହୃତ ଆରବ୍ୟ ଶଦ୍ଦଗୁଡ଼ିକ ସାଧାରଣତଃ ଧର୍ମଗତ, ଶାସନଗତ ଓ ଭୈଷଜ୍ୟ ସମ୍ୱନ୍ଧରେ କେବଳ ପ୍ରଚଳିତ । ଆଧୁନିକ ଓଡ଼ିଆ ଭାଷା-ସମ୍ଭାର ମଧ୍ୟରେ ଶାସନ-ସମ୍ପର୍କୀୟ ଆରବ୍ୟ ଶବ୍ଦଗୁଡ଼ିକ ପାରସ୍ୟ ଶବ୍ଦ ସହିତ ଅନୁପ୍ରବେଶ କରିଥିବା ଜଣାପଡ଼େ । ଏହା ମୁସଲମାନମାନଙ୍କ ଭାରତ ଆକ୍ରମଣ ପରେ ଓଡ଼ିଆ,ବଙ୍ଗଳା,ହିନ୍ଦୀ ପ୍ରଭୃତି ଭାଷାରେ ଆତ୍ମପ୍ରକାଶ କରିଛି । ଏଣୁ, ଓଡ଼ିଆରେ ବ୍ୟବହୃତ ଶବ୍ଦ ମଧ୍ୟରୁ କିଏ ଆରବ୍ୟ କିଏବା ପାରସ୍ୟ ।’’ ।୪।

 

ମାତ୍ର ଧର୍ମଗତ,ଶାସନଗତ ବା ଭେଷଜ ସମ୍ପର୍କୀୟ ଶବ୍ଦଗୁଡ଼ିକୁ ବାଦ୍‌ ଦେଲେ କାବ୍ୟିକ ଭାଷାଗୁଡ଼ିକ ମଧ୍ୟ ଓଡ଼ିଆ ସଙ୍ଗୀତଗୁଡ଼ିକରେ ପ୍ରଭାବ ପକେଇଛି । ପାରସ୍ୟ କବି ‘ଓମର୍‌ଖୟାମ୍’ଙ୍କ ‘ରୁବାୟତ୍’ ସେତେବେଳେ ମଧ୍ୟ ଓଡ଼ିଆକବିମାନଙ୍କୁ ପ୍ରଭାବିତ କରିଥିଲା, ଯାହାର ପ୍ରଚୁର ଉଦାହରଣ କାବ୍ୟଶିଳ୍ପୀ କବିସୂର୍ଯ୍ୟ ବଳଦେବ ରଥଙ୍କ କବିତାଗୁଡ଼ିକରୁ ଉପଲବ୍‌ଧ ହୋଇଥାଏ ।

 

ସଂଗୀତଯୁଗର ଅନ୍ୟାନ୍ୟ ଶିଳ୍ପୀମାନଙ୍କ ପରି କବିସୂର୍ଯ୍ୟ ମଧ୍ୟ ଦିବ୍ୟ ଓ ଅଦିବ୍ୟ ଉଭୟ ଭାଷାର ସମ୍ମିଶ୍ରଣରେ ତାଙ୍କ ସଂଗୀତଗୁଡ଼ିକୁ ଶ୍ରୁତିମଧୁର କରିଛନ୍ତି । ତତ୍‌ସମ ଶବ୍ଦଗୁଡ଼ିକ ସହିତ ଦେଶଜ ଶବ୍ଦର ସଂଯୋଗ ତାଙ୍କ ସଙ୍ଗୀତ ଚଉପଦୀଗୁଡ଼ିକୁ ବହୁ ଜନପ୍ରିୟ କରିଅଛି । ଅଧ୍ୟାପକ ଦାଶରଥି ଦାସ-କବିସୂର୍ଯ୍ୟଙ୍କ କବିତାଗୁଡ଼ିକରେ ପ୍ରୟୋଗ ହୋଇଥିବା ଯାବନିକ ଭାଷା ସମ୍ପର୍କରେ ସ୍ୱୀୟ ମତ ପ୍ରକାଶ କରି କହିଛନ୍ତି-

 

‘‘ଖାଣ୍ଟି ତତ୍‌ସମ ଶବ୍ଦ ସଙ୍ଗରେ ପ୍ରଚୁର ଶବ୍ଦ ଏପରିକି ବିଦେଶୀ ଶବ୍ଦ ଅବଲୀଳା କ୍ରମେ ବ୍ୟବହାର କରିବା କ୍ଷେତ୍ରରେ କବିସୂର୍ଯ୍ୟ ଓଡ଼ିଆ ସାହିତ୍ୟରେ ଅଗ୍ରଦୂତ । ଭାଷାର ଗୁରୁଚଣ୍ଡାଳ ଦୋଷ ପ୍ରତି ସେ ଦୃଷ୍ଟି ଦେଇନାହାନ୍ତି କାବ୍ୟ କବିତା ପାଇଁ ସିଧାସଳଖ ଲୋକମୁଖରୁ ଶବ୍ଦ ସଂଗ୍ରହ କରିଛନ୍ତି । ଏହାଦ୍ୱାରା ତାଙ୍କ ରଚନା ଅଧିକ ଜୀବନ୍ତ ଓ ଲୋକଜୀବନସଂପୃକ୍ତ ହୋଇପାରିଛି ।’’।୫।

 

ସୁତରାଂ, କବିସୂର୍ଯ୍ୟ କବିତାରେ ଯାବନିକ ଭାଷାର ଆବଶ୍ୟକତା ସେତେବେଳେ ସ୍ୱୀକାର କରିଛନ୍ତି ଯେଉଁ ସମୟରେ କି ଯାବନିକ ଶବ୍ଦଗୁଡ଼ିକ ଆସି ଅବିକଳ ଭାବରେ ଓଡ଼ିଆ ଲୋକଙ୍କ ମୁଖରେ କଥିତ ହୋଇଅଛି ବା ସଂପୂର୍ଣ୍ଣଭାବରେ ଓଡ଼ିଆ ଭାଷା ସହିତ ବି ମିଶ୍ରିତ ହୋଇଯାଇଛି । ଏହା ତାଙ୍କ କବିତାଗୁଡ଼ିକୁ ସର୍ବାଙ୍ଗସୁନ୍ଦର କରି ଗଢ଼ି ତୋଳିଛି । କବିସୂର୍ଯ୍ୟଙ୍କ ସଙ୍ଗୀତଗୁଡ଼ିକରେ ପ୍ରଯୁକ୍ତ ଯାବନିକ ଶବ୍ଦ କେତେକାଂଶରେ ଅବିକୃତ ବା ଅପଭ୍ରଂଶିତ ହୋଇ ପ୍ରଯୁକ୍ତ ହେଉଅଛି । ଏହି ପରିପ୍ରେକ୍ଷୀରେ କାବ୍ୟ-ଶିଳ୍ପୀଙ୍କ ଶିଳ୍ପରେ ପ୍ରଯୁକ୍ତ ହେଉଥିବା ଯାବନିକ ଶବ୍ଦଗୁଡ଼ିକୁ ନିମ୍ନଭାଗରେ ବିଭକ୍ତ କରାଯାଇପାରେ । ଯଥା-୧-ସଂପୂର୍ଣ୍ଣ ବା ଅବିକୃତ ଯାବନିକ ଶବ୍ଦ, ୨-ବିକୃତ ଯାବନିକ ଶବ୍ଦ, ୩-ଯାବନିକ ଶବ୍ଦର ରୂପରେ ପରିବର୍ତ୍ତନ ।

 

୧-ସଂପୂର୍ଣ୍ଣ ବା ଅବିକୃତ ଯାବନିକ ଶବ୍ଦ :

ଭାଷାତତ୍ତ୍ୱବିଦ୍‌ମାନଙ୍କ ଆଲୋଚନାରେ ଶାସନ-ସମ୍ପର୍କୀୟ, ଧର୍ମୀୟ ବା ବୈଷୟିକ (Technical) ଶବ୍ଦଗୁଡ଼ିକ ତତ୍‌କାଳୀନ ଓଡ଼ିଆଭାଷାକୁ ପ୍ରଭାବିତ କରିଛନ୍ତି, ଯାହାକି ଓଡ଼ିଆ ଭାଷାରେ ଅବିକଳ-ଭାବରେ ଲୋକଙ୍କ ମୁଖରେ କଥିତ ହୋଇଆସୁଅଛି । ସଙ୍ଗୀତଯୁଗର କାବ୍ୟଶିଳ୍ପୀଗଣ ଏହାକୁ ସେମାନଙ୍କ କବିତାଗୁଡ଼ିକରେ ପ୍ରୟୋଗ କରିଛନ୍ତି ଓ କବିତା ଭିତରେ ଶ୍ରୁତିମାଧୁର୍ଯ୍ୟ ସୃଷ୍ଟି କରୁଅଛି । ସୁତରାଂ, ଏହି ଶବ୍ଦଗୁଡ଼ିକ ପ୍ରୟୋଗ ହେଲାବେଳକୁ ତତ୍‌ସମ ଭାବରେ ଉଚ୍ଚାରିତ ହୋଇଆସୁଅଛି ।

 

ଚମ୍ପୂ ସାହିତ୍ୟର କ୍ରମବିକାଶରେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି । ସମାଲୋଚକ ଦାଶରଥି ଦାସ ଏହାକୁ ଚମ୍ପୂକାବ୍ୟ (୩) ରୂପେ ଗ୍ରହଣ କରି ନଥିଲେ ମଧ୍ୟ ଏହି କାବ୍ୟର ଚଉତିଶା-ରୀତି ଖୁବ୍ ସୁନ୍ଦର ହୋଇଛି । ବିଶେଷଭାବରେ ଯାବନିକ-ଭାଷାର ପ୍ରୟୋଗ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ କବିତା-ଶିଳ୍ପ ଭିତରେ ଦେଖିବାକୁ ମିଳେ । ସମ୍ପୂର୍ଣ୍ଣ ଯାବନିକ ଶବ୍ଦଗୁଡ଼ିକର ପ୍ରୟୋଗ ବହୁଳତା ଏଠାରେ ଦିବ୍ୟାଦିବ୍ୟ ଭାଷାର ସୁନ୍ଦର ସମନ୍ୱୟ ସୃଷ୍ଟି କରୁଛି । ‘ଫ’ ଚମ୍ପୂର ଗୀତରେ ଏହା ଲକ୍ଷ୍ୟଣୀୟ, ଯଥା :-

 

(କ) ଫତୁରୀଖୋର ଆଖରକୁ ହେବାର

 

ଏହି ଏକା ଏଥୁ ଫଳ ।

(ଖ) ଫରିଆଦ କାହିଁ ତୋ ନାମେ କରିବି

 

ନିନ୍ଦା କଲେ ପଛେ କରରେ ।

(ଗ) ଫଉଜ ତୁଲେ କୁଞ୍ଜଦ୍ୱାରେ ରଖାଅ

 

ବେତ୍ରବଲ୍ଲୀ ଧାରିଣୀ କି ।

ରେ କିଶୋରୀ, ଫରମାସ ମନେ ମନେ

 

ଫେଇଦିଅ ମୋ ଆବୁର ।

(ଘ) ଫଜିତ ହୋଇ ଦୂରରେ ଥିଲେ ତୋତେ

 

ଭଜିତ ଥିବାର ସତ ।

(ଙ) ଫତୁଆ ନୁହେଁଟି ବୋଲି ଜଗଦ୍ଦେବ

 

ହରିଚନ୍ଦନ ଏ ଗୀତେ ଭଣଇ ।

 

ଉପରୋକ୍ତ କବିତା ପଙ୍‌କ୍ତିଗୁଡ଼ିକରେ ଅବିକୃତ ଭାବରେ ଶବ୍ଦଗୁଡ଼ିକ ପ୍ରୟୋଗ ହୋଇଛନ୍ତି-। ଯାହାକି ତତ୍‌କାଳୀନ ଲୋକମାନଙ୍କ ଭାଷାର ଆଦାନପ୍ରଦାନରେ ବା ଅର୍ଥାଗମରେ ଅବିକୃତତା ଲକ୍ଷିତ ହେଉଅଛି । ଉଦାହରଣ ସ୍ୱରୂପ–

 

(କ)

ଫତୁରୀଖୋର-ମିଥ୍ୟାଭାଷିଣୀ-ଯାବନିକ ଭାଷାର ଏହି ଫତୁରୀଖୋରର ‘ଫତୁରୀ’ ଶବ୍ଦଟି ଇଂରେଜୀ Fear ଏବଂ Liar ଶବ୍ଦଦୁଇଟି ସମ୍ମିଶ୍ରିତ ହୋଇ ଗଠିତ ହୋଇଅଛି । ପରେ ପରେ ଆରବ୍ୟ ତଥା ପାରସ୍ୟ ଭାଷାରେ ପ୍ରଯୁକ୍ତ ହେଉଅଛି । ତେଣୁ, ‘ଫତୁରୀଖୋର’ ଏଠାରେ ଏକ ସମ୍ପୂର୍ଣ୍ଣ ବା ଅବିକୃତ ଯାବନିକ ଶବ୍ଦ ଅଟେ ।

(ଖ)

ଫରିଆଦ-‘ଖ’ ପଙ୍‌କ୍ତିର ‘ଫରିଆଦ୍’ ଶବ୍ଦର ଅର୍ଥ ମଧ୍ୟ ଅବିକୃତ ଭାବରେ ଓଡ଼ିଆ ଅର୍ଥ ସହିତ ସମ୍ମିଶ୍ରିତ ହୋଇଅଛି । ଫରିଆଦ ଶବ୍ଦର ଅର୍ଥ ଅଭିଯୋଗ । ‘ଫରିଆଦ୍’ ଶବ୍ଦ ଏକ ପାରସ୍ୟ ଶବ୍ଦ ।

(ଗ)

ଫଉଜ-‘ଫଉଜ୍‌’ ଶବ୍ଦ ଏକ ପାରସ୍ୟ ଶବ୍ଦ । ଓଡ଼ିଆରେ ‘ଫଉଜ’ ଶବ୍ଦର ଅର୍ଥ ହେଉଛି ସୈନ୍ୟବାହିନୀ । କେବଳ ଓଡ଼ିଆ ଭାଷାରେ ନୁହେଁ ତତ୍‌କାଳୀନ ଭାରତର ପ୍ରାୟତଃ ସମସ୍ତ ପ୍ରାନ୍ତୀୟ ଭାଷାରେ ‘ଫଉଜ୍‌’ ଶବ୍ଦ ପ୍ରଚଳିତ ହୋଇ ଆସୁଅଛି । ହିନ୍ଦୀ ଭାଷାରେ ଏ ପର୍ଯ୍ୟନ୍ତ ଏହି ଶବ୍ଦଟି ବ୍ୟବହୃତ ହେଉଛି ।

(ଘ)

ଫଜିତ-‘ଫଜିତ୍‌’ ଶବ୍ଦ ମଧ୍ୟ ଏକ ପାରସ୍ୟ ଶବ୍ଦ । ଓଡ଼ିଆଭାଷାରେ ଏହାର ଅର୍ଥ ଅପମାନିତ । ପାରସ୍ୟ ଶବ୍ଦ ହେଲେ ମଧ୍ୟ ଏହା ଦେଶଜ ଓଡ଼ିଆ ଶବ୍ଦ ପରି ପ୍ରତୀତ ସୃଷ୍ଟି କରୁଅଛି ।

(ଙ)

ଫତୁଆ-‘ଫତୁଆ’ ଶବ୍ଦ ଯାବନିକ ଶବ୍ଦ ହେଲେ ମଧ୍ୟ ଏହା ଓଡ଼ିଆ ଦେଶଜ ଶବ୍ଦ ପରି ଧାରଣା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏ ପର୍ଯ୍ୟନ୍ତ ମଧ୍ୟ ଓଡ଼ିଆଭାଷାରେ ଏହା ମିଶ୍ରିତ ହୋଇ ରହିଛି । ‘ଫତୁଆ’ ଶବ୍ଦର ଅର୍ଥ ହେଉଛି ଅକୃତକାର୍ଯ୍ୟ । ଏହି ଶବ୍ଦଟି ପରେ ପରେ ଓଡ଼ିଶାର ପଶ୍ଚିମାଞ୍ଚଳୀୟ ସମ୍ୱଲପୁରୀ ଭାଷାରେ ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହେଉଛି ।

 

 

କେବଳ କିଶୋର ଚନ୍ଦ୍ର ନନ୍ଦ ଚମ୍ପୂ ନୁହେଁ, କବିସୂର୍ଯ୍ୟଙ୍କ ‘ରତ୍ନାକର ଚମ୍ପୂ’, ‘ସଙ୍ଗୀତ କଳ୍ପଲତା’, ତଥା ଅସଂପୂର୍ଣ୍ଣ କାବ୍ୟ ‘ଚନ୍ଦ୍ରକଳା’ରେ ମଧ୍ୟ ଏହି ସମ୍ପୂର୍ଣ୍ଣ ଯାବନିକ ଶବ୍ଦର ପ୍ରୟୋଗ ପରିଲକ୍ଷିତ ହୋଇଥାଏ । ସଙ୍ଗୀତଯୁଗର ଅନ୍ୟାନ୍ୟ କାବ୍ୟଶିଳ୍ପୀଙ୍କ ଅପେକ୍ଷା କବିସୂର୍ଯ୍ୟଙ୍କ କବିତାଗୁଡ଼ିକରେ ଯାବନିକ ଭାଷାର ପ୍ରୟୋଗ-ବହୁଳତା ଜଣାପଡ଼େ, ସେ ଯେପରି ଯାବନିକ ଭାଷା ପ୍ରତି ବିଶେଷ ଅନୁରକ୍ତ ଥିଲେ ।

 

‘ରତ୍ନାକର ଚମ୍ପୂ’ ଚଉତିଶାରୀତିରେ ସୃଷ୍ଟି କରାଯାଇଛି, ଯାହା ଭିତରେ କି ସମ୍ପୂର୍ଣ୍ଣ ଯାବନିକ ଶବ୍ଦଗୁଡ଼ିକର ପ୍ରୟୋଗ ଅନୁସନ୍ଧାନସାପେକ୍ଷ । ଯଥା :-

 

(କ) ତତ୍ତ୍ୱ ଜାଣେ କବି ତରଣୀ ତା’ ଭାବି

 

ତଲାସ ଯେ ଯା’କୁ ନାହିଁ ।

(ଖ) ପୃଥ୍ୱୀଦେବ କବି ରବି ରାୟଗୁରୁ ବୋଲେ

 

କରୁ ଫରିଆଦ ଗୋ ।

(ଗ) ଭୟାଭିନୟ ଦୟା ବିନୟ ନୟନ

 

ଫରମାସ ।

 

ଏହି ସଙ୍ଗୀତ ପଙ୍‌କ୍ତିଗୁଡ଼ିକରେ ତଲାସ୍, ଫରିଆଦ୍, ଫରମାସ ଇତ୍ୟାଦି ସମ୍ପୂର୍ଣ୍ଣ ଯାବନିକ ଶବ୍ଦ । ଅବଶ୍ୟ ଏ କ୍ଷେତ୍ରରେ ଶବ୍ଦଗୁଡ଼ିକରୁ ହଲନ୍ତ୍ ଲୋପ ପାଇଯାଇଛନ୍ତି । ପାରସୀ ତଲାସ୍‌ର ଅର୍ଥ ହେଉଛି ଖୋଜିବା । ‘ତଲାସ୍’ ଶବ୍ଦଟି ସଙ୍ଗୀତରେ ପ୍ରୟୋଗ ହେବା ସମୟରେ ବର୍ଣ୍ଣରେ ସଂଯୁକ୍ତ ହଲନ୍ତ୍ ଲୋପ ପାଇଯାଇଛି । ସେହିପରି ‘ଫରିଆଦ୍’ ‘ଫରମାସ’ ଇତ୍ୟାଦି ଶବ୍ଦଗୁଡ଼ିକରୁ ହଲନ୍ତ୍ ଲୋପ ପାଇଯାଇ ‘ଅ’ କାରାନ୍ତ ଭାବରେ ଏଗୁଡ଼ିକ ଉଚ୍ଚାରିତ ହୋଇଛନ୍ତି । ‘ଫରମାସ’ ଶବ୍ଦର ଅର୍ଥ ହେଉଛି ବରାଦ ବା ଅନୁରୋଧ । ଏଠାରେ ହଲନ୍ତ୍ ଲୋପ ହେବାର କାରଣ ହେଉଛି ଯେ, ଶବ୍ଦଗୁଡ଼ିକ ସଙ୍ଗୀତରେ ବ୍ୟବହୃତ ହୋଇଛନ୍ତି ଓ ସଙ୍ଗୀତର ସ୍ୱାଭାବିକ ପଦମେଳ ସୃଷ୍ଟି କରିବା ନିମନ୍ତେ ଶେଷ ସ୍ୱରାନ୍ତ ସୃଷ୍ଟି କରାଯାଇଛି । ଉପର୍ଯ୍ୟୁକ୍ତ ପ୍ରତ୍ୟେକ ଶବ୍ଦ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ଯାବନିକ ଶବ୍ଦ ।

 

କାବ୍ୟଶିଳ୍ପୀ କବିସୂର୍ଯ୍ୟ ବଳଦେବଙ୍କ ‘ସଙ୍ଗୀତ କଳ୍ପଲତା’ ମଧ୍ୟ ବହୁଜନଚର୍ଚ୍ଚିତ ସଙ୍ଗୀତଗୁଚ୍ଛ ଅଟେ । ଏହି ଗ୍ରନ୍ଥ ଭିତରେ ମଧ୍ୟ ସମ୍ପୂର୍ଣ୍ଣ ଯାବନିକ ଶବ୍ଦଗୁଡ଼ିକର ପ୍ରୟୋଗ ଘଟି ସଙ୍ଗୀତଗୁଡ଼ିକର ଶ୍ରୁତି-ମାଧୁର୍ଯ୍ୟ ରକ୍ଷା କରିଅଛନ୍ତି । ଯଥା :-

 

(କ) ବସି ତନାବି ପାଶେ ଅସିତ ବେଷା ତୋଷେ

 

ହସି ଫୁଲାଇ ଚାରୁ ନାସାକୁ ରେ ।

(ଖ) ବିନ୍ଧି କୋଟି କୋଟି ବାଣ ଦେଲା ହଟି

 

ଦେଲା ମୋ ଆବୁର ସାରି ରେ ।

(ଗ) ନଉକିରି କି ବାଇ ହେବାଯାଏ

 

ଲଗାଇ ଜାଣୁ ତ ମୋହନ ମନ୍ତରକୁ ଗୋ ।

(ଘ) ଟାକର ମାରି ମୋ ଆଶା, ମୁଣ୍ଡେ

 

ଖଞ୍ଜରୀଟ ଦୃଶା ।

 

ଉପର୍ଯ୍ୟୁକ୍ତ କବିତା ପଙ୍‌କ୍ତି ମଧ୍ୟରେ ପ୍ରଯୁକ୍ତ ହୋଇଥିବା ଶବ୍ଦଗୁଡ଼ିକ ସମ୍ପୂର୍ଣ୍ଣ ଯାବନିକ ଶବ୍ଦ ଅଟନ୍ତି । ‘ତନାବୀ’ ସମ୍ପୂର୍ଣ୍ଣ ଭାବରେ ଏକ ଯାବନିକ ଶବ୍ଦ । ଏହାର ଓଡ଼ିଆ ଅର୍ଥ ହେଉଛି ‘ଗବାକ୍ଷ’ । ‘ଆବୁର’ ଶବ୍ଦର ଅର୍ଥ ହେଉଛି ମହତ୍ତ୍ୱ । ‘ଆବୁର୍‌’ ପାରସ୍ୟ ଶବ୍ଦରୁ ହଲନ୍ତ୍ ଲୋପ ପାଇ ପରବର୍ତ୍ତୀ ସମୟରେ ସ୍ୱରାନ୍ତ ଦ୍ୱାରା ବର୍ଣ୍ଣଟି ଗଠିତ ହୋଇ ‘ଆବୁର’ ଶବ୍ଦ ହୋଇଅଛି । ତୃତୀୟତଃ, ନଉକରୀ ପାରସୀ ଶବ୍ଦର ଓଡ଼ିଆ ଅର୍ଥ ହେଉଛି, ‘ଚାକିରୀ’ । ଏହା ମଧ୍ୟ ଏକ ସମ୍ପୂର୍ଣ୍ଣ ଯାବନିକ ଶବ୍ଦ ଅଟେ । ଚତୁର୍ଥତଃ ‘ଟାକର’ ମଧ୍ୟ ଏକ ସମ୍ପୂର୍ଣ୍ଣ ଯାବନିକ ଶବ୍ଦ । ତତ୍‌କାଳୀନ ଓଡ଼ିଆ ଦେଶଜ ଶବ୍ଦ ସହିତ ଏଗୁଡ଼ିକ ସମ୍ମିଶ୍ରିତ ହୋଇ ଦେଶଜ ଶବ୍ଦର ପ୍ରତୀତି ସୃଷ୍ଟି କରୁଅଛି ।

 

ଓଡ଼ିଆ ଶବ୍ଦଗୁଡ଼ିକ ସହିତ ସମ୍ପୂର୍ଣ୍ଣ ଯାବନୀକ ଶବ୍ଦଗୁଡ଼ିକର ସମନ୍ୱୟରେ ଏଠାରେ ଔଚିତ୍ୟ ସୃଷ୍ଟି ହୋଇଅଛି, ଯାହାକି ସଙ୍ଗୀତଗୁଡ଼ିକ ଭିତରେ ଶବ୍ଦଗତ ସୌନ୍ଦର୍ଯ୍ୟ ସୃଷ୍ଟି କରୁଅଛି ।

 

୨-ବିକୃତ ବା ତଦ୍‌ଭବ ଯାବନିକ ଶବ୍ଦ :-

ଯାବନିକ ଶବ୍ଦଗୁଡ଼ିକ ଓଡ଼ିଆଭାଷାକୁ ପ୍ରଭାବିତ କରିବା ପରେ ବା କାବ୍ୟ-ଶିଳ୍ପଗୁଡ଼ିକରେ ଅବିକୃତ ଭାବରେ ପ୍ରଯୁକ୍ତ ହେବା ପରେ ଏହା ଓଡ଼ିଆଭାଷା ସହିତ ସମ୍ପୂର୍ଣ୍ଣ ଭାବରେ ମିଶ୍ରିତ ହୋଇଯାଇଛି । ସଂସ୍କୃତଭାଷାର ବିଭିନ୍ନ ଶବ୍ଦଗୁଡ଼ିକ ଓଡ଼ିଆଭାଷାରେ ସଂଯୁକ୍ତ ହେବା ପରେ ଯେଉଁପରି ତଦ୍‌ଭବ ଭିତ୍ତିରେ ବ୍ୟବହୃତ ହେଉଛନ୍ତି ସେହିପରି ମୂଳ ଶବ୍ଦରୁ ବିକୃତ ବା ଅପଭ୍ରଂଶ ହେଉଥିବା ଶବ୍ଦଗୁଡ଼ିକ କାବ୍ୟ-ଶିଳ୍ପୀ ବଳଦେବ ରଥଙ୍କ କବିତାଗୁଡ଼ିକରେ ପରିଦୃଷ୍ଟ ହୋଇଥାଏ । କାରଣ, ଶିଳ୍ପୀ ମୁଖ୍ୟତଃ ଜନସାଧାରଣଙ୍କ କଥିତ ଶବ୍ଦକୁ ନେଇ ସ୍ୱକୀୟ ସଙ୍ଗୀତଗୁଡ଼ିକରେ ପରୀକ୍ଷା କରିବାକୁ ଚେଷ୍ଟା କରିଛନ୍ତି ।

 

ବିକୃତ ଯାବନିକ ଶବ୍ଦର ପ୍ରୟୋଗ ପ୍ରାୟତଃ ଶିଳ୍ପୀଙ୍କ ପ୍ରତ୍ୟେକ କବିତା ଭିତରେ ପ୍ରଯୁକ୍ତ ହେବାର ଦେଖାଯାଇଥାଏ । କିଶୋର ଚନ୍ଦ୍ରାନନ୍ଦ ଚମ୍ପୂରେ ସଂଯୁକ୍ତ ଯାବନିକ ଶବ୍ଦଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା-

 

(କ) ଖିଆଲ ପରିକି ଧନ ମନରେ

 

ଭାଳିଲୁରେ ।

(ଖ) ଗୋଡ଼ ଖସି ଖେଦ ହେବାର ଦରଦ

 

ଯିବାର ଉପାୟ କହ ।

(ଗ) ଟିକାୟିତ ଅଷ୍ଟଦୁର୍ଗର କହଇ

 

ଶ୍ୟାମ ଏ କି ଆଚରିତ ହେ ।

(ଘ) ତୋ ଘେନି ତମାଳ ଶ୍ୟାମ

 

ମୋ ମରଜି କଷିଲାରେ ।

(ଙ) ଖରାପ ତୁ ହେଲୁରେ.....

 

ଉପରୋକ୍ତ କବିତା-ପଙ୍‌କ୍ତିଗୁଡ଼ିକରେ ଖିଆଲ, ଦରଦ, ଟିକାୟିତ, ମରଜି, ଖରାପ ଇତ୍ୟାଦି ବିକୃତ ବା ମୂଳ ଯାବନିକ ଶବ୍ଦରୁ ଅପଭ୍ରଂଶ ହୋଇ ପ୍ରଯୁକ୍ତ ହୋଇଛନ୍ତି, ନିମ୍ନପ୍ରକାରେ ସେଗୁଡ଼ିକର ଭାଷା-ତାତ୍ତ୍ୱିକ ଟିପ୍‌ପଣୀ ଦିଆଯାଇପାରେ ।

 

(କ)

ଖିଆଲ

ପାରସୀ ‘ଖିୟାଲ’ ଶବ୍ଦରୁ ଖିଆଲ୍ ଶବ୍ଦ ସୃଷ୍ଟିଲାଭ କରିଅଛି । ଖିଆଲ ଶବ୍ଦର ଅର୍ଥ ହେଉଛି ଥଟ୍ଟା । ‘ଖୟାଲ’ ଶବ୍ଦ ଓଡ଼ିଆ ଲୋକମାନଙ୍କ ମୁଖରେ କଥିତ ହେବା ସମୟରେ ‘ଖ’ ବର୍ଣ୍ଣରୁ ‘ଅ’ ଲୁପ୍ତ ହୋଇ ‘ଇ’ ବର୍ଣ୍ଣର ଆଗମ ଘଟିଅଛି । ଦ୍ୱିତୀୟତଃ, ‘ୟ’ ଅବର୍ଗ୍ୟ ବର୍ଣ୍ଣର ବିଲୁପ୍ତିରେ ଶେଷାଂଶ ‘ଅ’ର ଆଗମ ଘଟି ‘ଖୟାଲ’ ପରବର୍ତ୍ତୀ ସମୟରେ ‘ଖିଆଲ’ ରୂପେ ଉଚ୍ଚାରିତ ହୋଇଅଛି । ଓଡ଼ିଆ ମୁଖର ଏହି ‘ଖିଆଲ’ ଶବ୍ଦଟି କବିତାରେ ବ୍ୟବହୃତ ହୋଇ କବିତାର ସ୍ୱର ମାଧୁରୀ ରକ୍ଷା କରିଛି ।

(ଖ)

ଦରଦ

ପାରସ୍ୟ ‘ଦରଜ’ ଶବ୍ଦରୁ ‘ଦରଦ’ ଶବ୍ଦଟି ସୃଷ୍ଟିଲାଭ କରିଅଛି । ‘ଜ’ ତାଳବ୍ୟ ବର୍ଣ୍ଣର ‘ଦ’ ଦନ୍ତ୍ୟ ବର୍ଣ୍ଣରେ ପରିଣତି ‘ଦରଦ’ ଶବ୍ଦ ଗଠନ କରିଅଛି । ଏହାର ଅର୍ଥ ହେଉଛି ବ୍ୟଥା ବା କଷ୍ଟ । ଏହି ଶବ୍ଦଟି ଏବେ ମଧ୍ୟ ଲୌକିକ ଭାଷାରେ ‘ବ୍ୟଥା’ ଅର୍ଥରେ ପ୍ରଯୁକ୍ତ ହେଉଅଛି ।

(ଗ)

ଟିକାୟିତ

ଯାବନିକ ‘ଟିକାଏତ୍’ ଶବ୍ଦରୁ ‘ଟିକାୟତ’ ଶବ୍ଦ ସୃଷ୍ଟି ହୋଇଛି । ‘ଟିକାଏତ୍’ ଲୋକ ମୁଖରେ ଉଚ୍ଚାରିତ ହେବା ସମୟରେ ‘ଏ’ ଲୁପ୍ତ ହୋଇ ସେହି ସ୍ଥଳରେ ‘ୟ’ ପ୍ରଯୁକ୍ତ ହୋଇଅଛି । କବିତାରେ ଏହା ପ୍ରୟୋଗ ଲାଭ କରିବା ସମୟରେ ସ୍ୱଭାବତଃ ‘ୟ’ ବ୍ୟଞ୍ଜନବର୍ଣ୍ଣ ସହିତ ‘ଇ’ ସ୍ୱରବର୍ଣ୍ଣ ସଂଯୁକ୍ତ ହୋଇ ‘ୟ’ ରୂପେ ଉଚ୍ଚାରିତ ହୋଇଅଛି । ‘ଟିକାୟିତ’ ଶବ୍ଦର ଅର୍ଥ ହେଉଛି ‘ଯୁବକ ରାଜା’ ।

(ଘ)

ମରଜି

‘ମରଜି’ ଶବ୍ଦଟି ପାରସୀ ‘ମର୍ଜି’ ଶବ୍ଦରୁ ସୃଷ୍ଟି । ଭାଷାତତ୍ତ୍ୱର ସ୍ୱରଉକ୍ତି ନିୟମ ଅନୁସାରେ ‘ମର୍ଜି’ ଶବ୍ଦଟି ‘ମରଜି’ ହୋଇଛି । ବିଶେଷତଃ, ଶବ୍ଦକୁ ସାଙ୍ଗୀତିକ କରିବା ସକାଶେ କାବ୍ୟ ବା କବିତାରେ ସ୍ୱରଉକ୍ତି ନିୟମ ସୃଷ୍ଟି କରାଯାଇଥାଏ । ଉଦାହରଣ ସ୍ୱରୂପ ଭକ୍ତି > ଭଗତି, ଧର୍ମ > ଧରମ, କୀର୍ତ୍ତି > କୀରତି ଇତ୍ୟାଦି । ସେହିପରି ଏଠାରେ ମର୍ଜି > ମରଜି ହୋଇଅଛି ।

(ଙ)

ଖରାପ

‘ଖରାପ’ ଶବ୍ଦ ପାରସୀ ଖରାବ୍‌ ଶବ୍ଦରୁ ସୃଷ୍ଟି ହୋଇଛି । ଖରାବ୍ ଶବ୍ଦର ଅର୍ଥ ହେଉଛି ମନ୍ଦ । ଏହି କ୍ଷେତ୍ରରେ ଅଳ୍ପପ୍ରାଣ ‘ବ’ ଲୋପରେ ‘ବର୍ଗ’ର ପ୍ରଥମ ବର୍ଣ୍ଣ ‘ପ’ର ଆଗମ ଘଟିଅଛି ।

 

ଏହି ଶବ୍ଦଗୁଡ଼ିକ ତଦ୍‌ଭବ ହେଲେ ମଧ୍ୟ ଦେଶଜ ଶବ୍ଦ ପରି ପ୍ରତୀତ ହେଉଛି ଏବଂ ଆଜି ପର୍ଯ୍ୟନ୍ତ ସମାଜରେ ଏହି ଶବ୍ଦଗୁଡ଼ିକ ଅବିକଳ ଭାବରେ ପ୍ରଯୁକ୍ତ ହେଉଛି । ପ୍ରାୟତଃ, ଯାବନିକ ଭାଷାର ପ୍ରୟୋଗ ଦ୍ୱାରା ତା’ ଭିତରେ ଓଡ଼ିଆତ୍ଵ ସୃଷ୍ଟି କରିବା ଏହି ସମୟର କାବ୍ୟଶିଳ୍ପୀମାନଙ୍କର କବିତାଗୁଡ଼ିକ ଭିତରେ ଉପଲବ୍‌ଧ ହୋଇଥାଏ । ସଙ୍ଗୀତ ଯୁଗର ଅନ୍ୟ ଜଣେ ସ୍ରଷ୍ଟା ବ୍ରଜନାଥ ବଡ଼ଜେନାଙ୍କ ‘ସମର ତରଙ୍ଗ’ କାବ୍ୟରେ ଅଧିକାଂଶ ଯାବନିକ ଶବ୍ଦର ଏହି ଧାରଣା ସୃଷ୍ଟି ହେଉଅଛି-

 

‘‘ସାରା ଫଉଜ ହେଲେ ତୟାର/ମୂସଦିମୂସା ହେଲେ ବାହାର/କି ସରକାର, କି ଜମାଦାର ଯେ ।’’ (୮)

 

ଏହି କବିତା ପଙ୍‌କ୍ତିରେ ‘ଫଉଜ’, ‘ତୟାର୍’, ସରକାର, ଜମାଦାର ଇତ୍ୟାଦି ଶବ୍ଦଗୁଡ଼ିକ ଅପଭ୍ରଂଶ ଯାବନିକ ଭାଷା ହେଲେ ମଧ୍ୟ ଏ ଭିତରେ ଓଡ଼ିଆତ୍ୱର ଧାରଣା କାବ୍ୟର ଭାଷାକୁ ସର୍ବାଙ୍ଗ ସୁନ୍ଦର କରିଅଛି ।

 

କେବଳ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂରେ ନୁହେଁ, ଶିଳ୍ପୀ ବଳଦେବ ରଥଙ୍କ ରତ୍ନାକର ଚମ୍ପୂ, ସଙ୍ଗୀତ କଳ୍ପଲତା ଇତ୍ୟାଦି କବିତାଗୁଚ୍ଛଗୁଡ଼ିକରେ ଅପଭ୍ରଂଶିତ ଯାବନିକ ଶବ୍ଦଗୁଡ଼ିକର ସମ୍ଭାର ଦୃଷ୍ଟିଗୋଚର ହୋଇଥାଏ । ଯଥା:-

 

(କ)

ନଉକର ପଣେ ଜଣେ

(ଖ)

ଟମକ ଯେ ବାଜେ ବ୍ରଜ

(ଗ)

ଥାନେଦାର ରଣ ରଣ ।

 

ଉପରୋକ୍ତ ସଙ୍ଗୀତ ଧାଡ଼ିଗୁଡ଼ିକ ମଧ୍ୟରେ ପ୍ରଯୁକ୍ତ ଯାବନିକ ଶବ୍ଦଗୁଡ଼ିକ ମୂଳ ଯାବନିକ ଶବ୍ଦରୁ ଅପଭ୍ରଂଶ ହୋଇ ସୃଷ୍ଟି ଲାଭ କରିଛନ୍ତି । ଯଥା :-

 

(କ)

ନଉକର

ପାରସୀ ‘ନୌକର’ ଶବ୍ଦ ଭାଷାତତ୍ତ୍ୱର ସ୍ୱରଭକ୍ତି ପ୍ରକ୍ରିୟା ଅନୁସାରେ ‘ନଉକର’ରେ ପରିଣତ ହୋଇଛି । କବିତାର ଭାଷାକୁ ସରଳ ଓ ସୁଭଗ କରିବା ନିମନ୍ତେ ଏଠାରେ ଏହି ବ୍ୟୁତ୍ପତ୍ତି ମାଧୁର୍ଯ୍ୟ ମଣ୍ଡିତ ହୋଇଛି ।

(ଖ)

ପାରସୀ

‘ଟମକ’ ଶବ୍ଦର ଓଡ଼ିଆ ଅର୍ଥ ହେଉଛି ବୀରବାଦ୍ୟ ବା ଢୋଲବାଦ୍ୟ । ‘ଟମକ୍’ ଶବ୍ଦରୁ ହଲନ୍ତ୍ ଲୋପ ହୋଇ ପରବର୍ତ୍ତୀ ସମୟରେ ‘ଟମକ’ ଓଡ଼ିଆ ଶବ୍ଦରେ ବ୍ୟବହୃତ ହେଉଅଛି । କାବ୍ୟଶିଳ୍ପୀ ବଳଦେବ ରଥଙ୍କ ସଙ୍ଗୀତରେ ଏହି ଶବ୍ଦର ପ୍ରୟୋଗ ଏଠାରେ ସୌନ୍ଦର୍ଯ୍ୟବୋଧାତ୍ମକ ହୋଇଅଛି ।

(ଗ)

ଥାନେଦାର

ପାରସୀ ‘ଠାଣେଦାର’ ଶବ୍ଦରୁ ‘ଠ’ ଓଡ଼ିଆରେ ଉଚ୍ଚାରିତ ହେବା ସମୟରେ ‘ଥ’ରେ ପରିଣତ ହୋଇଯାଇଛି । ଦ୍ୱିତୀୟତଃ, ‘ଣ’ ‘ନ’ରେ ପରିଣତ ହୋଇ ଶେଷ ସ୍ୱରବର୍ଣ୍ଣ ‘ର’ରୁ ହଳନ୍ତ୍‌ର ଲୋପ ଘଟି ଥାନେଦାର୍‌ ଶବ୍ଦ ସୃଷ୍ଟି ହୋଇଅଛି ।

 

କାବ୍ୟଶିଳ୍ପୀଙ୍କ ‘ସଙ୍ଗୀତ କଳ୍ପଲତା’ କବିତାଗୁଚ୍ଛରେ ମଧ୍ୟ ତଦ୍‌ଭବ ବା ବିକୃତ ଯାବନିକ ଶବ୍ଦଗୁଡ଼ିକରେ ବହୁଳ ପ୍ରୟୋଗ ଦେଖାଯାଇଥାଏ । ଯଥା:-

 

(କ) ବସି ତନାବୀ ପାଶେ ଅସିତ କେଶା

ତୋଷେ ହସି ଫୁଲାଇ ଚାରୁ ନାସାକୁ ରେ ।

(ଖ) ମୁହଁ ନ ଚାହାଁ ଭଳି ‘ଘୋଷା’କୁ ରେ

(ଗ) ଖିଲାଇ ମାତ୍ରକ ବିନ୍ଦୁମିତ ମଧୁ ।

 

ଉପର୍ଯ୍ୟୁକ୍ତ ସଙ୍ଗୀତ ପଙ୍‌କ୍ତିରେ ‘ତନାବୀ, ‘ଘୋଷା’, ଖିଲାଇ ଇତ୍ୟାଦି ତଦ୍‌ଭବ ଯାବନିକ ଶବ୍ଦ ଅଟନ୍ତି । ଏଗୁଡ଼ିକର ଶବ୍ଦତାତ୍ତ୍ୱିକ ଟିପ୍‌ପଣୀ ନିମ୍ନପ୍ରକାରେ ଦିଆଯାଇପାରେ ।

 

(କ)

ତନାବୀ

ପାରସୀ ‘ତନାବ୍’ ଶବ୍ଦର ଅର୍ଥ ହେଉଛି ଗବାକ୍ଷ । ‘ତନାବ୍’ ଶବ୍ଦରେ ‘ଈ’କାର ସମ୍ମିଶ୍ରିତ ହୋଇ ‘ତନାବୀ’ ଶବ୍ଦଟି ସୃଷ୍ଟିଲାଭ କରିଛି । ‘ତନାବୀ’ ଏଠାରେ ଏକ ଦେଶଜ ଓଡ଼ିଆ ଶବ୍ଦର ପ୍ରତୀତି ସୃଷ୍ଟି କରି ପଦ ମଧ୍ୟରେ ଏକ ଶବ୍ଦଗତ ସୌନ୍ଦର୍ଯ୍ୟ ସୃଷ୍ଟି କରୁଅଛି ।

(ଖ)

ଘୋଷା

ପାରସୀ ‘ଗୁସ୍‌ସା’ ଶବ୍ଦର ଅର୍ଥ ହେଉଛି କ୍ରୋଧ । ଉପରୋକ୍ତ ପଙ୍‌କ୍ତିରେ ‘ଗୁସ୍‌ସା’ ମହାପ୍ରାଣୀଭୂତ ହୋଇ ‘ଘୋଷା’ରେ ପରିଣତ ହୋଇଛି । ଅର୍ଥାତ୍ ‘ଗ’ ଓଡ଼ିଆ ଭାଷାରେ ଉଚ୍ଚାରିତ ହେବା ସମୟରେ ‘ଘ’ ମହାପ୍ରାଣରେ ପରିଣତ ହୋଇଛି । ଦ୍ୱିତୀୟତଃ ‘ଉ’ କାର ପରବର୍ତ୍ତୀ ସମୟରେ ‘ଓ’ କାରରେ ପରିଣତ ହୋଇଛି । ତୃତୀୟତଃ, ଦୁଇଟି ଦନ୍ତ୍ୟ ‘ସ’ ଏକକୀଭୂତ ହୋଇ ମୂର୍ଦ୍ଧନ୍ୟ‘ସ’ରେ ପରିଣତ ହୋଇ ଘୋଷା ହୋଇଅଛି ।

(ଗ)

‘ଖିଲାଇ’

 

‘ଖିଲାଇ’ ଅବିକଳ ଭାବରେ ‘ପାରସୀ’ ଶବ୍ଦରୁ ସୃଷ୍ଟି ହୋଇଅଛି । ‘ଖିଲାଇ’ ଶବ୍ଦର ଓଡ଼ିଆ ଅର୍ଥ ହେଉଛି ସସ୍ନେହରେ ଖୁଆଇବା ।

 

ଯାବନିକ ଶବ୍ଦଗୁଡ଼ିକର ରୂପରେ ପରିବର୍ତ୍ତନ :

କାବ୍ୟଶିଳ୍ପୀ ବଳଦେବ ରଥଙ୍କ କବିତା-ଶିଳ୍ପରେ ଅବିକୃତ ଓ ବିକୃତ ଯାବନିକ ଶବ୍ଦଗୁଡ଼ିକ ପ୍ରଯୁକ୍ତ ହେବାବେଳେ ଏହାର ଶବ୍ଦରୂପରେ କେତେକ ସ୍ଥଳରେ ପରିବର୍ତ୍ତନ ଘଟିଅଛି । ରୂପର ଏହି ପରିବର୍ତ୍ତନ ଶବ୍ଦଗୁଡ଼ିକରେ ଦେଶଜ ଶାବ୍ଦିକତା ଆରୋପ କରିବା ସଙ୍ଗେ ସଙ୍ଗେ ଏକ ସଙ୍ଗୀତ ମାଧୁର୍ଯ୍ୟ ରକ୍ଷା କରିଅଛି । ସଙ୍ଗୀତ ଯୁଗର ପ୍ରାୟତଃ ପ୍ରତ୍ୟେକ କାବ୍ୟଶିଳ୍ପୀଙ୍କ କବିତାଗୁଡ଼ିକରେ ଏହି ପ୍ରୟୋଗ ପ୍ରବଣତା କବିତାଗୁଡ଼ିକୁ ରସାଳ ଓ ମଧୁର କରିଅଛି ।

 

ଯାବନିକ ଶବ୍ଦଗୁଡ଼ିକର ରୂପାନ୍ତରୀକରଣ ତତ୍‌କାଳୀନ ସାମାଜିକ ଭାଷାଗୁଡ଼ିକରେ ମଧ୍ୟ ଦେଖାଯାଇଥାଏ । କାରଣ, ସମାଜରୁ ଶବ୍ଦଗୁଡ଼ିକୁ ନେଇ ଶିଳ୍ପୀ କବିତା ସୃଷ୍ଟି କରୁଅଛନ୍ତି । ତେଣୁ କବି ବଳଦେବ ରଥଙ୍କ କବିତାଗୁଡ଼ିକରେ ଏହି ରୂପାନ୍ତରୀକରଣ ସ୍ପଷ୍ଟତଃ ଦେଖାଯାଇଥାଏ । ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ରେ ଏହାର ପ୍ରୟୋଗ ଉପଲବ୍‌ଧ ହୋଇଥାଏ । ଯଥା :-

 

ଶବ୍ଦଗୁଡ଼ିକର କ୍ରିୟାରୂପ :

କାବ୍ୟ-ଶିଳ୍ପୀଙ୍କ କେତେକ ପଙ୍‌କ୍ତିରେ ଯାବନିକ ଶବ୍ଦଗୁଡ଼ିକ କ୍ରିୟା ରୂପରେ ପରିଣତ ହୋଇ ଯାଇଛନ୍ତି । ଏହା ସ୍ୱାଭାବିକ ଭାବରେ କବିତାଗୁଡ଼ିକ ଭିତରେ ଏକ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରୁଅଛି । ଯଥା:-

 

(କ) ପାଶୋରାଇ ମନୁ ନାନା କଦନ ଲସାଇ

(ଖ) ଫନ୍ଦାଇ ନାନା ବିନୟେ କହି

 

ଦନ୍ତେ ତୃଣ ଧରିବାର ଗଲା ।

(ଗ) ତୁକାଇ ଦେଲେ ତୃଷିତ

 

ଚକୋର ଚଞ୍ଚୁରେ ଶୀତ

 

ଭାନୁ ଚନ୍ଦ୍ରିକାକୁ ବିତ୍ତଯାଏ କିଛି ସରିକି ରେ ।

(ଘ)ଢୋଳାଇଲା ପରି ଢଳି, ତଳେ ପଡ଼ିଯିବା ଭଳି

 

ହେଲନି ଯେ କୁନ୍ଦକଳି ଦଶନା ଏ ସରିକି ରେ ।

(ଙ) ଲସିବି ଯେବେ ପାଇ ନିନ୍ଦା ଦାଉ

 

ଲାଗିଲି ଆପଣଙ୍କୁ କେହି ଆଉ ।

 

ଉପର୍ଯ୍ୟୁକ୍ତ କବିତା ଧାଡ଼ିଗୁଡ଼ିକରେ ସଂପୂର୍ଣ୍ଣ ଯାବନିକ ଶବ୍ଦଗୁଡ଼ିକ କ୍ରିୟାରୂପ ହୋଇ କବିତାଗୁଡ଼ିକରେ ବ୍ୟବହୃତ ହୋଇଛନ୍ତି ଓ ସଂଗୀତ ଭିତରେ ସୌନ୍ଦର୍ଯ୍ୟ-ବୋଧାତ୍ମକ ପୁଲକ ସୃଷ୍ଟି କରୁଅଛନ୍ତି । ଲସାଇ, ଫନ୍ଦାଇ.ତୁକାଇ, ଢୋଳାଇବା,ଲସିବି ଇତ୍ୟାଦି ଯାବନିକ ଶବ୍ଦଗୁଡ଼ିକର କ୍ରିୟାରୂପ ଅଟନ୍ତି । ନିମ୍ନରେ ସେଗୁଡ଼ିକର ଟିପ୍‌ପଣୀ ଦିଆଯାଇପାରେ । ଯଥା:-

 

(କ) ଲସାଇ :

ପାରସୀ ‘ଲସା’ ଶବ୍ଦର ଓଡ଼ିଆ ଅର୍ଥ ଏକ ପ୍ରକାର ‘ଅଠା’ । ଏହି ‘ଲସା’ ଶବ୍ଦ ଏଠାରେ କ୍ରିୟା ପଦରେ ପରିଣତ ହୋଇ ‘ଲସାଇ’ ହୋଇଛି । ଏଠାରେ ‘ଲସାଇ’ ଶବ୍ଦର କାବ୍ୟଗତ ଅର୍ଥ ହେଉଛି ବାନ୍ଧିଦେବା ବା ବନ୍ଧନ ଭିତରେ ପକାଇ ଦେବା । ଶବ୍ଦରେ ଅର୍ଥାଗମ ସୃଷ୍ଟି କରିବା ନିମନ୍ତେ ‘ଲସାଇ’ ଶବ୍ଦର ଅର୍ଥ ଏଠାରେ ଚମତ୍କାର ହୋଇଛି ।

 

(ଖ) ଫନ୍ଦାଇ :

ପାରସୀ ‘ଫନ୍ଦା’ ଶବ୍ଦର ଓଡ଼ିଆ ଅର୍ଥ ହେଉଛି ମିଛ ବା ମିଥ୍ୟା । ‘ଫନ୍ଦା’ ଶବ୍ଦରେ କ୍ରିୟାଗତ ‘ଇ’ ପ୍ରତ୍ୟୟ ପ୍ରଯୁକ୍ତ ହୋଇ ‘ଫନ୍ଦାଇ’ ବା ମିଥ୍ୟାକହି ଅର୍ଥ ସୃଷ୍ଟି ହେଉଅଛି । କବିତା ଭିତରେ ଏହି ଶବ୍ଦଟି କାବ୍ୟଗତ ସୌନ୍ଦର୍ଯ୍ୟ ସୃଷ୍ଟି କରିବାରେ ସାହାଯ୍ୟ କରୁଅଛି ।

 

(ଗ) ତୁକାଇ :

ପାରସୀ ଭାଷାରେ ତୋକ ଶବ୍ଦର ଅର୍ଥ ହେଉଛି ପିଇବା । ସେହି ତୋକ ଶବ୍ଦରେ ସ୍ୱାଭାବିକ କ୍ରିୟାଗତ ‘ଇ’ ପ୍ରତ୍ୟୟ ସଂଯୁକ୍ତ ହୋଇ ତୁକାଇ ଶବ୍ଦରେ ପରିଣତ ହୋଇଛି ।

 

(ଘ) ଢୋଳାଇବା :

‘ଢୋଳାଇବା’ ପାରସୀ ଶବ୍ଦର ଓଡ଼ିଆ ଅର୍ଥ ହେଉଛି ଘୁମାଇବା । ‘ଢୋଳା’ ଶବ୍ଦର ଅର୍ଥ ମଧ୍ୟ ଆଜ୍ଞାସୂଚକ କ୍ରିୟା ଶଦ୍ଦ । ଢୋଳା ଶବ୍ଦରେ ‘ଇବା’ ପ୍ରତ୍ୟୟ ସଂଯୁକ୍ତ ହୋଇ ‘ଢୋଳାଇବା’ ଶବ୍ଦଟି ଗଠିତ ହୋଇଅଛି ।

 

(ଙ) ଲସିବି :

ପୂର୍ବୋକ୍ତ ‘ଲସା’ ଶବ୍ଦରୁ ‘ଲସିବି’ କ୍ରିୟାଟି ସୃଷ୍ଟି ହୋଇଛି ।

 

ବିକୃତ ଯାବନିକ ବା ଅବିକୃତ ଯାବନିକ ଶବ୍ଦଗୁଡ଼ିକର ପ୍ରୟୋଗ କାବ୍ୟ-ଶିଳ୍ପୀ କବିସୂର୍ଯ୍ୟଙ୍କ କବିତାଗୁଡ଼ିକ ଭିତରେ ଯେତିକି ସୌନ୍ଦର୍ଯ୍ୟବୋଧାତ୍ମକ ହୋଇନି, ଶବ୍ଦଗୁଡ଼ିକ କ୍ରିୟାରୂପରେ ପରିଣତ ହୋଇ ସଙ୍ଗୀତ ପଙ୍‌କ୍ତି ଭିତରେ ସେତିକି ସୌନ୍ଦର୍ଯ୍ୟ ସୃଷ୍ଟି କରୁଅଛନ୍ତି । କେବଳ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂରେ ନୁହେଁ, କାବ୍ୟଶିଳ୍ପୀ କବିସୂର୍ଯ୍ୟଙ୍କ କବିତା ଭିତରେ ଏହି ପ୍ରକ୍ରିୟା ଦୃଷ୍ଟିଗୋଚର ହୋଇଥାଏ । ‘ରତ୍ନାକର ଚମ୍ପୂ’ର କବତାଗୁଡ଼ିକ ଭିତରେ ଏହି ବୈଶିଷ୍ଟ୍ୟ ବେଶ୍ ଲକ୍ଷଣୀୟ । ଯଥା:-

 

(କ) ଖିଲାଇ ମାତ୍ରକ ବିନ୍ଦୁମିତ ମଧୁ ।

(ଖ) ‘ନଉକରୀ’ କି ବାଇ ହେବାଯାଏ

 

ଲଗାଇ ଜାଣୁତ ମୋହନ ମନ୍ତରକୁ ଗୋ ।

(ଗ) ଘୋଟି କାମ ତମ ପ୍ରତି ଦିଶାରେ

 

ଘମାଉଅଛିଟି ରସାଳସାରେ ।

 

 

ଉପର୍ଯ୍ୟୁକ୍ତ ପଦଗୁଡ଼ିକରେ ପ୍ରଯୁକ୍ତ ପାରସୀ ଶବ୍ଦଗୁଡ଼ିକର କ୍ରିୟାରୂପ ନିମ୍ନରେ ବିଚାର କରାଯାଇପାରେ

 

(କ)

ଖିଲାଇ

ପାରସୀ ‘ଖିଲା’ ଶବ୍ଦର ଅର୍ଥ ହେଉଛି ଖାଇବା ଓ ‘ଖିଲାଇ’ ଶବ୍ଦର ଅର୍ଥ ସସ୍ନେହରେ ଖୁଆଇବା । ଏଠାରେ ‘ଇ’ ପ୍ରତ୍ୟୟ ସଂଯୁକ୍ତ ହୋଇ କବିତାରେ କ୍ରିୟାପଦ ସଂଗଠିତ ହୋଇଅଛି ।

(ଖ)

ନଉକରୀ

ପାରସୀ ‘ନୌକର’ ଶବ୍ଦର ଅର୍ଥ ହେଉଛି ଚାକର । ନୌକର ଶବ୍ଦଟି ପ୍ରଥମତଃ ଭାଷାର ସ୍ୱରଭକ୍ତି ପ୍ରକ୍ରିୟା ଅନୁସାରେ ନଉକର ଓ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବିଶେଷ୍ୟ ପଦଟି କ୍ରିୟାରେ ପରିଣତ ହୋଇ ‘ନଉକରୀ’ ଶବ୍ଦଟି ସଂଗଠିତ ହୋଇଛି । ସୁତରାଂ, ଏହି ପଙ୍‌କ୍ତିରେ ନଉକରୀ ଶବ୍ଦଟି ସୁନ୍ଦର ତଥା ନନ୍ଦନତତ୍ତ୍ୱ ଭିତ୍ତିକ ହୋଇଅଛି ।

(ଗ)

ଘମାଉଅଛି

ପାରସୀ ‘ଘମାଇବା’ ଶବ୍ଦର ଓଡ଼ିଆ ଅର୍ଥ ହେଉଛି ଘୋଟିଯିବା । ଏହି ପଙ୍‌କ୍ତିରେ ଶବ୍ଦକୁ କ୍ରିୟା ରୂପରେ ପରିଣତ କରାଯାଇଅଛି । ‘ଘମାଇବା’ ପରବର୍ତ୍ତୀ ସମୟରେ ‘ଘମାଉଅଛି’ କ୍ରିୟାରେ ରୂପାନ୍ତର ଘଟିଅଛି । ସୁତରାଂ, ‘ଘମାଉଅଛି’ କ୍ରିୟା ପଦଟି ଏଠାରେ ସୌନ୍ଦର୍ଯ୍ୟରସାଣିତ ହୋଇଅଛି ।

 

କାବ୍ୟ-ଶିଳ୍ପୀ କବିସୂର୍ଯ୍ୟ ବଳଦେବ ରଥଙ୍କ କବିତା ପଙ୍‌କ୍ତିଗୁଡ଼ିକରେ ତତ୍‌ସମ ଶବ୍ଦଗୁଡ଼ିକ ସହିତ ଦେଶଜ- ଶବ୍ଦ ପ୍ରତୀତ ହେଉଥିବା ଯାବନିକ ଶବ୍ଦଗୁଡ଼ିକ ଖୁବ୍ ମାଧୁର୍ଯ୍ୟପୂର୍ଣ୍ଣ ହୋଇଛି । ସମସାମୟିକ ସମାଜରେ ବ୍ୟବହୃତ ହେଉଥିବା ଯାବନିକ ଶବ୍ଦଗୁଡ଼ିକ କବିତା ଭିତରେ ଏତେ ସୁନ୍ଦର ଭାବରେ ସମନ୍ଵିତ ହୋଇଛନ୍ତି ଯେ, ସେ ଭିତରେ ଦେଶଜ ଓ ଯାବନିକ ଶବ୍ଦର ପାର୍ଥକ୍ୟ ଆଦୌ ଦୃଷ୍ଟିଗୋଚର ହେଉନାହିଁ । ତୃତୀୟତଃ, ଯାବନିକ ଶବ୍ଦଗୁଡ଼ିକ କବିତାର ଭାବ ସହିତ ସମ୍ମିଶ୍ରିତ ହୋଇ ଶୃଙ୍ଗାର ବା ମାଧୁର୍ଯ୍ୟପୂର୍ଣ୍ଣ ରସ-ସୃଷ୍ଟିରେ ସହାୟକ ହୋଇଛନ୍ତି ।

 

ସୁତରାଂ, ଯାବନିକ ଶବ୍ଦ-ପ୍ରୟୋଗ କ୍ଷେତ୍ରରେ କାବ୍ୟ-ଶିଳ୍ପୀଙ୍କ କବିତାଗୁଡ଼ିକରେ ଶବ୍ଦଗତ ଔଚିତ୍ୟବୋଧ (Propriety) ସୃଷ୍ଟି ହେଉଅଛି ।

 

ସହାୟକ ଗ୍ରନ୍ଥସୂଚୀ

(୧)

ଓଡ଼ିଆଭାଷାର ଉନ୍ମେଷ ଓ ବିକାଶ - ଡଃ ବାସୁଦେବ ସାହୁ

(୨)

କଳସା ଚଉତିଶା - ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ - ସଂକଳକ- ଡଃ ଆର୍ତ୍ତବଲ୍ଲବ ମହାନ୍ତି

(୩)

ଗୋପାଳକୃଷ୍ଣ ପଦ୍ୟାବଳୀ – ପ୍ରକାଶକ - ଧର୍ମଗ୍ରନ୍ଥ ଷ୍ଟୋର

(୪)

କବିସୂର୍ଯ୍ୟ କାବ୍ୟବିଭା - ଡଃ ଦାଶରଥି ଦାସ

(୫)

କବିସୂର୍ଯ୍ୟ ଗ୍ରନ୍ଥାବଳୀ - କବିସୂର୍ଯ୍ୟ ବଳଦେବ ରଥ

(୬)

ସମରତରଙ୍ଗ - ବ୍ରଜନାଥ ବଡ଼ଜେନା

 

ଅଧ୍ୟାପକ,ଓଡ଼ିଆଭାଷା ଓ ସାହିତ୍ୟ ବିଭାଗ

ଅଞ୍ଚଳ ମହାବିଦ୍ୟାଳୟ

ମୁ / ପୋ : ପଦ୍ମପୁର

ରାଜବୋଡ଼ାସମ୍ୱର, ସମ୍ୱଲପୁର

 

***

 

ରାଧାନାଥଙ୍କ ବିଷାଦବାଦ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

କବିବର ରାଧାନାଥ ରାୟଙ୍କ ଆବିର୍ଭାବ ହୋଇଥିଲା ଓଡ଼ିଆ ଭାଷା ଓ ସାହିତ୍ୟର ଏକ ସଙ୍କଟମୟ କାଳରେ । ୧୮୬୬ ଖ୍ରୀଷ୍ଟାବ୍ଦରେ ନଅଙ୍କ ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଆ ଜାତି ପୂର୍ବର ସାମର୍ଥ୍ୟ ଫେରି ପାଇବା ପୂର୍ବରୁ ଓଡ଼ିଆ ଭାଷାର ବିଲୋପ ନିମନ୍ତେ କ୍ରମାଗତ ହୋଇ ଆସୁଥିବା ଚକ୍ରାନ୍ତ ୧୯୬୮-୬୯ ଖ୍ରୀଷ୍ଟାବ୍ଦରେ ପ୍ରଚଣ୍ଡ ରୂପ ଧାରଣ କରି କଙ୍କାଳସାର ଓଡ଼ିଆ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ତଥାପି ଓଡ଼ିଆ ଜାତି ଭାଙ୍ଗିପଡ଼ି ନ ଥିଲା । ଏହି ପରିସ୍ଥିତି ତା’ ଅନ୍ତରରେ ଭରି ଦେଇଥିଲା ନୂତନ ଆତ୍ମପ୍ରତ୍ୟୟ । ସେ ନୂତନ ଉଦ୍ଦୀପନା ଓ ନୂତନ ପ୍ରେରଣା ନେଇ ନିଜକୁ ନୂତନ ଭାବରେ ପ୍ରସ୍ତୁତ କରିପାରିଥିଲା ଏହି ପରିସ୍ଥିତିର ମୁକାବିଲା କରିବା ଉଦ୍ଦେଶ୍ୟରେ । ଯେଉଁ କେତେଜଣ ମନୀଷୀ ତଥା ସାହିତ୍ୟରଥୀ ଦେଶ ଓ ଜାତିର ଏହି ଦୁର୍ଦ୍ଦିନ କାଳରେ ଜାତୀୟ ଯୋଦ୍ଧାରୂପେ ନୂତନ ପରିସ୍ଥିତିର ସମ୍ମୁଖୀନ ହୋଇ ଓଡ଼ିଆ ଭାଷା ଓ ସଂସ୍କୃତିର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିପାରିଥିଲେ ସେମାନେ ହେଲେ ‘ଦୀପିକା’ର ସାମ୍ୱାଦିକ ଗୌରୀଶଙ୍କର, ଔପନ୍ୟାସିକ ଫକୀରମୋହନ, କବିବର ରାଧାନାଥ ଓ ଭକ୍ତକବି ମଧୁସୂଦନ । ଓଡ଼ିଆ ଭାଷା ଓ ସାହିତ୍ୟକୁ କବିବର ରାଧାନାଥ ରାୟଙ୍କ ଦାନ ନିଶ୍ଚିତ ଭାବରେ ଅତୁଳନୀୟ ।

 

ରାଧାନାଥଙ୍କ ରଚନାବଳୀ ସୌନ୍ଦର୍ଯ୍ୟର ଲୀଳାଭୂମି ଉତ୍କଳର ପ୍ରକୃତି ଚିତ୍ରଣ, ଉତ୍କଳୀୟ ଜାତୀୟତାର ଉଦ୍‌ବୋଧନ ପ୍ରଭୃତି କେତେକ ବିଶିଷ୍ଟ ବିଭାବରେ କେବଳ ନୁହେଁ, ବିଷାଦବାଦୀ ଦାର୍ଶନିକ ମନୋବୃତ୍ତିର ଚିତ୍ରାବଳୀରେ ମଧ୍ୟ ପରିପୂର୍ଣ୍ଣ ।

 

ଆନନ୍ଦ ଓ ବିଷାଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଗୋଟିଏ ବୃନ୍ତର ଦୁଇଟି କଳିକା । ଈଶ୍ୱରଙ୍କ ସୃଷ୍ଟିରେ ଏହି ବିଭାବ ଦ୍ୱୟର ଏକ ସୁନ୍ଦର ସମନ୍ୱୟ ଘଟିଛି । ଗଙ୍ଗା ଯମୁନାର ଧାରାଭଳି ଏ ଦ୍ୱୟର ଧାରା ବିଶ୍ୱମାନବର ଜୀବନ-ନଦକୁ ପରିପୂର୍ଣ୍ଣ କରେ, ହାସ୍ୟ-ବିଲୋଳ ଓ କ୍ରନ୍ଦନମୁଖର କରେ । ଗୋଟିକର ଅବର୍ତ୍ତମାନରେ ଅନ୍ୟଟି ଅସାର, ସାରବତ୍ତାଶୂନ୍ୟ । ତେଣୁ ଜୀବନର ଏ ଦୁଇଟି ବିଭାବ ସମଭାବରେ ସତ୍ୟ, ଶିବ ଓ ସୁନ୍ଦର ।

 

ଭାରତୀୟ ସାହିତ୍ୟରେ ଆନନ୍ଦବାଦ (Optimism)ର ପରମ୍ପରା ବହୁ ପ୍ରାଚୀନ । ବୈଦିକ ସାହିତ୍ୟରେ ଆମେ ଏହାର ପରିଚୟ ପାଉ । ‘ଐତରୀୟ ଉପନିଷଦ’ ଅନୁସାରେ-

 

“ଯତଃ (ଆନନ୍ଦାତ୍‌) ଇମାନି ଭୂତାନି ଜାୟନ୍ତେ,

ଯେନ ଜାତାନି ଜୀବନ୍ତି ଯଂ ପ୍ରୟନ୍ତି ଅଭିସଂବିଶନ୍ତି ।”

 

ଆନନ୍ଦରୁ ଜୀବସମୂହର ଉତ୍ପତ୍ତି । ଏମାନେ ଏହି ଆନନ୍ଦରେ ଜୀବନ ଧାରଣ କରନ୍ତି ଓ ଏହି ଆନନ୍ଦରେ ପ୍ରବେଶ କରି ଅନ୍ତିମ ଅବସ୍ଥାନ କରନ୍ତି । କେବଳ ଏତିକି କହି ଉପନିଷଦ ସାହିତ୍ୟ ନୀରବ ରହିନାହିଁ । ଏହା ଅନେକତ୍ର ଆନନ୍ଦର ଜୟଗାନ କରିଛି, ଆନନ୍ଦ ବିଷୟକ ଚର୍ଚ୍ଚାରେ ମୁଖରିତ ହୋଇ ଉଠିଛି ଏବଂ ନିର୍ଦ୍ଦେଶ ଦେଇଛି-“ଦ୍ୟୁଲୋକ ଓ ଭୂଲୋକ ଆନନ୍ଦମୟ ହୁଅନ୍ତୁ, ଦିଗସମୂହ ଆନନ୍ଦରେ ମଗ୍ନ ହୁଅନ୍ତୁ, ତୃଣ, ଗୁଳ୍ମ, ବୃକ୍ଷଲତା ଆଦି ସମସ୍ତେ ଆନନ୍ଦ ବିତରଣ କରନ୍ତୁ-।’’ ଏହି ନିର୍ଦ୍ଦେଶ ଅଥର୍ବବେଦ ସଂହିତା’ରେ ଏହିପରି ପ୍ରକାଶିତ-

 

‘ଶଂନୋ ଦ୍ୟାବାପୃଥିବୀ ପୂର୍ବହୂତୌ

ଶମନ୍ତରିକ୍ଷଂ ଦୃଶୟେ ନୋ ଅସ୍ତୁ ।

ଶଂ ନ ଓଷଧୀର୍ବନିନୋ ଭବନ୍ତୁ

ଶଂ ନୋ ରଜସମତିରସ୍ତୁ ଜିଷ୍ଣୁଃ ।।’

 

ଆମ ସାହିତ୍ୟରେ ଆନନ୍ଦବାଦ (Optimism) ପରି ବିଷାଦବାଦର (Pessimism)ର ମଧ୍ୟ ପ୍ରାଚୀନ ପରମ୍ପରା ରହିଛି । ବିଶ୍ୱସାହିତ୍ୟ ଲତିକାରେ ପ୍ରଥମ ପୁଷ୍ପକଳିକାହିଁ ବିଷାଦବାଦରୁ ଜନ୍ମ । ବ୍ୟାଧି ଶରାହତ କ୍ରୋଞ୍ଚ ପକ୍ଷୀର ଦାରୁଣ ଯନ୍ତ୍ରଣା ସଂଦର୍ଶନରେ ମହର୍ଷି ବାଲ୍ମୀକିଙ୍କ ହୃଦୟ କନ୍ଦରରୁ ବିଷାଦର ସ୍ୱର ଶ୍ଳୋକ ରୂପରେ ଝଂକୃତ ହୋଇଥିଲା-

 

“ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶ୍ୱାଶତୀଃ ସମାଃ ।

ଯତ୍‌ କ୍ରୋଞ୍ଚମିଥୁନାଦେକମବଧୀଃ କାମଗୋହିତମ୍‌ ।”

 

(ଅର୍ଥାତ୍‌, ରେ ବ୍ୟାଧ, ଚିରକାଳ ପାଇଁ ତୋର ପ୍ରତିଷ୍ଠା ନଷ୍ଟ ହେଉ, ଯେହେତୁ ତୁ କାମକ୍ରୀଡ଼ାରେ ରତ କ୍ରୌଞ୍ଚଯୁଗଳ ମଧ୍ୟରୁ ଗୋଟିଏକୁ ବଧ କଲୁ ।) ସମଗ୍ର ବିଶ୍ୱରେ ଏହାହିଁ କାବ୍ୟ ସ୍ରୋତସ୍ୱୀନୀର ଆଦ୍ୟକ୍ଷରଣ ଓ ଏହାର ସ୍ରଷ୍ଟା ବାଲ୍ମୀକି ହିଁ ଆଦିକବିର ଗୌରବରେ ମଣ୍ଡିତ । ତା’ପରେ ରଚିତ ହେଲା ବାଲ୍ମୀକିଙ୍କ ଦ୍ୱାରା ରାମାୟଣ, ବ୍ୟାସଙ୍କ ଦ୍ୱାରା ମହାଭାରତ । ସେମାନଙ୍କ ପଦାଙ୍କ ଅନୁସରଣ କରି ସାରସ୍ୱତ ସାଧକଗଣ ଅଗ୍ରସର ହେଲେ, କାବ୍ୟ-କବିତାର ସ୍ରୋତ ଉବ୍ଦେଳିତ ହେଲା ବିଶ୍ୱଜୀବରେ ଓ ବିଶ୍ୱଜଗତରେ ।

 

ମଣିଷ ସାଧାରଣତଃ ବିଷାଦବାଦୀ(Pessimist) ବା ଆନନ୍ଦବାଦୀ (Optimist) ହୋଇ ଜନ୍ମଗ୍ରହଣ କରି ନ ଥାଏ । ପରିବେଶ, ପାରିପାର୍ଶ୍ୱିକ ଅବସ୍ଥା ଓ ପରିସ୍ଥିତି ତାକୁ ଆନନ୍ଦବାଦୀ ବା ଆଶାବାଦୀ ଏବଂ ବିଷାଦବାଦୀ ବା ହତାଶାବାଦୀ କରାଇଥାଏ । ତା’ର ଅନ୍ତର ଶାନ୍ତି, ସନ୍ତୋଷ, ହର୍ଷ, ଅନାଗତର ଅମୃତ ଆସ୍ୱାଦନ ଓ ଅନନ୍ତ ଆଶାରେ ଯେପରି ପୁଲକିତ ହୁଏ, ଅଶାନ୍ତି, ଅସନ୍ତୋଷ, ଦୁଃଖ, ଅଶ୍ରୁ, ନୈରାଶ୍ୟ, ନଷ୍ଟ ଓ ଧ୍ୱସ୍ତର ଆକୁଳ ଅନୁଶୋଚନାରେ ସେହିପରି ଆଲୋଡ଼ିତ ହୁଏ । ଯଦି ଅନ୍ତରରେ ସେ କବି, ତାହାଲେ ତା’ର କାବ୍ୟରେ ଏହାର ଆକ୍ଷରିକ ରୂପାୟନ ମୁଦ୍ରିତ ହୁଏ ଓ ଫଳରେ ତା’ର କାବ୍ୟ ମାନସର ଅନ୍ତଃସ୍ୱର ହୁଏ ଆନନ୍ଦମୟ ବା ବିଷାଦଜର୍ଜ୍ଜରିତ । ତା’ର ଲେଖନୀ ନିଃସୃତ କାବ୍ୟ-କବିତା ଏହି ଆନନ୍ଦବାଦୀ ବା ବିଷାଦବାଦୀ ଚେତନାର ଫଳଶ୍ରୁତି ।

 

ଜର୍ମାନୀ ଦାର୍ଶନିକ ସୋପେନହାର (A. Schopenhauer) ବିଷାଦବାଦ (Pessimism)ର ଜଣେ ପ୍ରମୁଖ ପ୍ରଚାରକ । ତାଙ୍କ ପ୍ରଚାରିତ ବିଷାଦବାଦ ପାଶ୍ଚାତ୍ୟ ରୋମାଣ୍ଟିକ୍‌ ସାହିତ୍ୟକୁ ମଧ୍ୟ ପ୍ରଭାବିତ କରିଥିବା ଲକ୍ଷ୍ୟ କରାଯାଏ । ଇଂରେଜୀ ସାହିତ୍ୟରେ ଶେଲି (P. B. Shelley) ଜଣେ ବିଷାଦବାଦୀ କବି । ସେ ଥିଲେ ନିରାଟ ଅନୁଭୂତିପ୍ରବଣ ଓ ଜୀବନକୁ ଗ୍ରହଣ କରିଥିଲେ ବିୟୋଗାନ୍ତକ ନାଟକ ହିସାବରେ । ଜୀବନର ନିର୍ମମ ବ୍ୟଥାରେ ଆତଙ୍କିତ ହୋଇ ସେ ପ୍ରକାଶ କରିଥିଲେ-“I fall upon the thorns of life, I bleed.” (Ode to the Westwind) ତେଣୁ ଦୁଃଖ, ବେଦନା ବହନକାରୀ ସଙ୍ଗୀତ ହିଁ ତାଙ୍କ ପାଇଁ ଏକାନ୍ତ ହୃଦ୍ୟ, ଏକାନ୍ତ ସ୍ୱାଦ୍ୟ । ତାଙ୍କ ବେଦନାବିଧୂର ହୃଦୟର ଅଭିବ୍ୟକ୍ତି ଏହିପରି ପ୍ରକାଶିତ-

 

“We look before and after,

And pine for what is not :

Our sincerest laughter

With some pain is fraught;

Our sweetest songs are those that tell of saddest thought.”-

To a skylark

 

କବିବର ରାଧାନାଥ ବିଷାଦବାଦୀ ଶେଲିଙ୍କୁ ନିଜର ଗୁରୁ ରୂପେ ମାନିନେଇଥିବା ଭଳି ମନେହୁଏ । ତାଙ୍କର ନିମ୍ନୋକ୍ତ ଚାରିଗୋଟି ପଙ୍‌କ୍ତି-

 

“ହସି ଖେଳି ସେହୁ ଗମନ୍ତି ସମୟ,

ଜୀବନ ମଣନ୍ତି ମହୋତ୍ସବମୟ ।

ଛାର ଭାଗ୍ୟ ମୋର ପିହିତ ପାଷାଣେ,

ମୋ ଜୀବନ ଗଢ଼ା ଭିନ୍ନ ଉପାଦାନେ ।’’

(ବରେଣ୍ୟ କବି ଶେଲିଙ୍କ ଉକ୍ତି)

 

“Smiling they live and

Call life pleasure,

To me that cup has been dealt

In another measure.”

 

(Stanzas written in dejection near Neples, Stanza-3)ର ଅନୁରୂପ ସ୍ୱରଲହରୀ ବହନକାରୀ ।

 

ବିଷାଦବାଦ ଦୃଷ୍ଟିକୋଣରୁ କେହି କେହି ରାଧାନାଥଙ୍କୁ ଭବଭୂତିଙ୍କ ଶିଷ୍ୟ ଭାବରେ ଗ୍ରହଣ କରନ୍ତି । ସେମାନଙ୍କର କେତୋଟି ଯୁକ୍ତି ହେଉଛି ଭବଭୂତିଙ୍କ ଭଳି ରାଧାନାଥଙ୍କୁ ବାଲ୍ୟଜୀବନରୁ ବହୁ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି । ଭବଭୂତିଙ୍କୁ ଯେପରି ନିଜର ସାରସ୍ୱତ କୀର୍ତ୍ତି ପାଇଁ ବହୁ ନିନ୍ଦାର ଶିକାର ହେବାକୁ ପଡ଼ିଛି, ରାଧାନାଥଙ୍କୁ ସେହିପରି ବହୁ ନିନ୍ଦା, ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ପୁନଶ୍ଚ ଭବଭୂତି ନିଜର ନାଟକ ରଚନା ବ୍ୟାପାରରେ କରୁଣରସକୁ ଏକମାତ୍ର ରସ ଭାବରେ ଗ୍ରହଣ କରିନେଇଥିବା ଭଳି ବିଷାଦବାଦୀ ରାଧାନାଥ ‘କେଦାରଗୌରୀ’ ଠାରୁ ଆରମ୍ଭ କରି ‘ପାର୍ବତୀ’ ପର୍ଯ୍ୟନ୍ତ ସମସ୍ତ କାବ୍ୟକୁ କରିଛନ୍ତି କରୁଣରସାପ୍ଳୁତ-। ସୁତରାଂ ଭବଭୂତିଙ୍କ ଭଳି ରାଧାନାଥ ବିଷାଦବାଦୀ; ମାତ୍ର ଜଣେ କରୁଣ ରସକୁ ନାଟକରେ ବ୍ୟବହାର କଲେ ବୋଲି ଯେ ସେ ବିଷାଦବାଦୀ ହୋଇଯିବେ, ଏପରି ଭାବିବା ନିରର୍ଥକ-। ଅଧିକନ୍ତୁ ଭବଭୂତି ବିଷାଦବାଦୀ କବି ନ ଥିଲେ । ତାଙ୍କ ରଚନାବଳୀ ତାଙ୍କୁ ଜଣେ ବଳିଷ୍ଠ ଆଶାବାଦୀ ବା ଆନନ୍ଦବାଦୀ ବୋଲି ପ୍ରମାଣିତ କରେ । ‘ଉତ୍ତର ରାମଚରିତ’ରୁ ଗୃହୀତ ନିମ୍ନୋକ୍ତ ପଙ୍‌କ୍ତି କେତୋଟି ତାଙ୍କ ମହୋଚ୍ଚ ଆନନ୍ଦବାଦ(Robust optimism)ର ପରିଚାୟକ ।

 

“ଯେ ନାମ କେଚିଦିହ ନ ପ୍ରଥୟନ୍ତ୍ୟବଜ୍ଞାଂ

ଜାନନ୍ତି ତେ କିମପି ତାନ୍‌ ପ୍ରତିନୈଷଯତ୍ନଃ ।

 

ଉତ୍ପସ୍ୟଽସ୍ତି ମମ କୋଽପି ସମାନଧର୍ମା

କାଳୋଽହ୍ୟଂୟଂ ନିରବଧି ବିପୁଳାଚ ପୃଥ୍ୱୀଃ ।।”

 

ଅନନ୍ତକାଳ ଓ ବିପୁଳା ପୃଥ୍ୱୀରେ ତାଙ୍କର କେହି ଜଣେ ସମାନଧର୍ମା ଜନ୍ମ ଗ୍ରହଣ କରି ତାଙ୍କ ସୃଷ୍ଟିର ଅବବୋଧ କରିବ, ଏ ବିଶ୍ୱାସ ତାଙ୍କର ଥିଲା । ତେଣୁ ମହୋଚ୍ଚ ଆନବାଦୀ ଭବଭୂତିଙ୍କଠାରୁ ରାଧାନାଥ ଦୁଃଖବାଦର ଦୀକ୍ଷା ଗ୍ରହଣ କରିଛନ୍ତି ବୋଲି କହିବା ଏକାନ୍ତ ଅମୂଳକ ।

 

ରାଧାନାଥ ବିଷାଦବାଦୀ ହେବାପାଇଁ ଦାୟୀ ତାଙ୍କର ପରିବେଶ, ପାରିପାର୍ଶ୍ୱିକ ଅବସ୍ଥା ଓ ସାମାଜିକ ପରିସ୍ଥିତି । ବାଲ୍ୟକାଳରୁ ସେ ଥିଲେ ଅତି ରୁଗ୍‌ଣ । ତାଙ୍କର ଶାରିରୀକ ଅସୁସ୍ଥତା ତାଙ୍କ ଉଚ୍ଚଶିକ୍ଷା ପଥରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଶୈଶବାବସ୍ଥାରେ ମାତୃବିୟୋଗ ତାଙ୍କ କୋମଳତନ୍ତ୍ରୀରେ ଏକ ବଡ଼ ଆଘାତ ଦେଇଥିଲା ଓ ଜଗତର ନଶ୍ୱରତା ପ୍ରତି ସଚେତନ କରାଇ ଦେଇଥିଲା । ସେ ଶ୍ମଶାନକୁ ଯାଇ ମାତାଙ୍କ ଚିତାଗ୍ନି ଜାଳିଥିବା ସ୍ଥାନରେ ଚିନ୍ତାମଗ୍ନ ରହୁଥିବା ଅନେକ ସମୟରେ ଲକ୍ଷ୍ୟ କରାଯାଉଥିଲା । ବଙ୍ଗଳାରେ ଲିଖିତ ତାଙ୍କର ସର୍ବପ୍ରଥମ ରଚନା ‘କବିତାବଳୀ’ରେ ଏହାର ସଙ୍କେତ ଉପଲବ୍‌ଧ ହୁଏ । ସାଂସାରିକ ଜୀବନରେ ତାଙ୍କର କ୍ରମାଗତ ସ୍ୱାସ୍ଥ୍ୟଭଙ୍ଗ ଓ ଦାରୁଣ ପାରିବାରିକ ଦୁର୍ବିପାକ ତାଙ୍କୁ ଶୋକଗ୍ରସ୍ତ କରିପକାଇଥିଲା । ଜ୍ୟେଷ୍ଠପୁତ୍ର ଶ୍ରୀ ଶଶିଭୂଷଣ କଠିନ ମୂର୍ଚ୍ଛାରୋଗାକ୍ରାନ୍ତ ହେବାରୁ ରାଧାନାଥ ତୀବ୍ର ମାନସିକ ଯନ୍ତ୍ରଣା ଭୋଗ କରିଥିଲେ । ‘ପାର୍ବତୀ’ କାବ୍ୟରଚନା କରିବା ସମୟରେ ଏହି ଘଟଣା ଘଟିବାରୁ ମାନସିକ ଦୁଃସ୍ଥିତି ତାଙ୍କୁ ଏହି କାବ୍ୟଟି ସମ୍ପୂର୍ଣ୍ଣ କରିବାକୁ ଦେଇନଥିଲା । ଫଳରେ ‘ପାର୍ବତୀ’ ସବୁଦିନ ପାଇଁ ଖଣ୍ଡିତାବସ୍ଥାରେ ରହିଗଲା । ଏହି ସମସ୍ତ ପାରିପାର୍ଶ୍ୱିକ କାରଣ ବୋଧହୁଏ ତାଙ୍କୁ ଚରମ ଦୁଃଖବାଦୀରେ ପରିବର୍ତ୍ତିତ କରିଥିଲା । ଯାହାର ଜୀବନ ଏପରି ହାହାକାରମୟ ତା’ପାଇଁ ସୁଖର ସ୍ୱପ୍ନ ଦେଖିବା ମନା । ରାଧାନାଥଙ୍କ କ୍ଷେତ୍ରରେ ଜୀବନ୍ତମରଣର ଦାରୁଣ ଯନ୍ତ୍ରଣା ଥିଲା ତାଙ୍କର ନିତ୍ୟ ସାଥୀ । ଜଗତକୁ ତେଣୁ ସେ ‘ଦୁଃଖ-ଦତ୍ତ ଜ୍ଞାନ-ଚକ୍ଷୁ’ରେ ଦେଖୁଥିଲେ । ସେଥିପାଇଁ ତାଙ୍କ କାବ୍ୟ ହେଉଛି ଜୀବନ-ଯନ୍ତ୍ରଣାର ଏକ କଳାତ୍ମକ ମାନଚିତ୍ର ।

‘ଚିଲିକା’ରେ କବି ତେଣୁ ଗାଇଛନ୍ତି-

“ଚିର ହାହାମୟ ଏ ଛାର ଜୀବନ,

ଜୀବନ ନୁହେଁ ଏ ଜୀବନ୍ତ ମରଣ ।

ଚିରଦିନ ଦୁଃଖ-ପ୍ରହାରେ ଜର୍ଜର,

ପଟ୍ଟଶିଷ୍ୟ ମୁହିଁ ଦୁଃଖ-ଗୁରୁଙ୍କର ।

ଦୁଃଖଦତ୍ତ ଜ୍ଞାନ-ଚକ୍ଷୁରେ ଜଗତ,

ଦେଖିବାରେ ମୁହିଁ ଅଭ୍ୟସ୍ତ ସତତ ।”

 

ସଂସାରର ଦୁଃଖ, ଦୈନ୍ୟ, ହତାଶା, ହାହାକାର, ନିର୍ଯ୍ୟାତନା, ନିପୀଡ଼ନ ଓ ବିପଦ ବିପର୍ଯ୍ୟୟ କବିଙ୍କ କୋମଳ ପ୍ରାଣରେ କି ପ୍ରଚଣ୍ଡ ଓ ଦାରୁଣ ଆଘାତ ଦେଇଛି, ତା’ର ସ୍ୱତଃସ୍ଫୁର୍ତ୍ତ ବିଳାସ ହିଁ ଏହି ଉଦ୍ଧୃତିଟିରେ ରୂପାୟିତ । ଏହି ଭୌତିକ ଜଗତରେ ରହି ମଧ୍ୟ ସେ ଥିଲେ ସଦା ଉଦାସୀନ, ସଂସାରୀ ସହିତ ସମତାଳରେ ଆଗେଇ ଯିବା ପାଇଁ ତାଙ୍କ ମନ ତାଙ୍କୁ ଅନୁମତି ଦେଉନଥିଲା । ଅର୍ଥାତ୍‌ ସାଂସାରିକ ଐଶ୍ୱର୍ଯ୍ୟ, ଅହଂକାର ପ୍ରଭୃତିଠାରୁ ସେ ନିଜକୁ ଦୂରେଇ ରଖୁଥିଲେ । ସଂସାର ପ୍ରତି ତାଙ୍କର ଏହି ନିର୍ଲିପ୍ତ ଭାବ ତାଙ୍କ ବିଷାଦର ପ୍ରକୃତ ସ୍ୱରୂପ । ତେଣୁ କବିମାନସ ଅତି ମ୍ରିୟମାଣ ହୃଦୟରେ ଗାଇଉଠିଛି-

 

“ସଂସାରେ ଥାଇ ମୁଁ ସଦା ଉଦାସୀନ,

ଉଦାସୀନ ପ୍ରାୟେ କଟାଇଲି ଦିନ ।

ସଂସାରୀ ସଙ୍ଗତେ ସଙ୍ଗ ହେବା ପାଇଁ,

କେବେ ହେଁ ମୋହର ମନ ବଳେ ନାହିଁ ।”

ଭୌତିକ ଜଗତର ଇନ୍ଦ୍ରିୟଗ୍ରାହ୍ୟ ସୁଖର ପଶ୍ଚାଦ୍‌ଧାବନରେ ସାଂସାରିକ ମଣିଷ ସତତ ବ୍ୟସ୍ତ । ସେ ଜାଣିପାରେ ନାହିଁ ଯେ ଏହି ସୁଖ କ୍ଷଣସ୍ଥାୟୀ, ଏକ ହସ୍ତରେ ଆସି ଅନ୍ୟ ହସ୍ତରେ ଚାଲିଯାଏ । ତଥାପି ମଣିଷ ପ୍ରକୃତ କଥା ଉପଲବ୍‌ଧି କରିବାରେ ଅସମର୍ଥ ହୁଏ ଓ ଆଶା ରଖେ, ସେ ପୁନର୍ବାର ସୁଖପ୍ରାପ୍ତ ହେବ । କିନ୍ତୁ ହାୟ ! ଏଠି ଆନନ୍ଦ ଯେ ମରୁମରୀଚିକା, ସୁଖ ଯେ ଆକାଶ କୁସୁମ, ସେକଥା ଅଜ୍ଞାନ ସଂସାରୀ ମଣିଷ ହୃଦୟଙ୍ଗମ କରିପାରେନାହିଁ । ଜଗତର ଏହି ସାର୍ବଜନୀନ ତଥା ଶାଶ୍ୱତ ସତ୍ୟକୁ କବି ପ୍ରଚାର କରିଯାଇଛନ୍ତି–

 

“ସୁଖ ବୋଲି ଯା’କୁ ବୋଲଇ ସଂସାର,

କରୁଥାଇ ତାକୁ ଦୂରୁଁ ମୁଁ ଜୁହାର ।

ସୁଖ ରୂପେ ଯାହା ଜନନେତ୍ରେ ଦିଶେ,

ହାତେ ଆସେ ହାତୁଁ ପଡ଼ିବା ପାଇଁ ସେ ।

ବସ୍ତୁ ନୁହଁଇ ସେ ଅଟଇଟି ଧୂମ

ଅନ୍ୟ ନାମ ତା’ର ଆକାଶ କୁସୁମ ।”

 

ରାଧାନାଥଙ୍କ ବିଷାଦବାଦୀ କାବ୍ୟପୁରୁଷ ହିଁ ଆପଣା କାବ୍ୟର ଚରିତ୍ରମାନଙ୍କ ଦୁଃଖାନ୍ତକ ପରିଣତି ପାଇଁ ମୁଖ୍ୟତଃ ଦାୟୀ । ‘ଦରବାର’ରେ କବି ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡରଙ୍କ ଶେଷ ଅଭିଳାଷର ଯେଉଁ ବର୍ଣ୍ଣନା ଦେଇଛନ୍ତି, ତାହା ହିଁ ତାଙ୍କ ବିଷାଦବାଦୀ ହୃଦୟର ଯଥାର୍ଥ ଆଲେଖ୍ୟ । କବିଙ୍କ ଭାଷାରେ-

...‘‘ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି,

ନେବେ ଯେବେ ମୋତେ କୋକେଇରେ କାଢ଼ି,

ଦେଇଥିବ ତହିଁ ମୋ ଶବ ଶୁଆଇ,

ବେନିପାଶେ ବେନି କରକୁ ଝୁଲାଇ,

ଯା’ ଦେଖି ଜାଣିବେ ଜଗତେ ସମସ୍ତେ,

ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ ।”

 

ମଣିଷ ଆସେ ଏକା, ଯାଏ ଏକା । ଆସେ ରିକ୍ତ ହସ୍ତରେ, ଫେରିଯାଏ ମଧ୍ୟ ରିକ୍ତ ହସ୍ତରେ-। ତା’ର ଶେଷ ପରିଣତି ଯେ, କାଳ କବଳିତ ହୋଇ ଫେରିଯିବା, ଏକଥା ଜାଣି ମଧ୍ୟ ସେ ଅଳୀକ ସୁଖ ପାଇଁ ପାଗଳ ହୁଏ । ମରୁମରୀଚିକାର ପଶ୍ଚାଦ୍‌ଧାବନ କରେ । ଏହା ହିଁ ବିଧିର ବିଚିତ୍ର ବିଧାନ; ଯାହା ରାଧାନାଥଙ୍କ କାବ୍ୟମାନସର ଯଥାର୍ଥ ଅଭିବ୍ୟକ୍ତି ।

 

ମନୁଷ୍ୟ ଜନ୍ମ ହେଲେ ନିଶ୍ଚୟ ମୃତ୍ୟୁର ସମ୍ମୁଖୀନ ହେବ । ମର୍ତ୍ତ୍ୟମଣ୍ଡଳରେ ଜନ୍ମଲାଭ କରିଥିବା ଦେବତାଙ୍କୁ ମଧ୍ୟ ମୃତ୍ୟୁବରଣ କରିବାକୁ ହୁଏ । ତେଣୁ ‘ଭାଗବତ’ରେ କୁହାଯାଇଛି-“ମର୍ତ୍ତ୍ୟମଣ୍ଡଳେ ଦେହ ବହି/ଦେବତା ହୋଇଲେ ମରଇ ।” ‘ଭାଗବତ’ର ଏହି ଅମରବାଣୀ କବିଙ୍କ ଜୀବନଦର୍ଶନର ଅନ୍ତଃସ୍ୱର । ତେଣୁ ସେ କହିଛନ୍ତି-
 

“ଜନ୍ମ ମୃତ୍ୟୁ ଯେଉଁ ଗୁପ୍ତଦେଶେ ହେଉଅଛି ସର୍ଜନା

ଥାଉ ଆନ, ତହିଁ ପଶି ନ ପାରଇ ଦେବ-କଳ୍ପନା !

ଦେବ ହେଲେ ସୁଦ୍ଧା ମୃତ୍ୟୁ-ନିବାରଣେ ନାହିଁ ଶକତି,

ଜୀବନ ଯାହାକୁ ବୋଲନ୍ତି, ସେ ସିନା ମୃତ୍ୟୁକୁ ଗତି ।”

 

‘ଭାଷା’ କାବ୍ୟର ଏହି ପଙ୍‌କ୍ତି ରାଜିରେ ପୂର୍ବୋକ୍ତ ଶାଶ୍ୱତ ଓ ସନାତନ ସତ୍ୟର ଅପୂର୍ବ ସମନ୍ୱୟ କବିଙ୍କ ଗଭୀର ଅନୁସନ୍ଧିତ୍ସା ଓ ମନନଶୀଳତାର ଯଥାର୍ଥ ପରିଚାୟକ । ରାଜକୁମାର ଜୟନ୍ତ ଏହି ଧୂଳିଧରଣୀର ଜଣେ ଚରିତ୍ର । ଜନ୍ମ ନେଇଛି ଅର୍ଥାତ୍‌ ମୃତ୍ୟୁ ତା’ ପାଇଁ ଅନିବାର୍ଯ୍ୟ । ତା’ର ଆକସ୍ମିକ ମୃତ୍ୟୁର ଯବନିକା ତୋଳି କବି ମଣିଷ ଜୀବନର ଏହି ଚିରନ୍ତନ ସତ୍ୟର ଉଦ୍‌ଘାଟନ କରିଛନ୍ତି । ଶୋକୋଚ୍ଛ୍ୱାସାପ୍ଳୁତ କବିମାନସ ତେଣୁ ଏଠାରେ ଏହି ମନୋବୃତ୍ତି ତଥା ଅନୁଭୂତିର ଏକ ସୁନ୍ଦର ସାରସ୍ୱତ ରୂପାୟନ କରିଛନ୍ତି ।

 

କବିଙ୍କ ଏହି ଦାର୍ଶନିକ ଚିନ୍ତାଧାରାର ପ୍ରତିଧ୍ୱନି ଶୁଣିବାକୁ ମିଳେ ‘ପାର୍ବତୀ’ କାବ୍ୟରେ । କବି କଞ୍ଚୁକୀ କଣ୍ଠରେ ପ୍ରକାଶ କରିଛନ୍ତି-

“କେହି ରହି ନାହିଁ            ରହିବ ନାହିଁଟି

ଭବରଙ୍ଗ ଭୂମି ତଳେ,

ସର୍ବେ ନିଜ ନିଜ            ଅଭିନୟ ସାରି

ବାହୁଡ଼ିବେ କାଳବଳେ ।”

 

ସଂସାର ଏକ ରଙ୍ଗମଞ୍ଚ । ଏଥିରେ ନରନାରୀ ଅଭିନୟ ଶେଷ କରିବା ପରେ କାଳକବଳିତ ହୋଇ ଚିର ବିଦାୟ ନିଅନ୍ତି । ଏଠାରେ କେହି ଚିରଦିନ ପାଇଁ ରହି ନାହିଁ ବା ରହିବ ନାହିଁ । ତଥାପି ଏହି ଅଳୀକ ଜଗତର ଲୋଭ ଓ ମୋହରେ ମଣିଷ ଅନ୍ଧ । ଏକ ବିରାଟ ରାଜ୍ୟର ଅଧିପତି ହୋଇ ସୁଦ୍ଧା ଗଙ୍ଗେଶ୍ୱରଙ୍କର ପରରାଜ୍ୟ ଅଧିକାର କରିବାର ନିଶା ତୁଟି ନାହିଁ; ଦୀର୍ଘ ଦୁଇବର୍ଷ ଧରି ରତ୍ନପୁରଗଡ଼ ଜୟ କରିବା ପାଇଁ ସେ ଯୁଦ୍ଧରତ । ତାଙ୍କର ସର୍ବଗ୍ରାସୀ ଲୋଭ ଓ କ୍ଷଣିକ ଲିପ୍‌ସାକୁ କବି କଞ୍ଚୁକୀ ମୁଖରେ ଯେପରି ପ୍ରକାଶ କରିଛନ୍ତି, ସେଥିରେ ତାଙ୍କ ଜୀବନର୍ଶନର ବାସ୍ତବ ପ୍ରତିଫଳନ ହୋଇଥିବା ପରିଲକ୍ଷିତ ହୁଏ ।

 

ଏହି ଭାବଧାରା ଅବିକଳ ଭାବରେ ରୂପାୟିତ ହୋଇଛି କବିଙ୍କ ଅନ୍ୟତମ ରଚନା ‘ଦରବାର’ରେ । କାଳ ବଡ଼ ନିଷ୍ଠୁର ଓ ନିର୍ମମ । ମହାକାଳ-ସିନ୍ଧୁର ଅଗଣିତ ବିନ୍ଦୁରେ ସବୁ ମଣିଷ ଦିନେ ବୁଦ୍‌ବୁଦ ପରି ବିଲୀନ ହୋଇଯିବେ । ଏଣୁ ମାଟିର ଏ ଘଟ ଉପରେ ଏତେ ଆସ୍ଥା ଏତେ ବିଶ୍ୱାସ ରଖାଯାଇପାରେନା । ବୃଥାରେ ମଣିଷ ଯେଉଁ ଦାୟିକତା ଦେଖାଏ, ତାହାର ମୂଳ ହେଉଛି ତା’ର ଅଜ୍ଞତା । ତେଣୁ କବିମାନସ ପ୍ରକାଶ କରିଛି-

“ସର୍ବେ ଯିବ ଭାଇ, ଉଭେଇ ଅଚିରେ

ବୁଦ୍‌ବୁଦ ପରାୟେ ଏହି ନଦୀ ତୀରେ !

ଅଖଣ୍ଡ ଦଣ୍ଡାୟମାନ କାଳ ସିନ୍ଧୁ-

ମଧ୍ୟେ ବିନ୍ଦୁ ରହି ନୁହ ଏକ ବିନ୍ଦୁ ।

ମାଟି ଘଟେ ବୃଥା ବହି ଅଭିମାନ

ଅଜ୍ଞାନେ ଧରାକୁ କର ଶରାଜ୍ଞାନ ।”

 

ଜୀବନ ଘଟକୁ ମାଟିର ଘଟ ବୋଲି କବି ପୁନର୍ବାର ଅଭିହିତ କରିଛନ୍ତି ‘ମହାଯାତ୍ରା’ କାବ୍ୟରେ । ମାଟିର ଏ ଘଟ ଦିନେ ମାଟିରେ ମିଶିବ; କାରଣ ପୃଥିବୀରେ ଜୀବ ଅମର ନୁହେଁ, ତା’ ପାଇଁ ମୃତ୍ୟୁ ଅନିବାର୍ଯ୍ୟ । କବିଙ୍କ ଭାଷାରେ-

“ଏ ଜୀବ ନୁହଇ ସ୍ଥିର, ସ୍ଥିରଟି ମରଣ

ମାଟିର ଏ ଘଟ ଦିନେ ମିଶିବ ମାଟିରେ ।”

 

ସ୍ୱଭାବତଃ ରାଧାନାଥ ଥିଲେ ଔଦାର୍ଯ୍ୟ ଓ ସାରଲ୍ୟର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ସ୍ୱଭାବ ଓ ପରିବେଶପ୍ରସୂତ ପୁଞ୍ଜିଭୂତ ଘଟଣାସମୂହ ତାଙ୍କ କାବ୍ୟ ନିଚୟରେ ଯଥାର୍ଥ ରୂପ ପରିଗ୍ରହ କରିଥିବାରୁ ତାଙ୍କୁ ଆମେ ବିଷାଦବାଦୀ ଭାବେ ଅଭିହିତ କରୁଁ; ମାତ୍ର ଏ ପରିପ୍ରେକ୍ଷୀରେ ଆମର ଭୁଲିଯିବା ଉଚିତ ନୁହେଁ ଯେ ସେ ବିଷାଦବାଦୀ ହେଲେହେଁ ତୁଙ୍ଗ ଆଶାବାଦୀ । ତାଙ୍କର ଏହି ବିଷାଦବାଦର ଉତ୍ସ ଆନନ୍ଦବାଦ । କାରଣ ଯାହାର ଆଶାର ପରିସର ଯେତେ ସୀମିତ, ତା’ ପକ୍ଷରେ ସନ୍ତୋଷ ଓ ପରିତୃପ୍ତି ସେତେ ସହଜଲବ୍‌ଧ; କିନ୍ତୁ ଯାହାର ଆଶା ଅଭିଳାଷ ସୀମାହୀନ, ଅନନ୍ତ, ତା’ ପକ୍ଷରେ ସନ୍ତୋଷ ଓ ପରିତୃପ୍ତି ସେତେ ସହଜଲବ୍‌ଧ ନୁହେଁ । ସେହିପରି ରାଧାନାଥଙ୍କର ଆଶା ଥିଲା ଅତି ବିରାଟ, ଅତି ମହତ; ତେଣୁ ତାଙ୍କର ସୁମହାନ ଓ ସୁମହତ ଆଶା ସ୍ୱଳ୍ପରେ ପରିତୃପ୍ତି ଲାଭ କରିବା ଭଳି ନ ଥିଲା । ଯେ ମହାଦୁଃଖୀ, ତା’ ପାଇଁ ଭୌତିକ ଜଗତ ହିଁ ମହାସୁଖରେ ପୂର୍ଣ୍ଣ । ତେଣୁ କବି ‘ମହାଯାତ୍ରା’ରେ ନିଜ ଅନୁଭୂତିରୁ ଗାଇଛନ୍ତି-

“ଦୁଃଖମୟ ଭବ ସିନା ମହାସୁଖ ବୋଲି

ବୋଲନ୍ତି ଜଗତେ ଯା’କୁ ଜଡ଼ିତ ସେ ସଦା

ମହାଦୁଃଖେ, ଆଲୋକ ସେ ଜଡ଼ିତ ତମରେ ।”

 

କିନ୍ତୁ କବି ରାଧାନାଥଙ୍କ ଭଳି ଜଣେ ବିଶିଷ୍ଟ ଦାର୍ଶନିକ ଅଳ୍ପରେ ସନ୍ତୁଷ୍ଟ ହେବା ବ୍ୟକ୍ତି ନ ଥିଲେ । କାଞ୍ଚନ ଭ୍ରମରେ କାଚର ପ୍ରାପ୍ତି ତାଙ୍କୁ ସନ୍ତୁଷ୍ଟ କରି ନ ଥିଲା । ଏଣୁ ଅସୀମ, ଅଖଣ୍ଡ ଓ ଅନନ୍ତ ପ୍ରୟାସୀ କବି ସସୀମ, ଖଣ୍ଡ ଓ ସାନ୍ତର ପ୍ରାପ୍ତିରେ ସନ୍ତୁଷ୍ଟ ହୋଇପାରି ନ ଥିଲେ । ସୁଖ-ସମ୍ପଦ କ୍ଷଣସ୍ଥାୟୀ ଓ ଚିରପଳାୟମାନ ହୋଇଥିବାରୁ ତା’ ଉପରେ ସେ ଆସ୍ଥା ରଖିପାରି ନ ଥିଲେ ଏବଂ ତାହା ତ୍ୟାଗପୂର୍ବକ ସେ ବରି ନେଇଥିଲେ ହାତାଶା, ବିଷାଦ ଓ ବୈରାଗ୍ୟକୁ । ମଣିଷ ସର୍ବଦା ଶାଶ୍ୱତକୁ ତ୍ୟାଗ କରି ନଶ୍ୱରର ପଶ୍ଚାଦ୍‌ଧାବନ କରୁଥିବାରୁ କବି ଖେଦୋକ୍ତି ପ୍ରକାଶ କରି କହିଛନ୍ତି-

“ଧିକ ଧିକ ଏହା ଜାଣିଶୁଣି ନରେ

ଶାଶ୍ୱତକୁ ଛାଡ଼ି ଆସନ୍ତି ନଶ୍ୱରେ ।”

 

ଏହା ଅତି ସ୍ପଷ୍ଟ ଯେ, ସେ ଥିଲେ ପୂର୍ବୋକ୍ତ ବର୍ଣ୍ଣିତ ମହାଦୁଃଖୀର ସମ୍ପୂର୍ଣ୍ଣ ବିପରୀତ-ମହାନ ସୁଖୀ, ମହାନ୍‌ ଆନନ୍ଦବାଦୀ, ମହାନ୍‌ ଆଶାବାଦୀ । “ଧର୍ମ ଏକା ପୋତ ଗଢ଼ିଛନ୍ତି ବିଧି/ତରିବାକୁ ଏହି ସଂସାରବାରିଧି ।” ପଦଟିରେ ତାଙ୍କ ଆଦର୍ଶୋଜ୍ଜ୍ୱଳ ଆଶାବାଦର ପ୍ରତିଧ୍ୱନି ସୃଷ୍ଟି ହୁଏ-

 

ତାଙ୍କ ଦୁଃଖବାଦ ବା ବିଷାଦବାଦ କିପରି ଆନନ୍ଦବାଦ ବା ଆଶାବାଦରୁ ଜନ୍ମ ନେଇଛି, ତା’ର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ନିମ୍ନରେ ଉଦାହୃତ ପଙ୍‌କ୍ତିରାଜି ।

“କରିଥିଲି ଆଶା କରିବି ଯାପନ,

ତୋ ପଶ୍ଚିମତୀରେ ପଶ୍ଚିମ ଜୀବନ ।

ବିନା ପ୍ରୟାସରେ ସୌନ୍ଦର୍ଯ୍ୟ-ପିପାସା,

ମେଣ୍ଟିବାର ଥିଲା ତୋହଠାରେ ଆଶା ।

ଭାଗ୍ୟ ହୋଇଥିଲା ରୁଚି-ଅନୁକୂଳ,

ଆସିଥାନ୍ତି ମୁହିଁ ତୋର ରମ୍ୟକୂଳ ।

କୁଟୀର ବିରଚି ଜଟିଆ ଚରଣେ,

କାଟୁଥାନ୍ତି ଆୟୁ-ଶେଷ ନିକାଞ୍ଚନେ ।

ମାତ୍ର ପରିଣାମେ ଛାୟା ବାଜିବତ,

ଆଶାରେ ସେ ଆଶା ହେଲା ପରିଣତ ।”

 

ଚିଲିକା ସୌନ୍ଦର୍ଯ୍ୟରେ ମୁଗ୍‌ଧ ପ୍ରକୃତି-ଉପାସକ କବିବର ରାଧାନାଥ ଆଶା କରିଥିଲେ ଯେ ଜୀବନର ସାୟାହ୍ନରେ ସେ ଚିଲିକା କୂଳରେ ବାସକରି ତା’ର ଅନିନ୍ଦ୍ୟ ପ୍ରାକୃତିକ ସୁଷମାର ନିରାଜନା କରିବେ; କିନ୍ତୁ ତାଙ୍କର ଏହି ଆଶା ଧୂଳିସାତ୍‌ ହୋଇଗଲା ସାଂସାରିକ ବନ୍ଧନରେ, ଆଶା ଆଶାରେ ହିଁ ରହିଗଲା । ତାଙ୍କର ବଳବତୀ ଆଶା ଫଳବତୀ ନ ହେବାରୁ ତାଙ୍କ ହୃଦୟ ବିଷାଦମୟ ହୋଇଉଠିଲା, ପ୍ରାଣ ବିଳପି ଉଠିଲା ।

 

ବର୍ତ୍ତମାନ ଉତ୍ତମ ଭାବରେ ବୋଧଗମ୍ୟ ହେଲା ଯେ, କେବଳ ପାରିପାର୍ଶ୍ୱିକ ପରିବେଶ ନୁହେଁ, ସୌନ୍ଦର୍ଯ୍ୟ-ଉପାସକ ରାଧାନାଥଙ୍କର ନିର୍ମଳ ସୌନ୍ଦର୍ଯ୍ୟ ନିମନ୍ତେ ଏଷଣା, ତାଙ୍କୁ ଜୀବନର ଊଷର ଭୂମିରେ ପହଞ୍ଚାଇଛି, ଜୀବନକୁ ଏକ ଦାର୍ଶନିକ ଦୃଷ୍ଟିକୋଣରୁ ବିଚାର କରିବାକୁ ଶିଖାଇଛି । ଫଳରେ ତାଙ୍କ କାବ୍ୟନିଚୟରେ ସେ ଅନ୍ୟ ଆଦର୍ଶର ଅନୁବର୍ତ୍ତୀ ହୋଇନପାରି ଆପଣା ଅନ୍ତର୍ନିହିତ ପ୍ରାଣର ବାର୍ତ୍ତା ପ୍ରଚାର କରିଛନ୍ତି । ଅନ୍ତରର ବାର୍ତ୍ତା ସହିତ କାବ୍ୟପୁରୁଷର ଆହ୍ୱାନ ଏକାକାର ହୋଇଯିବା ଫଳରେ ତାଙ୍କ ସୃଷ୍ଟିସମ୍ଭାରର ଅନ୍ତଃସ୍ୱର ହୋଇଛି ବ୍ୟଥା, ବେଦନା ଓ ହତାଶାଜନିତ କାରୁଣ୍ୟରେ ଆର୍ଦ୍ର, ଯାହା ତାଙ୍କ ବିଷାଦବାଦୀ କବିମାନସର ଯଥାର୍ଥ ପରିଚୟ ପ୍ରଦାନ କରେ ।

ଅର୍ଥ ବିଭାଗ, ଓଡ଼ିଶା ସଚିବାଳୟ

ଭୁବନେଶ୍ୱର

***

 

ଫକୀରମୋହନଙ୍କ ଅଜ୍ଞାତ ରଚନା-କୁଳକୁନ୍ତଳା

ଡଃ ଦୁର୍ଗାପ୍ରସନ୍ନ ପଣ୍ଡା,

ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ

 

କବିସମ୍ରାଟ୍‌ ଫକୀରମୋହନଙ୍କ ଦ୍ୱିତୀୟ ଉପନ୍ୟାସ ‘ଲଛମା’ ଅପୂର୍ବ ମିଳନ ଶିରୋନାମା ବହନ କରି ପ୍ରକାଶିତ ହେବା ପୂର୍ବରୁ ତାଙ୍କର ଦ୍ୱିତୀୟ ଗଳ୍ପ ‘କୁଳକୁନ୍ତଳା’ ଉତ୍କଳ ସାହିତ୍ୟର ୩/୧୦ ସଂଖ୍ୟା କାର୍ତ୍ତିକ ୧୩୦୭ରେ ପ୍ରକାଶିତ ହୋଇଥିଲା । ଏହି ଗଳ୍ପଟିକୁ ଲଛମାର ‘ନାଗା ଜମାୟତ’ ବା ୧୦ମ ପରିଚ୍ଛେଦ (ଗ୍ରନ୍ଥାବଳୀ ୨ୟ ଭାଗ ପୃ ୩୦୪) ଏବଂ ମୌନାମୌନୀ (ଗ୍ରନ୍ଥାବଳୀ ୨ୟ ପୃ ୬୨୫) ସହିତ ମିଶାଇ ପଢ଼ିଲେ ମନେ ହେବ ଯେ ଉତ୍କଳରେ ବାବାଜୀମାନଙ୍କର ଉପଦ୍ରବ ସମ୍ପର୍କରେ ଏକ ପୂର୍ଣ୍ଣ ସୂଚନା ଦେବା ଏବଂ ଏ ଦିଗରେ ଜନମତକୁ ଜାଗ୍ରତ କରିବା ପାଇଁ ସେ ବିଶେଷ ତତ୍ପର ହୋଇଥିଲେ । ‘ଲଛମା’ ଉପନ୍ୟାସ ଲେଖିବା ପୂର୍ବରୁ ସେ ନାଗା ବାବାଜୀମାନଙ୍କ ସମ୍ପର୍କରେ ଯେଉଁ କଳ୍ପନା କରିଥିଲେ ତାକୁ ‘କୁଳକୁନ୍ତଳା’ରେ କ୍ଷୁଦ୍ରଗଳ୍ପର ଆଙ୍ଗିକ ମଧ୍ୟରେ ରୂପ ଦେବାକୁ ଇଚ୍ଛା କରିଛନ୍ତି । ‘ରେବତୀ’ ଲେଖାଯିବାର ଠିକ୍‌ ବର୍ଷକ ପରେ ଲେଖାଯାଇଥିବା ଫକୀରମୋହନଙ୍କ ୨ୟ କ୍ଷୁଦ୍ରଗଳ୍ପଟିକୁ ପାଠକମାନଙ୍କର ଦୃଷ୍ଟିକୁ ଆଣିବାକୁ ଇଚ୍ଛା କରି ଏଠାରେ ତା’ର ପୂର୍ଣ୍ଣ ପାଠ ଉଦ୍ଧାର କରାଯାଇଛି ।

Unknown

କୁଳକୁନ୍ତଳା

 

ଦିନସାରା ସୂର୍ଯ୍ୟଦେବଙ୍କର ଦେଖାନାହିଁ । ପିଛିଲା ରାତି ପହରକ ଥାଉଣୁ ଅବିଶ୍ରାନ୍ତ ବୃଷ୍ଟି ହେଉଅଛି । କେତେବେଳେ ଝର ଝର ଫର ଫର, କେତେବେଳେ ମାଠିଆରୁ ଢାଳିଦେଲା ପରି ବୃଷ୍ଟି ହେଉଅଛି । ସଙ୍ଗେ ସଙ୍ଗେ ବତାସ, ଆଗଚାରିଦିନୁ ଶ୍ରବଣା ପଶିଲାଠାରୁ ତୁହାକୁତୁହା ବୃଷ୍ଟି ହେଉଥିଲା । ଯୌବନୋନ୍ମତ୍ତା କୁଳଟା ପରି ଦୁଇକୂଳ ବୁଡ଼ାଇ ମହାନଦୀ ଭୟଙ୍କର ବେଶରେ ନାଚିକୁଦି ଧାଇଁଛି । କେତେ ଗଛ, ପତ୍ର, କୁଟା, କାଠି ଅଳିଆ ଭାସିଯାଉଅଛି ଠିକଣା ନାହିଁ । ବେଳେବେଳେ ଡାଳପତ୍ରକୁ ଧରି ସାପଟାଏ ଗୋଧିଟାଏ ଭାସିଯାଉଛନ୍ତି । ଗୋଟାଏ ଗୋଟାଏ ଥୋମଣି ଆଉ ଶିଙ୍ଗଦୁଇଟା ଦିଶୁଛି, ତେତେବେଳେ ମଧ୍ୟ ଏପାଖ ସେପାଖ ମୁହଁ ବୁଲାଇ ଚାହୁଁଅଛନ୍ତି, କେଜାଣି ଆଶ୍ରୟ ମିଳିଯିବ ପରା, ଧନ୍ୟ ଜୀବନାଶା ! କେତେଟା ମଲା ଗୋରୁ ଭାସିଯାଇଛନ୍ତି । ଢୋଲପରି ସେମାନଙ୍କ ପେଟ ଫୁଲିଗଲାଣି । ମେଞ୍ଚା ମେଞ୍ଚା ଫେଣ ମୁଣ୍ଡାଇ ତରଙ୍ଗମାଳା ମନୁଷ୍ୟ ଜୀବନ ପରି ଉଠିପଡ଼ି ଅବିଶ୍ରାନ୍ତ ଧାଇଁ ଅଛନ୍ତି ।

 

ସୂର୍ଯ୍ୟଦେବ ଅସ୍ତ ଯାଇନାହାନ୍ତି । ଦିନ ଊଣା ଅଧିକ ପହରେ ପର୍ଯ୍ୟନ୍ତ ବାକୀ ଅଛି । ମାତ୍ର ଜଣାଯାଉଛି ଯେପରି ବେଳ ବୁଡ଼ିଗଲାଣି । ଠିକ୍‌ ଏହି ସମୟରେ ବିଡ଼ାନାସୀଗଡ଼ ତଳଗଡ଼ ଘାଟ ସଳଖା ସଳଖି ମହାନଦୀ ମଝିପଠା ଲଗାଲଗି ଅନ୍ଧାର ଭିତରୁ ଖଣ୍ଡେ କୁଶଳୀ କ୍ଷଣିଦେଲା । ନାଉରୀ ଦୁଇଜଣ ଆହୁଲା ଧରିଛନ୍ତି । ଅଣ୍ଟାରେ ଲୁଗାଭିଡ଼ା, ମୁଣ୍ଡରେ ତାଳପତ୍ର ଟୋପର, କପାଳରୁ ପାଣି ବହି ଆଖି ବୁଜି ହୋଇଯାଉଛି, ପୋଛିବାକୁ ତର ନାହିଁ । ଆଉ ଜଣେ ନାଉରୀ ଆଣ୍ଟ କରି ମଙ୍ଗ ଧରି ଗଡ଼ଘାଟକୁ ଏକଧ୍ୟାନରେ ଚାହିଁଅଛି । ନାଉରୀ ତିନିଜଣ ଛାଡ଼ି ପଝାରୀ ପାଞ୍ଚଜଣ । ସମସ୍ତେ ଦୁଇଆଣ୍ଠୁ କୁଣ୍ଢାଇ ମୁଣ୍ଡ ଗୁଞ୍ଜି ନାଆ ଭିତରେ ବସିଛନ୍ତି । ମଙ୍ଗୁଆ ଡାକି ଦେଲା, ‘ଆରେ ବାସୁଆ, ଏବାତ୍ତେ କାତ ଧର, କାତ ଧର । ନାଉରୀ ଦୁଇଜଣ ଭରଭର ହୋଇ ଆହୁଲା ଦୁଇଟା ଥୋଇ ଦେଇ ଲମ୍ୱ ଲମ୍ୱ ବାଉଁଶ ଦୁଇଟା ଧରିଲେ । ନା’ଟା କିଛି ତଳକୁ ଭାସିଯାଇଥିଲା । ଧୀରେ ଧୀରେ ଉପରକୁ ଉଠିଆସିଲା । ତୁଠଠାରେ ବାସୁଆ ନାଆରୁ ଡେଇଁପଡ଼ି ଦୁଇଜଣ ଭିଡ଼ି ବରଚେରରେ ନାଆ ବାନ୍ଧିଦେଲେ । ଦୁଇଜଣ ପଝାରୀ ଓହ୍ଲେଇ ଅତଡ଼ା ଉପରକୁ ଉଠିଗଲେ । ଆଉ ତିନିଜଣ କୂଳକୁ ଉଠି ଛିଡ଼ା ହୋଇ ରହିଲେ, ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ଲମ୍ୱ ଚିମୁଟା, ମୁଣ୍ଡରେ ପୃଷ୍ଠ ବ୍ୟାପି ଜଟାଭାର, ବେକରେ ରୁଦ୍ରାକ୍ଷମାଳ, ବାମହସ୍ତରେ କମଣ୍ଡଳୁ, ବାମକକ୍ଷ ବାହୁ ମଧ୍ୟରେ ଗୋଟିଏ ଗୋଟିଏ ପୁଟଳୀ, ଆଉ ଖଣ୍ଡେ ଖଣ୍ଡେ ମୃଗ ଛାଲ ମୋଡ଼ାହୋଇ ଝୁଲୁଛି । ବାସୁଆ ସେମାନଙ୍କ ପାଖରେ ହାତ ପତାଇ କହିଲା, “ଦିଅ, ବାବାଜୀମାନେ କି ଦେବ ଦିଅ-ବାବାଜୀମାନେ ନୀରବ । ବାସୁଆ ସମ୍ଭାଳି ପାରିଲାନାହିଁ । ଏକାବେଳକେ ଖପା ହୋଇଗଲା । ବିଚାରର ଅପରାଧ କ’ଣ ? ଏହି ଦୁର୍ଯ୍ୟୋଗରେ ଦିନସାରା ଆହୁଲା ଭିଡ଼ିଛି, ଏଣେ ପେଟ ଜଳିଲାଣି-। ତାହାର କି ତର ସହେ ? ବାସୁଆ କହିଲା-‘ଦେ’ମ କ’ଣ ଦେଉଛୁ ବେଗି ବେଗି ଦେ’ । ଢେର୍‌ ନାଗା ଦେଖିଛି, ପୁନେଇଁ ନା’ ପାର୍ବଣ ? ଧାଡ଼ି ଛୁଟିଛନ୍ତି । ମାସକ ଭିତରେ ଦେଢ଼ପଣ କି ଦୁଇପଣ ନାଗା ପାରିକଲିଣି ।” ବାସୁଆ ଗାଳିଦେଉଛି ସତ୍ୟ ମାତ୍ର ନାଗାମାନଙ୍କ ମୁଖରୁ ଜଣାଯାଏ, ସେମାନେ ଖୁସି ହୋଇ ଗଲେଣି । ସେମାନଙ୍କର କୌଣସି କଥା ଜାଣିବାର ବାସନା ନ ଥିଲା, ସେହିକଥା ଶୁଣିଲେ । ଜଣେ ନାଗା ଗୋଟିଏ କୁରୁଜାତକ ମୋହର କମଣ୍ଡଳରୁ ବାହାରକରି କହିଲେ, “ନେ ବାଚା ନେ ।” ବାସୁଆ ହାତ ବଢ଼ାଇ ନେଲା । ତିନିଚାରିଥର ଓଲଟ ପାଲଟ କରି ଦେଖିଲା । ଆଉ ଦୁଇଜଣ ନାଉରୀ ଧାଇଁ ଆସି ହାତକୁ ନେଇ ତିନି ଚାରି ଲେଖେଁ ଦେଖିଲେ । ବାସୁଆ କହିଲା, “ବୁଝିଲ ବାତ୍ତେ, ଏମାନେ ସିଦ୍ଧ ପୁରୁଷ, ଯାହା କହିବେ ତାହା ହେବ । ଦେଖିଛ, ଏମାନଙ୍କ ହାତରେ କିଛି ନ ଥିଲା, ଟିକିଏ ଧୂଳି ଧରି ଫୁଙ୍କିଦେଲେ, ମୋହରଟାଏ ହୋଇଗଲା । ଚେମେଇ ବେହେରା କହିଲା, ମୁଁ ଅନେଇଛି ପରା, ବାବାଜି ଧୂଳି ଚିମୂଟାଏ ଉଠାଇ ନେଲେ ।” ମାତ୍ର ସେ ଦିନଯାକ ବୃଷ୍ଟି ହେଉଥିବାରୁ ଆମ୍ଭେମାନେ ଧୂଳି ଦେଖିବାକୁ ପାଇଲୁ ନାହିଁ । ନାଉରୀ ତିନିଜଣ ଲଂ ଲଂ କରି ନାଗାମାନଙ୍କ ଗୋଡ଼ତଳେ ପଡ଼ିଗଲେ । ପଦରଜ ଅର୍ଥାତ୍‌ ପଦକାଦୁଅ ନେଇ ମୁଣ୍ଡରେ ଲଗାଇଲେ । ତାହା ବାଦ୍‌ ବାସୁଆ ଏବଂ ବାବାଜିମାନଙ୍କ ମଧ୍ୟରେ ଅନେକ ବେଳ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲା । ବାସୁଆ ଯେ ସମସ୍ତ କଥା କହିଲା ସେଥିରୁ ଆମ୍ଭେମାନେ ଏହିପରି ସାର ସଂଗ୍ରହ କରିଅଛୁଁ ।-ଏହି ମାସ ମଧ୍ୟରେ ଦେଢ଼ଶ’ କି ଦୁଇଶ’ ନାଗା ଆସିଲେଣି, କାଠଯୋଡ଼ି କୂଳ ବିଡ଼ାନାସୀ ତୋଟା, ଯୋବରା ପଡ଼ିଆ ଗଛ ମୂଳରେ ଛତା ପୋତି ଚାରି ମେଳା ହୋଇ ରହିଅଛନ୍ତି । ସମସ୍ତେ ସିଦ୍ଧପୁରୁଷ, କାହାରିକୁ କିଛି ମାଗନ୍ତି ନାହିଁ । ସେମାନଙ୍କ ମହିମାରୁ ସବୁ ମିଳେ । ଚିଆଉଠାରୁ ଆଜ୍ଞା ଆସିଛି, ମହାରାଜାଙ୍କ ମୁଠାଜ୍ଞା, ବିଜେ ହେବା ମାତ୍ରକେ ଆମ୍ଭେମାନେ ପାରି କରିଦେବୁଁ । ରାତିହେଉ ଦିନହେଉ ନିମିଷେ ମଠ ହେବନାହିଁ । ଆଜି ଆଲିଗଡ଼ରୁ ବିନୋତ୍ର ନେଇ ଦୁଇଜଣ ଧାଉଁଡ଼ି ଆସିଲେ ।

 

ନାଗାମାନେ ସବୁ କଥା ମନ ଦେଇ ଶୁଣିଲେ । ନାଉରୀମାନଙ୍କୁ କଲ୍ୟାଣ କରି ଚାଲିଗଲେ ।

 

 

ଶ୍ରୀ ଧୂର୍ଜଟୀ

ଉତ୍କଳ ସାହିତ୍ୟର ୩ୟ ଭାଗ ୧୦ମ ସଂଖ୍ୟା

କାର୍ତ୍ତିକ ୧୩୦୭ - ଅକ୍ଟୋବର ୧୮୯୯

 

ଉତ୍କଳ ସାହିତ୍ୟର ୨ୟ ଭାଗ ଏକ ସଂଖ୍ୟାରେ ଅର୍ଥାତ୍‌ ଠିକ୍‌ ବର୍ଷକ ପୂର୍ବରୁ ଫକୀର ମୋହନଙ୍କ ପ୍ରଥମ ଗଳ୍ପ ‘ରେବତୀ’ ପ୍ରକାଶିତ ହୋଇଥିଲା । ‘ରେବତୀ’ ମଧ୍ୟ ଶ୍ରୀ ଧୂର୍ଜଟୀ ନାମରେ ଲିଖିତ ହୋଇଥିଲା ।

***

 

ନୀଳକଣ୍ଠ କାବ୍ୟକୃତିରେ ଜାତୀୟତାବାଦ

ଡକ୍ଟର ପ୍ରମୋଦ କୁମାର ଦ୍ୱିବେଦୀ

 

ଜାତୀୟତାବାଦର ଇତିକଥା

ଜାତୀୟତାବାଦ ହେଉଛି ଏକ ମାନସିକ ସ୍ଥିତି, ଯହିଁରେ ଦେଶ ବା ଜାତି ପ୍ରତି ବ୍ୟକ୍ତିର ସର୍ବୋଚ୍ଚ ଆନୁଗତ୍ୟ ଅନୁଭୂତ । ଇତିହାସରେ ଜନ୍ମମାଟି, ପୈତୃକ ପରମ୍ପରା ଏବଂ ପ୍ରତିଷ୍ଠିତ ଆଞ୍ଚଳିକ କର୍ମକର୍ତ୍ତାଙ୍କ ପ୍ରତି ମମତା ସୁବିଦିତ । ତଥାପି ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ହିଁ ଜାତୀୟତାବାଦ ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଥିବା ସର୍ବଜନସ୍ୱୀକୃତ ଏକ ଆବେଗ ଏବଂ ଇତିହାସର ସର୍ବୋତ୍ତମ ଐକାନ୍ତିକ ନିର୍ଦ୍ଦିଷ୍ଟ କାରଣଗୁଡ଼ିକ ମଧ୍ୟରେ ଅନ୍ୟତମ ଭାବରେ ଗୃହୀତ ହେବାକୁ ଆରମ୍ଭ କଲା । ବସ୍ତୁତଃ ଏହି ଜାତୀୟତାବାଦ ଏକ ଆଧୁନିକ ମତବାଦ-। କିନ୍ତୁ ସାମାଜିକ ଜୀବନ ଏବଂ ଅନୁଷ୍ଠାନର ଏକ ପ୍ରଭାବଶାଳୀ ଉପାଦାନ ଭାବରେ ଏହାର ଅବସ୍ଥିତିର ସ୍ୱଳ୍ପ ପରିସର ମଧ୍ୟରେ ଏହା ଏପରି ଗତିଶୀଳତା ଏବଂ ସୁବିସ୍ତୃତ ଭାବଧାରା ପ୍ରଦର୍ଶନ କରିଛି ଯେ, ଏହାକୁ ଇତିହାସର ଏକ ଚିରନ୍ତନ କିମ୍ୱା ଅନ୍ତତଃ ଅତି ପୁରାତନ ଉପାଦାନ ଭାବରେ ଗ୍ରହଣ କରିବାର ଭ୍ରମ ବାରମ୍ୱାର ଗୃହୀତ ହୋଇଆସିଛି । ଅଷ୍ଟାଦଶ ଶତାବ୍ଦୀରେ ପଶ୍ଚିମ ୟୁରୋପ ଏବଂ ଉତ୍ତର ଆମେରିକାରେ ଜାତୀୟତାବାଦ ଏକ ପ୍ରଭାବଶାଳୀ ଶକ୍ତିଭାବରେ ଆତ୍ମପ୍ରକାଶ କଲା-। ଆମେରିକାର ସ୍ଵାଧୀନତାସଂଗ୍ରାମ ଏବଂ ପରାସୀ-ବିପ୍ଳବକୁ ଏହାର ସର୍ବପ୍ରଥମ ଶକ୍ତିଶାଳୀ ଅଭିବ୍ୟକ୍ତି ଭାବରେ ଗ୍ରହଣ କରାଯାଇପାରେ । ପାଶ୍ଚାତ୍ୟ ଜଗତରୁ ଲାଟିନ୍‌ ଆମେରିକାର ନୂତନ ଦେଶଗୁଡ଼ିକ ମଧ୍ୟ ଦେଇ ଊନବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଏହା ମଧ୍ୟ ୟୁରୋପରେ ପ୍ରସାର ଲାଭ କଲା । ଅତଃପର ଉକ୍ତ ଶତାବ୍ଦୀର ମଧ୍ୟ ଭାଗରେ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ୟୁରୋପରେ ପରିବ୍ୟାପ୍ତ ହୋଇ ବିଂଶଶତାବ୍ଦୀର ପ୍ରାରମ୍ଭରେ ଏହା ଏସିଆ ଏବଂ ଆଫ୍ରିକାରେ ପ୍ରାଧାନ୍ୟ ବିସ୍ତାର କଲା । ଏହି ରୂପେ ଜାତୀୟତାବାଦ ସର୍ବତ୍ର ଏପରି ପ୍ରଭାବ ବିସ୍ତାର କରିଛି ଯେ, ଊନବିଂଶ ଶତାବ୍ଦୀକୁ ୟୁରୋପରେ ‘ଜାତୀୟତାବାଦର ଯୁଗ’ ବୋଲି ଅଭିହିତ କରାଯାଇଛି ଏବଂ ବିଂଶଶତାବ୍ଦୀ ସାରା ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନର ଉତ୍‌ଥାନ ଓ ସଂଘର୍ଷର ଦ୍ରଷ୍ଟା ହୋଇଆସିଛି । ଜାତୀୟତାବାଦ ଜନସମାଜ ସହିତ ଦେଶ ବା ଜାତିର ସମ୍ପର୍କକୁ ଅଭିବ୍ୟକ୍ତ କରେ କିମ୍ୱା ଅନ୍ତତଃ ପକ୍ଷେ ସାମ୍ପ୍ରଦାୟିକ ଭାବଧାରା ଅନୁଯାୟୀ ଦେଶର ପରିବ୍ୟାପ୍ତି ନିର୍ଦ୍ଧାରଣ କରିବାର ଆବଶ୍ୟକତାକୁ ବୁଝାଏ । ଜାତୀୟତାବାଦର ଯୁଗରେ ପୁଣି ସର୍ବତୋଭାବେ ସ୍ୱୀକୃତ ହୋଇଥିଲା ଯେ, ପ୍ରତ୍ୟେକ ଜାତି ତାହାର ନିଜର ଦେଶ ଗଠନ କରିବା ଉଚିତ୍‌ ଏବଂ ସମଗ୍ର ସଂପ୍ରଦାୟ ଏହାର ଅନ୍ତର୍ଭୁକ୍ତ ହେବା ଉଚିତ୍ ।

 

ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟରେ, ବିଶେଷ କରି ଦ୍ୱନ୍ଦ୍ଵ ଏବଂ ସଙ୍କଟ କାଳୀନ ମୁହୂର୍ତ୍ତରେ ଜାତୀୟତା ଭାବଧାରା ପରିଦୃଷ୍ଟ ହେଉଥିଲା । ବିବିଧ ଜଟିଳ ଘଟଣାବଳୀ ମଧ୍ୟରେ ଏହାର ଉତ୍‌ଥାନ ସମ୍ଭବ ହେଉଥିଲା । ଯଥା-ଯେଉଁ ନିରଙ୍କୁଶ ଶାସକଗୋଷ୍ଠୀ ଜମିଦାରୀ ପ୍ରଥାର ଉଚ୍ଛେଦ ସାଧନ କରି ସମସ୍ତ ଆନୁଗତ୍ୟ କେନ୍ଦ୍ରୀଭୂତ କରିବାରେ ସହାୟକ ହେଲେ, ସେମାନଙ୍କ ଦ୍ୱାରା ଗଠିତ ବିଶାଳ-ଶାସନ-କେନ୍ଦ୍ରୀଭୂତ ରାଷ୍ଟ୍ରସମୂହ, ମାତୃଭାଷାର ବିକାଶରେ ସହାୟକ ଧର୍ମ ଏବଂ ଗୋଷ୍ଠୀଗତ ଆନୁଗତ୍ୟକୁ କ୍ରମଶଃ ଦୁର୍ବଳ କରିପକାଉଥିବା ଧର୍ମନିରପେକ୍ଷ ଜୀବନ ଏବଂ ଶିକ୍ଷା, କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ନିର୍ଭରଶୀଳତା ହେତୁ ଏକ ବୃହତ୍ତର ଅଞ୍ଚଳର ଆବଶ୍ୟକତା ଏବଂ ଏଥିସହିତ ବର୍ଦ୍ଧିଷ୍ଣୁ ମଧ୍ୟବିତ୍ତ ଶ୍ରେଣୀର ପୁଞ୍ଜିବାଦୀ ପ୍ରଚେଷ୍ଟା ଓ ଉଦ୍‌ଯୋଗ ଶକ୍ତିକୁ ଯୋଗାଉଥିବା ଉପଯୁକ୍ତ ବାତାବରଣ । ରାଜନୈତିକ ଏବଂ ଅର୍ଥନୈତିକ ଶକ୍ତି କେନ୍ଦ୍ରୀଭୂତ ହୋଇଥିବା ଏହି ବୃହତ୍‌ ଏକୀଭୂତ ସୀମାବଦ୍ଧ ରାଷ୍ଟ୍ର ଅଷ୍ଟାଦଶ ଶତାବ୍ଦୀରେ ଏକ ନୂତନ ଭାବଧାରା ଦ୍ୱାରା ଅନୁପ୍ରାଣୀତ ହୋଇଥିଲା । ଏହି ନୂତନ ଭାବଧାରା ଥିଲା ଏକ ଆବେଗ-ପ୍ରବଣତା, ଯାହା ପୂର୍ବବର୍ତ୍ତୀ ସମୟରେ ଧର୍ମ ଆନ୍ଦୋଳନଗୁଡ଼ିକର ମଧ୍ୟ ମୂଳଭିତ୍ତି ଥିଲା । ଗଣ ସାର୍ବଭୌମତ୍ୱ ଏବଂ ମାନବିକ ଅଧିକାରର ନୂତନ ତଥ୍ୟ ପ୍ରଭାବରେ ଜନସାଧାରଣ ଜାତିର କେନ୍ଦ୍ରଭାବରେ ସ୍ୱୀକୃତ ରାଜଶକ୍ତିର ଉଚ୍ଛେଦ ସାଧନ କଲେ । ଜାତିର କିମ୍ୱା ରାଷ୍ଟ୍ରର ସର୍ବେସର୍ବା ହୋଇ ରାଜଶକ୍ତି ଆଉ ରହିଲା ନାହିଁ । ଏହିରୂପେ ରାଷ୍ଟ୍ର, ଜନତାର ରାଷ୍ଟ୍ର, ଜାତୀୟରାଷ୍ଟ୍ର ଏବଂ ପିତୃଭୂମିରେ ପରିଣତ ହେଲା । ସଭ୍ୟତା ଯେପରି ଜାତୀୟ ସଭ୍ୟତା ରୂପେ ପରିଗଣିତ ହେଲା, ଜାତି ଏବଂ ରାଷ୍ଟ୍ର ମଧ୍ୟରେ ସେହିପରି ଅଭେଦତ୍ୱ ପ୍ରତିଷ୍ଠିତ ହେଲା । (୧) ବସ୍ତୁତଃ ଜାତୀୟଭାବ-ଚେତନା ପାଶ୍ଚାତ୍ୟ ଦେଶରେ ପ୍ରଥମେ ସୃଷ୍ଟି ହୋଇ କ୍ରମଶଃ ସମଗ୍ର ବିଶ୍ଵରେ ଖେଳିଗଲା । ଜାତୀୟତା-ବାଦୀ ସାହିତ୍ୟର କ୍ଷେତ୍ର ତଦ୍ରୁପ । ପାଶ୍ଚାତ୍ୟଦେଶ ହିଁ ଜାତୀୟତାବାଦୀ ସାହିତ୍ୟର ଉତ୍ସ ।

 

ENCYCLOPAEDIA BRITANICA-Vol-16, P. 63

୨.

ଓଡ଼ିଶାର ପ୍ରଥମ ଜାତୀୟ ମହାକବି (ଓଡ଼ିଆ ସାହିତ୍ୟ ଓ ଭାଷା-ଏକ ଅଧ୍ୟୟନ)-ଡକ୍ଟର ନରେନ୍ଦ୍ରନାଥ ମିଶ୍ର, ପୃ. ୩୪

 

ଓଡ଼ିଆ ସାହିତ୍ୟରେ ଜାତୀୟତାବାଦ ଓ ପଣ୍ଡିତ ନୀଳକଣ୍ଠ-

ଓଡ଼ିଶା ସାହିତ୍ୟର ଇତିହାସ ପର୍ଯ୍ୟାଲୋଚନା କଲେ ପ୍ରଥମେ ଆଦିକବି ସାରଳା ଦାସଙ୍କ ‘ମହାଭାରତ’ ଗ୍ରନ୍ଥ ଆମର ଦୃଷ୍ଟି ସମକ୍ଷକୁ ଆସେ । ଏହି ଗ୍ରନ୍ଥଟି ମୂଳସଂସ୍କୃତ ମହାଭାରତର ଅବଲମ୍ୱନରେ ରଚିତ । କେବଳ କବିଙ୍କ ଜାତୀୟ ଭାବଚେତନା ଯୋଗୁଁ ହିଁ ଗ୍ରନ୍ଥଟି ମୂଳଗ୍ରନ୍ଥର ଅନୁବାଦ ହୋଇ ସୁଦ୍ଧା ମୌଳିକ ଏକ କାବ୍ୟର ଧାରଣା ଜନ୍ମାଇଥାଏ । କବି ଭାରତବର୍ଷର ବିବିଧଚିତ୍ର ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ନଦନଦୀ, ପାହାଡ଼-ପର୍ବତ, କେଦାରପ୍ରାନ୍ତର, ବନଉପବନ ଆଦିର ଯେଭଳି ମହୀୟସୀ ବର୍ଣ୍ଣନା ଦେଇଯାଇଛନ୍ତି, ତହିଁରୁ କବିଙ୍କ ସ୍ୱଜାତିପ୍ରୀତି ସ୍ପଷ୍ଟ । କବିଙ୍କ ଦୃଷ୍ଟି ଦେଶକାଳର ସୀମିତ ଗଣ୍ଡିରେ ଆବଦ୍ଧ ନୁହେଁ । ଯେଉଁ କୌରବପତି ସତ୍ୟ ଓ ନ୍ୟାୟର ଅବମାନନା କରିଛନ୍ତି, ତାଙ୍କରି ବିରୋଧରେ ପ୍ରତିଶୋଧ ନେବାଲାଗି କୁନ୍ତୀଙ୍କ ମୁଖରେ ସାରଳାଙ୍କ ଉଦ୍‌ବୋଧନୀ । ଏହି ସତ୍ୟର ଅବବୋଧ ବ୍ୟକ୍ତି ଭିତରେ ବୃହତ୍ତର ଜୀବନର ବିକାଶ ଘଟାଏ । ସମାଜର ସମୃଦ୍ଧି ଘଟାଏ । ସାରଳା ଏହାରି ସ୍ତାବକ (୨) ଏହି ଦୃଷ୍ଟିରୁ ସେ ଓଡ଼ିଆ ସାହିତ୍ୟର ପ୍ରଥମ ଜାତୀୟ କବି ।

 

ପଞ୍ଚସଖା ଯୁଗରେ ବଳରାମ ଦାସଙ୍କ ‘ଦାଣ୍ଡୀରାମାୟଣ’ ଏବଂ ଜଗନ୍ନାଥ ଦାସଙ୍କ ‘ଭାଗବତ’ ଗ୍ରନ୍ଥରେ ଦେଶପ୍ରୀତିର ବାର୍ତ୍ତା ଗୁଞ୍ଜରିତ । ଆପଣା ସମାଜ ପ୍ରସଙ୍ଗ ବର୍ଣ୍ଣନା ସମୟରେ ପଞ୍ଚସଖାଙ୍କଠାରେ ବିଷାଦର ସ୍ୱର ଶୁଣିବାକୁ ମିଳୁଥିଲେ ହେଁ ସମଗ୍ର ଭାବରେ ପଞ୍ଚସଖାଙ୍କ ସ୍ୱର ବିଷାଦର ନୁହେଁ, ଆନନ୍ଦର; ନିରାଶାର ନୁହେଁ ଆଶାୟୀର । ଜର୍ମାନ୍‌ ପଣ୍ଡିତ ଉଇଣ୍ଟାରନିସ୍‌ ମହାଭାରତକୁ ଏକ ‘ସମ୍ପୂର୍ଣ୍ଣ ସାହିତ୍ୟ’ (Whole literature) କହିବାଭଳି ପଞ୍ଚସଖା ସାହିତ୍ୟକୁ ଏକ ‘ପରିପୂର୍ଣ୍ଣ ଭାବରାଜ୍ୟ’ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର ଭାବରେ ଦେଖିଲେ ମନେହୁଏ, ଯେପରି ସମୁଦାୟ ଭାରତୀୟ ଚିନ୍ତାଧାରାର ସତ୍ୟ-ମୂର୍ତ୍ତି ଏଥିରେ ସଜୀବ ହୋଇଉଠିଅଛି । (୩)

 

ପଞ୍ଚସଖା ସାହିତ୍ୟ (ଓଡ଼ିଆ ସାହିତ୍ୟ ଓ ଭାଷା-ଏକ ଅଧ୍ୟୟନ)-ପୃ. ୫୦

 

 

ରୀତିକବିମାନଙ୍କ ମଧ୍ୟରେ ଉପେନ୍ଦ୍ରଭଞ୍ଜ ଥିଲେ ଆଦର୍ଶସ୍ଥାନୀୟ । ଏମାନଙ୍କର କାବ୍ୟ-ରଚନାର ଧାରା ପ୍ରାୟ ଏକପ୍ରକାରର । ଯବନଶାସିତ ଉତ୍କଳରେ ଯେତେବେଳେ ଅବସାଦ, ନିଷ୍କ୍ରିୟତା ବ୍ୟାପି ଯାଇଥିଲା, ସେ ଯୁଗରେ ପ୍ରଣୟପ୍ରଧାନ ଗୀତିକାବ୍ୟ ଜନସମାଜର ଶିଥିଳ ସ୍ନାୟୁରେ ସାମୟିକ ଉଦ୍ଦୀପନା ଓ ସରସତା ସଞ୍ଚାର କରିଥିବା ସ୍ୱାଭାବିକ । ଭଞ୍ଜକବିଙ୍କର କବିତାମାନଙ୍କରେ ସମସାମୟିକ କାଳର ପ୍ରତିଧ୍ୱନି ଶୁଣିବାକୁ ମିଳେ ନାହିଁ । ଓଡ଼ିଶାର ଶୌର୍ଯ୍ୟ ଓ ସ୍ୱାଧୀନତା ବିଲୋପ, ପରାଧୀନତାର ଗ୍ଳାନି, ଯବନ ଅତ୍ୟାଚାର, ଆର୍ଥିକ ବିପର୍ଯ୍ୟୟ ପ୍ରଭୃତି ଜାତୀୟ ସମସ୍ୟା ବିଷୟରେ ସେ ଯେ ଅବହିତ ହୋଇପାରି ନ ଥିଲେ, ଏହା ସ୍ୱୀକାର କଲେ ସତ୍ୟର ଅପଳାପ ହେବନାହିଁ । ଉପେନ୍ଦ୍ରଭଞ୍ଜଙ୍କ କବିତାରେ ତାହାର ସାମାନ୍ୟତମ ପ୍ରତିଫଳନ ଦେଖିବାକୁ ମିଳେନାହିଁ । ଉପେନ୍ଦ୍ରଭଞ୍ଜ କେବଳ ଗୁଡ଼ିଏ ପାରମ୍ପରିକ ରୀତିରେ ଲିଖିତ ଗୀତିକାବ୍ୟ ଓ ଛାନ୍ଦକାବ୍ୟ ଏ ଜାତିକୁ ଦାନ କରିଯାଇଛନ୍ତି । ଏହାର ରୂପ ଓ ସ୍ୱରମାଧୁର୍ଯ୍ୟ ମନୋରମ ହେଲେ ହେଁ ତାହା ଜାତୀୟଚେତନା ନିରପେକ୍ଷ ଏବଂ ଏହା ଜାତୀୟ ଜୀବନକୁ ବୈପ୍ଳବିକ ଚେତନାରେ ଉଦ୍‌ବୁଦ୍ଧ କରିବାକୁ ସମର୍ଥ ହୋଇପାରି ନାହିଁ । ଏଣୁ ଏ ଯୁଗର ପାଠକ ତାହାଙ୍କ କାବ୍ୟସୃଷ୍ଟିକୁ ଏକ ବିସ୍ମୟ ବିଷ୍ଫାରିତ ଦୃଷ୍ଟିରେ ହିଁ ଚାହିଁରହିବା ଏକାନ୍ତ ସ୍ୱାଭାବିକ । (୪) କେବଳ ସେ ନୁହଁନ୍ତି, ତାଙ୍କ ଯୁଗୀୟ ସାହିତ୍ୟରେ ଜାତୀୟତାର ସ୍ୱର ପ୍ରତିଧ୍ୱନିତ ହୁଏନା ।

 

ଗୀତିକାର ଉପେନ୍ଦ୍ରଭଞ୍ଜ (କଳା ଓ କଳାକାର) ଡଃ ଜାନକୀବଲ୍ଲଭ ମହାନ୍ତି ପୃ. ୪୦-୪୧

 

ବ୍ରିଟିଶ ଶାସନରେ ଆମ ଦେଶର ସାମାଜିକ ଓ ରାଜନୈତିକ ସ୍ଥିତି ଦୁର୍ବଳ ହୋଇପଡ଼ିଥାଏ-। ସେମାନଙ୍କ ଶିକ୍ଷାଦାନ ପଦ୍ଧତି ଅନୁସାରେ ଏ ଦେଶରେ ଏକ ନୂତନ ଗୋଷ୍ଠୀର ଅଭ୍ୟୁଦୟ ହୁଏ । ଆତ୍ମ ପରିଚୟ ଏବଂ ଆତ୍ମମର୍ଯ୍ୟାଦାବୋଧ ସମ୍ୱନ୍ଧରେ ଏହିମାନେ ସଚେତନ ହେବାରେ ଲାଗନ୍ତି । ଜାତୀୟତା ଭାବ-ମୁଗ୍‌ଧ ସାହିତ୍ୟିକଗଣ ଏହି ପରିବେଶରେ ଐତିହାସିକ ଓ ଭୌଗୋଳିକ ଭିତ୍ତିଭୂମିରେ ଜାତୀୟତା-ବ୍ୟଞ୍ଜିତ ସାହିତ୍ୟ ରଚନାରେ ପ୍ରୟାସୀ ହୁଅନ୍ତି । କବି ରାଧାନାଥ ଏ ଦିଗରେ ଜଣେ ପଥିକୃତ୍‌ ଶିଳ୍ପୀ । ନଗାଧିରାଜ ହିମାଳୟ, ତମାଳତାଳୀବନରାଜି-ନୀଳା, ଦକ୍ଷିଣ ସମୂହର ବେଳାଭୂମି, ଗଙ୍ଗା-ଯମୁନା, ସଙ୍ଗମ, ରାମଗିରି, ଚିତ୍ରକୂଟ, ଦଶାର୍ଣ୍ଣ, ଅବନ୍ତୀ, ଶିପ୍ରା, ରେବା କାଳିଦାସଙ୍କ କାବ୍ୟ ଯୋଗୁଁ ସର୍ବଜନବିଦିତ ହୋଇଅଛନ୍ତି । ଉତ୍କଳର ଚିଲିକା, ମାଲ୍ୟଗିରି, ମହେନ୍ଦ୍ର, ସାତକୋଶିଆ, ଶୋଲରୀ, ଭାଲେରୀ, ଶାଳ୍ମଳୀ, ଖଣ୍ଡାହଣା, ଶାଳିଆ, ସାଳନ୍ଦୀ, କୁଶଭଦ୍ରା,ବଳାଙ୍ଗୀ ରାଧାନାଥଙ୍କ କାବ୍ୟରେ ସେହିପରି ଉତ୍କଳବିଦିତ ହୋଇଅଛନ୍ତି । ରାଧାନାଥଙ୍କ ପୂର୍ବରୁ ଏମାନଙ୍କ ରୂପ କେହି ବୁଝି ନ ଥିଲେ । ପ୍ରତିଭାର ଦିବ୍ୟାଞ୍ଜନ ଘେନି ରାଧାନାଥ ଅବତୀର୍ଣ୍ଣ ହେଲେ ଏବଂ ଉତ୍କଳ ପ୍ରକୃତିର ଅଜ୍ଞାତ ରୂପ ନିଜେ ଦେଖି ସମସ୍ତଙ୍କୁ ଦେଖାଇ ଦେଇଗଲେ । ବର୍ଷାରମ୍ଭରେ ଦଶାର୍ଣ୍ଣ ଦେଶରେ କେତକୀବୃନ୍ତ କିପରି ମୁକୁଳିତ ହେଉଥିଲା, ସନ୍ଧ୍ୟାଗମରେ ଗ୍ରାମ ବୃଦ୍ଧମାନେ କିପରି ଉଦୟନ ବାସବଦତ୍ତାଙ୍କର ପ୍ରଣୟ କାହାଣୀ କଥୋପକଥନ କରୁଥିଲେ ଏବଂ ରାତ୍ରିର ଅନ୍ଧକାର ପଥରେ ଅଭିସାରିକା କିପରି ବିଦ୍ୟୁତ୍‌ ଆଲୋକରେ ପ୍ରିୟ ଗୃହକୁ ଯାଉଥିଲେ, ଏସବୁ କଥା କାଳିଦାସ ସ୍ୱ-କାବ୍ୟମାଳାରେ ଗ୍ରଥିତ କରି ସେଗୁଡ଼ିକୁ ଏକସ୍ଥାନୀୟତା ଓ ଏକକାଳୀନତାରୁ ସବୁ ଦେଶର ଓ ସବୁ କାଳର ଜ୍ଞାତବ୍ୟତାକୁ ଉଠାଇ ଆଣିଛନ୍ତି । ଓଡ଼ିଆ ରାଣୀଙ୍କର ଚମ୍ପକ ଅଙ୍ଗୁଳି ଘାତରେ ବୀଣାର ମଧୁର ଝଙ୍କାର ଜାତ କରାଇବା ଲାଗି କେନ୍ଦୁଝରରେ କିପରି ସୂକ୍ଷ୍ମ ଲୌହ ତାର ଗଢ଼ାହେଉଥିଲା, ରାଜାଙ୍କର ବିଜୟୋଲ୍ଲାସରେ ଭୂୟାଁ ଦମ୍ପତ୍ତି କିପରି ନିଆଁ ଜାଳି ସୁମଧୁର ଚାଙ୍ଗୁ ବାଦ୍ୟ ସଙ୍ଗେ ନୃତ୍ୟ କରୁଥିଲେ, ସୁବର୍ଣ୍ଣକେଶରୀଙ୍କର ସ୍କନ୍ଧାବାରରେ ଯୋଗ ଦେବାଲାଗି ଉତ୍କଳର ଭିନ୍ନଭିନ୍ନାଞ୍ଚଳରୁ ବୀରମାନେ କିପରି ସମାବେଶ ହେଉଥିଲେ, ଲୋକନାଥଙ୍କ ଦର୍ଶନ ଲାଗି ମଦନ-ଶତଘ୍ନୀ ଦ୍ୱିଜ-ସୀମନ୍ତିନୀ ଦଳଦଳ ହୋଇ କିପରି ଖର୍ଜ୍ଜୁରଛାୟିତ ପଥରେ ଚାଲିଆସୁଥିଲେ, ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଲାଗି ଉତ୍କଳର ଦେବଦେବୀମାନଙ୍କର ଜଗନ୍ନାଥଙ୍କ ସିଂହ ଦ୍ୱାରରେ କିପରି ସମାଗମ ହୁଏ, ଏ ସବୁ କଥା ରାଧାନାଥ ସେହିପରି ସ୍ୱକାବ୍ୟମାଳାରେ ଗ୍ରଥିତ କରି ସେଗୁଡ଼ିକୁ ଏକସ୍ଥାନୀୟତା ଓ ଏକକାଳୀନତାରୁ ଉଦ୍ଧାର କରି ଓଡ଼ିଆ ଜାତିର ସବୁ କାଳର ଜ୍ଞାତବ୍ୟତାକୁ ଉଠାଇ ଆଣିଛନ୍ତି । ଓଡ଼ିଶାର ଇତିହାସ ଓ ପ୍ରକୃତିର କାବ୍ୟୋପଯୋଗିତା ରାଧାନାଥ ହିଁ ପ୍ରଥମେ ଦେଖିପାରିଲେ । ପ୍ରାଚୀନ କବିମାନେ ଆମର ସାହିତ୍ୟକୁ ସମୃଦ୍ଧ କରିଯାଇଅଛନ୍ତି, କିନ୍ତୁ ସେମାନଙ୍କର ବିଷୟବସ୍ତୁ ଏ ଦେଶର ମାଟିରୁ ସଂଗୃହୀତ ହୋଇ ନଥିଲା । ରାଧାକୃଷ୍ଣ ଓଡ଼ିଶା ଦେଶର ଲୋକ ନୁହଁନ୍ତି, ଅଯୋଧ୍ୟା ବା ବୃନ୍ଦାବନ ଓଡ଼ିଶା ମାଟିରେ ଗଢ଼ା ନୁହେଁ । ରାଧାନାଥ ସେଆଡ଼ୁ ମୁଖ ଫେରାଇ ତାଙ୍କ କାବ୍ୟର ଉପାଦାନ ଆମର ଓଡ଼ିଶା ଦେଶର ମାଟିରୁ ସଂଗ୍ରହ କରି ବସିଲେ । ସେ ରାଧାକୃଷ୍ଣଙ୍କୁ ପରିତ୍ୟାଗ କରି ଉଷା-ଜୟନ୍ତକୁ କାବ୍ୟର ନାୟକ ନାୟିକା କଲେ, ବୃନ୍ଦାବନକୁ ଛାଡ଼ି ବାଲେଶ୍ୱରକୁ କାବ୍ୟର ପୀଠିକା କଲେ । ତେଣୁ ହିଁ ରାଧାନାଥ ଯଥାର୍ଥରେ ଓଡ଼ିଶାର ପ୍ରଥମ ଜାତୀୟ କବି (୫) ରାଧାନାଥ ଆର୍ଯ୍ୟସଂସ୍କୃତି ଓ ହିନ୍ଦୁସଂସ୍କୃତି ମଧ୍ୟରେ ପ୍ରଭେଦ ଦେଖିନାହାନ୍ତି । ତାଙ୍କ ଜାତୀୟତାଭାବର କେନ୍ଦ୍ରବିନ୍ଦୁ ହେଉଛି ହିନ୍ଦୁ ଚିନ୍ତାଧାରା ଓ ଭାରତୀୟ ସାଧନାର ଭାବଗତ ଆଦର୍ଶ । ‘ସର୍ବେଷାଂ ନୋ ଜନନୀ...’, ‘ଏ ଭାରତଭୂମି ଜନନୀ ଆମ୍ଭର’- ‘ଚିଲିକା’, ‘ଦରବାର’, ‘ମହାଯାତ୍ରା’ ଆଦି ତାଙ୍କର ଜାତୀୟବାଦୀ କାବ୍ୟକୃତିର ଦୃଷ୍ଟାନ୍ତ । ଇଂରେଜ ଶାସକଙ୍କ ଅଧୀନରେ ଜଣେ କର୍ମଚାରୀ ଥାଇ ପ୍ରତ୍ୟକ୍ଷରେ ନ ହେଲେ ସୁଦ୍ଧା ପରୋକ୍ଷରେ ସେ ଯେଉଁଭଳି ଭାବରେ ଇଂରେଜଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି, ତାହା ତାଙ୍କର ଜାତୀୟତାବୋଧର ପରିଚୟ ଦିଏ । ଅବଶ୍ୟ ଏଇ ଚାକିରୀରେ ଥିବାଯୋଗୁ ହିଁ ସେ ଜାତୀୟ –ସାହିତ୍ୟ-ରଚନାରେ ଅଧିକ ଅଗ୍ରସର ହୋଇପାରିନାହାନ୍ତି ଏବଂ ‘ମହାଯାତ୍ରା’ ପରି କାବ୍ୟ ଅସମ୍ପୂର୍ଣ୍ଣ ରହିଯାଇଛି । ରାଧାନାଥଙ୍କ ପରିସ୍ଥିତି ଏ ଦିଗରେ ଏକ ପ୍ରଧାନ ଅନ୍ତରାୟ ।

 

କବି ଓ କବିତା-ଡଃ ମାୟାଧର ମାନସିଂହ (ପୃ. ୪୪)

 

ରାଧାନାଥ ସାହିତ୍ୟରେ ଜାତୀୟତା ଓ ପ୍ରାକ୍‌ ରାଧାନାଥୀ ସାହିତ୍ୟରେ ଜାତୀୟତାର ତୁଳନା କଲେ ଦେଖାଯାଏ ଯେ ପ୍ରାକ୍‌ ରାଧାନାଥୀ ସାହିତ୍ୟରେ ଜାତିର ସ୍ଥୂଳରୂପ ସାହିତ୍ୟରେ ଉପସ୍ଥାପିତ । ସାହିତ୍ୟିକମାନେ ଜାତିକୁ ସାହିତ୍ୟର ଏକ ଅଙ୍ଗ ଭାବରେ ତଥା ସାହିତ୍ୟର ଉପଜୀବ୍ୟ ଭାବରେ ଗ୍ରହଣ କରିନେଇଛନ୍ତି । ଜାତିକୁ ସୂକ୍ଷ୍ମ ଦୃଷ୍ଟିକୋଣରୁ ଚିହ୍ନି ଚିହ୍ନାଇବାରେ ପ୍ରୟାସ ସେମାନେ କରିନାହାନ୍ତି । ପାଶ୍ଚାତ୍ୟ ଶିକ୍ଷାର ଆଦର୍ଶରେ ରାଧାନାଥ ପ୍ରଥମେ ଜାତିର ଅନ୍ତରାତ୍ମାକୁ ଉପଲବ୍‌ଧି କରି ସମଗ୍ର ଜାତି ସମ୍ମୁଖରେ ତାହାକୁ ଉପସ୍ଥାପନ କରିବାକୁ ପ୍ରୟାସ କଲେ । ଜାତିର ଭୌଗୋଳିକ ପୃଷ୍ଠଭୂମି ପରିବର୍ତ୍ତେ ଏହାର ଐତିହାସିକ ଏବଂ ରାଜନୈତିକ ପୃଷ୍ଠଭୂମି ଉପରେ ସେ ଗୁରୁତ୍ୱାରୋପ କଲେ । ସେ ଭାରତୀୟ ଜାତୀୟ ଆନ୍ଦୋଳନରେ ପ୍ରତ୍ୟକ୍ଷ ସଂଗ୍ରାମୀ ନ ଥିଲେ । ପୁଣି ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଦୃଢ଼ ମନୋବଳ ତାଙ୍କଠାରେ ଜନ୍ମ ନେଇ ନ ଥିଲା । ତେଣୁ କେବଳ ସୂଚନାତ୍ମକ ଭାବରେ ହିଁ ସେ ସାହିତ୍ୟରେ ଜାତୀୟତାର ସ୍ଵର ଉତ୍ତୋଳନ କରିବାରେ ପ୍ରୟାସୀ ଥିଲେ । ଅନ୍ୟ ପକ୍ଷରେ ବହୁ ଶାସ୍ତ୍ରଦର୍ଶୀ ରାଧାନାଥ ପାଶ୍ଚାତ୍ୟ ସାହିତ୍ୟର ଆଦର୍ଶରେ ଆପଣାର ସାହିତ୍ୟକୁ ଗଢ଼ି ନେଉଥିବାବେଳେ ସ୍ୱଦେଶୀୟ ସଂସ୍କୃତି ପ୍ରତି ଆଖି ବୁଜିଦେଇଛନ୍ତି । ସେ ସୌନ୍ଦର୍ଯ୍ୟ ଓ ପ୍ରେମର ପୂଜାରୀ । କଳା ପାଇଁ କଳା ତାଙ୍କ ସାହିତ୍ୟ-ସୃଷ୍ଟିର ଆଧାର । କଳାକୁ କାନ୍ତକମନୀୟ ତଥା ନମନୀୟ ଭାବରେ ସୃଷ୍ଟି କରିବାକୁ ଯାଇ ସ୍ଥାନବିଶେଷରେ ସେ ଯେ ଜାତୀୟତାକୁ ବଳି ଦେଇଛନ୍ତି, ତାଙ୍କର କାବ୍ୟକୃତି (ଯଯାତିକେଶରୀ, କେଦାରଗୌରୀ, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା ଆଦି) ତାହାର ଜ୍ୱଳନ୍ତ ଉଦାହରଣ । ‘ପାର୍ବତୀ’ ପରି କାବ୍ୟରେ ସଂସ୍କୃତିର ବିଭତ୍ସ ରୂପକୁ ସ୍ଥାନ ଦେଇଥିବାରୁ ତାଙ୍କ ଜୀବଦ୍ଦଶାରେ ମଧ୍ୟ ସେ ବହୁ ବ୍ୟକ୍ତିଙ୍କ ଦ୍ୱାରା ସମୀକ୍ଷାର ପାତ୍ର ହୋଇଛନ୍ତି ।

 

ରାଧାନାଥ ଯୁଗ ପରେ ସତ୍ୟବାଦୀ ଯୁଗର ଅଭ୍ୟୁଦୟ । ଉତ୍କଳ ସମ୍ମିଳନୀ (୧୯୦୩), ସମ୍ୱଲପୁର ଅଞ୍ଚଳର ମିଶ୍ରଣ (୧୯୦୫), ବଙ୍ଗଭଙ୍ଗ ଜନିତ ସନ୍ତ୍ରାସବାଦୀଙ୍କ ପ୍ରତିକ୍ରିୟା, ତହିଁରୁ ଜାତ ସ୍ୱଦେଶୀ ଆନ୍ଦୋଳନ ଓ ବିହାର ଓଡ଼ିଶା ପ୍ରଦେଶ ଗଠନ (୧୯୧୨) ଆଦି ମାଧ୍ୟମରେ ଓଡ଼ିଶାରେ ଜାତୀୟ ଭାବଚେତନାର ଏକ ସ୍ରୋତ ପ୍ରବହମାନ ହେବାକୁ ଲାଗେ । ଏହି ଜାତୀୟ ପ୍ରବାହରେ ଝାସ ଦେବାପାଇଁ ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ ଆଦି ଏକାନ୍ତ ନିଃସ୍ୱାର୍ଥପର ଅଥଚ ତ୍ୟାଗପୂତ ଭାବରେ ଆପଣାକୁ ଉତ୍ସର୍ଗୀକୃତ କରିଦେଇଥିଲେ । ଏହିମାନଙ୍କ ସାଧୁ ଉଦ୍ୟମରେ ହିଁ ସତ୍ୟବାଦୀ ଯୁଗର ପରିକଳ୍ପନା । ୧୯୧୯ ମସିହାରେ ଉତ୍କଳ ସମ୍ମିଳନୀର ସଭାପତି ରୂପେ ଉଦାର ମାନସିକତାରେ ଉତ୍କଳୀୟମାନଙ୍କୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ସଭାପତିଙ୍କ ଅଭିଭାଷଣ ପ୍ରସଙ୍ଗରେ ଗୋପବନ୍ଧୁ କହିଥିଲେ-

 

ସାର୍ବଜନୀନ ମାନବସମାଜ ଭଗବାନଙ୍କର ଅଭିବ୍ୟକ୍ତି । ମାନବସେବା ହିଁ ଭଗବତ୍‌ ସେବା-। ମାତ୍ର ବ୍ୟକ୍ତିବିଶେଷର ଶକ୍ତି କ୍ଷୀଣ । ବାହୁ କ୍ଷୁଦ୍ର । ଦୃଷ୍ଟି ସଂକୀର୍ଣ୍ଣ । ଗତି ସୀମାବଦ୍ଧ । ସୁତରାଂ ବିଶ୍ୱଜନୀନ ସମଗ୍ର ମାନବ ସମାଜର ସେବା ତା’ ପକ୍ଷରେ ଅସମ୍ଭବ । ସେ ଯେଉଁ ନିର୍ଦ୍ଦିଷ୍ଟ ଦେଶରେ ଏବଂ ନିର୍ଦ୍ଦିଷ୍ଟ ଜାତି ମଧ୍ୟରେ ବାସ କରନ୍ତି, ସେହି ଦେଶ ତାଙ୍କର ପୂଜାପୀଠ ଏବଂ ସେହି ଜାତିର ସେବା ହିଁ ତାଙ୍କର ମାନବସେବା । ଏହି ଉଦାର ମାନବିକତାକୁ ଲକ୍ଷ୍ୟକରି ଜାତୀୟ ଉନ୍ନତି ପଥରେ ଅଗ୍ରସର ହେବାକୁ ହେବ । x x ହୃଦୟରେ ଏହି ବିଶ୍ୱାସ ଜାଗ୍ରତ ଥିଲେ, ଏହି ଉଦାର ନୀତିରେ ଜୀବନର ଗତି ନିୟମିତ ହେଲେ, କ୍ଷୁଦ୍ର ପଲ୍ଲୀର ସୀମାବଦ୍ଧ କାର୍ଯ୍ୟକ୍ଷେତ୍ରରେ ରହି ମନୁଷ୍ୟ ସମସ୍ତ ମାନବ-କଲ୍ୟାଣରେ ଆତ୍ମବିନିଯୋଗ କରିପାରେ । ଏହି ବିଶ୍ୱାସ ଏହି ମହାଲକ୍ଷ୍ୟ ବିଭିନ୍ନ ପ୍ରକୃତିର ବିଭିନ୍ନ ଜାତିର ଲୋକମାନଙ୍କୁ ଏକସୂତ୍ରରେ ଆବଦ୍ଧ କରି ସମଗ୍ର ମାନବ ସମାଜରେ ମଧୁମୟ ସମନ୍ୱୟ ସ୍ଥାପନ କରିବ । x x । ମନେ ରଖିବାକୁ ହେବ, ଆମ୍ଭେମାନେ ପ୍ରଥମେ ମନୁଷ୍ୟ, ପରେ ଭାରତୀୟ ଏବଂ ସର୍ବଶେଷରେ ଓଡ଼ିଆ । ଏହି ଭାବ ମନରେ ନ ରଖିଲେ ଜାତୀୟ କ୍ରମବିକାଶ ଅସମ୍ଭବ । ପ୍ରତ୍ୟେକ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ଅଛି । ମାତ୍ର ସାମାଜିକ ଭିତ୍ତି ବିନା ସେ ସ୍ୱାତନ୍ତ୍ର୍ୟ ପ୍ରକଟିତ ହୁଏନାହିଁ । ସେହିପରି ଓଡ଼ିଆ ଜାତିର ସ୍ୱାତନ୍ତ୍ର୍ୟ ଫୁଟିବ ପ୍ରଶସ୍ତତର ଭାରତୀୟ ଜାତୀୟତା କ୍ଷେତ୍ରରେ ଏବଂ ଉଦାର ସାର୍ବଜନୀନ ମାନବିକତାରେ । x x । ବିଶ୍ୱପ୍ରୀତି ହିଁ ଓଡ଼ିଆର ଜାତୀୟତା, ପୂର୍ଣ୍ଣପ୍ରାଣ ଓଡ଼ିଆର ମନୁଷ୍ୟତା । ଓଡ଼ିଆର ଏ ଜାତୀୟତା ଦେଶାନୁରାଗ, କେବେ ଜଡ଼, ନିର୍ଜୀବ, ନୀରସ ଓ ସ୍ଵାର୍ଥ ନୁହେଁ, ରାଜ୍ୟଲାଭ ବା ରକ୍ତପାତରେ ଏହାର ପ୍ରତିଷ୍ଠା ନୁହେଁ, ଗଭୀର ଧର୍ମଭାବ ଏବଂ ଦୃଢ଼ ବିଶ୍ୱାସ ଏହାର ଭିତ୍ତି; ସାମ୍ୟ, ମୈତ୍ରୀ, ସ୍ୱାଧୀନତା ଏହାର ବିଗ୍ରହ । ଓଡ଼ିଆର ଏହି ଭାବ ନୀଳାଚଳ ଧାମରେ ପ୍ରକଟିତ । ତେଣୁ ଜଗନ୍ନାଥ ଓଡ଼ିଶାର ଜାତୀୟ ଦେବତା (୬) କେବଳ ଗୋପବନ୍ଧୁ ନୁହନ୍ତି, ସତ୍ୟବାଦୀର ସମସ୍ତ ସାଧକଙ୍କର ଏହା ହିଁ ଥିଲା ଆଦର୍ଶ । ପଣ୍ଡିତ ଗୋପବନ୍ଧୁ ତାଙ୍କ ଜୀବନର ମହାନ ଆଦର୍ଶ ଓ ଲକ୍ଷ୍ୟକୁ ରୂପଦାନ କରିବାଲାଗି ଗୋଖଲେଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଫର୍ଗୁସନ କଲେଜ, ଇଂଲଣ୍ଡର ଇଟନ୍‌, ହାରୋ, ରୁଗ୍‌ବି ଆଦି ପବ୍ଳିକ ସ୍କୁଲମାନଙ୍କ ଆଦର୍ଶରେ ବିଦ୍ୟାଳୟଟି ସ୍ଥାପନ କରିବାକୁ କଳ୍ପନା କଲେ । ବିଦ୍ୟାଳୟ ସ୍ଥାପନ କରିବା ଲାଗି ବହୁ ସ୍ଥାନ ଅନ୍ୱେଷଣ ପରେ ଭକ୍ତକବି ମଧୁସୂଦନ ରାଓ ସତ୍ୟବାଦୀର ବକୁଳ-ଛୁରିଅନା-ବନ ଏଥିଲାଗି ଉପଯୁକ୍ତ ସ୍ଥାନ ବୋଲି ପରାମର୍ଶ ଦେଇଥିଲେ । ଏଠାରେ ୧୯୦୯ ମସିହା ଅଗଷ୍ଟ ୨୯ ତାରିଖରେ ସତ୍ୟବାଦୀ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ଜାତିର ପ୍ରୟୋଜନ ସାଧନ ଲାଗି ମନୁଷ୍ୟ ତିଆରି କରିବା ଏହି ବିଦ୍ୟାଳୟର ଥିଲା ପ୍ରଧାନ କାର୍ଯ୍ୟ । ତେଣୁ ଦେଶର ଅନ୍ୟାନ୍ୟ ବିଦ୍ୟାଳୟ ପରି ଏଠାରେ କେବଳ ପାଠ୍ୟନିର୍ଘଣ୍ଟ ଅନୁସାରେ ଶିକ୍ଷା ଦିଆଯାଉ ନ ଥିଲା । ନିର୍ଦ୍ଦିଷ୍ଟ ଓ ଫଳପ୍ରଦ ଭାବରେ ଜାତୀୟ ଚେତନାକୁ ପ୍ରତିଫଳିତ କରି ସକଳ ଦିଗରେ ଜାତିର ଅଭାବ ଦୂର କରିବା ଓ ପ୍ରୟୋଜନ ପୂରଣ କରିବା ହେଲା ଏହି ବିଦ୍ୟାଳୟର ଲକ୍ଷ୍ୟ ।(୭)

 

କବି ଗୋପବନ୍ଧୁ-ଚିନ୍ତାମଣି ଦାସ ୧ମ ସଂସ୍କରଣ (ପୃ. ୧୫୮-୧୫୯)

୭.

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ-ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ (ପୃ. ୨୨୧)

 

ସତ୍ୟବାଦୀର ଛାତ୍ର ଚନ୍ଦ୍ରଶେଖର ମିଶ୍ର ଏହି ବିଦ୍ୟାଳୟ ସମ୍ୱନ୍ଧରେ କହିଛନ୍ତି-ଛାତ୍ରାବାସରେ ଥିବା ଛାତ୍ରମାନଙ୍କର ମିତବ୍ୟୟିତା, ପାଠପଢ଼ା ଓ ଚରିତ୍ର ସମ୍ୱନ୍ଧରେ ଶିକ୍ଷକମାନଙ୍କର ତୀବ୍ର ଦୃଷ୍ଟି ଥାଏ । ସବୁଆଡ଼ୁ ଛାତ୍ର ଆସୁଥାନ୍ତି ଏବଂ ଦୁର୍ଦ୍ଦାନ୍ତ, ଫେଲ୍‌ ହେଉଥିବା ବାଳକମାନଙ୍କର ଅଭିଭାବକମାନେ ସତ୍ୟବାଦୀରେ ଭଲ ପଢ଼ା ହେଉଛି ବୋଲି ଜାଣି ପିଲାଙ୍କୁ ପଠାଉଥାନ୍ତି । ଉନ୍ନତ ମାନବିକତାର ବିକାଶ ହେବ ବୋଲି ବିଚାରି ଶିକ୍ଷିତ ଲୋକମାନେ ମଧ୍ୟ ପିଲାମାନଙ୍କୁ ପଠାଉଥିଲେ-। x x ବିଦ୍ୟାଳୟର କାର୍ଯ୍ୟକଳାପକୁ ସର୍କାର ସନ୍ଦେହ ଦୃଷ୍ଟିରେ ଦେଖିଥିଲେ । ଆମ୍ଭେମାନେ ଶୁଣୁଥାଉଁ ଯେ, ପୁଲିସ୍‌ ରାତିରେ ଆସି ଗୋପନରେ ବୁଲି ବୁଲି ଯାଆନ୍ତି । (୮) ଇଂରେଜ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ପାଇଁ ସତ୍ୟବାଦୀରେ ବୋମା ତିଆରି ହେଉଛି ବୋଲି ସେତେବେଳେ ପ୍ରଚାର ହୋଇଥିଲା । ଅବଶ୍ୟ ଜାତୀୟ ଆନ୍ଦୋଳନ ପାଇଁ ସେମାନେ ବୋମା ପରିବର୍ତ୍ତେ ହିଁ ମଣିଷ ଗଢ଼ୁଥିଲେ । ଗୋପବନ୍ଧୁଙ୍କ ଭାଷାରେ ଏହା ଥିଲା ‘ମଣିଷ ଗଢ଼ା କାରଖାନା’ । ଥରେ ବାରିଷ୍ଟର ମଧୁବାବୁ ବିଦ୍ୟାଳୟର ଉନ୍ମୁକ୍ତ ପ୍ରାଙ୍ଗଣରେ ସମବେତ ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ-ଏ ବିଦ୍ୟାଳୟ ଧନରେ ଗଢ଼ା ହେଉନାହିଁ । ରକ୍ତ, ମାଂସ, ମସ୍ତିଷ୍କରେ ଗଢ଼ା ହେଉଛି । ଗୋପବନ୍ଧୁ ନୀଳକଣ୍ଠଙ୍କୁ ମୁଁ ବହୁଦିନୁ ଜାଣେ । ସେ ଦୁହେଁ ଏବଂ ଯେଉଁ କୃପାସିନ୍ଧୁ, ଗୋଦାବରୀଶ ଆସିବେ (ସେତେବେଳକୁ ଏମାନେ ଆସି ଯୋଗ ଦେଇ ନ ଥାନ୍ତି) ଏ ସମସ୍ତେ କେବଳ ଏ ବିଦ୍ୟାଳୟରେ ସଂପୃକ୍ତ ନୁହନ୍ତି, ପରାଧୀନ ଭାରତର ଓ ଖଣ୍ଡବିଖଣ୍ଡିତ ଓଡ଼ିଆ ଜାତିର ମୁକ୍ତି ସାଧନ ପାଇଁ ଏମାନେ ପ୍ରାଣବଳି ଦେଉଛନ୍ତି । ତୁମେ ପିଲାମାନେ ଏମାନଙ୍କ ପାଖରେ ବସି ଶୋଇ, କାମକରି, ପାଠପଢ଼ି ଯେତେବେଳେ ଯୁବକ ହେବ, ସେତେବେଳେ ଉତ୍କଳ-ଜନନୀର ଶହ ଶହ ଗୁଣୀ ସନ୍ତାନ ଏ ଦେଶର ନାୟକ ହେବେ । (୯)

 

ସତ୍ୟବାଦୀରେ ସାତବର୍ଷ-ଚନ୍ଦ୍ରଶେଖର ମିଶ୍ର-ଦ୍ଵିତୀୟ ମୁଦ୍ରଣ (ପୃ. ୫୨)

୯.

କବି ଗୋଦାବରୀଶ-ଚିନ୍ତାମଣି ଦାସ (ପୃ. ୫୯)

 

ସତ୍ୟବାଦୀ ଗୋଷ୍ଠୀ ଦେଶପ୍ରେମରେ ହୋଇଥିଲେ ପାଗଳ । ଦେଶ ଓ ଜାତିର ଉନ୍ନତି, ଅଗ୍ରଗତି ପଥରେ ଯାହା କିଛି ଅଶୁଭକର, ଅସୁନ୍ଦର ଓ କ୍ଷତିକାରକ, ତା’ର ବିଲୋପ ସାଧନ ସହିତ ମାନବ ସମାଜର ସେବାଦ୍ୱାରା ସତ୍ୟ, ଶିବ, ସୁନ୍ଦରର ପ୍ରତିଷ୍ଠା ଲାଗି ସେମାନେ ଅକ୍ଳାନ୍ତ ଉଦ୍ୟମ କରିଥିଲେ । ସେମାନଙ୍କ ଉଗ୍ର ଦେଶପ୍ରେମବଶତଃ ସମାଜ ସଂସ୍କାର ଆଣିବା ଲାଗି ସତ୍ୟବାଦୀ ବିଦ୍ୟାଳୟ ନିକଟରେ ରକ୍ଷଣଶୀଳ ବ୍ରାହ୍ମଣ ଶାସନଗୁଡ଼ିକ ଥିଲେ ମଧ୍ୟ ଦୃଢ଼ମତି ପଣ୍ଡିତ ନୀଳକଣ୍ଠ ଭୟ ନ କରି ବ୍ରାହ୍ମଣ ସମାଜରେ ନିଷିଦ୍ଧ ଥିବା ସତ୍ତ୍ୱେ ନିଶ ରଖିଥିଲେ । ସବ୍ୟବାଦୀ ବିଦ୍ୟାଳୟରେ ଛୁଆଁ ଅଛୁଆଁ ପ୍ରଭେଦ ଉଠାଇ ଦିଆଯାଇଥିଲା ଓ ଜାତିଧର୍ମ ନିର୍ବିଶେଷରେ ପଙ୍‌କ୍ତିଭୋଜନର ବ୍ୟବସ୍ଥା ହୋଇଥିଲା । ଶିକ୍ଷକ ଓ ଛାତ୍ର ସମସ୍ତେ ଏକ ପରିବାର ରୂପେ ଚଳୁଥିଲେ ଏବଂ ଜୀବନଯାପନ ପ୍ରଣାଳୀରେ ସର୍ବତ୍ର ସଂଯମ, ସରଳତା, ପବିତ୍ରତା ତଥା ଆଦର୍ଶ ଫୁଟିଉଠୁଥିଲା (୧୦) କେବଳ ବିଦ୍ୟାଳୟ ମଧ୍ୟରେ ଏହି ଗୋଷ୍ଠୀର ଦେଶପ୍ରେମ ବା ସଂସ୍କାରଲିପ୍‌ସା ସୀମିତ ନ ଥିଲା । ପରବର୍ତ୍ତୀ କାଳରେ ଓଡ଼ିଶାର ତଥା ଭାରତର ଜାତୀୟ ଆନ୍ଦୋଳନରେ ସେମାନେ ସକ୍ରିୟ ଭୂମିକା ନେଇଥିଲେ ଏବଂ କାରାବରଣ କରିଥିଲେ ମଧ୍ୟ ।

 

୧୦

ସତ୍ୟବାଦୀ ସାହିତ୍ୟ-ଅଧ୍ୟାପକ ପ୍ରେମାନନ୍ଦ ସାହୁ (ପୃ. ୧୭-୧୮)

 

ସତ୍ୟବାଦୀର ସାଧକମାନେ ସାହିତ୍ୟ ସାଧନାରେ ବ୍ରତୀ ଥିଲେ । ଜାତୀୟତାଭାବ, ସମାଜସଂସ୍କାର ଓ ତ୍ୟାଗ ଥିଲା ସେମାନଙ୍କ ସାହିତ୍ୟର ଆଦର୍ଶ । ଏ ଦେଶର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ଇତିହାସ ଓ କିମ୍ୱଦନ୍ତୀକୁ ଭିତ୍ତିକରି ସାହିତ୍ୟ ସୃଷ୍ଟିରେ ଏମାନେ ତତ୍ପର ଥିଲେ । ପାଶ୍ଚାତ୍ୟ ଦେଶାଗତ ନେସ୍‌ନାଲିଜିମ୍‌ର ଭାବନେଇ ଏମାନେ ଚାହିଁଥିଲେ ଦେଶରେ ଏକ ନବଜାଗରଣ ଆଣିବାକୁ । ବ୍ୟକ୍ତିଗତ ଓ ଜାତିଗତ ମର୍ଯ୍ୟାଦା ବୃଦ୍ଧିପାଇଁ ସାହିତ୍ୟ ରଚନା କରି ଯଥାର୍ଥରେ ଏମାନେ ଦେଶଭକ୍ତର ପ୍ରମାଣ ଦେଇଯାଇଛନ୍ତି ।

 

ନୀଳକଣ୍ଠ କାବ୍ୟକୃତିରେ ଜାତୀୟତାବାଦ

କବି ନୀଳକଣ୍ଠଙ୍କ ବିବିଧ କାବ୍ୟକୃତିରେ ଜାତୀୟତାବାଦର ସ୍ୱର ନିହିତ । ‘ଭକ୍ତିଗାଥା’ କବିଙ୍କ ଭକ୍ତି-ହୃଦୟର ପୂଜା ଅର୍ଘ୍ୟ ହେଲେ ମଧ୍ୟ ବିଶ୍ୱର ଦୁର୍ଦ୍ଦିନ ଦୂରୀକରଣ ପାଇଁ ତହିଁରେ ରହିଛି ଅଦମ୍ୟ ଆକୁଳତା (୧୧) ବିଶ୍ୱର ହାହାକାର ଦର୍ଶନ କରି କବି ନିରାଶ ହୋଇଛନ୍ତି ଏବଂ ଆନ୍ତର୍ଜାତିକ ମଙ୍ଗଳ ବିଧାନ ଉଦ୍ଦେଶ୍ୟରେ ଇଶ୍ୱରଙ୍କ ନିକଟରେ ବାଢ଼ିଛନ୍ତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ‘ପ୍ରଣୟିନୀ’ ଏକ ଅନୁବାଦ କାବ୍ୟ ହେଲେ ମଧ୍ୟ ସ୍ଥଳ ବିଶେଷରେ କବି ମୌଳିକତା ପ୍ରଦର୍ଶନ କରିବାକୁ ଯାଇ ସ୍ୱଦେଶୀୟ ସ୍ଥାନ, କାଳ, ପାତ୍ର ଏବଂ ମିଥ୍‌, ରୂପକାଦିର ପ୍ରୟୋଗ କରିଛନ୍ତି । ସେହିପରି ‘ଦାସନାଏକ’ ‘ଏନୋକ୍‌ଆର୍ଡ଼େନ’ ଅବଲମ୍ୱନରେ ରଚିତ ହୋଇଥିଲେ ହେଁ କବିଙ୍କ ସ୍ୱଦେଶୀୟ ସଂସ୍କୃତିବୋଧ ତଥା ଶ୍ରୀଜଗନ୍ନାଥ ଚେତନା ଆଦି କାବ୍ୟଟିକୁ ନୂତନ ଏକ କାବ୍ୟର ଧାରଣା ଦେଇଥାଏ । ‘ପିଲାଙ୍କ ଗୀତ’ କବିତା ସଂକଳନରେ ମଧ୍ୟ କେତେକ କବିତା ଜାତୀୟତାଭାବ-ବ୍ୟଞ୍ଜିତ ହୋଇଥିବାର ଲକ୍ଷ୍ୟ କରିହୁଏ । ଏହିପରି ଉପର୍ଯ୍ୟୁକ୍ତ କୃତିଗୁଡ଼ିକରେ ଜାତୀୟତାବାଦର ଆଭାସ ପରିଦୃଷ୍ଟ ହୁଏ । କିନ୍ତୁ ‘କୋଣାର୍କେ, ଏବଂ ‘ଖାରବେଳ’ କାବ୍ୟ ଦୁଇଟି କବିଙ୍କ ଉଗ୍ରଜାତୀୟତାବାଦ ଚିନ୍ତାଧାରାପ୍ରସୂତ ।

 

୧୧

ସତ୍ୟ ଶିବ ସୁନ୍ଦର ହେ ଭୁବନ-ଈଶ୍ଵର

କେଉଁ ଦେଶେ କାହିଁ ତବ ପୁଣ୍ୟ ଅଧିଷ୍ଠାନ ?

ଦିବସ ରଜନୀ ଭବେ ଉଠେ ହାହାକାର

କାହିଁପାଇଁ, କେମନ୍ତେ ହେ, କହିବି କେସନ !

ଭବପୁରେ ଶୂନ୍ୟେ ଚାହେଁ, କାହିଁ କିଛି ନ ଦେଖଇ

ଆଶାରେ ଆଶାରେ ଭଜେ ନିରାଶା ପରାଣ ।”

ନୀଳକଣ୍ଠ ଗ୍ରନ୍ଥାବଳୀ, ୧ମ ଖଣ୍ଡ (ପୃ. ୧୭୩)

 

‘କୋଣାର୍କେ’ର ‘ରାମଚଣ୍ଡୀଠାରେ ରାତି ଓ ସକାଳ’ କାବ୍ୟାଂଶରେ ଉତ୍କଳର ହୃତ ଓ ସୁପ୍ତ ଗୌରବରାଜିର ଯେଉଁ ଚିତ୍ର ପ୍ରଦତ୍ତ ହୋଇଛି, ତାହା ପାଠକଲେ କାବ୍ୟଟି ସାହିତ୍ୟ ପରିବର୍ତ୍ତେ ଇତିହାସ ପରି ପ୍ରତୀୟମାନ ହୁଏ । ଉତ୍କଳର ବୀର ପାଇକ ପୁଅର ଗର୍ବ ଓ ଗୌରବର ଇତିହାସ, ଉତ୍କଳ ରମଣୀର ବୀରତ୍ୱ, ସାମ୍ରାଜ୍ୟର ପରିବ୍ୟାପ୍ତି, ସାଧବ ପୁଅର ବଣିଜ, ଶିଳ୍ପୀର ଶିଳ୍ପକଳା, ଋଷି ଓ ମହର୍ଷିଙ୍କ ପବିତ୍ର ଓଁକାର ଧ୍ୱନି ତଥା ସର୍ବୋପରି ଉତ୍କଳର ଧର୍ମ, ସଂସ୍କୃତି ଓ ସାହିତ୍ୟର ସମାଲୋଚନା ମାଧ୍ୟମରେ କବିଙ୍କର ଉତ୍କଳୀୟତା ପ୍ରତିପାଦିତ ।

 

ରାଧାନାଥଙ୍କୁ ଜାତୀୟ କବି କୁହାଯାଇପାରେ । କିନ୍ତୁ ସକ୍ରିୟ ଦେଶାତ୍ମବୋଧ ତାଙ୍କଠାରେ ନ ଥିଲା । ସେ ଓଡ଼ିଶାର ଚିର ଭାସ୍ୱର କୀର୍ତ୍ତି କୋଣାର୍କକୁ ତିଆରି ହେଉ ହେଉ ଭାଙ୍ଗି ଦେଇଛନ୍ତି । ନୀଳକଣ୍ଠଙ୍କ ଜାତୀୟତାବୋଧ କୋଣାର୍କକୁ ଅଭିଶାପ ଦେଇ ଧୂଳିସାତ୍‌ କରିଦେଇ ନାହିଁ । ତାଙ୍କର ଐତିହ୍ୟବୋଧ ଥିଲା ସୁବିପୁଳ । ସ୍ୱଦେଶପ୍ରୀତି ଥିଲା ଅମାପ । ଯେ ଛାତ୍ରମାନଙ୍କୁ କେବଳ ଲେଖକଙ୍କ ବିଶ୍ରାମାଳାପ ମଧ୍ୟରେ କହିନାହାନ୍ତି, କହିଛନ୍ତି ସେମାନଙ୍କ ସ୍ୱପ୍ନ ପର୍ଯ୍ୟାୟରେ, ଯେଉଁ ସ୍ୱପ୍ନ ଭାଜିଗଲେ ସେମାନେ କେବଳ ଯଥାର୍ଥ ନରସିଂହଙ୍କୁ ଦେଖିବେ ନାହିଁ, ତାଙ୍କର ଅକ୍ଷୟକୀର୍ତ୍ତି କୋଣାର୍କକୁ ମଧ୍ୟ ଦେଖିବେ । (୧୨) ଏଥିପାଇଁ କବି ରାଧାନାଥଙ୍କୁ ବହୁ ବ୍ୟଙ୍ଗ ବିଦ୍ରୁପ କରିଛନ୍ତି । ‘ରାମଚଣ୍ଡୀଠାରେ ରାତି ଓ ସକାଳ’ର ତ୍ରୟୋଦଶ ଓ ପଞ୍ଚଦଶ କବିତାରେ ଏହା ବର୍ଣ୍ଣିତ ।

 

୧୨

ମନୀଷୀ ନୀଳକଣ୍ଠ-ଚିନ୍ତାମଣି ଦାସ (ପୃ. ୩୩୦)

 

କୋଣାର୍କେ’ କାବ୍ୟର ପ୍ରାରମ୍ଭରେ ଭାରତବର୍ଷର ଜମ୍ୱୁଦ୍ୱୀପ (ଦକ୍ଷିଣପୂର୍ବ କାଶ୍ମୀର) ଏବଂ ନୀଳାଚଳ ଦେଶ (ଉତ୍କଳ)ର ପ୍ରଶସ୍ତିଗାନ କରାଯାଇଛି । ଜମ୍ୱୁ ରାଜପୁତ୍ର ଏବଂ ଦ୍ୱିଜ ବିଶ୍ୱନାଥଙ୍କ ଉକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ କୀର୍ତ୍ତିରାଜି ପରିପୂର୍ଣ୍ଣ ଦେଶ ଦ୍ୱୟର ମହିମା ଫୁଟିଉଠିଛି । ବିଶ୍ୱନାଥଙ୍କ ଭାଷାରେ, କେବଳ ଏଇ ଦୁଇ ଦେଶ ବ୍ୟତୀତ ଯବନମାନେ ଅନ୍ୟ ସମସ୍ତ ଦେଶ ଅଧିକାର କରିଥିଲେ । ସେ ମଧ୍ୟ କହନ୍ତି, ଉତ୍କଳ ଦେଶ ମହତ୍‌ ଏବଂ ପୁଣ୍ୟ ଦେବଭୂମି । ଦେବତାମାନେ ଏଠାରେ ନର ରୂପରେ ଅବତୀର୍ଣ୍ଣ । ତାରକା ଭାବରେ ଉର୍ଦ୍ଧ୍ୱରେ ଥାଇ ସୁର-ଲୋକେ ଏହି ଦେଶକୁ ଲକ୍ଷ୍ୟ ରଖିଥାନ୍ତି । (୧୩)

 

୧୩

ନୀଳକଣ୍ଠ ଗ୍ରନ୍ଥାବଳୀ-୧ମ ଖଣ୍ଡ : ଦ୍ଵିତୀୟ ସଂସ୍କରଣ (ପୃ. ୩୪୪)

 

‘କୋଣାର୍କେ’ କାବ୍ୟର ତୃତୀୟସର୍ଗରେ ଟଙ୍କ ଏବଂ ନରସିଂହଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ବର୍ଣ୍ଣନା ମାଧ୍ୟମରେ କବି ନରସିଂହଙ୍କ ବୀରତ୍ୱର ଗାରିମା ଦର୍ଶାଇଛନ୍ତି । ଟଙ୍କର କୁହୁକ ବିଦ୍ୟାରେ ବଶୀଭୂତ ହୋଇ ସୁଦ୍ଧା ନରସିଂହ ଦେବ ଆପଣାର ମଥା ନତ କରିନାହାନ୍ତି । ବରଂ ସକଳ ପରାଜୟ ସତ୍ତ୍ୱେ ଟଙ୍କକୁ ଭର୍ତ୍ସନା କରିବାରେ ଲାଗିଛନ୍ତି । ବୀରତ୍ୱ ସଂପର୍କରେ ବୁଝାଇବାକୁ ଯାଇ ନରସିଂହ ସେଠାରେ କହିଛନ୍ତି ଅନ୍ଧକାର ରାତ୍ରରେ ଲୁଚି ଛପି ପ୍ରଜାମାନଙ୍କର ଧନସମ୍ପତ୍ତି ଲୁଣ୍ଠନ କରିବା ବୀରତ୍ୱର ପରିଚାୟକ ନୁହେଁ । ଉତ୍କଳର ପରମ୍ପରାଗତ ବୀରତ୍ୱରେ ଏହିପରି କାର୍ଯ୍ୟ ନିଚତାର ହିଁ ଏକ ଦୃଷ୍ଟାନ୍ତ । ତେଣୁ ତସ୍କର ଭାବରେ ପରଧନ ଅପହରଣ କରି ଅପଯଶ ଲାଭ କରିବା ପରିବର୍ତ୍ତେ ସ୍ୱଳ୍ପ ନିଜ ଧନରେ ଗୃହକୋଣରେ ପଡ଼ି ମୃତ୍ୟୁବରଣ କରିବା ଶ୍ରେୟସ୍କର ଏବଂ ବୀରତ୍ୱସୁଲଭ (୧୪) କେବଳ ଏତିକି ନୁହେଁ, ପ୍ରଜାଶୋଷକ ବିଦେଶୀ ତସ୍କରଙ୍କୁ ଶତ ଧିକ୍‌କାର କରିବା ସଙ୍ଗେ ସଙ୍ଗେ ଜନନୀ ଜନ୍ମଭୂମିର ମମତାକୁ ଯେଭଳି ବର୍ଣ୍ଣନା କରିଛନ୍ତି ତାହା ବାସ୍ତବିକ ଅନୁପମ (୧୫)

 

୧୪

ତତ୍ରୈବ, (ପୃ. ୩୬୩)

୧୫

ଜନମଭୂଇଁ ତୁ ଜନନୀ ମୋହର

ଜୀବନେ କେସନେ ଭୁଲନ୍ତି ତୋତେ

 

ଯାଉଛି ବରଜି ଦିଅ ମା’ ବିଦାୟ

ଅଳିଝଳି ମୋର ସହିଛୁ କେତେ ।

 

ତୋହରି ହୃଦୟ ଚିରି ମୁଁ ଖାଇଛି

ପିଇଛି ତୋହରି ଜୀବନଧାରା

 

ତେବେ ହେଁ ହୃଦୟେ ରଖିଛି ଆଦରି

ମରଣେ ଏ ମୋର ଶରୀର-ଭାରା,

 

ତୋତେ ଛାଡ଼ି କେଉଁ ସ୍ଵରଗେ ରହିବି

ଅନନ୍ତ-ବିରହ-ଅନଳେ ଜଳି

 

ନାହିଁକି ନରକ ଏ ବନେ କୁମାର ?

ଦିଅ ମୋତେ ସେହି ନରକେ ପେଲି ।

 

ତତ୍ରୈବ; (ପୃ. ୩୬୫)

 

 

‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’-କବିଙ୍କର ଏହି ସ୍ୱଦେଶ ପ୍ରୀତି ବୀର ନରସିଂହଦେବଙ୍କ ଚରିତ୍ରକୁ ଯେ ଉଦାର ଏବଂ ମହତ୍ତର କରି ଗଢ଼ି ତୋଳିଛି, ଏଥିରେ ସନ୍ଦେହ ନାହିଁ-। ବୀର ନରସିଂହଙ୍କ ଉକ୍ତିରେ ଟଙ୍କଙ୍କର ହୋଇଛି ଅଦ୍ଭୁତ ପରିବର୍ତ୍ତନ । ଜାତୀୟତାର ମନ୍ତ୍ରରେ ସେ ହୋଇଛନ୍ତି ଦୀକ୍ଷିତ । ଆପଣାର ତ୍ରୁଟି ବିଚ୍ୟୁତି ସେ ଉପଲବ୍‌ଧି କରିପାରିଛନ୍ତି ଏବଂ ଅତି ଅଦ୍ଭୁତ ଭାବରେ ଆଲିଙ୍ଗନ କରିଛନ୍ତି ବୀର ନରସିଂହଙ୍କୁ (୧୬) ଶତ୍ରୁକୁ ଏଭଳି ଭାବରେ ମିତ୍ର କରିନେବା ତଥା ତସ୍କରଙ୍କ ହୃଦୟରେ ଏଭଳି ସ୍ୱଦେଶ ପ୍ରୀତି ଭରିଦେବା କ’ଣ ଶ୍ରେଷ୍ଠ ବୀରତ୍ୱର ଜୟଗାଥା ନୁହେଁ କି ? ତାମ୍ରଲିପ୍ତ ଜଳଦସ୍ୟୁମାନଙ୍କ ସହିତ ନରସିଂହ ଦେବଙ୍କର ଅହରହ ସଂଗ୍ରାମ ମଧ୍ୟ ତାଙ୍କର ଶ୍ରେଷ୍ଠ ବୀରତ୍ୱର ନିଦର୍ଶନ ।

 

୧୬

ଏକାକାର ହେଲା କଟକ ଧଙ୍କସ ଏକାକାର ହେଲା ବିଲ/ଏକାକାର ହେଲା ଗିରିଟଙ୍କବେଳା ଉତ୍କଳେ ମିଶିଲା ଧଙ୍କସ ବଳ ।-ତତ୍ରୈବ, ପୃ-୩୬୫

 

ଉତ୍କଳର ଅପରାଜେୟ ତଥା ପରାକ୍ରମଶାଳୀ ବୀର ଖାରବେଳଙ୍କୁ ଆଧାର କରି କବିଙ୍କ ‘ଖାରବେଳ’ କାବ୍ୟ ପରିକଳ୍ପିତ । ସଂଗ୍ରାମବିଳାସୀ ଖାରବେଳ ଜାତିର ବ୍ୟାପ୍ତି ଉଦ୍ଦେଶ୍ୟରେ ସଂଗ୍ରାମରେ ରତ ରହୁଥିଲେ । ସେ ଯେପରି ଯୁଦ୍ଧପ୍ରିୟ ସେହିପରି ଥିଲେ କର୍ତ୍ତବ୍ୟପରାୟଣ ଏବଂ ପ୍ରଜାବତ୍ସଳ । ଜୀବନର ଶେଷ ଭାଗରେ ସେ ପବିତ୍ର ସନ୍ନ୍ୟାସ ଜୀବନ କାଟିଥିଲେ ଏବଂ ସନ୍ନ୍ୟାସୀମାନଙ୍କ ଉଦ୍ଦେଶ୍ୟରେ ବହୁ ଗୁହା ମଧ୍ୟ ଖୋଳାଇ ଥିଲେ । ସର୍ବୋପରି ଜାତିର ସ୍ଥିତି, ବ୍ୟାପ୍ତି ଏବଂ ପ୍ରଗତି ପାଇଁ ସେ ଥିଲେ ସଦା ତତ୍ପର । ସେ ହିଁ ଯଥାର୍ଥରେ ଜଣେ ଜାତୀୟ ବୀର । ସେହି ବୀରପୁଙ୍ଗବଙ୍କୁ ନାୟକ ଭାବରେ ଗ୍ରହଣ କରି ଖାରବେଳ କାବ୍ୟ ଏକ ଜାତୀୟ ମହାକାବ୍ୟରେ ପରିଣତ ହୋଇପାରିଛି ।

 

ଯୁବକ ଖାରବେଳ ସଂଗ୍ରାମ କରିବାକୁ ଆସି ସିନ୍ଧୁତୀରରେ ବଜିରକନ୍ୟା ଧୂସିଙ୍କ ପ୍ରେମରେ ପଡ଼ିଯାଆନ୍ତି । ପ୍ରଥମ ଦର୍ଶନରେ ସେମାନଙ୍କ ହୃଦୟରେ ଜାତ ହୋଇଥିବା ପ୍ରେମ କ୍ରମଶଃ ଗାଢ଼ତର ହେବାକୁ ଲାଗେ । ସଂଗ୍ରାମ ଲିପ୍‌ସା ତାଙ୍କର ଲିଭି ଲିଭି ଆସେ । ଏକ ଦିଗରେ ଯୁବତୀର ସଲଜ୍ଜପ୍ରେମ ଅପର ଦିଗରେ ବିଭୀଷିକା ପୂର୍ଣ୍ଣ ସଂଗ୍ରାମକ୍ଷେତ୍ର । ଦ୍ୱନ୍ଦ୍ଵାଚ୍ଛନ୍ନ ହୋଇପଡ଼ନ୍ତି ଖାରବେଳ । ଶେଷରେ ତରୁଣୀର ପ୍ରେମ ଅପେକ୍ଷା ସଂଗ୍ରାମ (କର୍ମକ୍ଷେତ୍ର)କୁ ଶ୍ରେଷ୍ଠ ଭାବରେ ସେ ଗ୍ରହଣ କରନ୍ତି । (୧୭) ସେ ହିଁ ଜାତୀୟ ବୀର । ଜାତି ପାଇଁ ସଂଗ୍ରାମ କରିବାକୁ ଯାଇ ବ୍ୟକ୍ତିଗତ ପ୍ରେମ ବ୍ୟାପାରରେ ଦୁର୍ବଳ ହୋଇ ପଡ଼ିବା ଭୀରୁତା ସିନା, ବୀରତ୍ୱର ପରିଚାୟକ ନୁହେଁ । ଖାରବେଳ ତାହା ହିଁ କରିଛନ୍ତି ।

 

୧୬

କଠୋର କରମ ପଡ଼ିଛି ଆଗେ ପୀରତିରେ ତାକୁ ଏଡ଼ି ସୋହାଗେ କି ଯଶ ହେବ ? ମୁଁ ରାଜକୁମାର ଜଗତେ ତ ମୋତେ ବୋଲନ୍ତି ବୀର ।-ତତ୍ରୈବ (ପୃ. ୪୩୮)

 

ବଜିରକନ୍ୟା ଧୁସି । ତାଙ୍କ ହୃଦୟରେ ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ । ଜାତିର ଉଦ୍ଧାର ପାଇଁ ସେ ସର୍ବଦା ଚିନ୍ତାକୁଳ । ଖାରବେଳଙ୍କ ସହିତ ପ୍ରେମଭାବରେ ମଜ୍ଜି ରହିଥିଲେ ସୁଦ୍ଧା ସେ ନିଜକୁ ଦୁର୍ବଳା ମନେ କରିନାହାନ୍ତି । ସେନାପତି ବେଶରେ ସେ ଯୁଦ୍ଧକ୍ଷେତ୍ରରେ ପଦାର୍ପଣ କରିଛନ୍ତି । ଖାରବେଳଙ୍କ ସହିତ ବିବିଧ କୂଟ ମନ୍ତ୍ରଣାରେ ଭାଗ ନେଇଛନ୍ତି ଏବଂ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଖାରବେଳଙ୍କ ଠାରୁ ଅଧିକ ସାହସ ଓ କୂଟନୀତି ପ୍ରଦର୍ଶନ କରି ଯବନମାନଙ୍କୁ ପରାଜିତ କରିବାରେ ସକ୍ରିୟ ଭୂମିକା ନେଇଛନ୍ତି ।

 

କୃଷକପତି ମଧ୍ୟ ଜାତୀୟତା ମନ୍ତ୍ରରେ ଦୀକ୍ଷିତ । ନିଜର କୃଷକ ସେନାମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇବା ପାଇଁ ସେ ସେମାନଙ୍କୁ ଉଦ୍‌ବୋଧନ ଦିଅନ୍ତି । କଳିଙ୍ଗ ରାଜ୍ୟ, କଳିଙ୍ଗ ସେନା ତଥା କଳିଙ୍ଗ ବୀର ଖାରବେଳଙ୍କ ଗୌରବଗାଥା ସେ ଗାନ କରିଛନ୍ତି । (୧୮)

 

୧୮.

“ଶୁଣିଛି ବିଷମ ସେ ବୀର ଯୁବକ

ବାଳୁତେ ଜିଣିଛି ବିଷମ ମୁଲକ

 

ବିଷମ ସଙ୍କଟ ଗିରି ଦୁର୍ଗପଥେ

ଉଡ଼୍ରସେନା ମାରି ଜିଣିଛି ନିଶୀଥେ

 

ଦକ୍ଷିଣ ମୁଲକ କରି ଛାରଖାର

ପୋତିଛି ସେ ଭୂମେ କଳିଙ୍ଗ ଚିରାଳ

 

ବଣିକ ସଇନି ଧରି ସିନ୍ଧୁପଥେ

ନାଶିଅଛି ଦସ୍ୟୁ କେତେ ସେ ବୋଇତେ

 

“ଖାରବେଳ ନାମେ ବିଜୟ ଅଛି ।”

 

 

ତତ୍ରୈବ; (ପୃ. ୪୩୦)

 

 

ବିଭିନ୍ନ ଚରିତ୍ର ମାଧ୍ୟମରେ ଜାତୀୟତାର ଓଁକାର ଧ୍ୱନି ଗୁଞ୍ଜରଣ କରିବା ସଙ୍ଗେ ସଙ୍ଗେ କବି ମଧ୍ୟ ସ୍ଥାନ ବିଶେଷରେ ଆପଣାର ବକ୍ତବ୍ୟ ପ୍ରକାଶ କରିଛନ୍ତି । ‘ଖାରବେଳ’ କାବ୍ୟର ଦ୍ୱାଦଶ ଛାନ୍ଦରେ ବିଦେଶୀଯବନ ଏବଂ ପଶ୍ଚିମ ଦେଶାଗତମାନଙ୍କର ତୀବ୍ର ନିନ୍ଦା କରିବାରେ ସେ ପ୍ରବୃତ୍ତ ହୋଇଛନ୍ତି । ଯବନମାନେ ଦୁର୍ବଳ ଉପରେ କେବଳ ଅତ୍ୟାଚାର କରିଜାଣନ୍ତି । ତାଙ୍କର ଯୁଦ୍ଧନୀତି କୂଟନୀତିରେ ପରିପୂର୍ଣ୍ଣ । ସେମାନେ ବିଶ୍ୱାସଘାତକ । ଆପଣା ସୁଖ ସେମାନଙ୍କର କାମ୍ୟ । ସେମାନଙ୍କ ଧାର୍ମିକପଣିଆ ବକ ସଦୃଶ । କୂଟ ଚକ୍ରାନ୍ତ ବଳରେ ସମସ୍ତଙ୍କଠାରୁ ନିଜ ନିଜର ଅଧିକାର ଛଡ଼ାଇ ନେଇ ସବୁକିଛି ଆତ୍ମସାତ୍‌ କରିବାକୁ ସେମାନେ ଭଲରୂପେ ଜାଣନ୍ତି । ସମ୍ମୁଖ ରଣ ତାଙ୍କର ଆଦର୍ଶ ନୁହେଁ । ଠକରୀତି ଆଚରଣ କରି ଶତ୍ରୁକୁ ବିଶ୍ୱାସ ଦେଖାଇ ସେମାନେ ତାହାର ଉପଯୋଗ କରି ବସନ୍ତି ଏବଂ ଶତ୍ରୁକୁ ଦମନ କରନ୍ତି ।” ଏହିପରି ଭାବରେ କବି ପଶ୍ଚିମ ସଭ୍ୟତାର ଘୋର ନିନ୍ଦା କରିଛନ୍ତି । କବିଙ୍କ ସମୟରେ ଦେଶରେ ଇଂରେଜଶାସନ ଚାଲିଥାଏ । ଏଠାରେ ପଶ୍ଚିମ ସଭ୍ୟତା ଅର୍ଥରେ କବି ଇଂରେଜ ସଭ୍ୟତାକୁହିଁ ବୁଝାଇଛନ୍ତି । ଯାହାହେଉ, ଇଂରେଜ ଶାସନରେ ସୁଦ୍ଧା ଇଂରେଜମାନଙ୍କ ବିରୁଦ୍ଧରେ ଏଭଳି ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ତାଙ୍କର ସାହସ ଓ ନିର୍ଭୀକତାର ପରିଚୟ ଦେବା ସଙ୍ଗେ ସଙ୍ଗେ ଜାତୀୟ ଚେତନାର ଭାବ ଯେ ପ୍ରକଟ ନ କରେ, ଏଥିରେ ସନ୍ଦେହର ଅବକାଶ ନାହିଁ । ବସ୍ତୁତଃ କବି ନୀଳକଣ୍ଠଙ୍କ କାବ୍ୟକୃତିରେ ଜାତୀୟ ଚେତନାର ମୁଦ୍ରାଙ୍କ ସ୍ପଷ୍ଟ ।

 

ପଣ୍ଡିତ ନୀଳକଣ୍ଠଙ୍କ ଜାତୀୟତା ପ୍ରସଙ୍ଗ ଉତ୍‌ଥାପନ କରିବାକୁ ଯାଇ ଅଧ୍ୟାପକ ଦାଶରଥି ଦାସ କହନ୍ତି, ଜାତୀୟଭାବ ଚେତନା ପ୍ରସଙ୍ଗରେ କବି ନୀଳକଣ୍ଠ ରାଧାନାଥଙ୍କର ପ୍ରତିପକ୍ଷ ନୁହନ୍ତି, ଉତ୍ତରସାଧକ ମାତ୍ର (୧୯) ଏହି ମତ ଖଣ୍ଡନ କରିବାକୁ ଯାଇ ଚିନ୍ତାମଣି ଦାସ ମତ ଦିଅନ୍ତି, ନୀଳକଣ୍ଠ ଓ ରାଧାନାଥଙ୍କ ଜାତୀୟଭାବ ଚେତନା ଭିତରେ ଗଭୀର ପାର୍ଥକ୍ୟ ରହିଛି । ରାଧାନାଥଙ୍କ ପ୍ରତିଭା କେବଳ ସୌନ୍ଦର୍ଯ୍ୟବୋଧ ଉପରେ ପ୍ରତିଷ୍ଠିତ ହେଲେ, ସତ୍ୟବାଦୀ ଗୋଷ୍ଠୀର ପ୍ରତିଭା ଓ ମନୀଷା ସତ୍ୟ, ଶିବ, ସୁନ୍ଦର, ଇତିହାସ, ପ୍ରବାଦ, କିମ୍ୱଦନ୍ତୀ, ବିଜାତୀୟ ପ୍ରଭାବର ବିମୁକ୍ତି ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବ ଗ୍ରହଣ କରିବାର ଆବେଗ ଉପରେ ପ୍ରତିଷ୍ଠିତ । ଏହି ଦୁଇ ପ୍ରକାର ଜାତୀୟଭାବ ଚେତନା ମଧ୍ୟରେ ସୀମାରେଖା ଟାଣି କିପରି ଅଧ୍ୟାପକ ଦାସ ନିଶ୍ଚିତ ହୋଇ ରହିଲେ, ତାହା ବୁଝି ହୁଏ ନାହିଁ (୨୦) ତେଣୁ ନୀଳକଣ୍ଠ ଊନବିଂଶ ଶତାବ୍ଦୀର ଓଡ଼ିଆ କାବ୍ୟଧାରାରେ ପ୍ରତିଫଳିତ ଜାତୀୟବୋଧର ଦାୟାଦ ନୁହଁନ୍ତି । ସାମଗ୍ରିକ ଦୃଷ୍ଟିରୁ ବିବେଚନା କଲେ, ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ଚେତନାରେ ନୀଳକଣ୍ଠଙ୍କ ଜାତୀୟ ଚେତନା ଏପରି ପୁଷ୍କଳ ଯେ ତତ୍‌ପୂର୍ବବର୍ତ୍ତୀ ସାହିତ୍ୟ ତୁଳନାରେ ଏହା ସ୍ପଷ୍ଟ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ ।

 

୧୯

କାବ୍ୟ ସମ୍ବାଦ-ଦାଶରଥି ଦାସ (ପୃ. ୨୯୬)

ପ୍ରଥମ ପ୍ରକାଶ-୧୯୭୩

୨୦.

ମନୀଷୀ ନୀଳକଣ୍ଠ-ଚିନ୍ତାମଣି ଦାସ (ପୃ. ୩୩୬)

ପ୍ରଥମ ସଂସ୍କରଣ, ୧୯୮୨

 

ଅଧ୍ୟାପକ ଓଡ଼ିଆ ବିଭାଗ

ସ୍ଵାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ

ଜଗତ୍‌ସିଂହପୁର, କଟକ

***

 

ଚନ୍ଦନ ଚାନ୍ଦିନୀ ନିନ୍ଦଇ ବିରହିଣୀ

ରାଧାମୋହନ ଗଡ଼ନାୟକ

 

(କାନ୍ତକବି ଶ୍ରୀ ଜୟଦେବ କୃତ ‘ଗୀତ ଗୋବିନ୍ଦ’ର “ନିନ୍ଦତି ଚନ୍ଦନନିନ୍ଦୁ କିରଣ ମନୁ”ର ଅନୁବାଦ)

 

ଚନ୍ଦନ ଚାନ୍ଦିନୀ ନିନ୍ଦଇ ବିରହିଣୀ

କାନ୍ଦଇ ଖେଦେ ହୋଇ ବିକଳ,

ବିଷଧର-ଧରଷିତ ଚନ୍ଦନ-ପରଶିତ

ମଳୟ ପବନ ମଣେ ଗରଳ ।

ଶ୍ୟାମସୁନ୍ଦର ବେଣୁଧର ହେ,

ବିଷମ ଧନୁର ବାଣେ

ଗଭୀର ପୀରତି ଧ୍ୟାନେ

ମଜି ଯାଇଚି ସେ ତୁମ ବିରହେ ।୦।

 

ସହୀର ହୃଦୟ ଭୂମେ

 

ରହିଅଛ ବୋଲି ତୁମେ

ଶରଜାଳ ମାରୁଅଛି ମଦନ,

ସଜଳ ନଳିନ ଦଳ

 

ବର୍ମରେ ବୁକୁତଳ

ଆବରୁଚି କରି ଅତି ଯତନ ।

ନାନା କେଳି କଳାଶିରୀ

 

କଳପନା କରି କରି

ରଚୁଚି ରୁଚିର ଫୁଲଶଯ୍ୟା,

ତୁମରି ମିଳନ ଆଶେ

 

ବ୍ରତ କରି ଉଲ୍ଲାସେ,

ପାଳୁଅଛି ଫୁଲଶର-ସଜ୍ଜା ।

ନୟନର ବାରି ଧାରେ,

 

ଝୁରି ଝୁରି ବାରେ ବାରେ

ଭରୁଅଛି ତା’ର ମୁଖ କମଳ,

ରାହୁର ଦଶନ ଘାତେ

 

ଚନ୍ଦ୍ରରୁ ଅବା ସତେ !

ଗଳୁଅଛି ଅମୃତ ତରଳ ।

ତୁମକୁ ମଦନ ମଣି

 

ମୃଗମଦେ ବାଳାମଣି

ତୁମରି ଚିତ୍ର ଲେଖି ସୁମନେ

ଚରଣେ ମକର ବିହି

 

ଚୂତଶର କରେ ନିହି

ପାଦତଳେ ନମୁଅଛି ସୁମନେ ।

କହୁଅଛି ଅବିରାମ,

 

“ହେ ଶ୍ୟାମ, ହେ ଶ୍ୟାମ,

ପାଦତଳେ ପଡ଼ୁଅଛି ତୁମର,

ଜୀବନର ଅଭିରାମ,

 

ତୁମେ ଯଦି ହୁଅ ବାମ,

ସୁଧାନିଧି ମୋ ତନୁକୁ ଗରଳ ।

ତୁମେ ଆଜି ଦୁର୍ଲ୍ଲଭ,

 

ହେ ପ୍ରାଣ ବଲ୍ଲଭ ।”

ଧ୍ୟାନେ ରାଧା ଦେଖି ତୁମ ମୂର୍ତ୍ତି,

କାନ୍ଦୁଚି, ହସୁଅଛି,

 

ଅବସାଦେ ଭାସୁଅଛି,

ଧ୍ୟାଉଅଛି, ପାଉଅଛି ତୃପ୍ତି ।

ଜୟଦେବର ଏ ଗୀତ

 

ସୁମଧୁର ସୁରଚିତ

ତୋଳୁଅଛି ନର୍ତ୍ତିତ, ସୁତାନ

ବିରହିଣୀ ରାଧାରାଣୀ

 

ସହୀର ମଧୁରବାଣୀ

ଅନ୍ତରେ କର ଚିର ଧିଆନ ।

 

ଉପ-ସଭାପତି

ଓଡ଼ିଶା ସାହିତ୍ୟ ଏକାଡେମୀ (ଭୁବନେଶ୍ୱର)

 

***

 

ଓରାଁଓ୍ୱ ସଂସ୍କୃତି ଓ ଶବ୍ଦାବଳୀ

ଡଃ ଲକ୍ଷ୍ମଣପ୍ରସାଦ ନାୟକ

 

ଓରାଁଓ୍ୱ ଗୋଟିଏ ଆଦିମ ଜାତି ସମୁଦାୟ । ଏମାନଙ୍କ ବୋଲିକୁ ଓରାଁଓ୍ୱ ବା କୁରୁଖ କୁହାଯାଏ । ଏମାନେ ମଧ୍ୟପ୍ରଦେଶର ପୂର୍ବଭାଗ-ଯଶପୁର ଏବଂ ସରଗୁଜା କ୍ଷେତ୍ର ବିହାରର ଦକ୍ଷିଣ ଏବଂ ଓଡ଼ିଶାର ଉତ୍ତର-ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳ ତଥା ପଶ୍ଚିମବଙ୍ଗର ପଶ୍ଚିମ ଦକ୍ଷିଣାଂଶରେ ନିବାସ କରନ୍ତି । ୧୯୬୧ ଜନଗଣନା ଅନୁଯାୟୀ ଭାରତରେ ଏମାନଙ୍କ ମୋଟ ସଂଖ୍ୟା ୧୧,୪୧,୮୦୪ (ଜନସଂଖ୍ୟାର ୦.୨୬ %) ବିଭିନ୍ନ ଅଞ୍ଚଳରେ ଏମାନଙ୍କ ସଂଖ୍ୟା-

 

ଆନ୍ଧ୍ର

 

ଆସାମ

32,725

(0.28%)

ବିହାର

5,49,377

(1.18%)

ମଧ୍ୟପ୍ରଦେଶ

2,76,193

(0.85%)

ମହାରାଷ୍ଟ୍ର

75

 

ଓଡ଼ିଶା

57, 340

(0.33 %)

ଉତ୍ତରପ୍ରଦେଶ

761

 

ପଶ୍ଚିମବଙ୍ଗ

2,21,127

(0.63 %)

ଆଣ୍ଡାମାନ ଓ

ନିକୋବର ଦ୍ୱିପପୁଞ୍ଜ

2,214

(3.48 %)

ଦିଲ୍ଲୀ

69

 

ହରିଆନା

69

 

ତ୍ରିପୁରା

1,811

 

ଗୋଆ, ଡାମନ୍‍ ଓ ଡିଉ

22

 

ନେଫା

49

(0.13 %)

 

37

(0.01 %)

ମୋଟ

11, 41,804

 

 

ଏମାନଙ୍କ ମୂଳ ଭାଷା ନିଶ୍ଚିତ ଭାବେ କେବେ ନିଷାଦ ଭାଷା ପରିବାରର ଗୋଟିଏ ଶାଖା ଥିଲା । କିନ୍ତୁ ଆଜି ଏମାନେ ଯେଉଁ ବୋଲି କହନ୍ତି ତାହା ଦ୍ରାବିଡ଼ ଭାଷା ପରିବାରର ଗୋଟିଏ ଉପଶାଖା ଓରାଁଓ୍ୱ ବା କୁରୁଖ ନାମରେ ନାମିତ । ଏହି ବୋଲି ତମିଷ୍‌ ଭାଷାରୁ ପ୍ରଭାବିତ ବୋଲି ଲୋକେ କହନ୍ତି । କିନ୍ତୁ ତାହା ମଧ୍ୟପ୍ରଦେଶ, ଓଡ଼ିଶା, ବିହାର, ପଶ୍ଚିମବଙ୍ଗରେ ନିବାସ କରୁଥିବା ଓରାଁଓ୍ୱମାନଙ୍କ ବୋଲିରେ ପରିଲକ୍ଷିତ ହୁଏ ନାହିଁ । ଯେକୌଣସି ବୋଲି ଅନ୍ୟ ବୋଲି ଏବଂ ପରିବେଶ ସମ୍ପର୍କରେ ଆସିଲେ ନିଶ୍ଚୟ ପରିବର୍ତ୍ତିତ ହୋଇଯାଏ । ବୋଲି ପରି ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଘଟେ । ଏମାନେ ଯେଉଁ ଅଞ୍ଚଳର ସମ୍ପର୍କରେ ଆସିଛନ୍ତି ସେହି ଅଞ୍ଚଳର ବୋଲିମାନଙ୍କ ପ୍ରଭାବ ତାଙ୍କ ବୋଲି ଉପରେ ଆପେ ଆପେ ପଡ଼ିଛି । ତେଣୁ ଏହାଙ୍କ ବୋଲି ସହିତେ ସଭ୍ୟତା ଯେ ମୂଳ ରୂପରେ ଅଛି କୁହାଯାଇ ନ ପାରେ । ଆଦିବାସୀ ସମୁଦାୟରେ ଏମାନଙ୍କ ପରିଗଣନା ହେଲେ ମଧ୍ୟ ଏମାନେ ମୁଖ୍ୟତଃ ହିନ୍ଦୁ ଧର୍ମାବଲମ୍ୱୀ । ଖ୍ରୀଷ୍ଟଆନ ମିଶିନାରୀମାନଙ୍କ ପ୍ରଭାବରେ କେତେକ ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ଗ୍ରହଣ କରିଛନ୍ତି । ଅନ୍ୟ ଆଦିବାସୀମାନଙ୍କ ଭଳି ଯାଦୁମନ୍ତ୍ର, ଗୁଣିଗାରେଡ଼ି ବିଦ୍ୟା ଏବଂ ଅନ୍ୟାନ୍ୟ ବିଭିନ୍ନ ଅନ୍ଧବିଶ୍ଵାସ ଉପରେ ଆସ୍ଥା ଆଜି ମଧ୍ୟ ରହିଛି । ଭାଷା ବୈଜ୍ଞାନିକ ଏବଂ ନୃତତ୍ତ୍ୱବେତ୍ତାମାନଙ୍କୁ ତାଙ୍କ ଭାଷା ଏବଂ ସଂସ୍କୃତିର ଗବେଷଣା ପ୍ରତ୍ୟକ୍ଷ ଭାବରେ କରିବାପାଇଁ ବଣଜଙ୍ଗଲ ଭିତରେ ଅବସ୍ଥିତ ତାଙ୍କ ଗାଁ ଗଣ୍ଡାକୁ ଯିବା ଉଚିତ । ନ ହେଲେ ତାଙ୍କ ଅବସ୍ଥାର ପରିଚୟ ମିଳିପାରିବା ସହଜ ନୁହେଁ । ଆର୍ଯ୍ୟ ସଭ୍ୟତାର ପ୍ରଭାବରେ ସେମାନେ ଏବେ ପ୍ରଭାବିତ ଏବଂ ତାଙ୍କ ସଂସ୍କୃତି ମଧ୍ୟ ପରିବର୍ତ୍ତନ ହେବାକୁ ଲାଗିଛି । ଏହି ପ୍ରବନ୍ଧରେ ରାୟଗଡ଼-ଯଶପୁର ନଗର ମଧ୍ୟରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଓରାଁୱମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ସମ୍ପର୍କ ସ୍ଥାପନ ରଖି ତାଙ୍କ ସଂସ୍କୃତି ଏବଂ ବୋଲି ଶବ୍ଦାବଳୀ ସଂଗ୍ରହ କରାଯାଇଅଛି ।

 

ଏମାନଙ୍କ ମହୋତ୍ସବମାନଙ୍କ ମଧ୍ୟରେ କରମା, ସୋହରାଇ, ସରହୁଲ ମୁଖ୍ୟ । (୨) ଅନ୍ୟାନ୍ୟ ଉତ୍ସବ ହିନ୍ଦୁମାନଙ୍କ ପରି ।

 

(୧) କରମା– ଏହି ପର୍ବ ବିଜୟା ଦଶମୀ ଦିନେ ଏମାନେ ପାଳନ କରନ୍ତି । ଏହା ତିନିଦିନ ପର୍ଯ୍ୟନ୍ତ ଚାଲେ । ଦଶହରା ଦିନ କୁମାରୀମାନେ ଉପବାସ କରନ୍ତି । ସୂର୍ଯ୍ୟାସ୍ତ ପରେ ପରେ ସେମାନେ ଟୋକେଇ ନେଇ ନଈକୂଳକୁ ଯା’ନ୍ତି । ଗାଧୋଇବା ପରେ ଓଦା କପଡ଼ାରେ ଫୁଲ ତୋଳନ୍ତି ଏବଂ ଲୋକଗୀତ ଗାଇ ଗାଇ ଘରକୁ ଫେରନ୍ତି । ଘରେ ନୂଆ ବସ୍ତ୍ର ଧାରଣ କରନ୍ତି । ସେମାନେ ଜଙ୍ଗଲକୁ ଯାଇ କରମା ଗଛ କାଟନ୍ତି । ଯୁବକମାନେ ବାଦ୍ୟ ସହିତ ଯାଇଥାନ୍ତି । ଗ୍ରାମ ଏବଂ ଜଙ୍ଗଲ ମଧ୍ୟରେ ଯାତ୍ରା ରାତ୍ରିର ପ୍ରଥମ ପ୍ରହରରେ ଶାନ୍ତି ସହକାରେ ହୁଏ । କର୍‌ମା ଗଛ ପାଖକୁ ଯାଇ କର୍‌ମା ଗଛରେ ସାତଥର ସୂତା ଘୂରାନ୍ତି । କିଶୋରୀମାନେ ବୃକ୍ଷକୁ ନତମସ୍ତକ ହୋଇ ପ୍ରଣାମ କରନ୍ତି । ତା’ପରେ ଜଣେ କିଶୋର ତରତର୍‌ରେ ବୃକ୍ଷକୁ ଚଢ଼ିଯାଏ । ଗୋଟିଏ ନିଃଶ୍ୱାସରେ ଗୋଟିଏ ଡାଳ କାଟି ତଳକୁ ଫିଙ୍ଗିଦିଏ ଏବଂ ପରେ ଓହ୍ଲାଇ ଆସେ । ଯୁବତୀମାନେ ହାତରେ ଗୋଟିଏ ଗୋଟିଏ ଡାଳ ନେଇ କରମା ମଣ୍ଡଳୀ ପାଖକୁ ଯାଆନ୍ତି । ମଣ୍ଡଳୀରେ କରମା ଡାଳକୁ ପୋତି ଦିଅନ୍ତି । ତା’ ପରେ ମଣ୍ଡଳୀରେ ସାତଥର ପରିକ୍ରମା କରିସାରିଲା ପରେ ସେମାନେ ନିଜ ନିଜ ଘରକୁ ଯାଆନ୍ତି । ଘରୁ ସେମାନେ ପୂଜାସାମଗ୍ରୀ ଆଣନ୍ତି । (ଫୁଲ, ପତ୍ର, ହଳଦୀ, ସୂତା, କାକୁଡ଼ି, ପିଠା, ଚାଉଳ, ଅଟା ଏବଂ କାଠି) ତା’ପରେ ଗ୍ରାମର ମୁଖିଆ ଆସି ପୂଜା ଆରମ୍ଭ କରେ । ନୈବେଦ୍ୟ ଅର୍ପଣ କରାଯାଏ । କରମାର କାହାଣୀ ଶୁଣାଏ । ଶୁଣିବା ପରେ ସେମାନେ କରମା ମଣ୍ଡଳୀର ସାତଥର ଗୀତ ଗାଇ ଗାଇ ପରିକ୍ରମା କରନ୍ତି । ଶେଷରେ ସେମାନେ ନିଜ ନିଜ ଗୃହକୁ ଫେରିଯାଆନ୍ତି । ଘରେ ସେମାନେ ବିରିପିଠା ଖାଇ ନିଜ ଉପବାସ ଭଗ୍ନ କରନ୍ତି । ଅନ୍ୟାନ୍ୟ ପୁରୁଷ ସ୍ତ୍ରୀମାନେ ନିଜ ରନ୍ଧା ମଦ ଖାଆନ୍ତି । କିନ୍ତୁ ଉପବାସ କରିଥିବା କିଶୋରୀମାନେ ଖାଇବା ତ ଦୂରର କଥା ଛୁଅନ୍ତି ବି ନାହିଁ । ସମସ୍ତେ କରମା ମଣ୍ଡଳୀରେ ରାତ୍ରସାରା ନୃତ୍ୟ କରନ୍ତି । ପ୍ରାତଃ କରମା ଡାଳକୁ ନେଇ ଗ୍ରାମର ସମସ୍ତ ଗୃହକୁ ପରିକ୍ରମା କରନ୍ତି । ପ୍ରତ୍ୟେକ ଘରର ମୁଖିଆ ପୂଜା କରେ ମଦ ବା ପାଣିରେ ପ୍ରକ୍ଷାଳନ କରେ । ପୂଜାରେ ଅର୍ପିତ ସବୁ ସାମଗ୍ରୀ ସେମାନଙ୍କୁ ଦେଇଦିଏ। ଗ୍ରାମର ପରିକ୍ରମା ସାରିଲା ପରେ ସେମାନେ ନଈକୁ ଯାଆନ୍ତି ଭସାଣୀ ଉତ୍ସବ ପାଇଁ । ପୂର୍ବଦିଗ ଆଡ଼କୁ ଚାହିଁ କରମା ଡାଳକୁ ପ୍ରବାହିତ କରନ୍ତି । ନଈ କୂଳରେ ସେମାନେ ପରିକ୍ରମା ସମୟରେ ଯାଇଥିବା ନୈବେଦ୍ୟକୁ ବାଣ୍ଟି ଖାଆନ୍ତି । ଉପବାସ କରୁଥିବା କିଶୋରୀମାନେ ଅନ୍ନ ଗ୍ରହଣ କରନ୍ତି । ଅପରାହ୍ନରେ ମଦଖିଆ ଚାଲେ ।

 

(୨) ସୋହରାଇ–ଦୀପ ମାଳିକା ଉତ୍ସବ ସାଙ୍ଗକୁ ରାତ୍ରିରେ ଗାଈ, ବଳଦ, ମଇଁଷି ଆଦି ପଶୁମାନଙ୍କୁ ମନ୍ତ୍ର ଜପ କରି ମଦ ଦ୍ୱାରା ପ୍ରକ୍ଷାଳନ କରି ଭାତ, ତରକାରୀ, ବିରି ବରା କଖାରୁ ଲାଉ ଇତ୍ୟାଦି ଖାଇବାକୁ ଦିଅନ୍ତି । ଏହା ତାଙ୍କ ମଜାମଜ୍‌ଲିସିର ପର୍ବ । ପରସ୍ପର ମଧ୍ୟରେ ଉତ୍ସାହ ସହିତ ଅନ୍ୟାନ୍ୟ ଘରେ ଭୋଜନ କରନ୍ତି ।

 

(୩) ସରହୁଲ–ବିଲରେ ଖତ ପକାଇବା ପୂର୍ବେ (ତିଥି ନିଶ୍ଚିତ ନାହିଁ) ଏହି ପର୍ବ ପାଳିତ ହୁଏ । ଯେ କୌଣସି ଦିନ ପୂଜହର (ବୈଗା)ର ସମ୍ମତିରେ ପାଳନ କରାଯାଏ । ପୂଜହର ନିର୍ଜ୍ଜଳା ଉପବାସ ରହି ରେଗାଂଲ (ଶାହାଡ଼ା) ଗଛର ପୂଜା କରେ । ତା’ ଆଖପାଖରେ ବୃକ୍ଷଗୁଡ଼ିକୁ କେହି କାଟନ୍ତି ନାହିଁ । ସାହାଡ଼ା ଗଛରେ ଦୁଇଟି ଛୁରୀ ଭୁଷି ଦିଆଯାଏ । ଏହି ଗଛଦେବତାକୁ ‘ପାଟ’ ବୋଲି କହନ୍ତି । ଗ୍ରାମର ସମସ୍ତେ କୁକୁଡ଼ା ବଳି ଦିଅନ୍ତି । ଗ୍ରାମ ଦେବୀ ଏବଂ ପାଟ ଉପରେ ବଳି ଦେବା ପରେ ମଦ ଖାଆନ୍ତି । ପୂଜା ସ୍ଥଳରେ ଆଠଟି ଜଳପୂର୍ଣ୍ଣ ଫୁଲକୁମ୍ଭ ରଖାଯାଏ । ପୂଜା ପରେ ଏହାର ଜଳ ସମସ୍ତଙ୍କ ଘରେ ବାଣ୍ଟି ଦିଆଯାଏ । କାନ୍ଧରେ ବସାଇ ପୂଜାହାରକୁ ଘରକୁ ନିଆଯାଏ । ସେ ପ୍ରତ୍ୟେକଙ୍କ ଘରକୁ ବୁଲେ । ସମସ୍ତେ ତା’ର ପାଦ ଧୋଇ ଆଦର ସତ୍କାର କରନ୍ତି । ଲଉଡ଼ି (ବାଡ଼ି) ନେଇ ସମସ୍ତେ ଆଖଡ଼ାରେ ରାତ୍ରିରେ ନୃତ୍ୟ କରନ୍ତି । ଏହି ନୃତ୍ୟର ନାମ ହେଉଛି ‘ସରହୁଲ’ । ଏହି ନୃତ୍ୟରେ କୌଣସି ବାଦ୍ୟ ବଜାଯାଏ ନାହିଁ ।

 

ବିବାହ–ବାଳ ବିବାହ ପ୍ରଥା ନାହିଁ । ଯୁବକ-ଯୁବତୀମାନେ ‘ଘୋଟୁଲ’ରେ ରାତ୍ରି ଶୟନ କରନ୍ତି । ପ୍ରେମିକ, ପ୍ରେମିକା ମଧ୍ୟରେ ବିବାହ କରି ଦିଆଯାଏ । ଯଦି କେହି ଅସ୍ୱୀକାର କରନ୍ତି ତାହାହେଲେ ତାହାକୁ ଦଣ୍ଡ ଦିଆଯାଏ ଏବଂ ସମାଜରୁ ବହିଷ୍କୃତ କରାଯାଏ । ଯଦି ରାଜି ହୁଅନ୍ତି ତାହାହେଲେ ବରପକ୍ଷ ଝିଅକୁ ଦେଖିବାକୁ ଯାଆନ୍ତି । ତା’ପରେ ବଧୂପକ୍ଷ ମଧ୍ୟ ଦେଖିବାକୁ ଆସନ୍ତି । ଏହାକୁ ‘ଘରବରି’ କୁହାଯାଏ । ନୈତିକତାର କଡ଼ାକଡ଼ି ଭାବରେ ପାଳନ କରାଯାଏ । ବିବାହିତା ସ୍ତ୍ରୀମାନଙ୍କ ମଧ୍ୟରେ ଅନୈତିକ ସମ୍ୱନ୍ଧକୁ ଅତ୍ୟନ୍ତ ହେୟ ଦୃଷ୍ଟିରୁ ଦେଖାଯାଏ । ବିଧବା ବିବାହ, ଯୌତୁକପ୍ରଥା ଏବଂ ବରାତପ୍ରଥା ରହିଛି । ବ୍ରାହ୍ମଣ ପୁରୋହିତର ଦରକାର ପଡ଼େନାହିଁ । ବରାତରେ ସ୍ତ୍ରୀ, ପୁରୁଷ ଉଭୟେ ଯା’ନ୍ତି ।

 

ଏମାନେ ଅନ୍ନ, କୁଦୋ, କୁଟକି, ମାଛ ଏବଂ ଘୁଷୁରୀ ମାଂସ ଖାଆନ୍ତି । ଶବକୁ ଜମିରେ ପୋତି ଦିଅନ୍ତି । ଅନ୍ୟ ସଂସ୍କାର ହିନ୍ଦୁମାନଙ୍କ ପରି । ଏମାନଙ୍କ ମୁଖ୍ୟ ଦେବତା ହେଉଛି ‘ବୁଢ଼ା ଦେ’ । ଯାହାର ପ୍ରତୀପ ସ୍ୱରୂପ ଗୋଟିଏ ତ୍ରୀଶୂଳ ବା ଖୁଣ୍ଟି ଘରେ ଗଢ଼ାଯାଏ । (୭)

 

ଓଡ଼ିଆ

ଓରାଁୱ

ଆଖି

ଖନ୍ନ

ନାକ

ମୁଇଁ

ମୁହଁ

ଦେ

ଜିଭ

ତତଖା

ନଖ

ଓରୋଖ

କାନ

ଖେବଦା

ଆଣ୍ଠୁ

ମୂକା

ଦାନ୍ତ

ପଲ୍ଲ (ତାମିଲ-ପଲ)

ଆଖିପ

ତାଚେପରା

ହାତ

ଖେକ୍‌ଖା

ଡାହାଣହାତ

ତିନା ଖେକ୍‌ଖା

ବାମହାତ

ଡିବା ଖେକ୍‌ଖା

ପିଠି

ମେର

ଛାତି

ୟୋଖ୍

ପାପୁଲି

ହାଥୋଲା (ହିନ୍ଦୀ-ହଥେଲୀ)

ପଂଝା

ଲୁରକୀ

ହାତଗଣ୍ଠି

କଟକଟା

କୁହଣୀ

କୋହଣା

ମଣ୍ଡ

କକ୍‌ଙ୍କ

ଝାଲ

ଗରମରା (ସଂସ୍କୃତ-ଘର୍ମ)

ରକ୍ତ

ଖେଂସ୍

ଜ୍ୱର

ଜଡ଼ି

 

ସମୟ ସୂଚକ ଶବ୍ଦ

ପାରିବାରିକ ଶବ୍ଦ

ଓଡ଼ିଆ

ଓରାଓ୍ୱଁ

ଓଡ଼ିଆ

ଓରାଓ୍ୱଁ

ଦିନ

ଉଲ୍ଲା

ବାପା

ବା (ସମ୍ୱଲପୁରି ବା)

ରାତ୍ରୀ

ମାଖା

ଅଜା

ଦାଦି

ଅନ୍ଧାରରାତ୍ରୀ

ଅନ୍ଧୀରୀ ମାଖା

(ମରାଠି ଅନ୍ଧାର)

ମା

ଆୟୋ

(ମରାଠି-ଆଈ)

ଜହ୍ନରାତି

ଜେନାରୀମାଖା

 

 

ମଧ୍ୟରାତ୍ରୀ

ମଂଜା ମାଖା

ଭଉଣୀ

ମାଇଁ,ଦିଦି

ପ୍ରାତଃ

ପହରି

ଛୋଟଭଉଣୀ

ସନ୍ନି ମାଈ

ଅପରାହ୍ନ

ବିଡ଼ାଳି

ବଡ଼ଭଉଣୀ

କୋଂହା ମାଈ

ସୂର୍ଯ୍ୟାସ୍ତ

ବେଡ଼ିପୁଡ଼ିଆ

ଭାଇ

ଦାଦା

ଆଜି

ଆଗାମୀ

ଇନ୍ନା

 

(ଛତ୍ତୀସ୍‌ଗଢ଼ୀ

ଦାଦା))

କାଲି

ନେଲ୍

ବଡ଼ଭାଇ

କୋଂହାଦାଦା

ଗତକାଲି

ଚେରୋ

ଛୋଟଭାଇ

ସନ୍ନିଦାଦା

ପାରିବାରିକ ଶବ୍ଦ

ଓଡ଼ିଆ

ଓରାଓ୍ୱଁ

ଓଡ଼ିଆ

ଓରାଓ୍ୱଁ

ଝିଅ, କନ୍ୟା

ବେଟି (ହିନ୍ଦୀ-ବେଟୀ)

ସ୍ତ୍ରୀ

ମୁକ୍‌କା

ମାମୁଁ

ମାମା

ବୁଢ଼ୀ ସ୍ତ୍ରୀ

ପଚ୍ଚୋ

ମାଇଁ

ମାମୀ

ବୁଢ଼ା ପୁରୁଷ

ପଚଗୀ

ପୁରୁଷ

ଆଲସ୍, ମଂଜସ

ବହୂ

ଭଉଜୀ (ହିନ୍ଦୀ-ଭଉଜୀ)

 

 

 

 

 

ଓଡ଼ିଆ

ଓରାଓ୍ୱଁ

 

 

ଅବିବାହିତ ଯୁବକ

ବିଂଝିଅସ୍

 

 

ବାଳକ

ଖବ୍ଦ

 

 

ପତି

ଡୋକା

(ଛତ୍ତୀସଗଢ଼ୀ)

ଡୌକା ଡୌକି

 

ପତ୍ନୀ

ଡୋକି

 

ଜାମାତା

ଜମଇ

(ସମ୍ୱଲପୁରି-ଜୋଇଁ)

 

ପିଉସୀ

ଫୁଫୁ

(ଛତିଶଗଢ଼ୀ-ଫୁଫୁ)

 

ନନା

ନାନା

 

 

କକା

କାକା

 

 

କାକୀ

ଖଲ୍ଲୀ

 

ପଶୁପକ୍ଷୀ ସମ୍ୱନ୍ଧୀୟ ଶବ୍ଦ

ଓଡ଼ିଆ

ଓରାଓ୍ୱଁ

ଓଡ଼ିଆ

ଓରାଓ୍ୱଁ

ବଳଦ

ଅଡ଼୍‌ଡ଼ୋ

ମୂଷା

ଉସ୍‌ଗା

ଗାଈ

ମାଈ ଅଡ଼୍‌ଡ଼ୋ, ଗାୟ

ଲାଞ୍ଜ

ଖୋଲା

କୁକୁର

ଅଲ୍ଲା

ଘୋଡ଼ା

ଘୋଡ଼ୋ

କୁକୁରଗୁଡ଼ିକ

ବଗେଅଲ୍ଲା

ଗଧ

ଗଧା

ବିରାଡ଼ି

ବେର୍‌ଖା

ମାଙ୍କଡ଼

ବେନ୍ଦରା

(ଛତ୍ତୀଶଗଢ଼ୀ-ବେନ୍ଦରା)

ବାଛୁରୀ

ଖଦ୍ଦ୍

କୁକୁଡ଼ା

କୁକୁରୋ

(ସଂସ୍କୃତ-କୁକ୍‌କୁଟ)

ଛେଳି

ଅଇଡ଼ା

 

 

ହାତୀ

ହାଥୀ

 

 

ବାଘ

ଲକଡ଼ା

(ହିନ୍ଦୀ-ଲକଡ଼୍ ବଗ୍‌ଘା)

 

 

ଘୁଷୁରା

ସୁରା

ମାଈ କୁକୁଡ଼ା

ଖେର

ଶୁଆ

ସୁଗ୍‌ଗା

ଅଣ୍ଡା

ବୀ

କୁଆ

ଖାଖା

(ତାମିଲ-କାକ୍‌କୈ)

ମଗର

ମଗର

 

 

ମାଛ

ହନ୍‌ଞ୍ଜୋ

 

 

ପୋକ ଜୋକ ସମ୍ୱନ୍ଧୀୟ ଶବ୍ଦ

ଓଡ଼ିଆ

ଓରାଓ୍ୱଁ

ପୋକ

ପଚଗୋ (ତାମିଲ-ପୁଚ୍ଚୀ)

ଛାରପୋକ

ଢେକଣା (ମରାଠୀ,ସମ୍ୱଲପୁରୀ-ଢେକୁଣ୍)

ମଶା

ଭୁସଡ଼ି (ଛତ୍ତୀସଗଢ଼ୀ-ଭୁସଡ଼ି)

ମାଛି

ତିଙ୍ଗ୍‌ଲି

ସାପ

ନେର୍

ବିଛା

ବିଛି (ଛତ୍ତୀସଗଢ଼ୀ-ବିଚ୍ଛି)

ପିମ୍ପୁଡ଼ି

ପୋଖ୍‌

 

ଖାଦ୍ୟପେୟ ସମ୍ୱନ୍ଧୀୟ ଶବ୍ଦ

ଓଡ଼ିଆ

ଓରାଓ୍ୱଁ

ଓଡ଼ିଆ

ଓରାଓ୍ୱଁ

ଭାତ

ମଣ୍ଡି

ଶାଗଭାଜୀ

ଉଖାଉଖୀ

ପିଠା

ଅସମା

ବାଇଗଣ

ଭଟ୍ଟାଁଗୋ (ହିନ୍ଦୀ-ଭଟା)

ଡାଲି.

ଅମୁଖୀ

ଧାନ

ଖେସ

ପୁରୁଣା ଧାନ

କଚ୍ଚାଖେସ୍

 

 

 

ଓଡ଼ିଆ      ଓରାଓ୍ୱଁ

ନୂଆଧାନ

ପୁନାଖେସ୍

ଗହମ

ଗହୁଁ (ଛତ୍ତୀସଗଢ଼ୀ-ଗହୁଁ)

ବିରି

ମାସି(ମାଷ-ସଂସ୍କୃତ)

ତିହିରା

ଅଡ଼ସଗ୍

ମଦ

ଅରଖୀ

ଚାଉଳ ମଦ

ଝାରା

ତମାଖୁ

ତମ୍‌ଖୁ

ଲୁଣ

ବେଖ୍

ତେନ୍ତୁଳୀ

ତିତାଲି

ବରବୋଳି

ବିରି

 

ବିବିଧ ସମ୍ୱନ୍ଧୀୟ

ଓଡ଼ିଆ

ଓରାଓ୍ୱଁ

ଓଡ଼ିଆ

ଓରାଓ୍ୱଁ

ପୂଝାରୀ

ଦେଓଡ଼ା

ବସିବା

ଉକ୍‌କା

ପିଶାଚ

ନାଥ

ଉଠିବା

ଚୂଆ

କପଡ଼ା

କିଚରୀ

ଆସିବା

ବରଚସ୍

ଧୋତି

ଧୋତି କିଚରୀ

ଆସିବ

ବରୋସ

ଲୁଗଡ଼ା

ବରହାତୀ କିଚରୀ

ଯିବା

କଔତ୍

ଉଚ୍ଚ

ମେଚ୍ଛା

ଯିବ

କଔସ୍

ତଳ

କିଆ

ମାରିବା

ଲୌଚକମ୍

ଉପର

ଗଈୟାଁ

ମାରିପକାଇବା

ମିଟ୍‌କମ୍ ଚିଚ୍‌କମ୍

ପୁସ୍ତକ

ମେଂଜା

ମରିଯିବା

ବିଚ୍‌ସ କିରସ

ମୁଁ

ଐନ

କାନ୍ଦିବା

ଚେଖାଲ୍

ତୁମେ

ନିନଗା

ହସିବା

ଅଲଖାଲ୍

ସେ

ହୋଟିଙ୍ଗ

ଫିଙ୍ଗିବା

ପଂଜକା

ମାଟିରେ

ସୂର୍ଯ୍ୟ

ବେଡ଼ି

 

ମୁଣ୍ଡଧୋଇବା

ଖଜ୍‌ଜତାରା

ବିନ୍‌କୋ

 

ପାଣିରେ ବୁଡ଼ିବା

ମୁଲ୍‌ଖ

ଜହ୍ନ

ଚନ୍ଦୋ (ଚନ୍ଦ୍ର-ସଂସ୍କୃତ)

ସଢ଼ିବା

ଖୋସ୍

 

 

ଆୟୁ

ଓରଧ

 

 

ନମସ୍କାର

ଜୋହାର

 

 

 

ଏହି ବୋଲିରେ ବହୁବଚନ ଶବ୍ଦର ଆଗେ ‘ବଗ୍‌ଗା’ ଏବଂ ସ୍ତ୍ରୀଲିଙ୍ଗ କରିବା ପାଇଁ ‘ମାଇ’ ଯୋଗ କରାଯାଏ ।

 

ସବୁ ଅଞ୍ଚଳରେ ଓରାଓ୍ୱଁମାନେ ନିଜ ଭାଷା ସହିତ ଆଞ୍ଚଳିକ ଭାଷା ମଧ୍ୟ ଅନ୍ୟମାନଙ୍କ ସମ୍ପର୍କରେ ଆସିଲେ କହନ୍ତି । ନିଜ ଭାଷାର ଉନ୍ନତି ସକାଶେ ସେମାନେ ସଜାଗ ନୁହନ୍ତି । ତେଣୁ ତାଙ୍କ ବୋଲିର ଶବ୍ଦଗୁଡ଼ିକ କ୍ଷୟ ହେବାକୁ ଲାଗିଲାଣି ।

 

ସହାୟକ ଗ୍ରନ୍ଥସୂଚୀ

୧)

Central Institute of Indian Languages, Mysore-Distribution of Languages in India in State and Union territories, Page 258

୨)

ଡଃ ବିନୟ ମୋହନ ଶର୍ମା-ଓରାଓ୍ୱଁ କେ ରୀତି ରିଓ୍ୱାଜ

ପରିଷଦ ପତ୍ରିକା, ବର୍ଷ ୧, ଅଙ୍କ ୪, ପୃଷ୍ଠା ୪୭

୩)

ଡଃ ବିନୟ ମୋହନ ଶର୍ମା- ଓରାଓ୍ୱଁ ଶବ୍ଦାବଳୀ ହିନ୍ଦୀ ଅନୁଶୀଳନ-ଧୀରେନ୍ଦ୍ର ବର୍ମା ବିଶେଷାଙ୍କ ପୃ: ୭୧

 

ବିଦ୍ୟାମନ୍ଦିର-ଖଇରପାଲି

ପୋଷ୍ଟ / ଭାୟା-ଭୁକ୍ତା

ଜି-ସମ୍ୱଲପୁର, (ଓଡ଼ିଶା) ପିନ୍- ୭୬୮୦୪୫

***

 

Unknown

ବେଦ ଏବଂ ମାନବତା

ଶ୍ରୀ ପ୍ରାଣନାଥ ମହାନ୍ତି

 

ଆର୍ଯ୍ୟମାନଙ୍କର ସର୍ବଶାସ୍ତ୍ରସମ୍ମତ ଏବଂ ଯୁକ୍ତିଯୁକ୍ତ ପରମ୍ପରାଗତ ବିଶ୍ୱାସ ଅନୁସାରେ କରୁଣାସାଗର, ସର୍ବଜ୍ଞ, ସର୍ବଶକ୍ତିମାନ୍‌ ଭଗବାନ ବେଦର ଜ୍ଞାନ ମାନବ ସୃଷ୍ଟିର ପ୍ରାରମ୍ଭରେ ମାନବ ମାତ୍ରର କଲ୍ୟାଣ ପାଇଁ ଦେଇଛନ୍ତି । ଅତଃ ଏହା ସ୍ପଷ୍ଟ ଯେ, ବେଦର ଧର୍ମ ମାନବ ଧର୍ମ ଏବଂ ବେଦ ମାନବତାର ସର୍ବୋତ୍ତମ ଆଦର୍ଶ ପ୍ରସ୍ତୁତ କରେ, ଯାହାର ଅନୁସରଣ କରିବା ଦ୍ୱାରା ହିଁ ମନୁଷ୍ୟର କଲ୍ୟାଣ ହୋଇପାରିବ ।

 

ଋଗ୍‌ବେଦର ନିମ୍ନୋକ୍ତ ମନ୍ତ୍ର ଏ ବିଷୟରେ ପ୍ରଣିଧାନ ଯୋଗ୍ୟ-‘‘ତନ୍ତୁଂ ତନ୍ୱନ୍ ରଜସୋ ଭାନୁମନ୍ୱିହି ଜ୍ୟୋତିଷ୍ମତଃ ପଥୋ ରକ୍ଷଧିୟା କୃତାନ୍ । ଅନୁଲ୍ୱଣଂ ବୟତ ଜୋଗୁବାମପୋ ମନୁର୍ଭବ ଜନୟା ଦୈବ୍ୟଂ ଜନମ୍‌ ।। (ଋ:୧୦|୫୩|୬) | ସରଳ ଶବ୍ଦରେ ଏ ମନ୍ତ୍ରର ଶବ୍ଦାର୍ଥ ଏହିପରି-ହେ ପୁରୁଷ ! ତୁମେ (ରଜସଃ ତନ୍ତୁଂ ତନ୍ୱନ୍) ଏ ଲୋକରେ ଓତପ୍ରୋତ ଭାବରେ ଜଡ଼ିତ ରହି ଲୌକିକ କର୍ମକୁ କର ଏବଂ (ଭାନୁଂ ଅନୁ ଇହି) ପ୍ରକାଶସ୍ୱରୂପ ପରମେଶ୍ୱରଙ୍କର ଅଥବା ଜ୍ଞାନଦୀପ୍ତି ସମ୍ପନ୍ନ ନେତାମାନଙ୍କର ଅନୁସରଣ କର । (ଧିୟା କୃତାନ୍) ବୁଦ୍ଧିପୂର୍ବକ କରାଯାଇଥିବା କର୍ମମାନଙ୍କୁ ଏବଂ (ଜ୍ୟୋତିଷ୍ମତଃ) ଜ୍ଞାନଜ୍ୟୋତିଯୁକ୍ତ (ପଥଃ) ମାର୍ଗମାନଙ୍କୁ (ରକ୍ଷ) ସଦା ରକ୍ଷା କର । (ଜୋଗୁବାମ୍) ପୁରୁଷାର୍ଥୀ ଭକ୍ତମାନଙ୍କର (ଅପଃ) କର୍ମମାନଙ୍କୁ (ଅନୁଲ୍ୱଣମ୍) ବିନା ଦ୍ୱିଧାରେ ସରଳ ଭାବରେ (ବୟତ) ବୁଣ ଅର୍ଥାତ୍ ବିଚାରପୂର୍ବକ କରିଯାଅ । (ମନୁର୍ଭବ) ବିଚାରଶୀଳ ବିଦ୍ୱାନ୍‌ ମନୁଷ୍ୟ ହୁଅ । ‘‘ଯେ ବିଦ୍ୱାଂସ ସ୍ତେ ମନବଃ’’ (ଶତପଥ ବ୍ରାହ୍ମଣ : ୧|୬|୩|୧୮) । (ଦୈବ୍ୟଂ ଜନମ୍) ଦିବ୍ୟ ମାନବ ସନ୍ତାନକୁ (ଜନୟ) ଉତ୍ପନ୍ନ କର ।

 

ଏ ମନ୍ତ୍ରଦ୍ୱାରା ବେଦ ଆମ୍ଭମାନଙ୍କୁ ନିମ୍ନ ଉପଦେଶ ଦେଉଅଛି :-(୧) ଆମେ ସଂସାରରେ ଆଳସ୍ୟ ପ୍ରମାଦ ନ କରି ନିଜ କର୍ତ୍ତବ୍ୟମାନଙ୍କୁ ପାଳନ କରିବା । (୨) ଆମେ ପରମେଶ୍ୱରଙ୍କ ଆଜ୍ଞାମାନଙ୍କୁ, ଯାହା ବେଦରେ ଦିଆଯାଇଛି, ପାଳନ ଏବଂ ଅନୁସରଣ କରିବା । (୩) ଆମେ ସୂର୍ଯ୍ୟଙ୍କ ପରି ତେଜସ୍ୱୀ ବିଦ୍ୱାନ ନେତାମାନଙ୍କର ଅନୁସରଣ କରିବା, ମୁର୍ଖ ଅଜ୍ଞାନ ମଦୋନ୍ମତ୍ତ ଧନୀ ତଥା ଦମ୍ଭୀ ପାଶଣ୍ଡୀ ଲୋକମାନଙ୍କୁ ନୁହେଁ । (୪) ଆମେ ବୁଦ୍ଧିପୂର୍ବକ ନିର୍ମିତ ଜ୍ଞାନଯୁକ୍ତ ମାର୍ଗମାନଙ୍କୁ ସର୍ବଦା ରକ୍ଷା କରିବା । ବୁଦ୍ଧି-ବିରୁଦ୍ଧ ଅଜ୍ଞାନମୂଳକ କଥାମାନଙ୍କୁ ଏବଂ ରୀତିନୀତିମାନଙ୍କୁ କଦାପି ସ୍ୱୀକାର କରିବା ନାହିଁ । (୫) ପରମେଶ୍ୱରଙ୍କ ଗୁଣଗାନ କରୁଥିବା ଏବଂ ସନ୍ମାର୍ଗରେ ନିରନ୍ତର ଚାଲୁଥିବା ଭକ୍ତ ପୁରୁଷାର୍ଥୀ ସଜ୍ଜନମାନଙ୍କ ଦ୍ୱାରା କରାଯାଇଥିବା ଶୁଭକାର୍ଯ୍ୟମାନଙ୍କୁ ହିଁ ଆମେ କରୁଥିବା ଏବଂ ସରଳତାକୁ ଧାରଣ କରି ସବୁ ଶୁଭକର୍ମ କରିଯିବା । (୬) ଏହି ପ୍ରକାର ଆଚରଣ କରି ଆମେ ମନନଶୀଳ ବିଦ୍ୱାନ ହେବା, ଯାହା ପାଇଁ ଉପର୍ଯ୍ୟୁକ୍ତ ଗୁଣମାନଙ୍କୁ ଧାରଣ କରିବା ଆବଶ୍ୟକ ଅଟେ । (୭) କେବଳ ନିଜକୁ ଉତ୍ତମ ମାନବ ବନାଇ ସନ୍ତୁଷ୍ଟ ରହିବା ନାହିଁ; ଅପିତୁ ନିଜର ସନ୍ତାନ ସନ୍ତତିଙ୍କୁ ମଧ୍ୟ ଦିବ୍ୟଗୁଣସମ୍ପନ୍ନ ମନୁଷ୍ୟ ଭାବରେ ଗଢ଼ିତୋଳିବା । ଏପରି ନ କଲେ ମାନବଜାତିର ଉନ୍ନତି ହୋଇପାରିବ ନାହିଁ । ସଚ୍ଚା ମାନବ-ନିର୍ମାଣ ଉପରେ ହିଁ ଜଗତର ଉନ୍ନତି ନିର୍ଭର ଅଟେ ।

 

ମାନବୋଚିତ-ଗୁଣ-ବିକାଶାର୍ଥ ଶିକ୍ଷା- ଉତ୍ତମ ମାନବ-ନିର୍ମାଣ ଅଥବା ମାନବୋଚିତ-ଗୁଣ ବିକାଶାର୍ଥ କେଉଁ ପ୍ରକାର ଶିକ୍ଷାର ଆବଶ୍ୟକତା ଅଛି ତାହାର ବିଚାର କରାଯାଉ । ଯାହାଦ୍ୱାରା ବିଦ୍ୟା, ସଭ୍ୟତା, ଧର୍ମାତ୍ମତା, ଜିତେନ୍ଦ୍ରିୟତାଦି ବୃଦ୍ଧି ପ୍ରାପ୍ତ ହୁଏ ଏବଂ ଅବିଦ୍ୟାଦି ଦୋଷ ଦୂର ହୁଏ, ତାକୁ ଶିକ୍ଷା କହନ୍ତି । ଏ କଥନ ବେଦର ଶିକ୍ଷାବିଷୟକ ଉପଦେଶମାନଙ୍କର ସର୍ବଥା ଅନୁକୂଳ, ଯହିଁରେ ଚରିତ୍ର-ନିର୍ମାଣ ଏବଂ ଶାରୀରିକ, ମାନସିକ, ଆତ୍ମିକ ଶକ୍ତିମାନଙ୍କର ସମବିକାଶକୁ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଅଛି । ଉଦାହରଣାର୍ଥ ଯଜୁର୍ବେଦ ୭/୧୪ ମନ୍ତ୍ରରେ ଆଚାର୍ଯ୍ୟ ଶିଷ୍ୟକୁ ସମ୍ବୋଧନ କରି କହିଛନ୍ତି-

 

‘‘ବାଚଂ ତେ ଶୁଦ୍ଧାମି ପ୍ରାଣଂ ତେ ଶୁଦ୍ଧାମି ଚକ୍ଷୁସ୍ତେ ଶୁଦ୍ଧାମି ଶ୍ରୋତ୍ରଂ

ତେ ଶୁଦ୍ଧାମି ନାଭିଂ ତେ ଶୁଦ୍ଧାମି ମେଢ଼ୂଂ ତେ ଶୁଦ୍ଧାମି ପାୟୁଂ ତେ

ଶୁଦ୍ଧାମି ଚରିତ୍ରଂ ତେ ଶୁଦ୍ଧାମି ।’’

(ଯଜୁର୍ବେଦ ୬/୧୪)

 

ଅର୍ଥାତ୍, ‘‘ହେ ଶିଷ୍ୟ ! ମୁଁ ସଦୁପଦେଶ ଏବଂ ଉତ୍ତମ ଶିକ୍ଷାଦ୍ୱାରା ତୁମ ବାଣୀ, ପ୍ରାଣ, ଚକ୍ଷୁ, କର୍ଣ୍ଣ, ନାଭି, ଉପସ୍ଥ, ଗୁଦସ୍ଥାନ ଆଦି ସବୁ ଅଙ୍ଗମାନଙ୍କୁ ଏବଂ ତୁମର ଚରିତ୍ରକୁ ସର୍ବଥା ଶୁଦ୍ଧ ପବିତ୍ର କରୁଛି ।ଏଥିରୁ ସ୍ପଷ୍ଟ ହେଉଅଛି ଯେ, ବେଦ ଅନୁସାରେ ସଚ୍ଚରିତ୍ର-ନିର୍ମାଣହିଁ ଶିକ୍ଷାର ମୁଖ୍ୟ ଧ୍ୟେୟ ଅଟେ ।

 

ଆଚାର୍ଯ୍ୟ ଶବ୍ଦର ଅର୍ଥ ନିରୁକ୍ତକାର ଯାସ୍କାଚାର୍ଯ୍ୟଙ୍କ ଅନୁସାରେ ‘‘ଆଚାରଂ ଗ୍ରାହୟତୀତ୍ୟାଚାର୍ଯ୍ୟଃ’’ ଅର୍ଥାତ୍ ସଦାଚାରକୁ ଗ୍ରହଣ ଯେ କରାଏ ସେ ହେଉଛନ୍ତି ଆଚାର୍ଯ୍ୟ । ଯଦି ସବୁ ଶିକ୍ଷକ ନିଜର ଏ କର୍ତ୍ତବ୍ୟର ପାଳନ କରିବାରେ ଲାଗିଯାନ୍ତେ, ତେବେ ନିଃସନ୍ଦେହରେ ସଚ୍ଚା ମାନବମାନଙ୍କର ନିର୍ମାଣ ହୋଇଯାନ୍ତା ।

 

ବୈଦିକ ଶିକ୍ଷାର ଦ୍ୱିତୀୟ ମୁଖ୍ୟ ଉଦ୍ଦେଶ୍ୟ ହେଲା ସବୁ ଶକ୍ତିମାନଙ୍କର ସମବିକାଶ । ଯଜୁର୍ବେଦର ୬/୧୫ ମନ୍ତ୍ରରେ ଆଚାର୍ଯ୍ୟ ଶିଷ୍ୟକୁ କହୁଛନ୍ତି-

 

‘‘ମନ୍ତ୍ରସ୍ତ ଆପ୍ୟାୟତାଂ ବାକ୍ ତ ଆପ୍ୟାୟତାଂ ପ୍ରାଣସ୍ତ ଆପ୍ୟାୟତାଂ

ଚକ୍ଷୁସ୍ତ ଆପ୍ୟାୟତାଂ ଶ୍ରୋତଂ ତ ଆପ୍ୟାୟତାମ୍ ।

ଯତ୍ ତେ କ୍ରୂରଂ ଯଦାସ୍ଥିତଂ ତତ୍ ତ ଆପ୍ୟାୟତାଂ ନିଷ୍ଟ୍‌ୟାୟତାଂ ତତ୍

ତେ ଶୁଧ୍ୟତୁ ଶମହୋମ୍ୟଃ । ଓଷଧେତ୍ରାୟସ୍ୱ ସ୍ୱଧିତେ ମୈନଂ ହିଂସୀଃ ।।’’

 

ତାତ୍ପର୍ଯ୍ୟ ହେଲା ଯେ ‘‘ମୋର ଉତ୍ତମ ଶିକ୍ଷାଦ୍ୱାରା ତୁମର ମନ, ବାଣୀ, ପ୍ରାଣ, ଚକ୍ଷୁ, ଶ୍ରୋତ୍ର ସବୁ ଅଙ୍ଗମାନଙ୍କର ଶକ୍ତିର ବୃଦ୍ଧି ହେଉ । ଯାହା କ୍ରୂରତା ଅଛି, ଯାହା ଦୁଶ୍ଚରିତ୍ରତା ବା ଦୁଃସ୍ୱଭାବ ଅଛି ସେସବୁ ନଷ୍ଟ ହୋଇଯାଉ । ତୁମର ସମସ୍ତ ଜୀବନ ପବିତ୍ର ଏବଂ ଉତ୍ତମ ଭାବରେ ବିକଶିତ ହେଉ । ସବୁ ସମୟ ପାଇଁ ତୁମକୁ ଶାନ୍ତି ଏବଂ ସୁଖପ୍ରାପ୍ତି ହେଉ । ଆଚାର୍ଯ୍ୟ ନିଜ ଧର୍ମପତ୍ନୀକୁ ସମ୍ବୋଧିତ କରି କହିଛନ୍ତି “ହେ ଦୋଷ ନିବାରିକେ ବିଦୁଷି ଦେବି ! ତୁମେ ମଧ୍ୟ ଉତ୍ତମ ଶିକ୍ଷାଦ୍ୱାରା କନ୍ୟାମାନଙ୍କୁ ସଦା ରକ୍ଷାକର ଏବଂ ସେମାନଙ୍କୁ ହିଂସା କରନାହିଁ ।’’ ଏ ବେଦୋକ୍ତ ଉତ୍ତମ-ଶିକ୍ଷା ସଚ୍ଚା ମାନବ ନିର୍ମାଣ କରିବାକୁ ସମର୍ଥ । ଯଜୁର୍ବେଦର ୨/୩୩ ମନ୍ତ୍ରରେ ଜ୍ଞାନୀ ବାନପ୍ରସ୍ଥାଦି ଅନୁଭବୀ ଶିକ୍ଷକମାନଙ୍କୁ ‘ପିତରଃ’ ନାମଦ୍ୱାରା ସମ୍ବୋଧିତ କରାଯାଇ କୁହାଯାଇଅଛି–

 

ଆଧତ୍ତ ପିତରୋ ଗର୍ଭଂ କୁମାରଂ ପୁଷ୍କରସ୍ରଜମ୍ ।

ଯଥେହ ପୁରୁଷୋଽସତ୍ ।।

 

ଅର୍ଥାତ୍ ‘ହେ ପିତରବୃନ୍ଦ ! ଜ୍ଞାନୀପାଳକ ମହାନୁଭବଗଣ ! ଏ କମଳମାଳାଧାରୀ କୁମାରକୁ ଏପରି ନିଜ ଭିତରେ ଧାରଣ କରନ୍ତୁ ଯେପରି ମାତା ଗର୍ଭକୁ ଧାରଣ କରେ, ଯଦ୍ଦ୍ୱାରା ଏ ସଚ୍ଚା ପୁରୁଷ ବା ସଚ୍ଚା ମାନବ ହୋଇପାରିବ ।’

 

ଏଠାରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଶିକ୍ଷକ ପିତା ରୂପରେ କେବଳ ନୁହେଁ, ମାତା ରୂପରେ ମଧ୍ୟ ଆବିର୍ଭୂତ ହୋଇଥାଏ । ସଚ୍ଚା ମାନବର ନିର୍ମାଣ କରୁଥିବା ଶିକ୍ଷାପଦ୍ଧତିର ଆଧାରଶିଳା ହେଲା ବ୍ରହ୍ମଚର୍ଯ୍ୟ, ଯାହାର ଅର୍ଥ ହେଲା ବ୍ରହ୍ମ ଅର୍ଥାତ୍ ପରମେଶ୍ୱରଙ୍କଠାରେ ଦିନରାତି ବିଚରଣ କରିବା-ବ୍ରହ୍ମ ଅର୍ଥାତ୍ ବେଦର ଅଧ୍ୟୟନ କରିବା, ପୂର୍ଣ୍ଣ ପବିତ୍ରତା ଏବଂ ଆତ୍ମ-ସଂଯମ ।

 

ଅଥର୍ବବେଦର ବ୍ରହ୍ମଚର୍ଯ୍ୟ ସୂକ୍ତ (୧୧|୫)ରେ ଆଚାର୍ଯ୍ୟଙ୍କୁ ପିତାଙ୍କ ଅତିରିକ୍ତ ମାତାଙ୍କ ରୂପରେ ବର୍ଣ୍ଣନ କରି କୁହାଯାଇଛି, ‘‘ଆଚାର୍ଯ୍ୟ ଉପନୟମାନୋ ବ୍ରହ୍ମଚାରିଣଂ କୃଣୁତେ ଗର୍ଭମନ୍ତଃ ।’’ ଅର୍ଥାତ୍ ଆଚାର୍ଯ୍ୟ ଉପନୟନ-ସଂସ୍କାର କରି ବ୍ରହ୍ମଚାରୀକୁ ନିଜ ଭିତରେ ଅର୍ଥାତ୍ ଅଧୀନତାରେ ଏପରି ରଖନ୍ତି, ଯେପରି ମାତା ନିଜ ଭିତର ଗର୍ଭକୁ ରକ୍ଷା କରନ୍ତି । ସଚ୍ଚା ମାନବତାର ବିକାଶ ପାଇଁ ଏପରି ବୈଦିକ-ଶିକ୍ଷା-ପଦ୍ଧତି ଅର୍ଥାତ୍ ଗୁରୁକୁଳ ଶିକ୍ଷାପ୍ରଣାଳୀକୁ ପୁନର୍ବାର ଶୁଦ୍ଧ ରୂପରେ ପ୍ରଚଳିତ କରିବାର ଆବଶ୍ୟକତା ଅଛି ।

 

ବିଶ୍ୱମୈତ୍ରୀ ଏବଂ ବିଶ୍ୱବନ୍ଧୁତ୍ୱ- ବେଦରେ ମାନବତାର ଆଦର୍ଶର ପ୍ରତିପାଦନ କରି ବିଶ୍ୱମୈତ୍ରୀ ଏବଂ ବିଶ୍ୱବନ୍ଧୁତ୍ୱ ଉପରେ ଜୋର ଦିଆଯାଇଅଛି । ଯଜୁର୍ବେଦର ୩୬/୧୮ ମନ୍ତ୍ରରେ କେବଳ ମନୁଷ୍ୟକୁ ହିଁ ନୁହେଁ, ପ୍ରତ୍ୟୁତ ପ୍ରାଣୀମାତ୍ରକୁ ମିତ୍ର ଦୃଷ୍ଟିରେ ଦେଖିବା ପାଇଁ ଉପଦେଶ ଦିଆଯାଇଅଛି । ଯଥା-

 

‘‘ବୃତେ ଦୃଂହ ମା ମିତ୍ରସ୍ୟ ମା ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷନ୍ତାମ୍ ।

ମିତ୍ରସ୍ୟାହଂ ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷେ ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ ।’’

 

ଏ ମନ୍ତ୍ରରେ ଉପଦେଶ ଦିଆଯାଇଛି ଯେ “ହେ ଅଜ୍ଞାନାନ୍ଧକାର-ନିବାରକ ପରମେଶ୍ୱର ! ମୋତେ ସବୁ ପ୍ରାଣୀ ମିତ୍ର ଦୃଷ୍ଟିରେ ଦେଖନ୍ତୁ । ଏହି ଇଚ୍ଛାର ପୂର୍ତ୍ତିର ସାଧନ ରୂପରେ କୁହାଯାଇଛି ଯେ, ମୁଁ ସବୁ ପ୍ରାଣୀଙ୍କୁ ମିତ୍ର ଦୃଷ୍ଟିରେ ଦେଖେଁ । ଆମେ ସମସ୍ତେ ପରସ୍ପରକୁ ମିତ୍ର ଦୃଷ୍ଟିରେ ଦେଖିବା-।’’ ଏହାଠାରୁ ଉତ୍ତମ ମାନବତା-ସମ୍ପାଦକ ଉପଦେଶ ଆଉ କ’ଣ ହୋଇପାରିବ ? ଅଥର୍ବବେଦର ନିମ୍ନୋକ୍ତ ୬/୪୦/୩ ମନ୍ତ୍ର ଏ ବିଷୟରେ ଦ୍ରଷ୍ଟବ୍ୟ ।

 

‘ଅନମିତ୍ରଂ ନୋ ଅଧରାଦନମିତ୍ରଂ ଉତ୍ତରାତ୍‌ ।

ଇନ୍ଦ୍ରାନ ମିତ୍ରଂ ନଃ ପଶ୍ଚାଦନମିତ୍ରଂ ପୁରସ୍କୃଧି ।

 

ଏ ମନ୍ତ୍ରରେ ସବୁଦିଗରେ ରହୁଥିବା ପ୍ରାଣୀ ଆମର ମିତ୍ର ହୁଅନ୍ତୁ, ଶତ୍ରୁତାର ସର୍ବଥା ନାଶ ହେଉ-ଏହି ପ୍ରାର୍ଥନା ଅଛି ।

 

ବେଦ ଅନୁସାରେ ସବୁ ମନୁଷ୍ୟ ଏକ ପରମେଶ୍ୱର ଏବଂ ପୃଥ୍ୱୀମାତାଙ୍କର ପୁତ୍ର । ଏ ଭାବନାକୁ ଧାରଣକରିବା ଦ୍ୱାରା ହିଁ ସମସ୍ତଙ୍କର କଲ୍ୟାଣ ହୋଇପାରିବ । ଏ ବିଷୟରେ ଋଗ୍‌ବେଦର ୫/୬୦/୫ ମନ୍ତ୍ର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛି-

 

‘‘ଅଜ୍ୟେଷ୍ଠାସୋ ଅକନିଷ୍ଠାସ ଏତେ

 

ସଂ ଭ୍ରାତରୋ ବାବୃଧୁ ସୌଭଗାୟ ।।

ଯୁବା ପିତା ସ୍ୱପା ରୁଦ୍ର ଏଷାଂ

 

ସୁଦୁଘା ପୃଶ୍ନିଃ ସୁଦିନା ମରୁଦ୍‌ଭ୍ୟଃ ।।’’

 

ଅର୍ଥାତ୍‌, (ଏତେ) ଏ ସବୁ ମନୁଷ୍ୟ (ଭ୍ରାତରଃ) ଭାଇ ଅଟନ୍ତି । (ଅଜ୍ୟେଷ୍ଠାସଃ) ଏମାନଙ୍କ ମଧ୍ୟରେ କେହି ଜନ୍ମ, ଜାତି, ରଙ୍ଗ, ଦେଶ ଆଦି କାରଣରୁ ବଡ଼ ନୁହେଁ, (ଅକନିଷ୍ଠାସଃ) କେହି ଛୋଟ ନୁହେଁ । ଏ ସମାନତାର ଭାବକୁ ଧାରଣ କରି ସମସ୍ତେ (ସୌଭଗାୟ) ଐଶ୍ୱର୍ଯ୍ୟ ବା ଉନ୍ନତି ପାଇଁ (ସଂବାବୃଧୁଃ) ମିଳିମିଶି ପ୍ରଯତ୍ନ କରନ୍ତି ଏବଂ ଆଗକୁ ବଢ଼ନ୍ତି । (ଏଷାମ୍‌) ଏ ସବୁ ମନୁଷ୍ୟଙ୍କର (ଯୁବା) ନିତ୍ୟ ଯୁବା ଅଥବା ସଂସାରକୁ ସୃଷ୍ଟି କରିଥିବା (ସ୍ୱପାଃ) ଉତ୍ତମ କର୍ମ କରାଉଥିବା (ରୁଦ୍ରଃ) ଦୁଷ୍ଟମାନଙ୍କୁ ଦଣ୍ଡ ଦେଇ କନ୍ଦାଉଥିବା ପରମେଶ୍ୱର (ପିତା) ଏବଂ ଏ (ମରୁଦ୍‌ଭ୍ୟଃ) ବୀର ମନୁଷ୍ୟମାନଙ୍କ ପାଇଁ (ପୃଶ୍ନିଃ) ପ୍ରକୃତି ବା ପୃଥିବୀମାତା ଗାଭୀ ପରି (ସୁଂଦୁଘା) ଭଲ ଅନ୍ନାଦି ଦେଉଥିବା (ସୁଦିନା) କଲ୍ୟାଣ–କାରିଣୀ ହୁଅନ୍ତି ।

 

ଐକ୍ୟ, ସଙ୍ଗଠନ ଏବଂ ସହଯୋଗ-ମାନବତା ପାଇଁ ଏକତା, ସଙ୍ଗଠନ ଏବଂ ସହଯୋଗର ଭାବନା ମଧ୍ୟ ଆବଶ୍ୟକ । ଋଗ୍‌ବେଦର ନିମ୍ନୋକ୍ତ ୧୦/୧୯୧/୨-୪ ମନ୍ତ୍ରମାନଙ୍କରେ ଏ ବିଷୟର ପ୍ରତିପାଦନ କରାଯାଇଅଛି-

 

‘‘ସଂଗଚ୍ଛଧ୍ୱଂ ସଂ ବଦଧ୍ୱଂ ସଂ ବୋ ମନାଂସି ଜାନତାମ୍‌ ।

ଦେବା ଭାଗଂ ଯଥା ପୂର୍ବଂ ସଂଜାନାନା ଉପାସତେ ।।

ସମାନୀ ବ ଆକୂତିଃ ସମାନା ହୃଦୟାନି ବଃ ।

ସମାନମସ୍ତୁ ବୋ ମନଃ ଯଥା ବଃ ସୁସହାସତି ।’’

 

ଏ ମନ୍ତ୍ରମାନଙ୍କରେ କୁହାଯାଇଅଛି “ହେ ମନୁଷ୍ୟ ! ତୁମ୍ଭେମାନେ ମିଳିମିଶି ଚାଲ, ପ୍ରେମରେ ମିଳିମିଶି କଥାଭାଷା କର, ତୁମର ମନ ସୁସଂସ୍କୃତ ହେଉ । ଯେପରି ସତ୍ୟନିଷ୍ଠ ଜ୍ଞାନୀ ଲୋକେ ପରସ୍ପର ମିଳିମିଶି ନିଜର କର୍ତ୍ତବ୍ୟ ପାଳନ କରନ୍ତି, ସେହିପରି ତୁମେ କର । ତୁମର ସଂକଳ୍ପ ଏକ ହେଉ, ପବିତ୍ର ହେଉ; ତୁମର ହୃଦୟ ମିଳିମିଶି ରହୁ । ତୁମ ମନ ପରସ୍ପର ପ୍ରୀତିଯୁକ୍ତ ହେଉ, ଯଦ୍ଦ୍ୱାରା ତୁମ ଭିତରେ ପରସ୍ପର ସହଯୋଗ ହୋଇପାରିବ ।’’

 

ବେଦର ମାନବତାର ଉଚ୍ଚ ଆଦର୍ଶ ଅନୁସାରେ ଜୀବନଯାପନ କଲେ, ଯହିଁରେ କି ସତ୍ୟ, ବିଶ୍ୱବନ୍ଧୁତ୍ୱ, ବିଶ୍ୱମୈତ୍ରୀ, ଏକତା, ସଙ୍ଗଠନ ଏବଂ ସହଯୋଗର ପ୍ରଧାନତା ଅଛି, ମନୁଷ୍ୟମାତ୍ରର କଲ୍ୟାଣ ହୋଇପାରିବ, ଅନ୍ୟଥା ନୁହେଁ ।

***

 

ଲୋକ-ସାହିତ୍ୟରେ ନାରୀ ଜୀବନର ଚିତ୍ର

ଶ୍ରୀ ମୋହିତ ମୋହନ ମହାପାତ୍ର

 

ସମାଜ ଗଠନ କ୍ଷେତ୍ରରେ ପୁରୁଷର ଯେତିକି ଭୂମିକା ରହିଛି, ନାରୀର ମଧ୍ୟ ସେତିକି ଭୂମିକା ରହିଛି । କିନ୍ତୁ ସମାଜରେ ସ୍ତ୍ରୀଠାରୁ ପୁରୁଷର ମାନ ଊର୍ଦ୍ଧ୍ୱରେ । ଆର୍ଥିକ, ସାମାଜିକ ଦିଗରୁ ସ୍ତ୍ରୀର ଅର୍ଦ୍ଧେକ ଭୂମିକା ଥିଲେ ସୁଦ୍ଧା ପୁରୁଷ ତାକୁ ସ୍ୱାଧୀନତା ଦେଇନାହିଁ । ତେଣୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପୁରୁଷର ଅଧୀନରେ ସେବାଦାସୀ ପରି ସ୍ତ୍ରୀ ରହେ । ମା’-ଘର ସୁଖ ଶେଷ ହୋଇ ତା’ର ଦୁଃଖର ଜୀବନ ଶାଶୁ ଘରେ ଆରମ୍ଭ ହୁଏ । ଗୋଟିଏ ଅଜଣା ଅଚିହ୍ନା ଘରକୁ ଯାଇ ସେ ସେମାନଙ୍କୁ ନିଜର କରେ । ଶାଶୁନଣନ୍ଦଙ୍କଠାରୁ ଅନେକ ଗଞ୍ଜଣା ସହି ସୁଦ୍ଧା ସେ ସର୍ବଂସହା ଧରିତ୍ରୀ ପରି ନିଜର ଆତ୍ମଦାନରେ ସମସ୍ତଙ୍କ ମଙ୍ଗଳ କାମନା କରେ । ତେଣୁ ସେ ଜାୟା ଓ ଜନନୀ ।

 

ପରିବାରରେ ଝିଅଟିଏ ବଡ଼ ହେଲେ ସାହିର ସାଙ୍ଗସାଥୀଙ୍କ ସହିତ ଖେଳିବୁଲି ସେ ସମାଜକୁ ନିଜର କରେ । ପରୋକ୍ଷଭାବେ ନିଜର ଅଜାଣତରେ ଲୋକଗୀତ ଓ ଖେଳ-ଗୀତ ମଧ୍ୟରେ ତା’ର ସମାଜୀକରଣ ହୋଇଥାଏ । ସେଥିରେ ଥାଏ ତା’ର ଆତ୍ମପ୍ରକାଶ । ଏହି ଅଞ୍ଚଳର ଲୋକଗୀତରେ ପଲ୍ଲୀକୁମାରୀର ସୁନ୍ଦର ମଧୁମୟ ଜୀବନଚିତ୍ର ରହିଛି । ଝିଅଙ୍କ ଉତ୍ତର-ପ୍ରତ୍ୟୁତ୍ତରମୂଳକ ପ୍ରତିଦ୍ୱନ୍ଦାତ୍ମକ ଖେଳଗୀତ-‘ବରିଆ ଓ ‘ବାଙ୍ଗରୀ’ରେ ରହିଛି ସେମାନଙ୍କର ହୃଦୟର ଅନାବିଳ ଆତ୍ମପ୍ରକାଶ । ନିଜ ନିଜର ହୃଦୟର ଉଦ୍‌ଗତ ଭାବକୁ ପରସ୍ପର ନିକଟରେ ପୂର୍ଣ୍ଣ ରୂପେ ପ୍ରକାଶ କରିବାର ସହଜ ଭାବଟି ସେମାନଙ୍କ ଗୀତରେ ନିର୍ଜିତ । ଯଥା-

 

ସଜନି, ଖୁରିରେ (୧) ଖାଇଲୁଁ ତୁନ (୨)

ତୁମର ଆମର ଗୁଟେ (୩) ଜୀବନ

ସଜନୀ, ତୁମେ ଆମେ ଭିନାଭିନ (୪) ।

 

(୧) ଖୁରି-ଧାତୁ ନିର୍ମିତ ପାତ୍ର (୨) ତୁନ-ତିଅଣ, ତରକାରୀ (୩) ଗୁଟେ-ଗୋଟିଏ, ଏକ (୪) ଭିନାଭିନ-ଭିନ୍ନାଭିନ୍ନ ।

 

କେବଳ ସେତିକି ନୁହେଁ, ଏକ ସଜନୀ ଅପର ସଜନୀ ପାଇଁ ଫୁଲଗୁନ୍ଥି ଅପେକ୍ଷା କରିଥାଏ ତା’ର ସାଥୀ ମୁଣ୍ଡରେ ଖୋସିଦେବା ପାଇଁ । ସୌନ୍ଦର୍ଯ୍ୟର ପୂର୍ଣ୍ଣ ପ୍ରକାଶ ଅନ୍ୟର ପ୍ରଶଂସାରେ ଓ ଅନ୍ୟ ମୁହଁରେ ପ୍ରଶଂସା ଶୁଣିବାରେ । ତେଣୁ ଏକ ସଜନୀ ଅନ୍ୟ ସଜନୀକୁ କହେ-

 

‘‘ସଜନି, ବାଢ଼ୁନ (୫) ଧୁଇ ଡେରିଲି

ମାଲିଘର ଫୁଲ ସଜାଡ଼ିଥିଲି

ମୋ ସାଙ୍ଗ ମାଖିବା ବଲି (୬) ।”

 

(୫) ବାଢ଼ୁନ-ଝାଡ଼ୁ, ଛାଞ୍ଚୁଣୀ (୬) ବଲି-ବୋଲି

 

ପଲ୍ଲୀର ଏହି କୁମାରୀ-ଜୀବନର ମଧୁମୟ ସ୍ୱପ୍ନ ଧୀରେ ଧୀରେ ମହକଣ ପଡ଼ିଆସେ ଯେତେବେଳେ ତା’ର ବିବାହ ହୋଇଯାଏ । ସେତେବେଳେ ନାନା ଆଶା ଓ ଆଶଙ୍କାରେ ତା’ର ହୃଦୟ ଭାରାକ୍ରାନ୍ତ ହୋଇଉଠେ । ନ ଦେଖିଲା ଘର ମା’ ବାପ ଦେଖାଇଦେଲେ । ଦୁଃଖ ଓ ଶୋକରେ ଆଖିରୁ ତା’ର ଧାର ଧାର ଲୁହ ଝରେ । ସେ ବୁକୁଫଟା କାନ୍ଦ କାନ୍ଦି କହେ-

 

‘‘ଏ ମା, ମୋକେ (୭) ନାଇଁ ଦେଖିଲା ଘର ଦେଖାଇ ଦେଲୁ ଗୋ,

ଏ ମା, ମୋକେ ନଦି ତି ଝପାଇ ଦିଇ ଥିତୁ ପଛେ ମା’ ଗୋ,

ଏ ମା, ମୋର କୁରିହିଆ (୮) ଦରପନ୍‌ (୯) କେନ (୧୦) ଦେଖିବା ମା ଗୋ,

ଏ ମା, ମୋର ଉଖିନ (୧୧) ଦେଟିହିଆ ପନିଆ କେନ କୁରିହେବା ମା ଗୋ,

ଏ ମା, ମୁଇଁ ଅନେଖାଇ (୧୨) ବନେ (୧୩) ବୁଲୁଥିଲି ମା ଗୋ,

ଏ ମା, ମୁଇଁ ହେଲେ ଖାଇ (୧୪) ଗେଲେ (୧୫) ବୁଢ଼ୁଥିଲି ମା ଗୋ,

ମୋକେ ନାଇଁ ଦେଖଲା ବାଟ ଦେଖାଇ ଦେଲୁ ମା ଗୋ ।”

 

(୭) ମୋକେ-ମୋତେ (୮) କୁରିହିଆ-ମୁଣ୍ଡକୁଣ୍ଡାଇବା (୯) ଦରପନ-ଦର୍ପଣ (୧୦) କେନ-କିଏ (୧୧) ଉଖିନ-ଉକୁଣି (୧୨) ଅନେଖାଇ-ଆନନ୍ଦରେ ଖାଇ (୧୩) ବନେ-ଜଙ୍ଗଲରେ, ମନଇଚ୍ଛା (୧୪) ହେଲେ-ଅନାୟାସରେ (୧୫) ଗେଲେ-ସ୍ନେହରେ

 

କେବଳ ଦୁଃଖ ସେତିକିରେ ସରେ ନାହିଁ । ଝିଅ, ମା’ ବାପ, ବଡ଼ଭାଇ, ସାଙ୍ଗସାଥୀଙ୍କୁ ବାହୁନି ବାହୁନି କାନ୍ଦେ । ଝିଅର ଦୁଃଖରେ ମା’ର ହୃଦୟ କାନ୍ଦେ । ଗର୍ଭ ପୋଡ଼ିଯାଏ । ଦଶମାସ ଗର୍ଭରେ ଧରିଥିବା ଝିଅଟିକୁ ଏଡ଼ୁଟିଏରୁ ଏଡ଼ୁଟିଏ କରି ବଡ଼ କରିବା ଓ ତାକୁ ଅନ୍ୟ ଘରକୁ ଠେଲିଦେବା ପଛରେ ଯେଉଁ ଦୁଃଖ ଶୋକ ଜମାଟ ବାନ୍ଧି ମା’ ଛାତିରେ ରହିଥାଏ, ସେହି ଦୁଃଖକୁ ବାହୁନି ମା’ କାନ୍ଦେ ।

 

“ଏ ମୋର ଝି (୧୬)ରେ,

ତୋକେ (୧୭) ବୋହଲାଇ (୧୮) ଦେଲି ପୁତା,

ମୋର ଗରଭ ପୁଡ଼ି ଯଉଛେ ବୁଛୁରା (୧୯),

ମୋର ତହଲା (୨୦) ମାରି ଯଉଛେ ମୋର ଲୋଇରେ (୨୧) ।

ଏ ମୋର ବନ୍ଧୁ ସମଦିମନେ (୨୨) ହୋ,

ତମେ ମୋର ଟିକେ ବନେକରି (୨୩) ଚଲାବ ନା ହୋ,

ମୋର ଝି ତମର ଘରେ ଡୁମା (୨୪) ହେଲେ ମୁଇଁ

ଶରଧା ହେବି ବଲୁଛେଁ ନା ଯେ,

ଏ ମୋର ଝି ରେ,

ମୋର ହୁରୁଦ (୨୫) ଫାଟି ଯଉଛେ ଲୋଇ

ମୋର ତହଲା ମାରି ଦଉଛେ ବୁଛୁରା ।”

 

(୧୬) ଝି-ଝିଅ (୧୭) ତୋକେ-ତୋତେ (୧୮) ବୋହଲାଇ-ଭସାଇ (୧୯) ବୁଛୁରା-ବାଛୁରୀ (୨୦) ତହଲା-ଦେହ (୨୧) ଲୋଇରେ...କଅଁଳା (Tender) (୨୨) ସମଦିମନେ-ସମ୍ବନ୍ଧୀମାନେ (୨୩) ବନେକରି-ଭଲଭାବରେ (୨୪) ଡୁମା-ପ୍ରେତ (୨୫) ହୁରୁଦ-ହୃଦୟ

 

ଝିଅର ଶାଶୁ ଘରେ ଗଞ୍ଜଣା ଦୁଃସହନୀୟ । ଏଣୁ ଶାଶୁଘରର ଦୁଃଖକୁ ମା’ ଘରେ ବଖାଣି କାନ୍ଦେ ।

 

“ଏ ମା, ମୋକେ ନାଇଁଥିଲା ଘରେ ଦେଇଦେଲୁ ମାଗୋ,

ମୋକେ ନେଇଁ ଖାଇଲାଟା କେ ଖାଇଲା ବୁଲୁଛେ ନା ଗୋ,

ମୋକେ ନଣନ୍ଦ ଗୁଟେ କଥା କହୁଛେ ମାଁରେ,

ମୋକେ ଶାଶୁ ଗୁଟେ କଥା କହୁଛେ ମାଁରେ,

ମୋକେ ନାଇଁ ହତଲିଲାଟା କେ (୨୬) ହତଲି ଖାଇଲା ବଲୁଛେ ମାଗୋ ।”

 

(୨୬) ହତଲିଲା-ହାତ ଲଗାଇବା

 

ଏ ଦୁଃଖ ସରେ ନାହିଁ । ନିଜ ସ୍ୱାମୀ ସମେତ ଦିଅର, ଶାଶୁ, ନଣନ୍ଦ ଏପରିକି ଗ୍ରାମର ପଡ଼ୋଶୀ ହିଂସୁକୁଟୀ ନାରୀମାନେ ମଧ୍ୟ ସୁବିଧା ଦେଖି ବୋହୂର ଦାଉ ସାଧନ୍ତି । ଲୋକଗୀତରେ ନାରୀର ଏହି ମର୍ମନ୍ତୁଦ ଦୃଶ୍ୟ ଅବର୍ଣ୍ଣନୀୟ । ଏଣୁ ଅଛି-ସ୍ୱାମୀ ମାଂସ ତରକାରି ଖାଇଲେ ସ୍ତ୍ରୀ ଖାଏ ଲୁଣ । ଲୋକଗୀତରେ-

 

ସଜନି, କଷି ବାଉଁଶର ଧୁନ,

ମୁନୁଷ ଖାଉଛି ଶିକାର (୨୭) ତୁନ,

ମାଏଜି (୨୮) ଖାଉଛି ନୁନ ।

 

(୨୭) ଶିକାର-ମାଂସ (୨୮) ମାଏଜି-ସ୍ତ୍ରୀ

 

କେବଳ ସେତିକି ନୁହେଁ । ସ୍ୱାମୀ ତ ସ୍ତ୍ରୀକୁ ଅଳ୍ପକଥାରେ ମାଡ଼ଗାଳି ଦିଏ । ଅଭାବୀ ଘରର ଆତ୍ମପରିଚୟ ମାଡ଼ଗାଳିରେ । ଲୋକଗୀତରେ-

 

ମାଏଜି ଉପରେ ମୁନୁଷ ରଜା

ଡିକ୍‌ଢୁମ୍‍ କରି ବାଜଲା ବଜା ।

 

ସ୍ତ୍ରୀ ସବୁ ସହେ । ହିନ୍ଦୁ ପତିବ୍ରତା ସ୍ତ୍ରୀ ସବୁ ଅଗ୍ନିପରୀକ୍ଷା ଦିଏ । ତା’ ଆଖିର ଲୁହ କାନ୍ଦେନାହିଁ, କାନ୍ଦେ ରକ୍ତ । ସ୍ୱାମୀଙ୍କ ମାଡ଼ ଖାଇଲେ ତ କିଛି ନୁହେଁ; ସେ ଦିଅରର ମାଡ଼ ମଧ୍ୟ ଖାଏ-। ସ୍ତ୍ରୀର କୋମଳ ଅଙ୍ଗ ପିଲପରୁଆ ବା ଶିଶୁ କୋମଳ ପାରାର ହାତ ପରି କୋମଳ । ସେ ଦେହରେ ପୁଣି ଏତେ ମାଡ଼ ! ସେ ସହିପାରେ ନାହିଁ ଓ କହେ-

 

“ସଜନି, ପିଲପରୁଆର ହାତ,

କେତେ ଖାଉଥିବି ଦିଅର ଲାତ,

ନେଇ ଦିଅ ବାପଘର ।”

 

ନାରୀ ଜୀବନର ଏହି ଦୁଃଖ ସରେନାହିଁ । କାରଣ ଗୋଟିଏ ସ୍ତ୍ରୀ, ନ ହେଲେ ଦ୍ୱିତୀୟ ବିବାହ କରନ୍ତି । ଏଣୁ କହନ୍ତି-

 

“ତୁଇ ନେଇ ହେଲେ ଦୁସରି (୨୯)

ବାହାଲେ (୩୦) ଚନା ମୁସରି (୩୧) ।”

 

(୨୯) ଦୁସରି-ଅନ୍ୟ

(୩୦) ବାହାଲେ-ଖାଲ ଜମିରେ

(୩୧) ମୁସରି-ମସୁର

 

କିନ୍ତୁ ପତିବ୍ରତା ସ୍ତ୍ରୀ ସ୍ୱାମୀକୁ କହେ-

“ଖୁରିନେ ଗିନା ଗର୍ଜନ

ଟଁଟି ମାଡ଼ିଦେଲେ ଯାଉ ଜୀବନ,

ତୋରଠାନେ ରହୁ ମନ ।”

 

ସ୍ୱାମୀ ମଦ୍ୟପ କିମ୍ୱା ଜୁଆଡ଼ି ହେଲେ ରକ୍ଷା ନାହିଁ । ସବୁଦିନ ସ୍ତ୍ରୀ ସହିତ କଳି ହୁଏ । ସ୍ତ୍ରୀର କାନର ଫାଶିଆ (୩୨) କାଢ଼ି ମଦ ଖାଇବାକୁ ବାହାରେ । ସ୍ତ୍ରୀ ନିଜର କାନର ଫାଶିଆ ଦେବାକୁ ମନାକରେ ଓ କହେ-

 

(୩୨) ଫାଶିଆ-ଅଳଙ୍କାର ବିଶେଷ

 

“ଯେତେ କଥା କହ ବାଘଧରାକେ,

ସେ ଢୁକୁଛେ (୩୩) ବେଲ ବୁଡ଼ାକେ ।”

 

(୩୩) ଢୁକୁଛେ-ପଶୁଛି, ଘରକୁ ଫେରୁଛି ।

 

ପୁରୁଷ କହେ ମୁଁ ତ ତୋତେ ଜୋଲା (୩୪) ଛଅକୋଡ଼ି (୩୫) ଦେଇ କିଣିଛି । ମୋତେ ତୋର କାନର ଫାଶିଆ ଦେଖା; ଗୀତରେ-

 

(୩୪) ଜୋଲା-ନିର୍ବନ୍ଧ ସମୟରେ ଝିଅର ବାପକୁ ଦିଆଯାଉଥିବା ଟଙ୍କା

 

(୩୫) ଛଅକୋଡ଼ି- ଏକଶହ କୋଡ଼ିଏ

 

ସଜନି, ପିକା (୩୬) ପତ୍ର ରେକାରେକା (୩୭)

ତୋର କୁଆ ଖାଇଛେ ଛକୋଡ଼ି ଟଙ୍କା,

କାନର ଫାଶିଆ ଦେଖା ।

 

(୩୬) ପିକା-ବଳା ହୋଇଥିବା ଧୂଆଁପତ୍ର

 

(୩୭) ରେକାରେକା-ରେଖା ରେଖା ।

 

କହିବା ବାହୁଲ୍ୟ, ସମାଜରେ ନାରୀର ସ୍ଥାନ ଅତି ନିମ୍ନରେ । ଶିକ୍ଷା ତଥା ପରିବର୍ତ୍ତନ ସମାଜ ସହିତ ପୁରୁଷ ନିଜେ ପରିବର୍ତ୍ତିତ ହେବାକୁ ଚାହେଁ ସିନା, ସ୍ତ୍ରୀକୁ ପରିବର୍ତ୍ତିତ କରିବାକୁ, ଶିକ୍ଷିତ କରିବାକୁ ଚାହେଁନାହିଁ । ନିଜେ ସବୁ ସୁବିଧା ଭୋଗ କରିବାକୁ ଚାହେଁ । ଏହା ସମାଜ ଅଧଃପତନର ମୂଳ କାରଣ । ଏହି ଅଞ୍ଚଳର ପ୍ରାୟ ସମସ୍ତ ଜନଜାତି ଓ ସହାବସ୍ଥାୟୀ ସମାଜରେ କନ୍ୟାର ସ୍ଥାନ ନିମ୍ନରେ । ଏଣୁ ଝିଅ କିଣିବା ପ୍ରଥା ରହିଥିଲା ଓ ଏବେ ବି କେଉଁଠି କେମିତି ଅଛି । ଏହି ସାମାଜିକ ଆତ୍ମଚେତନା ଓ ଯୁଗ ଯୁଗ ଧରି ଲୋକସମାଜରେ ନାରୀ ପ୍ରତି ଅବିଚାର ଓ ଅସମ୍ମାନ ପାଇଁ ସମାଜ ମଧ୍ୟ ରୁଗ୍‌ଣ । ପଶ୍ଚିମ ଓଡ଼ିଶାର ଲୋକଗୀତର ଆଧାରରୁ କୁହାଯାଇପାରେ ଯେ ନାରୀ ଜୀବନକୁ ପୂର୍ବରୁ କେବେ ସମ୍ୟକ୍‌ଭାବେ ଆସନ ଦିଆଯାଇ ନ ଥିଲା କିମ୍ୱା ଏବେସୁଦ୍ଧା ଦିଆଯାଇନାହିଁ । ଏଣୁ ଆଜିର ପରିବାର ଓ ସମାଜରେ ପୁରୁଷର ଅର୍ଦ୍ଧେକ ନାରୀ ହେଲେ ସୁଦ୍ଧା ତା’ର ସ୍ୱାଧୀନତା ନାହିଁ । ଯୌତୁକ ତଥା ବ୍ରାଇଡ଼ ପ୍ରାଇସ ସିଷ୍ଟମ୍ ଏବେ ବି ନାରୀଜୀବନର ଭାଗ୍ୟବିଧାତା ହୋଇ ରହି ଆସିଅଛି । ଏଣୁ ଏହା ସାମାଜିକ ଅଧଃପତନର ମୂଳ ହେତୁ । ଲୋକସାହିତ୍ୟରେ ଏହି ଦୁଃଖଦାୟକ ଚିତ୍ର ସୁଲଭ ଯେହେତୁ ଏହି ଅଞ୍ଚଳର ଲୋକଜୀବନ ଗୀତିମୟ ।

 

ଉପ-ସଭାପତି,

ଖଡ଼ିଆଳ ସାହିତ୍ୟ ସମିତି,

ପୋ : ଅ : ଖଡ଼ିଆଳ

ଜି : କଳାହାଣ୍ଡି, ଓଡ଼ିଶା

ପିନ୍‌-୭୬୬୧୦୭

***

 

ସମ୍ପାଦକୀୟ

ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ତିରୋଧାନରେ...

 

ଜୀବନ ଲଗ୍ନରେ କବି ଜିଜ୍ଞାସା କରିଥିଲେ ମୃତ୍ୟୁକୁ-

“ମୃତ୍ୟୁ ହେ ତୁମେ ଆସିଲେ ସେଦିନ

ମୁଗ୍‌ଧ ତୁମକୁ ଚାହିଁ,

ତୁମ ଆଣବିକ ଆଶ୍ଳେଷେ ହଜି

ନାଚିଯିବି କଉତୁକେ,

ଧୀର ସଂଭ୍ରମେ ପୁଚ୍ଛିବି ଖାଲି ମୁଁ

ଭୟ କମ୍ପନ ହେଳି,

ମୃତ୍ୟୁ କି ତୁମ ଶମଶାନ ନାହିଁ

ରୁଦ୍ର ଜୀବନ ବୁକେ ?”

 

(ପୃ. ୨୬, ମୃତ୍ୟୁ ହେ ତୁମେ, ଅଲୋଡ଼ା ଲୋଡ଼ା)

 

ଆମ ଓଡ଼ିଶାର ବିପ୍ଳବୀ କବି, ସମ୍ପାଦକ, ସାମ୍ୱାଦିକ, ସ୍ୱାଧୀନତା ସଂଗ୍ରାମର ଯୋଦ୍ଧା ସାଥି ଅନନ୍ତ ପଟ୍ଟନାୟକ ଆଉ ଇହ ଜଗତରେ ନାହାନ୍ତି । ଏଇ ଜୁନ୍‌ମାସର ୨୫ ତାରିଖ ପ୍ରଭାତରେ ସେ ଚିରଦିନ ପାଇଁ ଚକ୍ଷୁ ବୁଜି ଦେଇଛନ୍ତି । ପରିବାର ସହ ସେ ରହୁଥିଲେ କଟକର ବାଦାମବାଡ଼ି ବରାଳଲେନ୍‌ର ଏକ ଭଡ଼ା ଘରେ । ସେଇଠି ତାଙ୍କର ତିରୋଧାନ । ଭୋର୍‌ ୫ଟା ବେଳକୁ ହୃଦ୍‌ରୋଗରେ ପୀଡ଼ିତ ହେବା ଦେଖି ତାଙ୍କୁ ଅଧଘଣ୍ଟା ମଧ୍ୟରେ କଟକର ବଡ଼ଡାକ୍ତରଖାନାକୁ ନିଆହେଲା । ମାତ୍ର ସେଠି ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

 

୧୯୧୨ ମସିହାର ଜୁନ୍‌ ଦଶ ତାରିଖରେ ତାଙ୍କର ଜନ୍ମ ପୁରୀ ଜିଲ୍ଲାର ଚଣାହାଟ ଗ୍ରାମରେ । ଅନନ୍ତ ଓ ଗୁରୁଚରଣ ବାଲ୍ୟକାଳରୁ ପିତା ମାତା ଉଭୟଙ୍କୁ ହରାଇଥିଲେ ।

 

ପିତା ଶ୍ରୀ ଜୟକୃଷ୍ଣ ପଟ୍ଟନାୟକ ଓ ମାତା ଶ୍ରୀମତୀ ମହାଦେଇ ଘଣ୍ଟାଏ ଦେଢ଼ଘଣ୍ଟା ତଫାତ୍‌ରେ ମୃତ୍ୟୁବରଣ କରିଥିଲେ, ତେଣୁ ଉଭୟେ ଏକ ଚିତାଗ୍ନିରେ ଯିବାର ସୌଭାଗ୍ୟ ଲାଭ କରିଥିଲେ । ସେ ପରିସ୍ଥିତିରେ ତାଙ୍କର ପିଉସା ଶ୍ରୀ ସତ୍ୟବାଦୀ ଦାସ ଓ ପିଉସୀ ଶ୍ରୀମତୀ ବସନ୍ତ କୁମାରୀ ତାଙ୍କର ପାଳନର ଭାର ନେଇ ତାଙ୍କୁ ନିଜ ସନ୍ତାନ ବୋଲି ମନେ କରିଥିଲେ । ଦୁଇ ଭାଇ ତରୁଣ ବୟସରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ । ଉଭୟ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ଦୁଇ ସ୍ତମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ବନ୍ଧୁ ଅନନ୍ତ ଚାଲିଗଲେ, ସାଙ୍ଗେ ସାଙ୍ଗେ ଜାଣିବାର କଥା, ମୁଁ ଜାଣିପାରିଲି ନାହିଁ ।

 

୨୫/୬/୧୯୮୭ର ଅପରାହ୍‌ଣ । ଓଡ଼ିଶା ସେକ୍ରେଟେରିଏଟ୍‌ରେ ଆକସ୍ମିକ ଭାବରେ ଦେଖା ହେଲା ମନ୍ତ୍ରୀ ସେଖ୍‌ ମତଲୁବ ଅଲିଙ୍କ ସଙ୍ଗରେ । ଦେଖୁ ଦେଖୁ ସେ ମୋତେ କହିଲେ- “ଶୁଣିଲେଣି, କବି ଅନନ୍ତ ପଟ୍ଟନାୟକ ଆଜି ସକାଳେ ଚାଲିଗଲେ ।”

 

ହଠାତ୍‌ ମୁଁ ନିଷ୍ପନ୍ଦ, ନିର୍ବାକ୍‌ ହୋଇଗଲି ।

 

ମୁଁ କଅଣ କହିବା ପୂର୍ବରୁ ସେ ପୁଣି କହିଲେ, “ଚାଲନ୍ତୁ କଟକ ଯିବା ।”

 

“ଚାଲନ୍ତୁ” ଧୂସର କଣ୍ଠରେ ମୁଁ ଜବାବ ଦେଲି ।

 

ସାଙ୍ଗେ ସାଙ୍ଗେ ବାହାରିପଡ଼ିଲୁ-ରାସ୍ତାରେ ତାଙ୍କରି କଥା, ସେ ପ୍ରସ୍ତାବ ଦେଲେ, ମୁଁ ମଧ୍ୟ, ଚୌଧୁରୀବଜାରଠାରୁ ଫୁଲମାଳ କିଣିବାକୁ । ମୋତେ ସୁଯୋଗ ନ ଦେଇ ସେ କୋଡ଼ିଏ ଟଙ୍କା ଦେଇ ଆମ ଦୁହିଁଙ୍କ ପାଇଁ ଦିଓଟି ଫୁଲମାଳ କିଣିଲେ ।

 

ପ୍ରସେସନ ଚାଲିଯାଇଥିବ ଭାବି ଆମେ ସିଧା ଚାଲିଲୁ ସତୀଚଉରାକୁ-ସେଠି ଯାଇ ଦେଖୁଁ-ଶୂନ୍‌ଶାନ୍‌ । କାହାରି ଦେଖା ନାହିଁ । ଫେରିଲୁ ବାଦାମବାଡ଼ିର ବରାଳଲେନ୍‌କୁ । ରାସ୍ତାରେ ଦେଖାହେଲା କବି କୈଳାସ ଲେଙ୍କାଙ୍କ ସହିତ । ସେଇ ଗାଡ଼ିରେ ସାଥୀ ହୋଇ ଗଲୁ । ସେତେବେଳକୁ ପ୍ରସେସନ୍‌ ବାହାରି ପଡ଼ିଲାଣି । ଆମେ ତହିଁରେ ଯୋଗ ଦେଇ ପୁଣି ସତୀଚଉରା ଅଭିମୁଖରେ ଅଗ୍ରସର ହେଲୁ ।

 

ଶ୍ରୀ ଆଲି ଆଉ ମୁଁ ଅନନ୍ତଙ୍କୁ ଅଶ୍ରୁ ଦେଲୁଁ, ଫୁଲମାଳ ଦେଲୁଁ । ସେତେବେଳକୁ ଧ୍ୱନି ଉଠୁଥିଲା-ଅନନ୍ତ ପଟ୍ଟନାୟକ ଅମର ରହେ, “ଲାଲ୍‌ ସଲାମ ।”

 

ଅନନ୍ତ ପଟ୍ଟନାୟକଙ୍କୁ ନିରୀକ୍ଷଣ କରି ମୋ’ ମନରେ ଯେଉଁ ଭାବରାଜିର ଉଦୟ ହେଉଥିଲା, ପରେ ମୁଁ ତାହା କବିତାରେ ରୂପ ଦେଇଥିଲି-

 

“ଲାଲ ସେନା ସାଥେ

ଲାଲ ସଲାମରେ

ବନ୍ଦନା କରି ଶେଷବାର

ସତୀଚଉରାରେ

ତୋହରି ଗଳାରେ

ଦେଉଚି ଆଜି ମୁଁ ଫୁଲମାଳ ।

ଥରି ଉଠୁଅଛି

ଦୁଇ ହାତ ମୋର

ଥରି ଉଠୁଅଛି ମୋର ଛାତି,

ମୋହରି ପାଇଁକି

ନୟନରୁ ଲୁହ

ଝରି ପଡ଼ୁଅଛି ଆରେ ସାଥି ।

X            X            X

 

ମୁକ୍ତି ପଥର ସୈନିକ ଥିଲୁ

ମୁକ୍ତି ଗୀତର ଥିଲୁ କବି

ମୁକ୍ତି ରଣର ବନ୍ଦୀ ଶାଳାରେ

ଛାତି ତୋର କରିଥିଲୁ ପବି

ବିପ୍ଳବୀ, ଆରେ ବିପ୍ଳବୀ

କଅଣ ହେଲା ଯେ ମରଣ ଆଗରେ

ଏଇମିତି ଭଲା ଗଲୁ ଦବି ?

 

୨୦/୨୨ ଦିନ ତଳେ “ଶରଶଯ୍ୟା”ର କବି (ପୂର୍ବତନ ଡି. ଜି.) ଶ୍ରୀ ନରସିଂହ ସ୍ୱାଇଁ ଓ ମୁଁ ଅନନ୍ତ ପାଖକୁ କୌଣସି କାର୍ଯ୍ୟବଶତଃ ଯାଇଥିଲୁ । ତାଙ୍କ ଘରେ ବସି କେତେ କଥାବାର୍ତ୍ତା - ଏ ନୂଆ ଜାଗାରେ ।

 

ଭିତରକୁ ଯାଇ ଶ୍ରୀମତୀ ନୀରଦପ୍ରଭାଙ୍କୁ ଦେଖା କଲି, ମନର ଆନନ୍ଦରେ ।

 

ଏ ବର୍ଷ କେନ୍ଦୁଝରରେ ଲେଖକ ସାମ୍ମୁଖ୍ୟ ସଭାକୁ ମୁଁ ଯିବା ପୂର୍ବରୁ ତା’ର ସାଧାରଣ ସମ୍ପାଦକ ଶ୍ରୀ ବରେନ୍ଦ୍ର କୃଷ୍ଣ ଧଳ ମୋତେ କହିଲେ- “ଆପଣଙ୍କ ପାଇଁ କାର୍ ବ୍ୟବସ୍ଥା ହୋଇଚି, ସେଥିରେ ଯିବେ ଆଉ ଦୁଇଜଣ ।”

 

ମୁଁ ପଚାରିଲି “ସେ ଦୁହେଁ କିଏ ?”

 

“ଅନନ୍ତ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ”

 

“ଆନନ୍ଦର କଥା, ବହୁଦିନୁ ମୋର ବନ୍ଧୁ ଓ ବନ୍ଧୁପତ୍ନୀଙ୍କ ସହିତ ଦେଖା ସାକ୍ଷାତ ହୋଇନାହିଁ : ଏ ବ୍ୟବସ୍ଥା ମୋର ସ୍ୱାଗତଯୋଗ୍ୟ । ସାଥୀ ହୋଇ ଯିବା ତ ସୌଭାଗ୍ୟର ବିଷୟ ।”

 

ସେ ପୁଣି କହିଲେ-“ସେ ଦୁହିଁଙ୍କୁ ମୁଁ ଏକଥା ଜଣାଇ ଦେଇଚି ।”

 

“ଧନ୍ୟବାଦ ।”

 

ମାତ୍ର ଅନନ୍ତଙ୍କର ସ୍ୱାସ୍ଥ୍ୟଭଙ୍ଗ ହେଲା । ସେ ଦୁହିଁଙ୍କର କେନ୍ଦୁଝର ଯିବା ହେଲା ନାହିଁ ।

 

ମୁଁ କେନ୍ଦୁଝର ଗଲି । ପ୍ରଥମ ଦିନ ସାହିତ୍ୟସଭାରେ ଯୋଗ ଦେଲି । ଆମର ସାହିତ୍ୟ ସଂସ୍କୃତିପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସଭା ଉଦ୍‌ଘାଟନ କଲେ ଓ କେନ୍ଦୁଝର ପାଇଁ ଉତ୍ସାହଜନକ ଅଭିଭାଷଣ ଦେଲେ ।

 

ତହିଁଆର ଦିନ ମୁଁ ପୌରୋହିତ୍ୟ କଲି, ମୁଖ୍ୟ ଅତିଥି ଥିଲେ ମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ । ଭୁବନେଶ୍ୱର ଫେରିଲି ମାତ୍ର ସ୍ମୃତିରେ ଖେଳି ଉଠୁଥିଲା ସେଇ ଅନନ୍ତ ଓ ନୀରଦପ୍ରଭାଙ୍କ କଥା ।

 

କେବଳ ଅନନ୍ତ ସାହିତ୍ୟର ସାଧକ ନଥିଲେ, ତାଙ୍କର ସହଧର୍ମିଣୀ ମଧ୍ୟ । ତାଙ୍କର ସହମର୍ମିଣୀ - ସେ ଉଚ୍ଚକୋଟୀର କଥାଶିଳ୍ପୀ, “ଆଲୋଡ଼ନ” ଗଳ୍ପଗୁଚ୍ଛର ଲେଖିକା ।

 

ଅନନ୍ତ ଜୀବନର ପ୍ରଥମରୁ ସ୍ୱାଧୀନତାର ଯୁଦ୍ଧରେ ଯୋଗ ଦେଇଥିଲେ । ବନ୍ଦୀଶାଳାରେ କାଳ କଟାଇ ଥିଲେ । ବିଦେଶୀ ସରକାରର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ, ତେଣୁ କାବ୍ୟକବିତାରେ, ଲେଖାରେ ଫୁଟିଉଠିଥିଲା ତାଙ୍କ ଜୀବନର ସ୍ୱର, ବିପ୍ଳବର ଭୈରବୀ ।

 

ଅନନ୍ତ ପଟ୍ଟନାୟକ ଆମ ଓଡ଼ିଶାର ବାଣୀକ୍ଷେତ୍ରରେ ଜଣେ ବିପ୍ଳବୀ ଓ ପ୍ରଗତିଶୀଳ କବି-। ଖାଣ୍ଟି ସମାଲୋଚକ ଓ କେତେକ ଗଳ୍ପର ସ୍ରଷ୍ଟା; “ଶିଶୁଲେଖା” ଶିଶୁ ପତ୍ରିକାର ସମ୍ପାଦକ, ଶିଶୁ ଲେଖାର ସ୍ରଷ୍ଟା ।

 

ତାଙ୍କର ପ୍ରକାଶିତ ପୁସ୍ତକାବଳୀର ଏକ ତାଲିକା ଦେବାକୁ ମୁଁ ଲୋଭ ସଂବରଣ କରିପାରୁ ନାହିଁ ।

 

୧.

ରକ୍ତଶିଖା (କବିତା) ୧୯୩୯

୨.

ଶାନ୍ତିଶିଖା (,,)

୩.

କିଞ୍ଚିତ୍‌ (,,)୧୯୫୯

୪.

ଅଲୋଡ଼ା ଲୋଡ଼ା

୫.

ଛାଇର ଛିଟା ୧୯୬୬

୬.

ମଦନ କୌମୁଦୀ (ଅନୁବାଦ)

୭.

ଉଠ ଜାଗ,ଭୋକୀ ବନ୍ଦୀ

୮.

ଅଋତୁ ଋତୁ ୧୯୮୬

୯.

ଅବାନ୍ତର ୧୯୭୮

୧୦.

ତର୍ପଣ କରେ ଆଜି

୧୧.

ସୂତ୍ରଟିଏ ସୁକୃତିର ୧୯୮୬

୧୨.

ଅରଗଡ଼ ଗରଗଡ଼ (ଶିଶୁ କବିତା) ୧୯୮୬

୧୩.

ରାଜନୈତିକ ଡୁଏଟ୍‌, “କେଳା କେଲୁଣୀ”

୧୪.

ମଦର୍‌ (ଅନୁବାଦ)

 

କବି ଅନନ୍ତ ପଟ୍ଟନାୟକ ଅଧ୍ୟାପକ ଶ୍ରୀ ସନତ୍‌ ଦାସପଟ୍ଟନାୟକଙ୍କ ସହିତ ତାଙ୍କର କେତେକ କବିତାର ଇଂରେଜୀରେ କାବ୍ୟିକ ଅନୁବାଦ କରିଛନ୍ତି-ତାହା ପୁସ୍ତକାକାରରେ ପ୍ରକାଶିତ ହୋଇଚି-ଶୀର୍ଷକ “Revelation.” (୧୯୮୨ରେ ପ୍ରକାଶିତ)

 

୧୯୩୫ ମସିହାର ଶେଷଭାଗରେ ଏକ ଅଭିନବ ତାରୁଣ୍ୟର ସ୍ରୋତ ଆମ ଓଡ଼ିଶାରେ ଓତପ୍ରୋତ ହୋଇ ଉଠିଥିଲା । ତାହାରି ଫଳରେ “ନବଯୁଗ ସାହିତ୍ୟ ସଂସଦ”ର ଜନ୍ମ । ତହିଁରେ ଯେଉଁମାନେ ମୁଖ୍ୟତଃ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀ, ଶ୍ରୀ ଅନନ୍ତ ପଟ୍ଟନାୟକ, ଶ୍ରୀ ରାମକୃଷ୍ଣ ପତି ଓ ଶ୍ରୀ ଗୁରୁଚରଣ ପଟ୍ଟନାୟକ ପ୍ରଭୃତି ତରୁଣ ବୃନ୍ଦ ।

 

୨୧-୧୧-୧୯୩୫ରେ ସଂସଦର ଆଦ୍ୟ ଉତ୍ସବରେ ଯେଉଁ ଉଦ୍‌ବୋଧନ ଗୀତ ବୋଲା ହୋଇଥିଲା ତାହା କବି ଅନନ୍ତଙ୍କର ରଚନା-

 

“ନବୀନ ଯୁଗର ତରୁଣ ଜାଗ ରେ

 

ଜାଗ ବନ୍ଧନ ହରା

ବକ୍ଷ ଶୋଣିତେ ଲକ୍ଷ ଜୀବନେ

 

ଖେଳାଅ ଆଲୋକ ଧାରା ।

ଛିନ୍ନ କର ରେ ବନ୍ଧନ ରାଜି

 

କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉ ରେ ଜାତି ଉପଜାତି

 

ଖଣ୍ଡିତ ଶତ ଦେଶ ।

ମହାମାନବର ଶଙ୍ଖ ନିନାଦେ

 

ଶମୁରେ ଦୁଃଖ ଜ୍ୱାଳା

 

ଜାଗ ବନ୍ଧନହରା ।”

 

 

ସଂସଦର ମୁଖପତ୍ର “ଆଧୁନିକ” ଆତ୍ମପ୍ରକାଶ କଲା ସେଇ ଅନୁଷ୍ଠାନରୁ ।

 

ଆଧୁନିକରେ ଅନନ୍ତଙ୍କର ବହୁ ଆଗ୍ନେୟ କବିତା ପ୍ରକାଶିତ ହୋଇଥିଲା, ଯାହା ତାଙ୍କର ପର ପ୍ରକାଶିତ ପୁସ୍ତକମାନଙ୍କରେ ବିଛୁରିତ ହୋଇଛି ।

 

‘ରକ୍ତ ଶିଖା’ରେ କେବଳ ଅନନ୍ତ ପଟ୍ଟନାୟକ ନୁହେଁ, ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ କେତେକ କବିତା ସନ୍ନିବିଷ୍ଟ । ଅନନ୍ତଙ୍କର ମୁକ୍ତି ସଙ୍ଗୀତ, ଆଗେ ଚାଲ, ସର୍ବହରା ଓ ଆମେ ମୂଲିଆର ଜାତି ଜାଗିବୁ, ଚରୋଟି କବିତାରେ ବିପ୍ଳବର ଲାଭା ଥିଲା ଭରପୂର ।

“ମଜଦୂର ଚାଷୀ ବକ୍ଷରେ

 

ରଚେରେ ଯେହୁ ନାଚ

ଡାକୁରେ ଆଜି ବିପ୍ଳବୀ ତୁ

 

ମରଣ-ବିଷ ଯାଚ ।

ଧ୍ୱଂସ ପାଉ ଶୋଷକକୁଳ

 

ସାମ୍ରାଜ୍ୟ ପିଶାଚ ।

ମଜଦୂର ଚାଷୀ ହେଉ,

 

ଲଭରେ ଅଧିକାର ।

ସାମ୍ୟବାଦୀ ଅଗ୍ରଣୀ ତୁ

 

ହୁଅରେ ଆଗୁସାର ।”

 

‘ଆଗେ ଚାଲ’- ରକ୍ତଶିଖା

 

 

ପୁନଶ୍ଚ-

ଆମେ ମୂଲିଆର ଜାତି ଜାଗିବୁ

ମରୁଛୁ ତ ନିତି ଭୋକ ଉପାସରେ

ଥରେ ହେଲେ ଶିର ତୋଳିବୁ ।

ଆମ ହାଡ଼ ମାଂସେ ଯେ ଗଢ଼ିଲେ କୋଠା

ଆମ ଲହୁ ଶୋଷି ଯେ ବା ହେଲେ ମୋଟା

ସେହି ଜମିଦାର ସାହୁକାର କୁଳ

ଆଣ୍ଟପଣ ଆମେ ସାରିବୁ ।

ସଙ୍ଗୀନ ମୁନରେ ଏହି ସରକାର

ଶୋଷେ ଆମ ରକ୍ତ, ଶୋଷେ ସାହୁକାର

ଆମର ଗୁହାରୀ ଆମ ହାହାକାର

ନ ଶୁଣାଇ ତାକୁ ନାଶିବୁ ।

 

କବି ଅନନ୍ତ ଦୁଃସାହସର ସହିତ ତାଙ୍କର ଆଗମନକୁ କାବ୍ୟାୟିତ କରିଛନ୍ତି-

 

ଆସିଚି, ମୁଁ ଆସିଚି,

ଦୁଃଖର ଦୁର୍ଭେଦ୍ୟ ପ୍ରାଚୀର ଭାଙ୍ଗି

ମୁଁ ଆସିଚି,

ରକ୍ତର ଦୁସ୍ତର ପାରାବାର ଲଙ୍ଘି

ମୁଁ ଆସିଚି,

କୃମି କୀଟର, ଉଲଙ୍ଗ ଉଲ୍ଲାସ ଚିରି

ମୁଁ ଆସିଚି,

ଲଲାଟରେ ଭବିଷ୍ୟର ଉତ୍‌କୀର୍ଣ୍ଣ ଲିପି ଘେନି

ସ୍ଫୁଲିଙ୍ଗର ଚଳୋର୍ମି

ମୁଁ ଆସିଚି ।

ପ୍ରାଣର ଅଧିପ ମୁଁ ସୂର୍ଯ୍ୟ

ସ୍ନେହର ପ୍ରତିଭୂ ମୁଁ ଚନ୍ଦ୍ର

ପର୍ବତର ସ୍ରୋତ ଦି’ଭାଗ କରି ଆସିଚି ।

 

ତାଙ୍କୁ ତା’ର ଜଗତ ଭଲଭାବରେ ବୁଝିପାରିନି ତେଣୁ ସେ ନିଜ ବନ୍ଦନା ପଢ଼ିଛନ୍ତି-“ଧର ମତେ” ବୋଲି ଗାଇ ଉଠିଛନ୍ତି-

 

“ମତେ କ’ଣ ଖୋଜୁଚ ଆଜି ? ଖୋଜ,

ଯେତେ ଯେଉଁଠି ବିସ୍ୱସ୍ତ ଆକାଶର ବିସ୍ତାର

ଅତର୍କିତ ଦେହ ମନର ରନ୍ଧ୍ରରେ

ଘଡ଼ିକି ଘଡ଼ି, ଓଲଟପାଲଟ ଖରାବର୍ଷା, କାକରରେ ଖୋଜ,

ଶବ୍ଦ ପରେ ଶବ୍ଦର ଅଶବ୍ଦରେ-

ହସରେ ଉଡ଼ିଯାଇ ଦିଗ ଦିଗନ୍ତରୁ-

ଗ୍ରହରୁ ଗ୍ରହାନ୍ତରରେ-

ଖୋଜ

ଅଚଳାନ୍ତ ଆଲୋକର ଅନ୍ଧାରରେ ।”

 

ଅନନ୍ତଙ୍କର ବହୁ କବିତା ଜୀବନଜ୍ୟୋତିରେ ଦ୍ୟୋତିତ ଓ ସଂଗ୍ରାମ ଶକ୍ତିରେ ଉଦଗ୍ର । ବହୁ କବିତାରୁ ଉଦ୍ଧୃତି ଦେବାର ଲୋଭ ଓ ଇଚ୍ଛା । ମାତ୍ର ଏଠି ସେପରି ଅବକାଶ କାହିଁ ? କେବଳ ଗୋଟିଏ ପଦରୁ ତାଙ୍କର ଜୀବନଦର୍ଶନର ସୂଚନା ଦେଉଚି-

 

“ମୁହିଁ ତ ନୁହଁ            ମୋହରି ପାଇଁ

ସବୁରି ପାଇଁ ମୋହର ପ୍ରାଣ

ସମତା ପଥେ            ପତାକା ବାହି

ଶାନ୍ତିର ମୁଁ ରଚିବି ଗାନ ।”

 

‘Revelation’ରେ ଅନନ୍ତଙ୍କର କବିତାର ଅନୁବାଦ ମୂଳାନୁସାରୀ ଓ ମନୋହାରୀ ହୋଇପାରିଚି-

 

ଯଥା-

ଆଜି ଏ ପ୍ରଭାତେ

ଉତ୍ତୋଳି ଧ୍ୱଜା ସୁଖେ

ମୃତ୍ୟୁନୀଳିମ ନୀରବ ଆକାଶ ସୁଖେ

ଫୁଟାଇ ରକ୍ତ ହାସ,

ଦଗ୍‌ଧ ଧରାରୁ ତୁଟାଇ ଦୁଃଖ ପ୍ରାସ

ଉତ୍ସବ କରୁ

ସମରେ ଯୋଦ୍ଧାଦଳ,

ଶତ୍ରୁର ବୁକେ ସରଜି ଗଭୀର ପ୍ରାସ ।

 

ଅନୁବାଦ-

Unfurling the flag in joy

This morning

Making blood-red smile

Play on the face of the silent death blue sky

Driving away the miseries, the sorrows,

Of the burning earth,

We the warriors

Celebrate in war

Striking lessor

Into the hearts of the enemies.

 

କବି ଅନନ୍ତ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀର ସଂବର୍ଦ୍ଧନା ଲାଭ କରିଥିଲେ, ସୋଭିଏଟ୍‌ ରଷିଆର ପୁରସ୍କାର ମଧ୍ୟ । ଶେଷରେ ୧୯୮୦ରେ ତାଙ୍କର ‘ଅବାନ୍ତର’ କାବ୍ୟପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟୀ ହୋଇଥିଲେ ।

 

କବି ଅନନ୍ତ ମୋର ଅନ୍ତରଙ୍ଗ ବନ୍ଧୁ ଓ ସୁହୃଦ ଥିଲେ । ୧୯୩୦ରେ ତାଙ୍କ ସହିତ ମୋର ପ୍ରଥମ ପରିଚୟ–ସୁଯୋଗ ହୋଇଥିଲା ଏକ ରାଜନୈତିକ ସଭାରେ କାଳିଗଳିରେ, ଲୁଣମରା ପରେ ସେଇ ଲୁଣ ପୁଡ଼ିଆ ସେଇ ସଭାରେ ନିଲାମ ହେଉଥିଲା, କଟକର ଏସ୍‌. ଡି. ଓ. ଆହେଦ ସାହେବ ଓ ସବ୍‌ ଡେପୁଟି କଲେକ୍ଟର ଶ୍ରୀ ରାଜକିଶୋର ଗଡ଼ନାୟକ ସରକାରଙ୍କୁ ସଭାର ବିବରଣୀ ଦେବାପାଇଁ ସେଇଠି ଉପସ୍ଥିତ ଥିଲେ । ସେଇ ସଭାରେ ଆମ ଦୁହିଁଙ୍କର ପରିଚୟ, ସେଇ ପରିଚୟ କ୍ରମଶଃ ନିବିଡ଼ ବନ୍ଧୁତାରେ ପରିଣତ ହୋଇଥିଲା ।

 

ଅନନ୍ତ ଓ ଗୁରୁଚରଣ ରାମ ଲକ୍ଷ୍ମଣ ଦୁଇ ଭାଇ । ବାବାଜି ଓ ବାଉ, ବାବାଜି ବିଭା ହେଉ ନ ଥିଲେ, ବାଉକୁ ବାଟ ଛାଡ଼ୁ ନ ଥିଲେ । ଆମେ ସବୁ ଚେଷ୍ଟା କରି ବାବାଜିକୁ ମଙ୍ଗେଇଲୁ, ତାଙ୍କର ବିଭା ହେଲା ଡଗରପଡ଼ାରେ, ଖୋର୍ଦ୍ଧା ହାଇସ୍କୁଲର ସେ ସମୟର ହେଡ୍‌ମାଷ୍ଟର ଶ୍ରୀ ଦିବ୍ୟସିଂହ ପଟ୍ଟନାୟକଙ୍କ କନ୍ୟା ନୀରଦପ୍ରଭାଙ୍କ ସହିତ । ଆମେ ସେ ଉତ୍ସବରେ ଯୋଗ ଦେଇ ପରମ ଆନନ୍ଦ ଉପଭୋଗ କଲୁଁ ।

 

ଅନୁଗୁଳରୁ କଟକ ଆସିଲେ ମୁଁ ରହୁଥିଲି ଅନନ୍ତଙ୍କର ଡଗରପଡ଼ା ବସାରେ ।

 

୧୯୪୨ରେ ଅନୁଗୁଳ ଜେଲରେ ରାଜନୈତିକ ବନ୍ଦୀମାନେ ରହିଥିଲେ, ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ, ଶ୍ରୀ ନବକୃଷ୍ଣ ଚଉଧୁରୀ, ଶ୍ରୀ ରାଜକୃଷ୍ଣ ବୋଷ, ଡାକ୍ତର କୃପାସିନ୍ଧୁ ଭୋକ୍ତା, ଶ୍ରୀ ଅନନ୍ତ ପଟ୍ଟନାୟକ, ଶ୍ରୀ ଭଗବତୀ ପାଣିଗ୍ରାହୀ, ଶ୍ରୀ ଗୁରୁଚରଣ ପଟ୍ଟନାୟକ, ଶ୍ରୀ ରାମକୃଷ୍ଣ ପତି ଓ ଶ୍ରୀ ବନମାଳୀ ଦାସ ।

 

ମୁଁ ସେମାନଙ୍କୁ ଜେଲ୍‌ରେ ଦେଖା କରୁଥିଲି, ବିଶେଷତଃ କବି ଅନନ୍ତଙ୍କ ପାଇଁ କିଛି ବହି ଓ ସିଗାରେଟ ନେଇ ଦେଉଥିଲି । ସେତେବେଳେ ସେ ମୋର ୧୯୪୦ରେ ପ୍ରକାଶିତ “କାଳିଦାସ” କାବ୍ୟ ନାଟକାଟି ପଢ଼ିବାକୁ ଚାହିଲେ, ମୁଁ ଦେଲି ।

 

ଅନୁଗୁଳ ଜେଲରେ ସେ ମୋର ସେଇ କାଳିଦାସଟି ନାଟକ ଆକାରରେ ଲେଖି ମୋତେ ଦେଇଥିଲେ, ପରେ ତାକୁ ରଙ୍ଗମଞ୍ଚରେ ଦେଖିବାକୁ ଚାହିଁଥିଲେ । ମାତ୍ର ତାଙ୍କର ପତ୍ର ପାଇଲା ବେଳକୁ ତା’ର ପାଣ୍ଡୁଲିପି ଖଣ୍ଡିକ କେମିତି ହଜିଯାଇଥିଲା, ମୁଁ ତାଙ୍କୁ ଦେଇପାରି ନ ଥିଲି । ସେଥିପାଇଁ ତାଙ୍କର ଚିଠି-

 

ଚାନ୍ଦିନିଚୌକ

ପୋଷ୍ଟଅଫିସ

ତା ୧୨/୨/୪୪

ପ୍ରିୟ ସାଥି ଓ ସୁହୃଦ,

 

X X X

‘କାଳିଦାସ’ ଖଣ୍ଡି ପଠାଇଲେ ନାହିଁ, ସେ ଖଣ୍ଡିକୁ ଟିକେ କୌଣସି ରଙ୍ଗମଞ୍ଚରେ ଦେଖିବାକୁ ଭାରି ଇଚ୍ଛା ହେଉଛି । ଆପଣଙ୍କର ତ ପ୍ରବଳ ଆଶା ଅଛି । ଯେତେହେଲେ ମୁଁ ତ ତା’ର ଧର୍ମ ପିତା ହେବାର ଅଧିକାର ପାଇଛି ।

X X X

ପଠାଇଲେ ଠିକ୍‌ ଫେରସ୍ତ ପାଇବେ ।

ଦ୍ୱିତୀୟରେ କବିତା ଗୋଟାଏ ଦିଇଟା ସହକାର ଓ ମୁକ୍ତିଯୁଦ୍ଧ ସକାଶେ ମାଗିପାରେ କି ? ନିରାଶ କରିବେ ନାହିଁ ।

X X X

ଆପଣଙ୍କର

ଅନନ୍ତ

 

ରାଧାମୋହନ ଗଡ଼ନାୟକ

ଅନୁଗୁଳ

 

ତାଙ୍କର ଆଉ ଖଣ୍ଡିଏ ଚିଠି

ଡଗରପଡ଼ା

କଟକ

୮ । ୭ । ୧୯୫୨

 

ଶ୍ରୀ ରାଧାମୋହନ ଗଡ଼ନାୟକଙ୍କୁ (ଗଦ୍ୟ କବିତାରେ)-

 

କବିରାଜ,

କବିରାଜ, ରାଣୀଙ୍କୁ ନମସ୍ତେ

ଆଶିଷ,

କବିରାଜ ପୁତ୍ରକୁ,

ନିତାନ୍ତ ଆବଶ୍ୟକ

ମୋ ସଙ୍ଗେ ଦେଖା ହେବ ଶୀଘ୍ର

ଆଶା, ଆସିବ ।

ଦିନେ ଦୁଇଦିନ ମଧ୍ୟରେ ।

ଚାଲିଯିବ ପରେ

ଜରୁରି

ସାକ୍ଷାତରେ କହିବି ।

ଆସିଲିଣି ଫଟ୍‌ନାଇଟ୍‌ ହେଲା,

ଆସିବ ସତ୍ଵର,

ଅଛି କଥା

ବୁଝିବ ନ ଭୁଲ,

ଝରେ ନିଆଁ ଝୁଲ,

ଛାଡ଼ି କାନଦୁଲ୍‌ ।

ଆସ ବୁଲ୍‌ବୁଲ୍‌,

ଅନନ୍ତ ?

୧୨-୭-୫୨

ଅନୁଗୁଳ

 

ଶ୍ରୀ ଅନନ୍ତ ପଟ୍ଟନାୟକଙ୍କୁ

(ସ୍ଥିତିସ୍ଥାପକ ଛନ୍ଦରେ)

ତୋର ସମ୍ଭାଷଣ

ଆଜି ଅଦ୍ଭୁତ ।

କଅଣ ହୋଇଚି ତୋର

କିଛି ବୁଝୁ ନି

ତଥାପି

ତା’ର କାରଣ ଖୋଜୁନି ।

ବାସ୍ତବତାର ଭୂଇଁରେ

କାମ ଧନ୍ଦାରେ

ସମୟ ନେଉଚି ବାହି,

ରୋମାଣ୍ଟିକ୍ ପରିବେଶ କାହିଁ ?

ବାହାରି ପଡ଼ୁଚି କାଲି

ତୋ’ ପାଇଁ ।

ଗଡ଼ନାୟକ

 

ଏଇମିତି ବହୁ ଚିଠିପତ୍ର, ଭାବ ବିନିମୟ, ହାତପାଆନ୍ତାରେ ଯାହା ଅଛି, ଦେଉଚି, ଘରେ ଖୋଜିଲେ ମିଳିବ ବହୁତ ।

 

୧୯୫୬ରେ ମୁଁ ରହୁଥିଲି କଟକର ମଙ୍ଗଳାବାଗରେ । “ଏକଚକ୍ର” ନାମକ ଗୋଟିଏ ସାହିତ୍ୟ ପତ୍ରିକା (ମାସିକ) ସମ୍ପାଦନା କରୁଥିଲି । ଗୋଟିଏ ଲେଖାପାଇଁ ଅନନ୍ତ ପାଖକୁ ପତ୍ର ଲେଖିଥିଲି ।

 

ବନ୍ଧୁ ଅନନ୍ତ ପଟ୍ଟନାୟକ

ଡଗରପଡ଼ା

କଟକ

‘ଏକଚକ୍ର’ ଅଫିସ

ମଙ୍ଗଳାବାଗ

କଟକ

 

ଏକଚକ୍ର ନୂଆ ଏକ ସାହିତ୍ୟ ପତ୍ରିକା

 

ସମ୍ପାଦନା କରୁଅଛି ମୁହିଁ

ଅନନ୍ତରେ ଏ ଉଦନ୍ତ

 

ଭଲକରି ଜାଣିଅଛୁ ତୁହି ।

ତଥାପି ନୀରବ କିଆଁ ରହିଅଛୁ ?

 

ଦେଖାନାହିଁ,

 

ସ୍ୱର ଶବ୍ଦ ନାହିଁ,

ଯେତେଶୀଘ୍ର ପାରୁ ତୋର କବିତା ଗୋଟିଏ

 

ପଠାଇବୁ ମୋ’ ପତ୍ରିକା ପାଇଁ ।

ଦେଖୁଚୁ ତ, ଦେଖୁଚୁ ତ

 

ଦୁନିଆର ପରିବେଶ ଆଜି,

ଛତ୍ରେ ଛତ୍ରେ ଯେଉଁପରି

 

ସେଇ ସୁର ଉଠିଥିବ ବାଜି ।

ସେଇମିତି ଲେଖାଟିଏ ପଠାଇବୁ

 

ଥିବ ତହିଁ ଆଜିର ଦୁନିଆ

ରହିଥିବ କିଛି ଲୁହ, କିଛି ଲହୁ,

 

ଥିବ କିଛି ନିଆଁ ।।

 

 

ତୋର

ରାଧାମୋହନ

 

ଅନନ୍ତ ମୋର ପତ୍ର ପାଇ ଗୋଟିଏ କବିତା ପଠାଇଥିଲେ । ତା’ର ଶୀର୍ଷକ ‘ଭୂମିକା’ । ମୁଁ ମୋର ଏକଚକ୍ରର ପ୍ରଥମ ସଂଖ୍ୟାରେ ପ୍ରକାଶ କରିଥିଲି । ସେଦିନର ଏକଚତ୍ର ତ ସାଧାରଣରେ ଆଉ ସୁଲଭ ନୁହେଁ । ତେଣୁ କବି ସେ କବିତାଟି ତାଙ୍କର “ଅଋତୁ ଋତୁ” କବିତା ସଞ୍ଚୟନରେ ରଖିଯାଇଛନ୍ତି-ଏବଂ ତାଙ୍କର ବହିର ଆଦ୍ୟରେ “ଟିକେ ଜଣାଣ”ରେ କହିଯାଇଛନ୍ତି-

 

“ ‘ଭୂମିକା’ଟି ଲେଖକର ଅତି ଅନ୍ତରଙ୍ଗ ସୁବିଖ୍ୟାତ କବି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ।”

 

କାହୁଁ ଦେବି କି କବିତା ଦେବି ତତେ,

ଆଜି କବିତା ଯେ କିବା ବେଶ ଜଣା,

ତତେ ବେଶ୍‌ ଜଣା

ଏ ଯେ ଖେଦି ଆସୁଅଛି କାଳ ଢେଉ

ଆମେ ଦେଖୁ ଦେଖୁ ହେବା ବାଟବଣା,

 

କବିତାଟି ବଡ଼ ଲୋଭନୀୟ । ଗୋଟାଯାକ ଉଦ୍ଧୃତ କରିବାକୁ ଇଚ୍ଛା । କେତୋଟି ପଦ ଉପସ୍ଥାପନାର ଲୋଭ ସଂବରଣ କରି ପାରୁନାହିଁ ।

 

ମୁଁ ତ ଦେଖୁଛି କବିତା, ଦେଖୁନୁ କି ?

କେତେ ବହି ଦୋକାନରେ ଗଡ଼ାଗଡ଼ି

ଆହା ଆପଣାର ପ୍ରୁଫ୍‌ ଆପେ ଦେଖି

କବି ବେପାରି ଲେଖାରେ ଜଡ଼ାଜଡ଼ି ।

ତୁ ତ କବିତା ଲେଖିଚୁ, ପଢ଼ୁଛି ମୁଁ

ମୋର କବିତା ପଢ଼ୁଚୁ ତୁଇ ଏକା

ଆମେ ଆସନର ନୋହୁ ବିଚାରକ

କହ କେଉଁ ମରମୀରେ ଆମେ ଲେଖା ?

ପଥେ ଫମ୍ପା ଢୋଲକି ସ୍ୱର ତୋଳି

କରେ ଜୀର୍ଣ୍ଣ ସମାଜ ବାହା ବାହା

କହେ-“କବିତା ଫସିଲ ହେଲାଣିରେ

ଏବେ ରୁଦ୍ଧ ତାହାର ପ୍ରୀତିରାହା ।

କହ କବିତା କି କେବେ ମରିପାରେ ?

କେବେ ମାଟି ହୋଇଯାଏ ମାଟି ତଳେ,

ଆଶା ନିଶ୍ୱାସେ ସେ ତ ଥରି ଥରି

କେତେ ଜଡ଼ ଅନ୍ତରେ ଝଡ଼ ଭରେ

ନୂଆ ଭେଳିକି ଆଣିଚି ସ୍ୱାଧୀନତା

ଘରେ ନାଲିସ୍‌ ନିଲାମ କରାମତି

ରୋଗ ଶେଯରେ ପ୍ରିୟାର ଚେତା ବୁଡ଼େ

କାହିଁ ସୁଖଶିରୀ ନାହିଁ ଏକ ରତି ।

ତୁଇ ଦେଖୁଛୁ ବନ୍ଧୁ ଦେଖୁଛୁ ତ

ଆଜି ଘରେ ଘରେ ଆଜି ହାଡ଼ ମାଳ,

ନାହିଁ ମୁକ୍ତିର ନୂଆ ପରିବେଶ

ଖାଲି ଦୁର୍ନୀତି ଖାଲି, ଭିକଥାଳ ।

X       X       X

କହ ଆମଠାରୁ କିଏ ଅଛି ବଡ଼ ?

ମରି ଜୀବନ ଦେଉଛି ତେଜିୟାନ

ନିତି ସଳିତା ପରାଏ ଜଳି ଜଳି

ଲାଲ କରୁଅଛି ଆସମାନ୍‌

 

ଏକଚକ୍ରରେ ଯାହା ବାହାରିଥିଲା ତାଙ୍କର ପ୍ରକାଶିତ ପୁସ୍ତିକାରେ ତାହା କିଞ୍ଚିତ ପରିବର୍ତ୍ତିତ ଆକାରରେ ଦେଖା ଦେଇଚି । ଶେଷରେ “ଭୂମିକାକୁ” ସେ ଫେରିଛନ୍ତି-

 

ସଦା ସଜାଗ ରହିଛି ସେଇ ଶିଖା

ପ୍ରାଣ ଭିତରୁ ଫୁଟିବ ଛାଏଁ ଛାଏଁ

ଏ ତ କବିତା ନୁହେ ରେ ନୁହେ ସାଥି

ଆମ ସେଇ କବିତାର ଭୂମିକା ଏ ।

 

ମୁକ୍ତ ବିହଙ୍ଗ ପିଞ୍ଜରାବଦ୍ଧ ହେଲେ ଯାହା ହୋଇଥାଏ ଏକଦା ବନ୍ଧୁ ଅନନ୍ତଙ୍କର ସେଇ ଅବସ୍ଥା ହୋଇଥିଲା । ସେତେବେଳକୁ ସମାଜରେ, ସତ୍ୟବାଦୀର ସମ୍ପାଦନାରେ ଶ୍ରୀ ପଟ୍ଟନାୟକ କାର୍ଯ୍ୟ କରୁଥିଲେ । ଜୀବିକା ତା’ର ବିଗ୍ରହ ଘେନି ନିତି ନିତି ତାଙ୍କ ଆଗରେ ଛିଡ଼ା ହେଉଥିଲା ।

 

ତେଣୁ ସେତିକିବେଳେ ସିନେମା ପାଇଁ ସିନେରିଓ ଓ ଗୀତ ଲେଖି ଜୀବିକାର୍ଜନ କରିବାକୁ ମନ ବଳାଇ ଥିଲେ ସେ । ସାଥି ଅନନ୍ତଙ୍କ ନିକଟକୁ ମୁଁ ଖଣ୍ଡିଏ କବିତା ଚିଠି ଲେଖିଥିଲି ।

 

“ସେଦିନର ସାଥି କହ ଆଜି”

 

ତାହା ସତ୍ୟବାଦୀ, ନବ ପର୍ଯ୍ୟାୟ, ୧ମ ଭାଗ, ୧୮ ସଂଖ୍ୟା ୧୯୫୦ ରେ ପ୍ରକାଶିତ ହୋଇଥିଲା ।

 

କାଲି ଶୁଣିଥିଲୁ ଲୁହା ଜଞ୍ଜୀର ଝନ୍‌ ଝନ୍‌,

କାରାବନ୍ଧନ ବରି ନେଇଥିଲୁ ସର୍ବହରା,

ଆଜି ଶୁଣୁଅଛୁ ଲୀଳାମଞ୍ଜୀର-ଶିଞ୍ଜନ,

ଲେଖୁଅଛୁ ବସି ରଙ୍ଗଭୂମିର ଚିତ୍ରକଳା,

କାଲି ରଚିଥିଲୁ ଲାଲକିଲାଲର ଅଭିଯାନ,

ଯୁଝୁଥିଲୁ ତୁହି ମୁକ୍ତିସମରେ ଅଗ୍ନିମୁଖେ,

ଆଜି କରୁଅଛୁ ପଣ୍ୟ କଳାର ସନ୍ଧାନ

ନେପଥ୍ୟେ ହାୟ ଲୁଚି ବସିଅଛୁ ମୁଗ୍‌ଧ ବୁକେ ।

X            X            X

କଳାର ମହଲେ ସେ ଦିନର ଆରେ ଅବିନୟ

ମନ୍ତ୍ର ଜଡ଼ିତ ପରାଏ ବସିଚୁ ନିର୍ବିକାର,

ବାସ୍ତବ ଛାଡ଼ି ଜୀବନ ନାଟକ ଅଭିନୟ

ରଚିବାରେ ଆଜି ମଞ୍ଚେ ହୋଇଚୁ ସୂତ୍ରଧାର ।

ତୋର ସୈନିକ ଜୀବନେ କିଏ ସେ ଅଭିଶାପ

ଅଙ୍କି ଦେଇଚି ଆରେ ଦୁର୍ଗତ ସର୍ବହରା,

କହ ମତେ ଆଜି ସେ ଦିନର ସାଥୀ କହ ଆଜି,

ଅର୍ଜ୍ଜୁନ ତୁହି କାହିଁକି ସାଜିଚୁ ବୃହନ୍ନଳା ?”

 

ସେ କବିତା ଚିଠିର ଉତ୍ତର କବିତାରେ ଦେଇଥିଲେ । ମାତ୍ର ତାହା ବର୍ତ୍ତମାନ ମୋ’ ପାଖରେ ନ ଥିବାରୁ ଏଠି ଉପସ୍ଥାପିତ କରିପାରୁ ନାହିଁ । ତେଣୁ କୌତୂହଳ ପରିତୃପ୍ତି ପାଇଁ ବ୍ୟବସ୍ଥା ହୋଇପାରି ନାହିଁ ।

 

୧୯୬୩ରେ ଓଡ଼ିଆ ସାହିତ୍ୟ ଏକାଡେମୀର ମୁଖପତ୍ର ଭାବରେ ଏକ ମାସିକ ସାହିତ୍ୟ ପତ୍ର ପ୍ରକାଶିତ ହେବାର ବ୍ୟବସ୍ଥା ହୋଇଥିଲା । ପତ୍ରିକାର ନାମ “ସାହିତ୍ୟ ପତ୍ରିକା”-ତା’ର ସମ୍ପାଦକମଣ୍ଡଳୀରେ ଥିଲେ-ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ, ନିତ୍ୟାନନ୍ଦ ମହାପାତ୍ର ଓ ମୁଁ । ମୁଁ ହୋଇଥିଲି ମୁଖ୍ୟ ସମ୍ପାଦକ । ମାତ୍ର ତା’ ତଳେ ରାଜନୀତି ଅନୁପ୍ରବେଶ କରିବାରୁ ତାହା ଆଲୋକକୁ ଆସି ପାରିଲା ନାହିଁ ।

 

ସେଇ ପତ୍ରିକା ପାଇଁ କବି ଅନନ୍ତ ପଟ୍ଟନାୟକ ଗୋଟିଏ କବିତା ପଠାଇ ଥିଲେ-କବିତାର ଶୀର୍ଷକ “ଜଳୁ ଏ ଯୁଗ ଜଳୁ ।”

 

ତାହା ପତ୍ରିକା ସହିତ ନେପଥ୍ୟରେ ରହିଗଲା । ତା’ର ଦି’ଟି ଛତ୍ର ଉପସ୍ଥାପିତ କରୁଚି-

 

X                  X                  X

 

ହାତରେ ଥିଲା ପଣତ କାନି,

 

ବାଟରେ ଥିଲା ଗାର,

କାହିଁକି ତୁମେ ବାଢ଼ିଲ ଏବେ

 

ମଉଳା ଅଭିସାର ?

ଦେହରେ ଥିଲା ଚଇତ ବନ,

 

ମହୀରେ ଥିଲା ମରୁ,

କାହିଁକି ତୁମେ ନିମିଷ ମାଗ

 

ଜଳୁ ଏ ଯୁଗ ଜଳୁ ।

 

 

ଅନନ୍ତ ପଟ୍ଟନାୟକ

ସିଦ୍ଧେଶ୍ୱର ସାହି

କଟକ-୧

 

୧୯୬୬ର ଏପ୍ରିଲ ମାସରେ କଟକର ସୁପ୍ରସିଦ୍ଧ ଉତ୍କଳ ସାହିତ୍ୟ ସମାଜର ସଭାପତି ନିର୍ବାଚିତ ହୋଇଥିଲି, ଉପସଭାପତି ଭାବରେ ଶ୍ରୀ ଅନନ୍ତ ପଟ୍ଟନାୟକ । ତିନି ଚାରିବର୍ଷ ଦୁଇବନ୍ଧୁ ଏକତ୍ର କାର୍ଯ୍ୟ କରିବାର ସୁଯୋଗ ପାଇଥିଲୁଁ । ବଡ଼ ଆନନ୍ଦ ଓ ଶ୍ରଦ୍ଧାର ସହିତ କର୍ତ୍ତବ୍ୟ ସମ୍ପାଦନ କରୁଥିଲୁଁ ।

 

ମୋ’ପରେ ଉତ୍କଳ ସାହିତ୍ୟ ସମାଜର ସଭାପତି ହେଲେ ବନ୍ଧୁ ଅନନ୍ତ ପଟ୍ଟନାୟକ ।

 

ଉତ୍କଳର ସୈନିକ-କବି । ମୋର ଅନ୍ତରଙ୍ଗ ବନ୍ଧୁ ଅନନ୍ତ ପଟ୍ଟନାୟକ ଆମମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଅନନ୍ତ ଧାମକୁ । ଆଜି ଦେଶଭରି ଶୋକର ଉଚ୍ଛ୍ୱାସ, ମୋର ପ୍ରାଣଭରା ଶୋକର ସନ୍ତାପ ।

 

ତାଙ୍କର ସହଧର୍ମିଣୀ କଥାଶିଳ୍ପୀ ନୀରଦପ୍ରଭା ପଟ୍ଟନାୟକଙ୍କୁ ଆମ ଓଡ଼ିଶା ସାହିତ୍ୟ ଏକାଡେମୀର “କୋଣାର୍କ” ଓ ମୁଁ ସମ୍ପାଦକ ଭାବରେ ସମବେଦନା ଜ୍ଞାପନ କରୁଅଛୁଁ ।

 

 

ରାଧାମୋହନ ଗଡ଼ନାୟକ

ସମ୍ପାଦକ, କୋଣାର୍କ

***

 

ଏକାଡେମୀ ସମାଚାର

୩୧/୭/୮୭ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସମିତିର ଏକ ବୈଠକ ଏକାଡେମୀର କାର୍ଯ୍ୟାଳୟରେ ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ନିମ୍ନଲିଖିତ କେତେକ ପ୍ରଧାନ ପ୍ରଧାନ ବିଷୟ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି ।

 

(କ)

ଏହି ସଭାରେ କବି ଅନନ୍ତ ପଟ୍ଟନାୟକଙ୍କର ସ୍ୱର୍ଗତ ଆତ୍ମା ପ୍ରତି ସମ୍ମାନ ପ୍ରଦର୍ଶନ କରି ସମସ୍ତ ସଭ୍ୟ ଦୁଇମିନିଟ ପାଇଁ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ କବି ଅନନ୍ତ ପଟ୍ଟନାୟକଙ୍କର ଏକାଦଶାହ ଉପଲକ୍ଷେ ଏକାଡେମୀ ତରଫରୁ ଏକ ସ୍ମରଣିକା ପ୍ରକାଶ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ୱର୍ଗତ କବିଙ୍କ ବାଦାମବାଡ଼ିସ୍ଥ ବାସଭବନରେ ଉକ୍ତ ସ୍ମରଣିକାଟିକୁ ତାଙ୍କ ଏକାଦଶାହ ଦିନ ତା ୫ । ୭ । ୮୭ ରିଖରେ ଅତି ଗମ୍ଭୀର ଓ ମନୋଜ୍ଞ ପରିବେଶରେ ଉଦ୍‌ଘାଟନ କରିଥିଲେ ।

 

(ଖ)

ଓଡ଼ିଶା ସାହିତ୍ୟ ଏକାଡେମୀରେ ସ୍ଥାପନ କରାଯାଇଥିବା ସାହିତ୍ୟିକ ଅଭିଲେଖାଗାର ଲାଗି ଓଡ଼ିଆ ସାହିତ୍ୟ ସହିତ ସଂପୃକ୍ତ ବିଭିନ୍ନ ଦୁଷ୍ପ୍ରାପ୍ୟ ଲେଖା / ସାମଗ୍ରୀମାନ ଯେଉଁମାନଙ୍କ ନିକଟରେ ରହିଛି ସେମାନଙ୍କଠାରୁ ତାହା କ୍ରୟ କରିବା ପାଇଁ ସମ୍ବାଦପତ୍ରରେ ବିଜ୍ଞାପନ ପ୍ରକାଶ କରାଯିବାର ଉକ୍ତ କାର୍ଯ୍ୟକାରୀ ସମିତିରେ ନିଷ୍ପତ୍ତି କରାଯାଇଛି ଏବଂ ତଦନୁସାରେ ସମ୍ୱାଦପତ୍ରମାନଙ୍କରେ ଏହା ବିଜ୍ଞାପିତ ହୋଇଛି । ଯଥାଶୀଘ୍ର ଏକାଡେମୀର ନବ ପ୍ରତିଷ୍ଠିତ ସାହିତ୍ୟିକ ଅଭିଲେଖାଗାରଟିକୁ ସୁସମୃଦ୍ଧ କରିବାର ଉଦ୍ୟମ କରାଯାଉଛି ।

 

(ଗ)

୧୯୮୮ ମସିହାରେ ଓଡ଼ିଆ ଉପନ୍ୟାସର ଶତବାର୍ଷିକୀ ଉତ୍ସବ ପାଳନ ଲାଗି ନିମ୍ନଲିଖିତ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରାଯିବା ସ୍ଥିର ହୋଇଛି ।

 

୧.

ଓଡ଼ିଆ ଉପନ୍ୟାସ ଉପରେ ରଚିତ ଗବେଷଣାତ୍ମକ ନିବନ୍ଧମାନଙ୍କୁ ଏକାଡେମୀର ତ୍ରୈମାସିକ ସାହିତ୍ୟପତ୍ର କୋଣାର୍କର ଏକ ସ୍ୱତନ୍ତ୍ର ସଂଖ୍ୟାରୂପେ ସ୍ଵତନ୍ତ୍ର ସଂପାଦନାରେ ପ୍ରକାଶ କରାଯିବ ।

 

୨.

ଓଡ଼ିଆ ଉପନ୍ୟାସର ଗତି ଓ ପ୍ରକୃତି’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ କରାଯିବ ।

 

୩.

ପ୍ରଥମ ଓଡ଼ିଆ ଉପନ୍ୟାସ ‘ପଦ୍ମମାଳୀ’ର ସ୍ୱତନ୍ତ୍ର ସଂସ୍କରଣ ଏକ ବିସ୍ତୃତ ମୁଖବନ୍ଧ ସହିତ ପ୍ରକାଶ କରାଯିବ ।

 

୪.

ଉତ୍କଳ, ବ୍ରହ୍ମପୁର ଓ ସମ୍ୱଲପୁର ବିଶ୍ୱବିଦ୍ୟାଳୟଗୁଡ଼ିକ ସହଯୋଗରେ ଓଡ଼ିଆ ଉପନ୍ୟାସ ସମ୍ପର୍କରେ ତିନିଗୋଟି ଆଲୋଚନା-ଚକ୍ରର ଆୟୋଜନ କରାଯିବ ।

 

୫.

ଓଡ଼ିଶାର କେତେକ ବୟୋଜ୍ୟେଷ୍ଠ ସୁପ୍ରତିଷ୍ଠିତ ଔପନ୍ୟାସିକଙ୍କୁ ସ୍ୱତନ୍ତ୍ର ସମ୍ୱର୍ଦ୍ଧନା ପ୍ରଦାନ କରାଯିବ ।

 

୬.

‘ଓଡ଼ିଆ ଉପନ୍ୟାସ ସାହିତ୍ୟର କ୍ରମବିକାଶ’ ଶୀର୍ଷକ ଏକ ପ୍ରଦର୍ଶନୀର ଆୟୋଜନ କରାଯିବ-

 

୭.

ଓଡ଼ିଆ ଉପନ୍ୟାସର ଏକ ପୂର୍ଣ୍ଣାଙ୍ଗ ଇତିହାସ ପ୍ରଣୟନ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।

 

୮.

ବିଶିଷ୍ଟ ଓଡ଼ିଆ ଔପନ୍ୟାସିକମାନଙ୍କର ହସ୍ତାକ୍ଷରରେ ରଚିତ ବିଭିନ୍ନ ଉପନ୍ୟାସର ପାଣ୍ଡୁଲିପି ସଂଗ୍ରହ କରାଯାଇ ଏକାଡେମୀ ସାହିତ୍ୟିକ ଅଭିଲେଖାଗାରରେ ଗଚ୍ଛିତ ରହିବ ।

 

ଏହି କାର୍ଯ୍ୟକ୍ରମଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଟ୍ ଆକାରରେ ୨,୫୦,୨୦୦ ଟଙ୍କା ଦେବା ପାଇଁ ଅନୁରୋଧ କରାଯାଇଅଛି ।

 

(ଘ)

ଏକାଡେମୀର ପୁସ୍ତକ ବିକ୍ରୟଲବ୍ଧ ଅର୍ଥ ଏବଂ ସରକାରଙ୍କଠାରୁ ସ୍ୱତନ୍ତ୍ର ପ୍ରକାଶନ ବାବଦ ଗ୍ରାଣ୍ଟକୁ ନେଇ ଏକ Revolving fund ସୃଷ୍ଟି କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ବର୍ତ୍ତମାନ ପାଇଁ ପୁସ୍ତକ ବିକ୍ରୟଲବ୍ଧ ୫ ଲକ୍ଷ ଟଙ୍କା ସହିତ ସରକାରଙ୍କଠାରୁ ସ୍ୱତନ୍ତ୍ର ଗ୍ରାଣ୍ଟ ଆକାରରେ ଆଉ ୫ ଲକ୍ଷ ଟଙ୍କା ଆଣି ମୋଟ ୧୦ ଲକ୍ଷ ଟଙ୍କାରେ ଏହି ପାଣ୍ଠିଟି ସୃଷ୍ଟି କରାଯିବାର ନିଷ୍ପତ୍ତି ନିଆଯାଇଅଛି । ଏହି ପାଣ୍ଠିଟି ସୃଷ୍ଟି ହେବାପରେ ଏକାଡେମୀର ପ୍ରକାଶନ କାର୍ଯ୍ୟକ୍ରମ ଯଥେଷ୍ଟ ଭାବରେ ସଂପ୍ରସାରିତ ହୋଇପାରିବ । ପ୍ରତିବର୍ଷ ମିଳୁଥିବା ବିକ୍ରୟଲବ୍ଧ ଅର୍ଥକୁ ଏହି ପାଣ୍ଠିରେ ଜମା ଦିଆଯାଉଥିବ ଏବଂ ଏହି ଅର୍ଥକୁ ପୁନର୍ବାର ପ୍ରକାଶନ କାର୍ଯ୍ୟରେ ବିନିଯୋଗ କରାଯାଉଥିବ । ପ୍ରକାଶନ କାର୍ଯ୍ୟକ୍ରମକୁ ଅଧିକ ଲାଭଜନକ କରିବା ଲାଗି କେବଳ ଗବେଷଣାତ୍ମକ ପୁସ୍ତକମାନଙ୍କ ବ୍ୟତୀତ ଉପନ୍ୟାସ, ନାଟକ ଆଦି ଅନ୍ୟାନ୍ୟ ସୃଷ୍ଟିଧର୍ମୀ ଲେଖାମାନ ଏକାଡେମୀ ତରଫରୁ ପ୍ରକାଶ କରିବା ପାଇଁ ସ୍ଥିର କରାଯାଇଅଛି । ଏ ସମ୍ପର୍କରେ ବିଧିବଦ୍ଧ ଭାବରେ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇ ତାହା ଅନୁମୋଦିତ ହେବା ପରେ ଏହି Revolving fundକୁ କାର୍ଯ୍ୟକାରୀ କରାଯିବ ଏବଂ ତଦନୁଯାୟୀ ପୁସ୍ତକମାନ ପ୍ରକାଶିତ ହେବ ।

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ

 

ସମସ୍ତ ପୁସ୍ତକର ଓଡ଼ିଶା ପାଇଁ ଏକକ ପରିବେଷକ ଭାବେ

କଟକର କେନ୍ଦ୍ର ସ୍ଥଳରେ ଅବସ୍ଥିତ

 

 

କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍ସ,

 

 

ବାଲୁବଜାର, କଟକ-୨ଙ୍କୁ

ନିଯୁକ୍ତ କରାଯାଇଅଛି ।

 

ସହୃଦୟ ଗ୍ରାହକ ଏବଂ ପୁସ୍ତକ ବ୍ୟବସାୟୀ ଏକାଡେମୀ ପୁସ୍ତକ ପାଇଁ ଏହି ଏକକ ପରିବେଷକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ

 

 

ସୁରେନ୍ଦ୍ରନାଥ ଶତପଥୀ,

ସଂପାଦକ,

 

ଓଡ଼ିଶା ସାହିତ୍ୟ ଏକାଡେମୀ

ସଦ୍ୟ ପ୍ରକାଶିତ ପୁସ୍ତକାବଳୀ

 

ଜଳନ୍ଧରଦେବ ରଚନାବଳୀ

ସଂକଳକ : ଶ୍ରୀ ରାମଚନ୍ଦ୍ର ବ୍ରହ୍ମା

ଟ ୪୫-୦୦

ବ୍ରଜବିହାରୀ ରଚନାବଳୀ

ସଂକଳକ : ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ

ଟ ୫୩-୦୦

ଓଡ଼ିଶାର ସାଂସ୍କୃତିକ ଇତିହାସ

(୪ର୍ଥ ଭାଗ) (ଗଙ୍ଗ ଓ ଗଜପତି

ରାଜତ୍ୱରେ ଓଡ଼ିଶାର ସଂସ୍କୃତି)

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

ଶ୍ରୀ ରବିନାରାୟଣ ଦାଶ

ଟ ୨୩-୦୦

ଭରତମୁନିପ୍ରଣୀତମ୍‌ ନାଟ୍ୟଶାସ୍ତ୍ରମ୍‌

(ଦ୍ୱିତୀୟ ସଂସ୍କରଣ)

 

ଅନୁବାଦକ : ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ

ଟ ୩୫-୦୦

ସାହିତ୍ୟ ଦର୍ପଣ (ଦ୍ୱିତୀୟ ସଂସ୍କରଣ)

ଅନୁବାଦକ : ପଣ୍ଡିତ ନାରାୟଣ ମହାପାତ୍ର

ଟ ୯୯-୦୦

କାବ୍ୟ-ପ୍ରକାଶ (ଦ୍ୱିତୀୟ ସଂସ୍କରଣ)

ଅନୁବାଦକ :ପଣ୍ଡିତ ନାରାୟଣ ମହାପାତ୍ର

ଟ ୯୧-୦୦

ଭାରତୀୟ ଦର୍ଶନ (ଦ୍ୱିତୀୟ ସଂସ୍କରଣ)

ଅନୁବାଦକ : ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର

ଟ ୫୬-୦୦

ଚରିତ ଚିନ୍ତାମଣି (ଦ୍ୱିତୀୟ

ସଂସ୍କରଣ ପୌରାଣିକ ଶବ୍ଦକୋଷ)

ସଂକଳକ : ପଣ୍ଡିତ ନୀଳକଣ୍ଠ ରଥ

ଟ ୬୧-୦୦

ଆଧୁନିକ ଓଡ଼ିଆ ସାହିତ୍ୟର

ଭୂମି ଓ ଭୂମିକା (ତୃତୀୟ ସଂସ୍କରଣ)

ସଂକଳକ : ଡକ୍ଟର କୁଞ୍ଜବିହାରୀ ଦାଶ

ଟ ୨୮-୦୦

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ

 

 

***